অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସ୍ୱଚ୍ଛଭାରତ ମିଶନ ଗ୍ରାମୀଣର ଆମ୍ବାସଡର ମନୀଷା ରାଣୀ

ସ୍ୱଚ୍ଛଭାରତ ମିଶନ ଗ୍ରାମୀଣର ଆମ୍ବାସଡର ମନୀଷା ରାଣୀ

ମନୀଷା ରାଣୀଙ୍କ କାହାଣୀ

ସ୍ୱଚ୍ଛ ଭାରତ ମିଶନରେ ଆଜି ଭାରତର ସବୁ ଗାଁ, ସହର, ଜିଲ୍ଳା, ରାଜ୍ୟ ସାମିଲ ହେବାରେ ଲାଗିଛନ୍ତି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଆରମ୍ଭ କରିଥିଲେ । ୨୦୧୯ ମସିହା ଅକ୍ଟୋବର ୨ ତାରିଖ ସୁଦ୍ଧା ସମଗ୍ର ଭାରତ ବର୍ଷ ସ୍ୱଚ୍ଛ ଭାରତ ହୋଇଯାଇଥିବ ଏହା ସ୍ୱପ୍ନ ଦେଖିଛନ୍ତି ମୋଦି । ସ୍କୁଲ, ଡାକ୍ତରଖାନା, ଘର, ବସଷ୍ଟାଣ୍ଡ, ରେଳ ଷ୍ଟେସନ ସବୁଠି ଦେଖାଦେଲାଣି ଏହି ମିଶନର କମାଲ । ଥିରେ ଥିରେ ଏଥିରେ ସ୍କୁଲ ପିଲାଙ୍କ ଠାରୁ ଆରମ୍ଭ କରି ନେତା, ମନ୍ତ୍ରୀ, ଅଭିନେତା, ପ୍ରଧାନମନ୍ତ୍ରୀ ସମସ୍ତେ ସାମିଲ ହେବାରେ ଲାଗିଛନ୍ତି । କେହି ବି ଏହାକୁ ହାତ ଛଡା କରିବାକୁ ଚାହିୁଁ ନାହାନ୍ତି ।

ତେବେ ଏ ତ ଗଲା ରାଜ୍ୟ ତଥା ଦେଶର କଥା । ଏବେ ଆସନ୍ତୁ ଜଣେ ଏମିତି ଝିଅଙ୍କ ବିଷୟରେ ଜାଣିବା ଯିଏ ଜଣେ ସାଧାରଣ ଝିଅଟିଏ । କିନ୍ତୁ ତାର ପରିଶ୍ରମ ଓ କର୍ମ ବଳରେ ଆଜି ରାଜ୍ୟସରକାର ତାଙ୍କୁ ସ୍ୱଚ୍ଛଭାରତ ମିଶନ ଗ୍ରାମୀଣ ପାଇଁ ବ୍ରାଣ୍ଡ ଆମ୍ବାସଡର ଭାବେ ପୁରସ୍କୃତ କରିଛନ୍ତି । ସେ ହେଉଛନ୍ତି କନ୍ଧମାଳ ଜିଲ୍ଳାର ମନୀଷା ରାଣୀ ପ୍ରଧାନ ।

କଥାରେ ଅଛି ବଣ ମଲ୍ଳୀ ବଣରେ ଫୁଟି ବଣରେ ମଉଳି ଯାଏ । ତାକୁ ବାହ୍ୟ ଜଗତରେ ଲୋକେ ଜାଣିପାରନ୍ତି ନାହିଁ । କିନ୍ତୁ ଏମିତି ଅନେକ ମଲ୍ଳି ଅଛି ଯେଉଁମାନେ ନିଜ ବାସ୍ନାରେ ସାରା ଜିଲ୍ଳା କାହିଁକି ରାଜ୍ୟସ୍ତରରେ ମଧ୍ୟ ସଫଳତା ପାଇଛନ୍ତି । କେ. ନୂଆଁ ଗାଁ ବ୍ଳକ ଅନ୍ତର୍ଗତ ବିଲାବାଡି ହେଉଛି ଏକ ଛୋଟିଆ ଆଦିବାସୀ ଗାଁ । ସେଇଠି ପାଖାପାଖି ୧୫୦ ଟି ପରିବାର ବସବାସ କରନ୍ତି । ଏଠାରେ କିଛି ବର୍ଷ ପୁର୍ବେ ଲୋକମାନେ ଡାଇରିଆ,ଝାଡାବାନ୍ତିରେ ବହୁ ଆକ୍ରାନ୍ତ ହେଉଥିଲେ, ତା ସହ ବହୁ ସମୟରେ ଛୋଟ ଛୋଟ ଶିଶୁ ଓ ବୁଢ଼ାବୁଢ଼ୀ ମାନଙ୍କ ଏଥିରେ ମୃତ୍ୟୁ ମଧ୍ୟ ହେଉଥିଲା । ଜନସଚେତନତା ଅଭାବରୁ ଏମିତି ପ୍ରତିବର୍ଷ କିଛି ନା କିଛି ଦୂର୍ଘଟଣା ଘଟିଥାଏ।

ଜନ ସଚେତନତା ଅଭାବରୁ ବହୁ ଲୋକ ଜାଣି ନାହାନ୍ତି ଯେ ଆମେ ଖୋଲାରେ ମଳତ୍ୟାଗ କଲେ ସେହି ମଳରେ ବସୁଥିବା ମାଛି ପୁଣି ଆମ ଖାଦ୍ୟରେ ଆସି ବସେ । ଆମେ ସେହି ଖାଦ୍ୟ ଖାଇଥାଉ । ଗୋଟିଏ ମାଛି ୩ କିଲୋମିଟର ଯାଏ ଉଡ଼ିପାରେ ଏବଂ ତାର ଗୋଡରେ ଲାଗିଥିବା ଜୀବାଣୁକୁ ଆମ ଖାଦ୍ୟରେ ଛାଡି ଦେଇଥାଏ । ତେଣୁ ଆମେ ଭାବୁ ଆମେ ଯେଉଁ ମଳତ୍ୟାଗ କଲେ ତାହା ଅନ୍ୟତ୍ର ସ୍ଥାନାନ୍ତର ହୋଇଗଲା । କିନ୍ତୁ ଅନ୍ୟପଟେ ଆମେ ଭୁଲି ଯାଉ ଯେ ନିଜ ମଳ ଆମେ ନିଜେ ହିଁ ଖାଉଛୁ । ଖାଦ୍ୟ ଖାଇବା ବା ପରଶିବା ଆଗରୁ ଯେ ସାବୁନରେ ହାତ ଧୋଇବା ନିତାନ୍ତ ଆବଶ୍ୟକ ତାହା ହୃଦୟଙ୍ଗମ କରିପାରୁନା।

ସ୍ୱଚ୍ଛ ଭାରତ ମିଶନ ପାଇଁ ଜନ ସଚେନତା

ଏମିତି ଦିନେ କେ.ନୂଆ ଗାଁ ବ୍ଳକରେ ଡିଏଫ୍ଆଇଡି ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମନୀଷା ରାଣୀ ପ୍ରଧାନ ଯୋଗ ଦେଇଥାନ୍ତି । ସେଠାରେ ବ୍ଳକର ବିଡିଓଙ୍କ ସମେତ ବହୁ ବ୍ୟକ୍ତି ବିଶେଷ ଯୋଗ ଦେଇଥାନ୍ତି । ସେଠାରେ ଖୋଲାରେ ମଳତ୍ୟାଗ ବନ୍ଦ କରିବା ଉପରେ ଲୋକଙ୍କୁ ବୁଝାଯାଉଥାଏ। ସେହି ଦିନର ବୈଠକ ମନୀଷାଙ୍କ ଜୀବନର ଦିଗ ପରିବର୍ତ୍ତନ କରି ଦେଲା । ସେ ନିଜେ ତ ବୁଝିଲେ କିନ୍ତୁ ମନରେ ଠାଣି ନେଲେ ଯେ ଗ୍ରାମବାସୀଙ୍କୁ ମଧ୍ୟ ଏହା ସମ୍ପର୍କରେ ବୁଝାଇବେ।  ସେ ନିଜ ଗ୍ରାମର କିଛି ଲୋକଙ୍କୁ ଏକାଠି କରି ବାହ୍ୟ ମଳତ୍ୟାଗ କଲେ କଣ ଅସୁବିଧା ହୁଏ ବୁଝାଇଲେ । ପ୍ରଥମେ ପ୍ରଥମେ ତାଙ୍କୁ ଗାଁର କିଛି ଲୋକ ବାରଣ ମଧ୍ୟ କଲେ । ତଥାପି ମନୀଷା ତାଙ୍କ କର୍ମ ପଥରୁ ଉହରିଲେ ନାହିଁ । ଯେତେ କଷ୍ଟ ଆସୁ ମଧ୍ୟ ସେ ନିଜ କର୍ମରେ ଆଗେଇ ଚାଲିଲେ । ବହୁ ଲୋକେ ବହୁ କଥା କହିଲେ । ଧୀରେ ଧୀରେ ଗାଁରେ ସମସ୍ତେ ବୁଝିଲେ, ଖୋଲାରେ ମଳତ୍ୟାଗ କଲେ କଣ ଅସୁବିଧା ହେଉଛି । ଗାଁରେ ସମସ୍ତେ ମିଶି ମିଟିଙ୍ଗ କଲେ ।

ମନୀଷା କହିବା ମୁତାବକ ଅନେକେ ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରି ପ୍ରତି ଘରେ ପାଇଖାନା ତିଆରି କଲେ । ଆଉ ବାହାରେ ମଳତ୍ୟାଗ କେହିଁ କଲେ ନାହିଁ । ଏବଂ ମନୀଷା ଦିନେ ଗାଁ ଲୋକଙ୍କ ସହ ମିଶି ଜିଲ୍ଳାପାଳଙ୍କୁ ଦେଖା କରିବାକୁ ଗଲେ । ଜିଲ୍ଳାପାଳ ଖୁସି ହୋଇ ମନୀଷାଙ୍କ ଏହି ମହତ କାମ ପାଇଁ ପ୍ରଶଂସା କରିବା ସହିତ ପୁରସ୍କୃତ ମଧ୍ୟ କଲେ ।  ଜିଲ୍ଲାପାଳଙ୍କୁ ମନୀଷା କହିଥିଲେ ପାଇଖାନା ଥିବ ଯେଉଁ ଘରେ ମୁଁ ବାହା ହେବି ସେହି ଘରେ । ଜିଲ୍ଳାପାଳ ମହୋଦୟ ଏହା ଶୁଣି ଖୁସି ହୋଇଥିଲେ । ପରେ ବିଲାବାଡି ଗାଁର ସମସ୍ତ ପରିବାରକୁ ୧୨ ହଜାର ଟଙ୍କା ଲେଖାଏଁ ପାଇଖାନା ତିଆରି କରିଥିବା ପାଇଁ ପ୍ରଦାନ କରିଥିଲେ । ବିଲାବାଡି ହେଉଛି କନ୍ଧମାଳ ଜିଲ୍ଳାର ଏକ ଛୋଟିଆ ଆଦିବାସୀ ଗାଁ । ଯେଉଁଠି ମୌଳିକ ସୁବିଧା ମଧ୍ୟ ପହଂଚି ପାରିନାହିଁ । ମନୀଷାଙ୍କ ଉଦ୍ୟମ ଫଳରେ ସେ ଗାଁକୁ ସମସ୍ତ ପ୍ରକାରର ସୁବିଧା ଯୋଗାଇ ଦିଆଯିବ ବୋଲି ଜିଲ୍ଳାପାଳ ଘୋଷଣା କରିଥିଲେ ଏବଂ ତାହା ପୂର୍ଣ୍ଣ ମଧ୍ୟ କରିଥିଲେ । ଖୋଲା ମଳତ୍ୟାଗ ମୁକ୍ତ ଗାଁ ବୋଲି ଘୋଷଣା କରିବା ସହ ଆଦର୍ଶ ଗାଁର ମାନ୍ୟତା ଦିଆଗଲା।

ସେହିଦିନ ଠାରୁ ମନୀଷା ରାଣୀ ତାଙ୍କ ପାଠ ପଢ଼ିବା ସହ ଗାଁ ଗାଁ ବୁଲି ସ୍ୱଚ୍ଛ ଭାରତ ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଉଛନ୍ତି । ଚଳିତ ବର୍ଷ ମନୀଷା +୨ କଳା ପରୀକ୍ଷା ଦେଇଛନ୍ତି । ଅଳ୍ପ ବୟସରେ ସେ ଏତେ କାମ କରୁଛନ୍ତି ଯାହାକୁ ଦେଖି ଜିଲ୍ଳାରେ ଅନ୍ୟ ମହିଳା ମାନେ ମଧ୍ୟ ଆଗକୁ ଆସିଛନ୍ତି ।

୨୦୧୫ ମସିହା ଅକ୍ଟୋବର ୨ ତାରିଖ ଦିନ ମନୀଷାଙ୍କୁ ରାଜ୍ୟ ସରକାରଙ୍କ ସ୍ବଚ୍ଛ ଭାରତ ମିଶନ ଗ୍ରାମୀଣ ପାଇଁ ଓଡିଶାର ବ୍ରାଣ୍ଡ ଆମ୍ବାସଡର ପୁରସ୍କାର ମଧ୍ୟ ଦେଇଛନ୍ତି ।

ସେ ଏବେ କନ୍ଧମାଳ ଜିଳ୍ଳାର ବହୁ ଅଂଚଳକୁ ଯାଇ ପ୍ରୋଗାମ ମାଧ୍ୟମରେ ଲୋକଙ୍କୁ ବୁଝାଉଛନ୍ତି । ସେ ନିଜ ପ୍ରଚେଷ୍ଟା ବଳରେ ଏ ଯାଏଁ ପାଖାପାଖି ୧୦ ଟି ଗ୍ରାମର ୧୦୦୦ ରୁ ବେଶି ଲୋକଙ୍କୁ ଖୋଲାରେ ମଳତ୍ୟାଗ ନ କରିବାକୁ ବୁଝାଇ ସାରିଲେଣି । ତାଙ୍କ ସ୍ୱପ୍ନ ରହିଛି ଆଗାମୀ ଦୁଇ ରୁ ତିନି ବର୍ଷ ମଧ୍ୟରେ ସମଗ୍ର ଜିଲ୍ଳା ଯେମିତି ଖୋଲାରେ ମଳତ୍ୟାଗ ମୁକ୍ତ ଜିଲ୍ଳା ହୋଇ ପାରିବ ।

ଆଧାର -

"odia.yourstory.com/pawantiwari"

Last Modified : 1/16/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate