অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜଡା

ଉପକ୍ରମ

ବିଭିନ୍ନ ପ୍ରକାର ଶିଳ୍ପଜାତ ଦ୍ରବ୍ୟ ପ୍ରସ୍ତୁତି ପାଇଁ ଜଡା ତୈଳବୀଜ ଦରକାର ହୋଇଥାଏ  । ଜଡା ତେଲ କଳକବାଜାରେ ବ୍ୟବହାର କରାଯାଏ  । ଛାପାକାଳି, ମହମ, ଏନାମେଲ ରଙ୍ଗ ପାଇଁ ଶୁଷ୍କକାରୀ ତେଲ, ରଙ୍ଗ ଓ ବାର୍ନିସ, ପ୍ଲାଷ୍ଟିକ, ସାବୁନ, ଲୁବ୍ରିକାଣ୍ଟ ଇତ୍ୟାଦି ତିଆରି ଜଡା ତେଲ ଦରକାର ହୋଇଥାଏ  । ରନ୍ଧା ଜଡା ତୈଳ ଔଷଧ ରୂପେ ବ୍ୟବହାର ହୁଏ  । ଜଡାତେଲରେ ହାଇଡ୍ରୋଅକ୍ସି ଫ୍ୟାଟି ଏସିଡ୍, ଯାହାର ରିସିନୋଲିକ୍ ଅମ୍ଳ ନାମରେ ସୁପରିଚିତ, ପ୍ରାୟ ୮୫% ରହିଛି  । ଏହା ରଙ୍ଗ ଓ ବାର୍ନିସ ପାଇଁ ଅତ୍ୟନ୍ତ ଦରକାର  । ଜଡା ତେଲରୁ ସେବାସକ୍ ଅମ୍ଳ ତିଆରି ହୁଏ   । ଏହି ଅମ୍ଳ ସନ୍ଥେଟିକ ରେକଜିନ୍ ତନ୍ତୁ ତିଆରି ପାଇଁ ବ୍ୟବହାର ହୁଏ   । ଜଡାତେଲ ଲୁବ୍ରିକାଣ୍ଟ  ତେଲରୂପେ ବ୍ୟବହାର ହୁଏ  । ଏହି ତେଲ ଉଡାଜାହାଜର ଇଞ୍ଜିନରେ ମଧ୍ୟ ଲୁବ୍ରିକାଣ୍ଟ ତେଲ ହିସାବରେ ବ୍ୟବହାର କରାଯାଏ  । ଜଡା ମଞ୍ଜିରେ ଓ ପତ୍ରରେ ରିସିନ ନାମକ ଏକ ପତ୍ର ବିଷ ରହିଥିବାରୁ ମଞ୍ଜି ଖାଇଲେ  ମରିଯିବା ସମ୍ଭାବନା  । ଜଡା ପିଡିଆ – ସାରରୂପେ ବ୍ୟବହାର ହୁଏ  । ରିସିନ ନାମକ ବିଷ ଏହି ପିଡିଆରେ ରହୁଥିବାରୁ ଏହା ଗୋଖାଦ୍ୟ ରୂପେ ବ୍ୟବହାର ହୁଏ  ନାହିଁ   । ପିଡିଆରେ ୫.୫% ଯବକ୍ଷାରଜାନ ୧.୮ – ୧.୯% ଫସଫରସ୍ ଏବଂ ୧.୧% ପଟାସ  ରହିଛି  । ଜଡା ଗଛରୁ ସେଲୁଲୋଜ, ନିୟୁଜ ପ୍ରିଣ୍ଟ ପାଇଁ ମଣ୍ଡ ଏବଂ କାର୍ଡବୋର୍ଡ ତିଆରି ହୁଏ  । ଜଡାଗଛ ଏଣ୍ଡିପୋକର ପ୍ରଧାନ ଖାଦ୍ୟ  । ଏଣ୍ଡିପୋକ ଜଡା ପତ୍ର ଖାଇ ବଢନ୍ତି ଏବଂ ଖୋଷା ବାନ୍ଧନ୍ତି  ।

ଉଦ୍ଭବ କେନ୍ଦ୍ର

ଆଫ୍ରିକା ଜଡାଗଛର  ଉଦ୍ଭବ କେନ୍ଦ୍ର ବୋଲି ଅନୁମାନ କରାଯାଉଛି  । ଭାରତ ବର୍ଷରେ ମଧ୍ୟ ବହୁ ପୁରାତନ କାଳରୁ ଏହି ଚାଷ ହୋଇ ଆସୁଛି  । କେତେକ ବୈଜ୍ଞାନିକଙ୍କ ମତରେ ଭାରତ ଓ ଆଫ୍ରିକା ଜଡାର ଉଭାବ କେନ୍ଦ୍ର  ।

କ୍ଷେତ୍ରଫଳ ଓ ବଣ୍ଟନ :

ପୃଥିବୀର ଜଡା ଉତ୍ପାଦନ କରୁଥିବା ଦେଶ ଗୁଡିକ ହେଲା -  ବ୍ରାଜିଲ, ଭାରତ, ଚୀନ ଓ ସୋଭିଏତ ରୁଷ  । ଭାରତ, କ୍ଷେତ୍ରଫଳ ଦୃଷ୍ଟିରୁ ପୃଥିବୀରେ ପ୍ରଥମ ଓ ଉତ୍ପାଦନ ଦୃଷ୍ଟିରୁ ଦ୍ଵିତୀୟ ସ୍ଥାନ ଅଧିକାର କରିଅଛି  । ଆନ୍ଧ୍ରପ୍ରଦେଶ, ଗୁଜୁରାଟ, କର୍ଣ୍ଣାଟକ ଓ ଓଡିଶା ହେଉଛି ଭାରତର  ପ୍ରଧାନ ଜଡା ଚାଷ କରୁଥିବା ପ୍ରଦେଶ  ।

ଜଡା ଶ୍ରେଣୀ ବିଭାଗ :

ରିସିନସ କମ୍ୟୁନିସ ଜଡାର ୬ଗୋଟି ଉପଜାତି ଅଛି  । ସେଗୁଡିକ ହେଲା –

  1. ପେରସିକସ (ପ୍ୟାରସ୍ୟ ଦେଶୀୟ – ୮୦ – ୧୦୦ ଦିନରେ ପାଚେ)
  2. ଚାଇନେନସିସ (ଚୀନଦେଶୀୟ ୭୫-୯୦ ଦିନରେ ପାଚେ)
  3. ଜାଞ୍ଜିବରିନସ
  4. ସାଙ୍ଗୁଇନସ
  5. ଆଫ୍ରିକାନସ
  6. ମେକ୍ସିକାନସ

ଉଦ୍ଭିଦ ବର୍ଣ୍ଣନା :

ଜଡା – ‘ଉଇଫୋରବିଏସି’ ପରିବାର ଭୁକ୍ତ, ପ୍ରଜାତି – ରିସିନସ୍ ଜାତି କମ୍ୟୁନିସ  ।

କାଣ୍ଡ :

ଜଡ ଗଛ ଲମ୍ବା – ମସୃଣ ଏକ ଋତ୍ଵିକ ବା ବହୁବର୍ଷୀୟ କ୍ଷୁପ ଏହାର ଉଚ୍ଚତା ୩-୮ ମିଟର ହୋଇଥାଏ  । ଏହି ଗଛର ପ୍ରଧାନମୂଳ ଉନ୍ନତ  । କାଣ୍ଡ ସିଧା, ଆଂଶିକ – ପୋଲା, ମସୃଣ, ହରିତନୀଳ  ବା ଶ୍ୟାମଳ, ନାଲି ବା ସବୁଜ ବା ଉଭୟ ରଙ୍ଗ ମିଶାମିଶି ଥାଏ  । ଗଣ୍ଠିଗୁଡିକ ସ୍ପଷ୍ଟ ଯେଉଁଥିରୁ ଗୋଟିଏ ଗୋଟିଏ ପତ୍ର ବାହାରିଥାଏ  । ପତ୍ରଗୁଡିକ ସାଧାରଣତଃ ଚିକ୍କଣ ସବୁଜ ଶିରା ପ୍ରଶିରା – ସ୍ପଷ୍ଟ  ।

ପତ୍ର :

ପତ୍ର ଚିକ୍କଣ ତଳ ପଟ ଶିରା ପ୍ରଶିରା – ସୁସ୍ପଷ୍ଟ  । ପତ୍ରର ରଙ୍ଗ ଗାଢରୁ ଫିକା ସବୁଜ, ଧୂସର ଏବଂ ନୀଳ ଛାୟା ଯୁକ୍ତ ସବୁଜ, ନାଲି ଏବଂ ପାଟଳ ରଞ୍ଜିତ  । କିନ୍ତୁ କଅଁଳ ପତ୍ରଗୁଡିକ ବେଶି  ନାଲିରଙ୍ଗ ଦେଖାଯାଏ  । ପତ୍ରଗୁଡିକ ସବୃନ୍ତ  । ପୂର୍ଣ୍ଣବୃନ୍ତ ମୋଟା ଓ ଲମ୍ବା ଏବଂ କାଣ୍ଡରୁ ଏକାନ୍ତର ଭାବେ ବାହାରିଥାଏ  । ପ୍ରତ୍ୟକ ପତ୍ରରେ ୫-୧୧ଟି ପିଣ୍ଡକ ଥାଏ  । ପିଣ୍ଡକଗୁଡିକ ଓସାରିଆ ଓ ଧାର ଭାଙ୍ଗ ଭାଙ୍ଗ ହୋଇଥାଏ  ।

ପୁଷ୍ପସ୍ତବକ :

ସ୍ତବକ କାଣ୍ଡର ଶାଖା ପ୍ରଶାଖାର ଅଗ୍ରଦେଶରୁ ଜାତ ହୁଏ  । ମୁଖ୍ୟ କାଣ୍ଡ ମଧ୍ୟ ଗୋଟିଏ ସ୍ତବକରେ ଶେଷ ହୋଇଥାଏ  । ସ୍ତବକ ରେସିମ୍ ବା ଏକ ପାର୍ଶ୍ଵବର୍ଦ୍ଧକ  । ସାଧାରଣତଃ କାଲ ଏକବାସୀ ବା ଉଭୟଲିଙ୍ଗୀ ପାଦପ  । ପ୍ରାୟ ୫୦.୭୦% ଭାଗ ପୁଂପୁଷ୍ପ ରେସିମ୍ ର ତଳଭାଗରେ ଥାଏ  । ଏବଂ ୩୦-୫୦% ଭାଗ ସ୍ତ୍ରୀ ପୁଷ୍ପ ଉପର ପାର୍ଶ୍ଵରେ ଥାଏ  । ୯୦ ସେ.ମି. ପର୍ଯ୍ୟନ୍ତ ଲମ୍ବାରେ ବୃଦ୍ଧିପାଏ  । କୀଟପତଙ୍ଗ ଦ୍ଵାରା ସାଧାରଣତଃ ପରାଗଣ ହୋଇଥାଏ ଏବଂ ୫.୪୬% ଭାଗ ପ୍ରାକୃତିକ ଉପାୟରେ ପରପରାଗଣ ହୋଇଥାଏ  ।

ଫଳ ସମ୍ପୁଟ, କଣ୍ଟାଦ୍ଵାରା ଆବୃତ, ତିନକୋଷ୍ଠି  । ପ୍ରତ୍ୟକ କୋଠରୀରେ ଗୋଟିଏ କରି ବୀଜ ଥାଏ  । ବୀଜର ଆବରଣ ଶକ୍ତ  ବୀଜାବରଣ ଅନେକ ରଙ୍ଗର ଏବଂ ବିଚିତ୍ର  ।

ଋତୁ ଓ ଜଳବାୟୁ :

ଜଡା ସାର ଭାରତରେ ସମୁଦ୍ର ପତ୍ତନରୁ ୨୫୦୦ ମିଟର ଉଚ୍ଚ ମାଳଭୂମିରେ ମଧ୍ୟ ଚାଷ କରାଯାଇପାରୁଛି  । ଜଡାପାଇଁ ସାମାନ୍ୟ ଉଚ୍ଚତାପମାନ (C - C) ଓ କମ୍ ଆର୍ଦ୍ରତା ଦରକାର ହୁଏ  । ଉଷୁମ ଖରାପାଗରେ ଜଡା ଭଲ ହୁଏ  । ଲଗାତାର ମେଘାଚ୍ଛନ୍ନ ପାଗ ଏବଂ ଫୁଲ ଉଡେଇବା ସମୟରେ ଅତ୍ୟଧିକ ଉତ୍ତାପ ପଳ ହେବାରେ କ୍ଷତି ଘଟାଏ  । ଫୁଲ ହେବ ସମୟରେ ଯଦି ଉତ୍ତାପ  ସେଲସିୟସରୁ ଅଧିକ ହୁଏ ତେବେ ଫଳ ହେବାରେ ବାଧା ସୃଷ୍ଟି କରିଥାଏ  । ଯଦିଓ ଜଡା ଗୋଟିଏ ମରୁଡି ସହଣୀ ଫସଲ ତଥାପି ଏହାର ଉପଯୁକ୍ତ ବୃଦ୍ଧି ଓ ବିକାଶ ନିମିତ୍ତ ୮୦-୧୦୦ ମିଲି ମିଟର ବର୍ଷା ଦରକାର  । ଫୁଲ ହେବା ସମୟରେ ବେଶି ବର୍ଷା କ୍ଷତିକାରକ  । ଏହାଦ୍ଵାରା ଅମଳ କମିଯାଏ  । ଜଡା କରକାପାତ ସହିପାରେନି  ।

ବିହନ କିସମ :

ବିହନ କିସମ

ବର୍ଷାଋତୁ

ଶୀତ ଓ ଗ୍ରୀଷ୍ମଋତୁ

ଏନ୍ ପି.ଏଚ୍. – ୧(ଅରୁଣା)

୧୧୦ ଦିନ

୧୨୦ ଦିନ

ଏସ.ଏ. – ୨

୧୧୦ଦିନ

୧୩୦ ଦିନ

ଏହି ଦୁଇଟି ଉନ୍ନତଧରଣର ଜଡା ମଞ୍ଜିରୁ ୫୦-୫୨% ତେଲ ବାହାରେ ପ୍ରଥମ କିସମର ଗଛରେ ଶାଖାପ୍ରଶାଖା ବହୁତ ହୁଏ  । ଦ୍ଵିତୀୟ କିସମଟି ଶୁଷ୍କଚାଷ ପାଇଁ ଭଲ  । କାରଣ ଏହାର ମରୁଡି ସହଣୀ ଶକ୍ତି ଅଛି  । ୧୪-୨୦ ଦିନ ପର୍ଯ୍ୟନ୍ତ ମରୁଡି ହେଲେ ମଧ୍ୟ ସହ୍ୟ କରିଯାଏ  ।

ଜମି ପ୍ରସ୍ତୁତି :

ଭଲରୂପେ ଗଭୀର ଚାଷ କରି ମାଟିକୁ ଗୁଣ୍ଡ କରି ଦିଆଯାଏ  । ନିଗିଡା ମୃତ୍ତିକା ଜଡା ଚାଷ ପାଇଁ ଉପଯୁକ୍ତ  । ଶେଷ ଓଦା ଚାଷ ସମୟରେ ହେକ୍ଟରପିଛା ୫ ଟନ ଖତ ପ୍ରୟୋଗ କରନ୍ତୁ  । ଦୁଇ ପଟି ମଧ୍ୟରେ ଗୋଟିଏ ଜଳ ନିଷ୍କାସନ ନାଳି ରଖନ୍ତୁ   । ଯାହା ଫଳରେ ଅଧିକ ପାଣି ନିଗିଡି ଯିବ  ।

ବିହନ ବୁଣା :

ମଞ୍ଜିକୁ ୧୨ ଘଣ୍ଟା ଭିଯାଇ ପାଗ ନଥିବା ଜମିରେ ବୁଣାଯାଇପାରେ  । ଥରକେ ଦୁଇଟି ମଞ୍ଜି ଲଗାଯାଏ  । ଧାଡିକୁ ଧାଡି ୬୦ ସେ.ମି. ବ୍ୟବଧାନରେ ମଞ୍ଜି ବୁଣାଯାଏ  । ମଞ୍ଜିକୁ ଧାଡିରେ ଲଙ୍ଗଳ ସିଆରରେ ପକାଯାଏ   ।

ବୁଣିବା ସମୟ :

ବର୍ଷାଋତୁ – ଜୁନ୍ – ଜୁଲାଇ

ଶୀତଋତୁ – ଅକ୍ଟୋବର – ନଭେମ୍ବର

ଗ୍ରୀଷ୍ମ ଋତୁ – ଜାନୁୟାରୀ  ।

ବିହନ ପରିମାଣ ଓ ବିହନ ବିଶୋଧନ :

ହେକ୍ଟର ପିଛା ୧୮-୨୦ କି.ଗ୍ରା ବିହନ ଆବଶ୍ୟକ ହେବ  । ପ୍ରତି କେଜି ବିହନ ସହିତ ୩ ଗ୍ରାମ ହିସାବରେ ଥିରାମ ବା କ୍ୟାପଟାନ ଗୁଣ୍ଡ ଗୋଳାଇ ବିଶୋଧନ କରିବା ଉଚିତ୍  ।

ସାର ପ୍ରୟୋଗ :

ଜଡା ଫସଲ ପାଇଁ ଫସଫରସ୍ ଓ ପଟାସ୍ ସାର ବେଶି ଦରକାର । ନିମ୍ନରେ ହେକ୍ଟର ପିଛା ସାରର ପରିମାଣ ଦିଆଗଲା ।

ସାର

ବର୍ଷା ନିର୍ଭରଶୀଳ ଫସଲ

ସାର ପରିମାଣ (କି.ଗ୍ରା.) ଜଳସେଚିତ ଫସଲ

ଯବକ୍ଷାରଜାନ

50

50

ଫସଫରସ୍

30

75

ପଟାସ

30

50

୫୦% ଯବକ୍ଷାରଜାନ ଓ ସବୁତକ ସୁପର ଓ ପଟାସ ଶେଷ ଓଡଚାଷ ସମୟରେ ସିଆରରେ ମୂଳସାର ରୂପେ ପ୍ରୟୋଗ କରାଯାଏ  । ବଳକା ୫୦% ଯବକ୍ଷାରଜାନ ସାର ୨ୟଥର କୋଡାଖୁସା କରିବା ସମୟରେ ପ୍ରୟୋଗ କରାଯାଏ  । ଅର୍ଥାତ୍ ୬ ସପ୍ତାହରେ ସାର ପ୍ରୟୋଗ କରାଯାଏ  ।

ଅନ୍ତଃଚାଷ :

ଗଛ ଉଠିବାର ୧୦ ଦିନ ବେଳକୁ ପ୍ରତ୍ୟକ ସ୍ଥାନରେ ଗୋଟିଏ ଗଛ ରଖି ବାକି ଗଛ ଉପାଡି ଦିଆଯାଏ  । ୩ ସପ୍ତାହରେ ଥରେ ଓ ୬ ସପ୍ତାହରେ ଆଉଥରେ କୋଡା ଖୁସା କରି ଘାସ ବାଛି ହୁଡା ଟେକାଯାଏ  । ମଝି ଡାଳରେ ଶୀଘ୍ର ଫୁଲ ଫଳ ଧରିବା ପାଇଁ ଛୋଟ ଛୋଟ ଶାଖା ପ୍ରଶାଖା ଛିଣ୍ଡାଇ ଦେବା ଉଚିତ  । ଏ କ୍ଷେତ୍ରରେ ଗଛକୁ ଗଛ ୩୦ ସେ.ମି. ଓ ଧାଡିକୁ ଧାଡି ୬୦ ସେ.ମି. ବ୍ୟବଧାନରେ ଗଛ ଲଗାଇବା ଉଚିତ୍  ।

ରାସାୟନିକ ତୃଣକମାରୀ ପ୍ରୟୋଗ ଦ୍ଵାରା ଘାସଦମନ :

ବର୍ଷାଦିନେ ବେଶି ଘାସ ହୁଏ  । ହେକ୍ଟର ପିଛା ଏପଟିମ୍ ୩-୪ କେଜି ଏ.ଆଇ. ବୁଣିବାର ୩ ସପ୍ତାହ ପୂର୍ବରୁ ମାଟିରେ ମିଶାଇ ଦେଲେ ବହୁତପରିମାଣରେ ଘାସ ଦମନ ହୁଏ  ।

ଜଳସେଚନ :

ଫୁଲ ଧରିବା ଫଳ ଧରିବା ଅବସ୍ଥାରେ ମାଟି ଓଦା ରହିବା ଆବଶ୍ୟକ ଏଣୁ ଗଛ ଉଠିବାର ୨୦ ଦିନ, ୪୦ ଦିନ ୭୦ ଦିନ, ଓ ୯୦ଦିନ ବେଳକୁ ୪ ଥର ପାଣି ମଡାଇବା ଦରକାର  । ସାଧାରଣତଃ ଜଡା ବର୍ଷାଧାର ଜମିରେ ଚାଷ କରାଯାଏ, କିନ୍ତୁ ଜଳସେଚନ କଲେ ଭଲ ଅମଳ ମିଳିବ  ।

ଅମଳ :

ଫଳପେନ୍ଥା ପାଚିଗଲେ ଦୁଇ ଥରରେ ଫଳ ତୋଳି ଖରାରେ ଶୁଖାଇ ଅମଳ କରାଯାଏ  । ଜଡାଫଳ ଏକ ସମୟରେ ପାଚେ ନାହିଁ  । ତେଣୁ କ୍ଷେତରେ ବୁଲି ଶୁଖିଥିବା ଫଳଗୁଡିକୁ ତୋଳି ଦେବାକୁ ହେବ  ।

ଫଳ ଶୁଖିଗଲେ ଖରାରେ ଫାଟି ମଞ୍ଜି ଚାରିଆଡକୁ ଛିଟିକି ପଡେ  । ହେକ୍ଟର ପ୍ରତି ହାରାହାରି ଅମଳ ୪ରୁ ୬ କୁଇଣ୍ଟାଲ ମିଳିଥାଏ  । ଜଡା ମଞ୍ଜିରୁ ୪୦-୫୫ ତୈଳ ମିଳେ   ।

ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate