অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଏଣିକି ଜିଲ୍ଲାପାଳ କରିବେ ହସ୍ପିଟାଲ ପଞ୍ଜୀକରଣ

ନିଜର ହାତରୁ ଦାୟିତ୍ଵ ଖସାଇଲେ ଡିଏମ୍ଇଟି

ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଙ୍କୁ ମିଳିଛି ହସ୍ପିଟାଲ ଲାଇସେନ୍ସ ପଞ୍ଜୀକରଣ ଓ ନବୀକରଣ ଦାୟିତ୍ଵ । ପୂର୍ବରୁ ଏହା ଡିଏମ୍ଇଟି ଅଧୀନରେ ରହିଥିଲା । ନିକଟରେ ସ୍ୱାସ୍ଥ୍ୟ ବିଭାଗ ଜିଲ୍ଲାପାଳମାନଙ୍କୁ ଏଭଳି ନିର୍ଦ୍ଦେଶ ଜାରି କରିଛି । ହସ୍ପିଟାଲଗୁଡ଼ିକର ପଞ୍ଜୀକରଣ ଓ ନବୀକରଣ କାର୍ଯ୍ୟକୁ ୪୫ ଦିନ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଡିଏମ୍ଇଟିଙ୍କ କାର୍ଯ୍ୟାଳୟରେ ମାସ ମାସ ଧରି ପଡ଼ି ରହିଥିବା ଶହ ଶହ ଆବେଦନପତ୍ରକୁ ପୁନର୍ବାର ସିଡିଏମ୍ଓଙ୍କ ନିକଟକୁ ପଠାଯିବ । ମାତ୍ର ପଞ୍ଜୀକରଣ/ନବୀକରଣ ଦାୟିତ୍ଵ ଡିଏମ୍ଇଟି ନିଜ ହାତକୁ ଖସାଇଦେବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ରାଜଧାନୀ ସମତେ ରାଜ୍ୟରେ ସମୁଦାୟ ୧୬୧୦ଟି କ୍ଲନିକାଲ ଏଷ୍ଟାବ୍ଲିସମେଣ୍ଟ ରହିଛି । ପ୍ରାୟ ୫୦ ପ୍ରତିଶତରୁ ଉର୍ଦ୍ଧ୍ଵ ହସ୍ପିଟାଲର ଲାଇସେନ୍ସ ନବୀକରଣ ହୋଇନାହିଁ । ମାସ ମାସ ଧରି ଏଥିପାଇଁ ସେମାନେ ଆବେଦନ କରିଥିଲେ ହେଁ ଲାଇସେନ୍ସର ନବୀକରଣ ହୋଇପାରୁ ନ ଥିଲା । ଏହାସହ ଅନେକ ସଂଖ୍ୟାରେ ହସ୍ପିଟାଲ ନୂତନ ଭାବେ ପଞ୍ଜୀକରଣ ପାଇଁ ଆବେଦନ କରୁଥିଲେ । ତେବେ ନବୀକରଣ ସମୟରେ କାଗଜପତ୍ରରେ ତ୍ରୁଟି ଓ କେତେକ ଅନିଚ୍ଛାକୃତ କାରଣ ପାଇଁ ସିଡିଏମ୍ଓ ଓ ପରବର୍ତ୍ତୀ ସମୟରେ ଡିଏମ୍ଇଟିଙ୍କ କାର୍ଯ୍ୟାଳୟରେ ଆବେଦନ ପତ୍ର ପଡ଼ି ରହୁଥିଲା । ନବୀକରଣ କାର୍ଯ୍ୟ ତ୍ଵରାନ୍ଵିତ ହୋଇପାରୁ ନ ଥିବାରୁ ହସ୍ପିଟାଲଗୁଡ଼ିକ କେବଳ ନବୀକରଣ ପାଇଁ ଆବେଦନ କରି ଚୁପ୍ ବସି ପଡୁଥିଲେ । ନବୀକରଣ ପାଇଁ ଆବେଦନ କରି ହସ୍ପିଟାଲ ଚଳାଇବା ପାଇଁ ଆଇନସମ୍ମତ ହୋଇଥିଲେ ହେଁ, ଏହି ସମୟରେ ଯଦି କୌଣସି କାରଣରୁ ଅଘଟଣ ଘଟେ ଏଥିପାଇଁ କାହାକୁ ଦାୟୀ କରାଯିବ ଭଳି ପ୍ରଶ୍ନ ମଧ୍ୟ ଉଙ୍କି ମାରୁଥିଲା ।

ପୂର୍ବରୁ ହସ୍ପିଟାଲଗୁଡିକୁ ନିଜ ଅଞ୍ଚଳର ସିଡିଏମ୍ଓଙ୍କ ନିକଟରେ ନବୀକରଣ ପାଇଁ ଆବେଦନ ସହ ଟଙ୍କା ପଇଠ କରିବାକୁ ପଡୁଥିଲା। ସିଡିଏମ୍ଓ ଆବେଦନ ପତ୍ରର ଯାଞ୍ଚ କରି ଏହାକୁ ଡିଏମ୍ଇଟିଙ୍କ କାର୍ଯ୍ୟାଳୟକୁ ପଠାଉଥିଲେ । ମାତ୍ର ଡିଏମ୍ଇଟିଙ୍କ କାର୍ଯ୍ୟାଳୟରେ ପୁନର୍ବାର ଏହାର ଯାଞ୍ଚ ସମୟରେ ଆବଶ୍ୟକୀୟ କାଗଜପତ୍ର ନ ଥିବା ଯେଉଁସବୁ ହସ୍ପିଟାଲଗୁଡ଼ିକ ନଜରକୁ ଆସୁଥିଲା ସେସବୁ ହସ୍ପିଟାଲଗୁଡିକୁ ପୁନର୍ବାର ପତ୍ର ଲେଖାଯାଉଥିଲା ତୃଣମୂଳସ୍ତରରେ ଯାଞ୍ଚ ପ୍ରକ୍ରିୟା ଠିକ୍ ଭାବେ ହେଉ ନ ଥିବାରୁ ଏଭଳି ସମସ୍ୟା ଉପୁଜିଥିଲା । ଏହାସହ ଡିଏମ୍ଇଟିଙ୍କ କାର୍ଯ୍ୟାଳୟରେ ମଧ୍ୟ କୌଣସି କାରଣ ନ ଥାଇ ବିଳମ୍ବ ହେଉଥିବା ଅନେକ ଆବେଦନକାରୀ ଅଭିଯୋଗ କରୁଥିଲେ । ଏପରି ଅଭିଯୋଗ ଥିବା ପ୍ରାୟ ୭ଶହ ଫର୍ମ ଡିଏମ୍ଇଟିଙ୍କ କାର୍ଯ୍ୟାଳୟରେ ପଡ଼ି ରହିଥିବା ବିଶ୍ଵସ୍ତ ସୂତ୍ରରୁ ସୂଚନା ମିଳିଛି । ସେହିପରି ଅନ୍ଲାଇନ ଜରିଆରେ ପଞ୍ଜୀକରଣ/ନବୀକରଣ ପାଇଁ ୱେବ୍ସାଇଟ୍ ପ୍ରସ୍ତୁତ ହୋଇଛି । ମାତ୍ର ଏ ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରୁ ନାହିଁ ।

ଅନ୍ଲାଇନରେ ପଞ୍ଜୀକରଣ ୱେବ୍ସାଇଟ ଚାଲିପାରୁନି

ନୂତନ ନିର୍ଦ୍ଦେଶ ଅନୁସାରେ, ହସ୍ପିଟାଲଗୁଡ଼ିକ ନିଜର ପଞ୍ଜୀକରଣ/ନବୀକରଣ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିବେ। ଆବେଦନ ପତ୍ର ପାଇବା ପରେ ସିଡିଏମ୍ଓ ଏହାର ଯାଞ୍ଚ କରିବା ସହିତ ୪୫ ଦିନ ମଧ୍ୟରେ ଏହାର ଯାଞ୍ଚ ପ୍ରକ୍ରିୟା ଶେଷ କରି ଜିଲ୍ଲାପାଳଙ୍କ ନିକଟକୁ ପଠାଇବେ । ମାତ୍ର ଅପୂରଣୀୟ ଆବେଦନ ଫର୍ମକୁ କୌଣସି ପ୍ରକାର ଗ୍ରହଣ କରାଯିବା ନାହିଁ । ତେବେ ଯେଉଁ ହସ୍ପିଟାଲଗୁଡ଼ିକର ନବୀକରଣ କରାଯିବ ସେମାନେ ଏହାର ୧ ମାସ ପୂର୍ବରୁ ଆବେଦନ କରିବାକୁ ବାଧ୍ୟ । ନଚେତ୍ ସେମାନଙ୍କଠାରୁ ଆବେଦନ ପତ୍ରର ୧୦ ପ୍ରତିଶତ ଜୋରିମାନା ଆକାରରେ ଆଦାୟ କରାଯିବ । ଜିଲ୍ଲାସ୍ତରରେ ଟାସ୍କଫୋର୍ମ କମିଟି କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ ଠିକ୍ ଭାବେ କାର୍ଯ୍ୟ କରୁଛି କି ନାହିଁ ତାହାର ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟରେ କାର୍ଯ୍ୟ କରୁଥିବା କୌଣସି କର୍ମଚାରୀ ଏକାଧିକ ଅନୁଷ୍ଠାନରେ କାମ କରିବା ଉପରେ ମଧ୍ୟ ରୋକ୍ ଲଗାଯାଇଛି ।ଜଣେ ଡାକ୍ତର ପଞ୍ଜୀକୃତ ହୋଇଥିବା ଏକାଧିକ ହସ୍ପିଟାଲରେ କାର୍ଯ୍ୟ କରିପାରିବେ ନାହିଁ । ଯଦିବା ସେ କାମ କରିବାକୁ ଚାହାନ୍ତି ତେବେ ତାଙ୍କୁ ନିର୍ଦ୍ଦିଷ୍ଟ ଅଞ୍ଚଳର ସର୍ବାଧିକ ୨ଟି ହସ୍ପିଟାଲରେ କାମ କରିବାକୁ ଅନୁମତି ଦିଆଯିବ । ସର୍ବାଧିକ ୮କିମି ବ୍ୟବଧାନ ମଧ୍ୟରେ ଡାକ୍ତର ଜଣକ କାମ କରିପାରିବେ । ଏହାସହ ଡିଏମ୍ଇଟିଙ୍କ କାର୍ଯ୍ୟାଳୟରେ ପଡ଼ି ରହିଥିବା ଆବେଦନ ପତ୍ରକୁ ପୁନର୍ବାର ସିଡିଏମ୍ ଙ୍କ ନିକଟକୁ ପଠାଇବାକୁ କୁହାଯାଇଛି । ରାଜ୍ୟରେ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟଗୁଡ଼ିକର ରେକର୍ଡ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଙ୍କ ଦ୍ଵାରା ତଦାରଖ ହେବା ସହିତ ମାସିକ ରିପୋର୍ଟ ଡିଏମ୍ଇଟିଙ୍କୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା

ଯୁଗ୍ମ ଡିଏମ୍ଇଟି ଉମାକାନ୍ତ ଶତପଥୀଙ୍କ କହିବାନୁଯାୟୀ, ଗତ ୬ ତାରିଖରେ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି । ଯାହାଫଳରେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଏବେ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟଗୁଡ଼ିକର ପଞ୍ଜୀକରଣ/ ନବୀକରଣ କାର୍ଯ୍ୟ କରିବେ। ଡିଏମ୍ଇଟିଙ୍କ କାର୍ଯ୍ୟାଳୟରେ ଥିବା ଆବେଦନ ପତ୍ରଗୁଡ଼ିକ ଜିଲ୍ଲାପାଳଙ୍କ ନିକଟକୁ ଫେରିଯିବା ତେବେ ଅନ୍ଲାଇନ ପାଇଁ ୱେବ୍ସାଇଟ୍ର ବ୍ୟବସ୍ଥା ହୋଇଛି ଶ୍ରୀ ଶତପଥୀ ସୂଚନା ଦେଇଥିଲେ ।

ଆଧାର – ଦୈନିକ ସମ୍ବାଦ

Last Modified : 12/9/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate