অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବରସିମ୍

ଉପକ୍ରମ

ବରସିମ୍ ଗୋଟିଏ ଶୀତକାଳୀନ ଗୋଖାଦ୍ୟ ଫସଲ  । ଏଥିରେ ପୋଷାକ ପଦାର୍ଥ ଭରପୁର ହୋଇ ରହିଛି  । ବରସିମ୍ ରସାଳ  । ଏଥିରେ ଶତକଡା ତିରିଶ ଭାଗ ଜଟିଳ ପୁଷ୍ଟିସାର ଓ ଶତକଡା ସତୁରୀ ଭାଗ ଶୁଷ୍କ ପଦାର୍ଥ ରହିଛି ଯାହା ସହଜରେ ହଜମ ହୋଇପାରିବ  । ଏହି ଗୋ ଖାଦ୍ୟରେ କାଲସିୟମ  ଓ ଫସଫରସ୍ ରହିଛି  । ବରସିମ୍ ଚାଷ କରିବା ଦ୍ଵାରା ମୃତ୍ତିକାର ଜୈବିକ ରାସାୟନିକ ଓ ଭୋଇତିକ ଉନ୍ନତି ହୋଇଥାଏ  । ମୃତ୍ତିକାର ମୁଖ୍ୟ ରାସାୟନିକ ପରିବର୍ତ୍ତନ ମଧ୍ୟରୁ ଜମିର ମୋଟ ଯବକ୍ଷାରଜାନ, ଜୈବିକ ଅଙ୍ଗାର ଓ ସୁଲଭ ଫସଫରସ୍ ପରିମାଣ ବୃଦ୍ଧି ପାଇଥାଏ  । ବରସିମ୍ ଚାଷ ଦ୍ଵାରା ମୃତ୍ତିକା ହାଲୁକା ହୁଏ  । ମୃତ୍ତିକାର ଅଣୁଜୀବ ସଂଖ୍ୟା ବୃଦ୍ଧି ପାଇଥାଏ  । ଫଳରେ ଫସଲ ଉତ୍ପାଦନ ବୃଦ୍ଧି ପାଏ  । ତୃଣକ ବୃଦ୍ଧି କମିଯାଏ  । ବରସିମ୍ ଫସଲରୁ ସାଧାରଣତଃ ୬୦୦ରୁ ୧୦୦୦ କୁଇଣ୍ଟାଲ ଗୋଖାଦ୍ୟ ମିଳିଥାଏ  । ବରସିମ୍ ଗୋଖାଦ୍ୟ ଦୁଧିଆଳୀ ଗାଈ ବଡ ଉପକାରୀ  ।

ଉଦ୍ଭବ କେନ୍ଦ୍ର

ମିଶର ଏହାର ଉଦ୍ଭବ କେନ୍ଦ୍ର  । ୧୯୦୪ ମସିହାରେ ବରସିମ୍ ଭାରତରେ ପ୍ରଥମେ କରାଯାଇଥିଲା  ।

କ୍ଷେତ୍ରଫଳ ଓ ବଣ୍ଟନ

ଖୁବ୍ ଅଳ୍ପ ଦେଶରେ ବରସିମ୍ ଚାଷ ହୁଏ  । ସାଧାରଣତଃ ଏହା ମିଶର, ସିରିଆ, ପରସିଆ, ପାକିସ୍ଥାନ ଓ ଭାରତରେ ଚାଷ ହୁଏ  ।

ଭାରତରେ ଏହି ଫସଲ ନୂଆ  । ରବି ଋତୁରେ ଏହାକୁ ଜଳସେଚିତ ଜମିରେ ଚାଷ କରାଯାଏ  । ବରସିମ୍ ରବି ଫସଲ ରୂପେ ପଞ୍ଜାବ, ହରିୟାନା, ଦିଲ୍ଲୀ, ରାଜସ୍ଥାନ, ଉତ୍ତରପ୍ରଦେଶ, ଗୁଜୁରାଟ, ବିହାର, ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶର କେତେକ ସ୍ଥାନରେ ଚାଷ କରାଯାଏ  ।

ଉଦ୍ଭିଦ ବର୍ଣ୍ଣନା

ବରସିମ୍ ଗୋଟିଏ ଛୋଟିଆ ବୁଦାଳିଆ ବର୍ଷିକିଆ  ଗଛ  । ଏହାର ଉଚ୍ଚତା ପ୍ରାୟ ୬୦ରୁ ୮୦ ସେ.ମି.  । ଲୁସର୍ଣ୍ଣ ପରି ବରସିମ୍ ର ମୂଳ ସେତେ ଗଭୀରକୁ ଯାଏ ନାହିଁ  । ଏହାର ଚେର ପ୍ରାୟ ୪୦ ରୁ ୫୦ ସେ.ମି. ଗଭୀରକୁ ଯାଏ  । କାଣ୍ଡ ରସାଳ ଓ ପୋଲା; କିନ୍ତୁ ଫୁଲ ହେଲାପରେ ଏହା ତନ୍ତୁମୟ ହୋଇଥାଏ  । ପତ୍ରଗୁଡ଼ିକ ଛୋଟ ଓ ତ୍ରିପତ୍ରୀ  । ଏହାର ଉପର ପାର୍ଶ୍ଵ ଅଳ୍ପ ଲୋମଶ ହୋଇଯାଏ  । ପୁଷ୍ପ ପ୍ରମୁଖ ଗୋଲିଆ ଏବଂ ସଫେଦ୍ ହଳଦିଆ ରଙ୍ଗ  । ମଞ୍ଜିଗୁଡିକ ଛୋଟ ଛୋଟ  । ପ୍ରାୟ ୨ ସେ.ମି. ଲମ୍ବ ବିଶିଷ୍ଟ ଅଣ୍ଡାକୃତି ଏବଂ ହରିଦ୍ର ସବୁଜ ରଙ୍ଗର ଅଟେ  ।

ଋତୁ ଓ ଜଳବାୟୁ

ବରସିମ୍ ଥଣ୍ଡା ଓ ଶୁଷ୍କ ଜଳବାୟୁ ଆବଶ୍ୟକ  କରେ  । ଗଜା ହେବା ପାଇଁ କମ୍ ଉତ୍ତାପ ଆବଶ୍ୟକ ହୁଏ  ।  ରୁ  ସେଲସିୟସ ଉତ୍ତାପ ନହେଲେ ବରସିମ୍ ବୁଣାଯାଏ  ନାହିଁ  ।  ରୁ  ସେଲସିୟସ ଉତ୍ତାପରେ ଫସଲର ଭଲ ବୃଦ୍ଧି ଘଟେ  । ବରଫପାତ କିମ୍ବା ଅତ୍ୟଧିକ ଥଣ୍ଡା ସମୟରେ ଏହାର ବୃଦ୍ଧି ବାଧା ପ୍ରାପ୍ତ ହୁଏ  । ଉତ୍ତାପ  ରୁ  ସେଲସିୟସ କୁ ବୃଦ୍ଧି ପାଇଲେ କଟା ହେବା ପରେ ପୁଣି ଅମଳ ହ୍ରାସ ହୋଇଯାଏ  । ବରସିମ୍ ମରୁଡି ବା ବରଫାପାତକୁ ସହ୍ୟ କରିପାରେ ନାହିଁ  । ଏହି ଫସଲଟି ଜଳ ଯମୁଥିବା ଜମି ସନ୍ତସନ୍ତିଆ ଜମି ଓ ଅତ୍ୟଧିକ ବର୍ଷା ସହ୍ୟ କରିପାରେ ନାହିଁ  । ୨୫୦ ସେ.ମି. ବର୍ଷା ହେଉଥିବା ଅଞ୍ଚଳ ବରସିମ୍ ଚାଷ ପାଇଁ ଉପଯୁକ୍ତ  ।

ମୃତ୍ତିକା

ବାଲିଆମାଟିକୁ ଛାଡିଦେଲେ ଆଉ ସମସ୍ତ ପ୍ରକାର ମାଟିରେ ବରସିମ୍ ଚାଷ କରାଯାଇ ପାରେ  । ନିଗିଡା, ଦୋରସା, ଫସଫରସ୍ ଓ କ୍ୟାଲସିୟମ ପ୍ରଚୁର ପରିମାଣରେ ଥିବା ଜମିରେ ବରସିମ୍ ଭଲ ହୁଏ  । ବରସିମ୍ କ୍ଷାରୀ ମୃତ୍ତିକା ଓ ଜଳଧାରଣ ଶକ୍ତିଥିବା ଜମିରେ ଭଲ ହୁଏ; କିନ୍ତୁ ଅମ୍ଳ ମୃତ୍ତିକା ଏହା ପାଇଁ ଅନୁପଯୁକ୍ତ  ।

ବିହନ କିସମ

ବି.ଏଲ୍ – ୧, ମିସ୍କାଭୀ ଖଦାରଭୀ, ଚିନ୍ଦୱାରା, ଆଇ.ଜି.ଏଫ୍.ଆର.ଆଇ ୯୯-୧ ପୁଷା ଜାଏଣ୍ଟ ଏବଂ ଟି-୬୭୮  । ଚାରି ଛଅଟି କାଟରୁ ଏହି କିସମଗୁଡିକରୁ ୬୦୦ ରୁ ୧୦୦୦ କୁଇଣ୍ଟାଲ ଗୋଖାଦ୍ୟ ମିଳିଥାଏ  ।

ଜମିପ୍ରସ୍ତୁତି

ବରସିମ୍ ପାଇଁ ଗୁଣ୍ଡଚାଷ ଦରକାର  । ଏହାଦ୍ଵାରା ଗଜା ଭଲ ହୁଏ  । ଲୁହା ଲଙ୍ଗଳରେ ଥରେ ଓ ଡିସ୍କ ଲଙ୍ଗଳରେ ଥରେ ଚାଷ କରିବା ପରେ ବିଦା ଚଳାଇ ମାଟିଗୁଣ୍ଡ କରି ଦିଆଯାଏ  । ଜମିରୁ ଅନାବନା ଘାସ ବାଛିଦେବା ଉଚିତ  । ମଇଦେଇ ମାଟିକୁ ସମତୁଲ କରିଦେବା  ଉଚିତ୍  ।

ବରସିମ୍ ଦୁଇଟି ପ୍ରଣାଳୀରେ ବୁଣାଯାଏ  ।

  1. ଶୁଷ୍କ ବୁଣା ପ୍ରଣାଳୀ

ଏହି ପ୍ରଣାଳୀରେ ବିହନ ବୁଣିଦେଲେ ୦.୫ସେ.ମି. ରୁ ୧ ସେ.ମି. ବହଳରେ ମାଟି ଘୋଡାଇ ଦିଆଯାଏ  । ଏହି ସମୟରେ ମାଟିର ଉପଯୁକ୍ତ ବତରଥିବା ଉଚିତ୍  । ଯଦି ଜମିରେ ଉପଯୁକ୍ତ ବତର ରହି ଏହି ପ୍ରଣାଳୀରେ ବିହନ ବୁଣାଯାଏ, ପନ୍ଦର ଦିନ ମଧ୍ୟରେ ବିହନରୁ ଗଜା ହୋଇଯାଏ   । ଶୁଷ୍କବୁଣା ପ୍ରଣାଳୀ ଅବଲମ୍ବନ କାଲେ ଜମିରେ ଠିକ ଭାବରେ ଗଜା ହୋଇସାରିବା ପରେ ପାଣି ଦେବାର ବ୍ୟବସ୍ଥା କରାଯାଏ  ।

  1. କାଦୁଅ ବୁଣା ପ୍ରଣାଳୀ

ଏହି ପ୍ରଣାଳୀରେ ଜମି ପ୍ରସ୍ତୁତି ପରେ କିଆରିରେ ଛୋଟ ଛୋଟ ପଟାଳିରେ ବିଭକ୍ତ କରାଯାଏ  । ପ୍ରତ୍ୟକ ପଟାଳିରେ ୫ରୁ ୬ ସେ.ମି. ଉଚ୍ଚତାରେ ପାଣି ମଡାଇ ବିହନ ବୁଣି ଦିଆଯାଏ  । ମଞ୍ଜି ବୁଣିବା ପୂର୍ବରୁ ପଟାଳିରେ ଥିବା ମାଟି ଓ ପାଣିକୁ ଗୋଳାଇ ପତାଲା କ୍ଷୀରି ପରି କରିଦିଆଯାଏ  । ପାଣି ଜମିଥିବା ଅବସ୍ଥାରେ ମଇ ଦେଇଦେଲେ ମାଟି ସହ ପାଣି ଗୋଳେଇ ହୋଇଯାଏ  । ବିହନକୁ ଏହି ସମୟରେ ବୁଣାଗଲେ କିଛି ମାଟି ବିହନ ଉପରେ ବସିଯିବ ଓ ଗଜା ସହଜରେ ହୋଇପାରିବ  ।

ବିହନ ବୁଣିବା ପ୍ରଣାଳୀ

ବିହନ ବିଶୋଧନ

ବିହନ ସୁସ୍ଥ, ହୃଷ୍ଟପୃଷ୍ଟ ହଳଦିଆ ଏବଂ ତୃଣକ ମଞ୍ଜି ବିହୀନ ହେବା ଉଚିତ  । ୫% ଲୁଣ ପାଣିରେ ବିହନ ପକାଇ ଦେଲେ ଅପରିପକ୍ଵ ବିହନ ଓ ଅନ୍ୟାନ୍ୟ ତୃଣକ ମଞ୍ଜିଗୁଡିକ ପାଣିରେ ଭାସିଉଠିବା ନିଖୁଣ ବିହନ ପାତ୍ରରେ ତଳଅଂଶରେ ବସିଯିବ  । ଭାସମାନ ବିହନକୁ ସହଜରେ ଅଲଗା କରାଯାଇଥାଏ  । ନିଖୁଣ ବିହନକୁ ଲୁଣଯୁକ୍ତ କରିବା ପାଇଁ ମଧୁର ଜଳରେ ଧୋଇ ଦିଆଯାଇ ଶୁଖାଇ ଦିଆଯାଏ  । ଏକ କି.ଗ୍ରା. ବିହନରେ ୨ ଗ୍ରାମ୍ ରୁ ୩ ଗ୍ରାମ୍ ଥିରାମ/କ୍ୟାପଟାନ/ଏମିସାନ – ୬ ଔଷଧ ବ୍ୟବହାର କରି ବିହନ ବିଶୋଧନ କରାଯାଏ  । ଜମିରେ ପ୍ରଥମ କରି ବରସିମ୍ ଚାଷ କରିବାର ଥିଲେ ବିହନ ବିଶୋଧନ ପରେ ବିହନ ସହ ବୀଜାଣୁସାର, ରାଇଜୋବିୟମ ଟ୍ରାଇଫୋଲି ଗୋଳେଇ ବିହନ ବୁଣିବା ଉଚିତ  । ବୀଜାଣୁ ସାର ଅଭାବରେ ବରସିମ୍ ଚାଷ ହେଉଥିବା ଜମିରୁ ପ୍ରାୟ ପଚାଶ କି.ଗ୍ରା. ମାଟି ଆଣି ତାହାକୁ ଗୁଣ୍ଡକରି ବିହନ ସହିତ ମିଶାଇ ଜମିରେ ବୁଣିବା ଉଚିତ  ।

ବିହନ ପରିମାଣ

୨୫ କି.ଗ୍ରା ରୁ ୩୦ କି.ଗ୍ରା. ବିହନ ଏକ ହେକ୍ଟର ପାଇଁ ଆବଶ୍ୟକ  । ସଅଳରେ ବା ବିଳମ୍ବରେ ବୁଣିଲେ ହେକ୍ଟରକୁ ୩୫ କି.ଗ୍ରା. ବିହନ ଦରକାର ହୋଇଥାଏ  । ଫସଲର ଭଲ ବୃଦ୍ଧି ପାଇଁ ଟେଟ୍ରାଫ୍ଲୋଏଡ ଏବଂ ଡିପ୍ଲଏଡ ବିହନ ୨:୧ ଅନୁପାତରେ ମିଶାଇ ବୁଣାଯାଏ  । ପ୍ରଥମ କାଟରେ ଅମଳ କରିପାରେ  । ଏଣୁ ଲାହି ବା ସରସନ୍ ଗୋଖାଦ୍ୟ ବିହନ ହେକ୍ଟର ପିଛା ୧.୨ କି.ଗ୍ରା ମିଶାଇ ବୁଣିବା ଉଚିତ  ।

ବୁଣିବା ସମୟ

ଅକ୍ଟୋବର ମାସର ପ୍ରଥମ ପକ୍ଷ ବରସିମ୍ ବୁଣିବାର ଉପଯୁକ୍ତ ସମୟ  । ଏଥି ପୂର୍ବରୁ ବୁଣିଲେ ବର୍ଷାଦ୍ଵାରା ଏବଂ ଅତ୍ୟଧିକ ଉତ୍ତାପ ଯୋଗୁଁ କ୍ଷୟକ୍ଷତି  ହୋଇପାରେ  । ବିଳମ୍ବରେ ବୁଣିଲେ ଅତ୍ୟଧିକ ଥଣ୍ଡା ହେତୁ ଫସଲର କ୍ଷତି ହୋଇପାରେ  ।

ଖତସାର

ବରସିମ୍ ଏକ ଡାଲିଜାତୀୟ ଗୋଖାଦ୍ୟ  । ଏହି ଫସଲର ଚେରରେ ଥିବା ଗୁଟିକାରେ ଅଣୁଜୀବ ରହି ବାୟୁମଣ୍ଡଳରୁ ଯବକ୍ଷାରଜାନ ସଂଗ୍ରହ କରିଥାଏ  । ଏଣୁ କେବଳ ଗଜାହେବା  ପରେ ବୃଦ୍ଧି ଓ ବିକାଶ ପାଇଁ ଏହି ଫସଲ ନିମନ୍ତେ ଅଳ୍ପ ପରିମାଣ ଯବକ୍ଷାରଜାନ ସାର ପ୍ରୟୋଗ କରାଯାଏ  । ଭଲ ଅମଳ ପାଇବା ପାଇଁ ହେକ୍ଟର ପିଛା ୧୫ ଟନ ଗୋବର ଖତ ସହ ୨୦ ରୁ ୨୫ କି.ଗ୍ରା. ଯବକ୍ଷାରଜାନ ଜାତୀୟ ସାର ଏବଂ ୫୦ ରୁ ୬୦ କି.ଗ୍ରା. ସୁପର ସାର ଦରକାର  । ଶେଷ ଓଡଚାଷ ବେଳେ ଖତ ଓ ସାର ମିଶାଇ ମୂଳସାର ରୂପେ ପ୍ରୟୋଗ କରାଯାଏ  ।

ଜଳ ନିୟନ୍ତ୍ରଣ

ବିହନ ଗଜା ହେବା ପରେ ଜଳସେଚନ କରିବା ଉଚିତ୍  । ତାପରେ ପ୍ରତି ୭ ମାସ ଅନ୍ତରରେ ଦୁଇଥର ଜଳସେଚନ ଦେବା ଦରକାର  । ତାପରେ ଫେବୃୟାରୀ ମାସ ଶେଷ ପର୍ଯ୍ୟନ୍ତ ପ୍ରତି ୧୫ – ୨୦ ଦିନ ଅନ୍ତରରେ ଥରେ ଜଳସେଚନ ଦେବା ଉଚିତ  । ମାର୍ଚ୍ଚ ମାସଠାରୁ ମଇ ମାସ ପର୍ଯ୍ୟନ୍ତ ପ୍ରତି ୧୦ ଦିନରେ ଥରେ ଜଳସେଚନ କରିବାକୁ ହେବ  । ସାଧାରଣତଃ ପ୍ରତ୍ୟକ କାଟ ପରେ ଗୋଟିଏ ଜଳସେଚନ ଦିଆଯାଏ  । ପ୍ରତ୍ୟକ ଜଳସେଚନ ପାଞ୍ଚ ସେ.ମି. ଉଚ୍ଚତାରୁ ଅଧିକ ହେବା ଉଚିତ୍ ନୁହେଁ  ।

ଅମଳ

ପ୍ରଥମ କାଟ ୫୦ରୁ ୬୦ ଦିନରେ କରାଯାଏ  । ତତ୍ପରେ ପ୍ରତି ୨୫ ରୁ ୩୫ ଦିନ ଅନ୍ତରରେ କଟାଯାଏ  । କାଟିବା ସମୟରେ ଗଛକୁ ମାଟି ଉପରୁ ୫-୭ ସେ.ମି. ଛାଡି କାଟିବା ଉଚିତ୍  ।

ବିହନ ଉତ୍ପାଦନ

ପରସିମ୍ ରୁ ବିହନ ପାଇବା ପାଇଁ ସାଧାରଣତଃ ୩-୪ କାଟ ପରେ ବିହନ ରଖିଲେ ବିହନର ମାନ ତଥା ବିହନର ଉତ୍ପାଦନ କମିଯାଏ  । ବିହନ ପାଇଁ ଉଦ୍ଦିଷ୍ଟ ଫସଲରେ ସବୁବେଳେ ହାଲୁକା ଜଳସେଚନ ବେଶି ହେଲେ ଅଙ୍ଗୀୟ ବୃଦ୍ଧି ଅଧିକ ହେବ ଓ ବିହନ ଉତ୍ପାଦନ କମିଯିବ  । ଫୁଲ ଏବଂ ଛୁଇଁ ହେବା ସମୟରେ ଆବଶ୍ୟକ ମୁତାବକ ଜଳସେଚନ କରିବାକୁ ପଡେ  । ବିହନ ପାଇଁ ଉଦ୍ଦିଷ୍ଟ ଫସଲ ମଇ ମାସ ଶେଷ ଆଡକୁ ପରିପକ୍ଵ ହୁଏ  । ଫସଲରୁ ବେଙ୍ଗଳା ପକାଇ ଅମଳ କରାଯାଇଥାଏ  ।

ଅମଳ

ଏକ ହେକ୍ଟରରୁ ୮୦୦-୧୧୦୦ କୁଇଣ୍ଟାଲ କଞ୍ଚା ଗୋଖାଦ୍ୟ ମିଳିଥାଏ  । ଏଥିରୁ ପ୍ରାୟ ୧୮ ରୁ ୨୦% ଶୁଷ୍କ ପଦାର୍ଥ ମିଳିଥାଏ । ବିହନ ପାଇଁ ଉଦ୍ଦିଷ୍ଟ ଫସଲରୁ ୫୦୦ ରୁ ୬୦୦ କୁଇଣ୍ଟାଲ କଞ୍ଚା ଗୋଖାଦ୍ୟ ଏବଂ ୪ ରୁ ୬ କୁଇଣ୍ଟାଲ ବିହନ ମିଳେ ।

ଆଧାର- ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate