অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗୋରୁଙ୍କ ବର୍ଷାଦିନିଆ ରୋଗ

ସାଧାରଣତଃ ଅନ୍ୟ ଋତୁ ତୁଳନାରେ ବର୍ଷାଋତୁରେ ଗୋପାଳନରେ ଅନେକ ସମସ୍ୟା ଦେଖାଯାଇଥାଏ । ବର୍ଷାଦିନରେ ବାୟୁମଣ୍ଡଳର ତାପମାନ ହ୍ରାସ ଓ ଜଳବାୟୁରେ ଆଦ୍ରତା ବୃଦ୍ଧି ଯୋଗୁ ପରିବେଶରେ ମଶା, ମାଛି, ଡାଆଁସ ତଥା ଅଣୁଜୀବଙ୍କ ବଂଶ ବୃଦ୍ଧି ଘଟିଥାଏ । ଏହି ଅଣୁଜୀବ ଯଥା ଜୀବାଣୁ,ଭୂତାଣୁ ଓ କବକଜନିତ ରୋଗ ମଧ୍ୟରେ ସାହାଣା, ବଜବଜିଆ, ଅଢେଇଦିନିଆ ଜ୍ଵର, ଫାଟୁଆ, ଗୋମଡକ, ଥନହରା, କାଶ, ସର୍ଦ୍ଦି, ଗଳାଫୁଲା ଆଦି ଅନ୍ୟତମ । ତାଛଡା କୃମି ଓ ଟିଙ୍କ ଜନିତ ସଂକ୍ରାମକ ରୋଗ ମୁଖ୍ୟତଃ ବର୍ଷାଦିନରେ ଗୋପାଳକଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ପରିସ୍ଥିତି ସୃଷ୍ଟି କରିଥାଏ । ତେଣୁ ଚାଷୀଭାଇମାନେ ଏହି ରୋଗ କାରଣ ଜାଣି ସେଥିପାଇଁ ଉଦ୍ଧିଷ୍ଟ ପ୍ରତିକାର ବ୍ୟବସ୍ଥାମାନ କରାଇପାରିଲେ ବର୍ଷାଦିନରେ ଦେଖାଯାଉଥିବା ସମସ୍ୟାର ସମାଧାନ କରିପାରିବେ ।

ସାହାଣା ରୋଗ

ଏହା ସାଧାରଣତଃ ଗଳାଫୁଲା ରୋଗ ଭାବରେ ସମସ୍ତେ ଜାଣନ୍ତି । ଖାଦ୍ୟ ଓ ପାନୀୟ ଦ୍ଵାରା ଜୀବାଣୁଙ୍କର ସଂକ୍ରମଣ ଫଳରେ ଏହି ରୋଗ ବ୍ୟାପିଥାଏ । ରୋଗଣା ଗୋରୁଙ୍କଠାରୁ ଲାଳ ଦ୍ଵାରା ମଧ୍ୟ ଏହା ଅନ୍ୟ ସୁସ୍ଥ ଗୋରୁଙ୍କୁ ସଂକ୍ରମିତ ହୋଇଥାଏ ।

ଲକ୍ଷଣ

ଶରୀରରେ ତାପମାତ୍ରା ହଠାତ ୧୦୪-୧୦୬ ଡିଗ୍ରୀ ଫାରେନହାଇଟ ବଢିଯାଏ । ବେକତଳେ ଫୁଲା ବା ଜିଭ ଫୁଲା ହୋଇଥିବାର ଦେଖାଯାଏ । ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଆଖି ଲେଞ୍ଜରା ଦେବା, ଖାଦ୍ୟରୁ ରୁଚି କମିଯିବା, ପାଟିରୁ ଲାଳ ଗଡିବା, ନିଶ୍ଵାସର ଗତି ବଢିଯିବା ସହ ଶ୍ଵାସ ପ୍ରକ୍ରିୟାରେ ମଧ୍ୟ ପ୍ରାଣୀଟି କଷ୍ଟ ଅନୁଭବ କରିଥାଏ । ନାକରୁ ପ୍ରଥମେ ପତଳା ଓ ପରେ ମୋଟା ବହଳର ସିଙ୍ଘାଣି ବାହାରିଥାଏ । ଖୁବ୍ ଶୀଘ୍ର ରୋଗର ପ୍ରକୋପ ବଢିଯାଏ ଓ ଦିନକୁ ଦୁଇଦିନ ମଧ୍ୟରେ ମୃତ୍ୟୁ ବି ହୋଇଯାଏ ।

ପ୍ରାଥମିକ ଚିକିତ୍ସା

ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରି ରୋଗଣା ପ୍ରାଣୀକୁ ଅଲଗା କରି ରଖିବା, ଜ୍ଵର କମାଇବା ଔଷଧ ଦେବା ସହିତ ଜୀବାଣୁନାଶକ ଔଷଧ ଦିଅନ୍ତୁ । ମୃତ ପ୍ରାଣୀଙ୍କୁ ଗଭୀର ଗାତ କରି ପୋତନ୍ତୁ । ଗୁହାଳର ପରିବେଶ ଓଦା ଓ ସନ୍ତସନ୍ତିଆ ନ ରଖିବା ପାଇଁ ମୁକ୍ତ ବାୟୁ ଚଳାଚଳ ବ୍ୟବସ୍ଥା କରନ୍ତୁ ।

ପ୍ରତିଷେଧକ

ବର୍ଷାଋତୁ ଓ ଶୀତଋତୁ ଆରମ୍ଭରେ ବର୍ଷକୁ ଦୁଇଥର ଟୀକାକରଣ କଲେ ଏହି ରୋଗର ଆଶଙ୍କାକୁ ଦୂର କରାଯାଇପାରିବ ।

ବଜବଜିଆ

ବଜବଜିଆ ରୋଗ କେବଳ ସୁସ୍ଥ ବାଛୁରି ଓ କମ ବୟସର ପ୍ରାଣୀମାନଙ୍କୁ ସଂକ୍ରମଣ ଦ୍ଵାରା ବ୍ୟାପିଥାଏ । ଖାଦ୍ୟ, ପାନୀୟ ତଥା ମୃତ ଓ ରୋଗଣା ଗାଇର ସଂସ୍ପର୍ଶରେ ଆସିଲେ ଏହା ଖୁବ ସହଜରେ ସଂକ୍ରମିତ ହୋଇଥାଏ ।

ଲକ୍ଷଣ

ଶରୀରର ତାପମାତ୍ରାର ୧୦୩-୧୦୪ ଡିଗ୍ରୀ ଫାରେନହାଇଟ ମଧ୍ୟରେ ବଢିଯାଏ । ମାଂସ ପଚିବା ଓ କଳା ପଡିଯିବା । ଆକ୍ରାନ୍ତ ମାଂସପେଶୀକୁ ଚିପିଲେ ବଜବଜ ବା କଟକଟ ଶବ୍ଦ କରିବା ସହ ସେଠାରୁ ପାଣି ଓ ଗ୍ୟାସ ବାହାରିଥାଏ ଫୁଲା ଥିବା ସ୍ଥାନଟି ଗରମ ଲାଗିବା ଓ ବିନ୍ଧାବିନ୍ଧି କରିବା । ଆକ୍ରାନ୍ତ ହୋଇଥିବା ମାଂସପେଶୀ ଲାଗିଥିବା ଗୋଡଟି ଛୋଟେଇଥାଏ ।

ପ୍ରାଥମିକ ଚିକିତ୍ସା

ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରି ରୋଗଣା ପ୍ରାଣୀକୁ ଅଲଗା କରି ରଖିବା, ଜ୍ଵର କମାଇବା ଔଷଧ ଦେବା ସହିତ ଜୀବାଣୁନାଶକ ଔଷଧ ଦିଅନ୍ତୁ । ମୃତ ପ୍ରାଣୀଙ୍କୁ ଗଭୀର ଗାତ କରି ପୋତିଦିଅନ୍ତୁ । ଗାତକରି ପୋତା ହୋଇଥିବା ସ୍ଥାନରେ ଚୂନ ଏକ ବହଳିଆ ସ୍ତର ବିଛାନ୍ତୁ ।

ପ୍ରତିଷେଧକବର୍ଷାଋତୁ ଓ ଶୀତଋତୁ ପୂର୍ବରୁ ସମସ୍ତ ବାଛୁରି ୬ମାସରୁ ୩ବର୍ଷ ମଧ୍ୟରେ ଟୀକାକରଣ କରାନ୍ତୁ । ଏହି ଟୀକାକରଣ କରାଇବାର ଠିକ୍ ୧୦ଦିନ ପରେ ଏହାର ଆଉ ଏକ ଟୀକାକରଣ କରାଇବା ବିଧେୟ ।

ଫାଟୁଆ

ଏହା ଏକ ଭୂତାଣୁ ଜନିତ ରୋଗ ଯାହା ପ୍ରାୟ ସମସ୍ତ ଖୁରାଯୁକ୍ତ ପ୍ରାଣୀଙ୍କୁ ସଂକ୍ରମଣ ଦ୍ଵାରା ବ୍ୟାପିଥାଏ । ଖାଦ୍ୟ, ପାନୀୟ ଓ ପବନ ମାଧ୍ୟମରେ ଏହି ଭୂତାଣୁ ଅତି ସହଜରେ ବ୍ୟାପିଯାଇ ପ୍ରାଣୀଙ୍କ ମଧ୍ୟରେ ଅଧାମରା ପରିସ୍ଥିତି ସୃଷ୍ଟି କରିଥାଏ ।

ଲକ୍ଷଣ

ମୁହଁ, ପାଟି, ପାଦ ଓ ଖୁରାରେ ଘା ହେବା ସହ ଭୀଷଣ ଜ୍ଵର ଆସି କିଛିଦିନ ପରେ କମିଯାଏ । ଖାଇବା ଓ ପାନୀୟ ବନ୍ଦ କରିଦେବା ଦ୍ଵାରା କ୍ଷୀର କମିଯାଏ । ମାଢି, ଜିଭ ଓ ଖୁରାରେ ଫୋଟକା ହୋଇଥାଏ, ତେଣୁ ପାଟିରୁ ଲାଳ ଗଡାଏ । ଏହି ରୋଗରେ ମୃତ୍ୟୁବରଣର ଆଶଙ୍କା କମ୍ ହୋଇଥିଲେ ମଧ୍ୟ ଏହି ରୋଗରେ ପ୍ରାଣୀର କ୍ଷୀର ଉତ୍ପାଦନ କ୍ଷମତା, ଗର୍ଭଧାରଣ କ୍ଷମତା ଓ କାର୍ଯ୍ୟ କରିବାର କ୍ଷମତା କମିଯାଏ ।

ପ୍ରାଥମିକ ଚିକିତ୍ସା

ଖାଇବା ସୋଢା (୫%), (୫ଗ୍ରାମକୁ ୧୦୦ ମିଲି ପାଣିରେ ମିଶାଇ) ଘା ହୋଇଥିବା ସ୍ଥାନକୁ ପରିଷ୍କାର କରନ୍ତୁ । ପଟାସ ପାଣି କରି (୨%)(୨ଗ୍ରାମକୁ ୧ଲିଟର ପାଣିରେ ମିଶାଇ) ଘା ଧୋଇବା ଦରକାର । ବୋରିକ ଏସିଡ ପାଉଡର ଓ ଗ୍ଲିସେରିନ କୁ ମିଶାଇ ଅଠାଭଳି କରି ଘା ଲଗାନ୍ତୁ ।

ପ୍ରତିଷେଧକ

ବର୍ଷକୁ ଦୁଇଥର ସାଧାରଣତଃ ବର୍ଷାଦିନ ପୂର୍ବରୁ ପ୍ରାଣୀଙ୍କୁ ଟୀକାକରଣ କରାଇବା ନିହାତି ଦରକାର ।

ଅଢେଇଦିନିଆ ଜ୍ଵର

ଏହା ମଧ୍ୟ ଏକ ଭୂତାଣୁଜନିତ ରୋଗ । ମଶା, ମାଛି ଓ ଡାଆଁସ ସଂଖ୍ୟା ବଢିଯିବା ଦ୍ଵାରା ଏହା ବ୍ୟାପିଥାଏ ।

ଲକ୍ଷଣ

ଅଢେଇଦିନିଆ ଜ୍ଵରରେ ଶରୀରର ତାପମାତ୍ରା ୧୦୪-୧୦୬ ଡିଗ୍ରୀ ଫାରେନହାଇଟ ବଢିଯିବା ଫଳରେ ପ୍ରାଣୀଟି ଖାଇବା ଓ ପାନୀୟ ବନ୍ଦ କରିଦିଏ ଏବଂ ପାଟିରୁ ଲାଳ ଗଡାଏ । କ୍ଷୀର କମିଯିବା ସହିତ ପ୍ରାଣୀଟି ଗୋଟିଏ ଗୋଡ ଛୋଟେଇବାକୁ ଲାଗେ ।

ପ୍ରାଥମିକ ଚିକିତ୍ସା

ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରି ରୋଗଣା ପ୍ରାଣୀକୁ ଅଲଗା କରି ରଖିବା, ଜ୍ଵର କମାଇବା ଔଷଧ ଦେବା ସହିତ ଜୀବାଣୁନାସକ ଔଷଧ ଦିଅନ୍ତୁ । ଚିକିତ୍ସା କରିବା ଦ୍ଵାରା ଶୀଘ୍ର ଜ୍ଵର କମିଯାଇଥାଏ ଓ ପ୍ରାଣୀଟି ଛୋଟେଇବା କମାଇଦେଇଥାଏ । ଚିକିତ୍ସା ନ କଲେ ମଧ୍ୟ ଏହା ଅଢେଇଦିନ ପରେ ଭଲ ହୋଇଯାଇଥାଏ କିନ୍ତୁ ବେଳେବେଳେ ଶରୀରର ତାପମାତ୍ରା ବୃଦ୍ଧି ଯୋଗୁଁ ପ୍ରାଣୀଟି ମୃତ୍ୟୁବରଣ କରିଥାଏ ।

ପ୍ରତିଷେଧକ ଏହି ରୋଗ ପାଇଁ କୌଣସି ଅଲଗା ଅଲଗା ଔଷଧ ହୋଇଥିବାରୁ ନିକଟସ୍ଥ ପ୍ରାଣୀଚିକିତ୍ସା କେନ୍ଦ୍ରରେ ଗୋବର ପରୀକ୍ଷା ଦ୍ଵାରା କୃମି ଚିହ୍ନଟ କରି ଔଷଧ ଖାଇବାକୁ ଦିଅନ୍ତୁ । ତରଳ ଝାଡା ହେଉଥିଲେ ହଠାତ୍ କୃମି ଔଷଧ ଦିଅନ୍ତୁ ନାହିଁ । କୃମି ମୁକ୍ତ କରିବା ପାଇଁ ଅତିକମରେ ବର୍ଷକୁ ଦୁଇଥର ଗୋବର ପରୀକ୍ଷା କରି କୃମିନାଶକ ଔଷଧ ଖୁଆଇ ଦିଅନ୍ତୁ । ବାଛୁରି ଜନ୍ମର କୋଡିଏ ଦିନ ପରେ ପ୍ରଥମ କୃମି ଔଷଧ ଖାଇବାକୁ ଦିଅନ୍ତୁ । ଖାଦ୍ୟସାର ମିଶ୍ରିତ ଖାଦ୍ୟ ଖାଇବାକୁ ଦିଅନ୍ତୁ ।

ବାହ୍ୟକୃମି

ବାହ୍ୟକୃମି ସାଧାରଣତଃ ଚର୍ମରୋଗ କରିଥାନ୍ତି । ଖାଦ୍ୟସାର ଅଭାବ, ଟିଙ୍କ, ଉକୁଣି, ଡାଆଁଶ ଆକ୍ରମଣ ଓ ଗୁହାଳ ଘରର ପରିବେଶ ସଫା ନ ରଖିବା ଫଳରେ ଏହି ରୋଗ ହୋଇଥାଏ ।

ଲକ୍ଷଣ

ଚମଡା ଖଦଖଦଡିଆ ଦେଖାଯିବା, କୁଣ୍ଡାଇହେବା, କୁଣ୍ଡାଇ ଘା ହେବା, ଦୁର୍ବଳ ଦେଖାଯିବା, ରକ୍ତହୀନତା, ଖାଦ୍ୟରେ ରୁଚି ନ ରଖିବା ଆଦି ଲକ୍ଷଣ ମାନ ଦେଖିବାକୁ ମିଳିଥାଏ ।

ପ୍ରାଥମିକ ଚିକିତ୍ସା

୨% ମାଲାଥିଆନ ଔଷଧ ଗୁହାଳଘରେ ସିଞ୍ଚନ କରନ୍ତୁ । ଗାମାକସିନ ଗୋରୁ ରହୁଥିବା ସ୍ଥାନରେ ପକାନ୍ତୁ । ୨% ସାଇପରମେଥେନ ସିଞ୍ଚନ୍ତୁ । ଗାଇକୁ ସୁଷମ ଖାଦ୍ୟ ଦେବା ସହିତ ସଫାସୁତୁରା ରଖନ୍ତୁ ।

ଥନହରା ରୋଗ

ଥନହରା ରୋଗ ସାଧାରଣତଃ ବର୍ଷାଦିନରେ ଜୀବାଣୁ, ଭୂତାଣୁ ଓ କବକ ସଂକ୍ରମଣ ଦ୍ଵାରା ହୋଇଥାଏ । ଅପରିଷ୍କାର ଗୁହାଳ, ସନ୍ତସନ୍ତିଆ ଜାଗା ଓ କ୍ଷୀର ଦୂହିଁଲା ବେଳେ ହାତ ନ ଧୋଇଲେ ବର୍ଷାଦିନରେ ଏହି ରୋଗ ହେବାର ଆଶଙ୍କା ଥାଏ ।

ଲକ୍ଷଣ

ପହ୍ନା ଦରଜ, ଫୁଲା ଓ ଟାଣ ହେବା ସହିତ କ୍ଷୀର ଛିଣ୍ଡିଯିବା, କ୍ଷୀରରେ ପାଣି ଅଂଶ ଅଧିକହେବା, ଚିରରୁ ରକ୍ତ  ପୂଯ ବାହାରିବା ପରି ଲକ୍ଷଣମାନ ଦେଖାଯାଇଥାଏ ।

ପ୍ରାଥମିକ ଚିକିତ୍ସା

କ୍ଷୀର ଦୂହିଁବା ସମୟରେ ହାତ ଭଲ ଭାବରେ ଧୁଅନ୍ତ, ଥନହରା ଆକ୍ରାନ୍ତ ଚିରର କ୍ଷୀରକୁ ଦୂହିଁ ବାହାରେ ଫିଙ୍ଗି ଦିଅନ୍ତୁ । ଥନହରା ଆକ୍ରାନ୍ତ ଚିରକୁ ଶେଷରେ ଦୂହଁନ୍ତୁ । କ୍ଷୀର ଦୂହିଁବା ପରେ କିଛି ଗୋଖାଦ୍ୟ ଖାଇବାକୁ ଦିଅନ୍ତୁ ବା ଗାଇଟିକୁ କିଛି ସମୟ ପାଇଁ ମୁକ୍ତ ଜାଗାକୁ ଛାଡି ଦିଅନ୍ତୁ । ପହ୍ନାର ଯତ୍ନ, ମଶା ଓ ମାଛି ନିୟନ୍ତ୍ରଣ ସହ ଗୁହାଳର ପରିଷ୍କାର ରଖନ୍ତୁ । ଥନହରା ରୋଗରେ ଡେରି ନ କରି ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶ କରନ୍ତୁ ।

ଆପଣ ଏସବୁ ଜାଣନ୍ତି କି

ଗାଈକୁ ଅପରିଷ୍କାର ଜାଗାରୁ ଦୂରେଇ ରଖନ୍ତୁ । ବର୍ଷାଦିନରେ ଗୋରୁଙ୍କୁ ଅଧିକ ରୋଗ ହେଉଥିବାରୁ ବିଶେଷ ଭାବରେ ଧ୍ୟାନ ଦିଅନ୍ତୁ । ଅଧିକ କଅଁଳିଆ ଘାସ ଖାଇବା ଦ୍ଵାରା ମ୍ୟାଗ୍ନେସିୟମ ଅଭାବ ରୋଗ ହୋଇଥାଏ । ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶ କରି କୃମିନାଶକ ଔଷଧ ଖୁଆନ୍ତୁ । ବର୍ଷାରେ ଗୋରୁଙ୍କୁ ଓଦା କରନ୍ତୁ ନାହିଁ । ଓଦା ହେଇଯାଇଥିବା ଦାନା ଖାଇବାକୁ ଦିଅନ୍ତୁ ନାହିଁ । ଟୀକାକରଣ କରାନ୍ତୁ ।

ଆଧାର: ପ୍ରାଣୀ ଚିକିତ୍ସକ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate