ଭୁବନେଶ୍ଵର: ବିମୁଦ୍ରାକରଣର ପ୍ରଭାବ ଏବେ ଦେଶର ଆର୍ଥିକ ମେରୁଦଣ୍ଡକୁ ସମ୍ପୂର୍ଣ ଦୋହଲାଇ ଦେଇଛି । ଏଭଳି ସ୍ଥିତିରେ କ୍ୟାସଲେସ୍ ପେମେଣ୍ଟ ବା ବିନା ମୁଦ୍ରା କାରବାର ଲୋକଙ୍କ ପ୍ରଥମ ପସନ୍ଦ ହୋଇଛି । ବିଶେଷ କରି ପେଟିଏମ୍, ଫ୍ରୀଚାର୍ଜ, ମୋବିକ୍ୱିକ୍ ଭଳି ମୋବାଇଲ ୱାଲେଟ୍ ଆପ୍ଲିକେସନ୍ ବର୍ତ୍ତମାନ ସମୟରେ ସହରବାସୀଙ୍କ ସାହାରା ପାଲଟିଛି । ଗତ ଦୁଇ ସପ୍ତାହ ହେବ କ୍ୟାସଲେସ୍ କାରବାର ପ୍ରାୟ ୧୦ ଗୁଣା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଭୁବନେଶ୍ଵରରେ ଗୁଗଚୁପ୍ ଦୋକାନୀଙ୍କଠାରୁ ଆରମ୍ଭ କରି ଛୋଟବଡ ହୋଟେଲ, ପରିବା ଦୋକାନ, ସେଲୁନ, କ୍ୟାଫେ ଓ କୋଲ୍ଡଡ୍ରିଂକ୍ସ ଦୋକାନ ଭଳି ସ୍ଥାନରେ ଡିଜିଟାଲ୍ ୱାଲେଟର ବହୁତ ବ୍ୟବହାର ହେଉଛି । ଏହାବ୍ୟତୀତ କ୍ୟାବ୍, ବସ୍, ଟ୍ରେନ୍, ବିମାନ, ସିନେମା ପାଇଁ ଟିକେଟ ବୁକିଂ କରିବାକୁ ମଧ୍ୟ ଲୋକେ ସ୍ମାର୍ଟ ଉପାୟରେ ଟଙ୍କା ପରିବର୍ତ୍ତେ ଡିଜିଟାଲ୍ ୱାଲେଟର ସାହାଯ୍ୟ ନେଉଛନ୍ତି । ହେଲେ କେତେକସ୍ଥଳେ ଏହାର ନକରା ତ୍ମକ ଦିଗ ଯୋଗୁ ଲୋକଙ୍କୁ ହତସନ୍ତ ହେବାକୁ ପଡୁଛି । ଏହାପରେ ବି ଲୋକେ ଏଭଳି ସମୟରେ ବିନାମୁଦ୍ରା କାରବାରକୁ ଆପଣାଇଛନ୍ତି ।
ମୋବାଇଲ ରିଚାର୍ଜରୁ ଆରମ୍ଭ କରି ଡିଟିଏଚ୍ ପ୍ଳାନ୍ ଓ ବିଲ୍ ପେମେଣ୍ଟ ପର୍ଯ୍ୟନ୍ତ ସବୁଥିରେ ଏବେ ଦରକାର ପଡୁଛି ପେଟିଏମ୍ । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍ ଅଚଳ ଘୋଷଣା କରିବା ପରେ ଦେଶରେ ଏକ ପ୍ରକାର ଜଟିଳ ପରିସ୍ଥିତି ଲାଗିରହିଛି । ଏହି ସମୟରେ କିଣାବିକା ପାଇଁ ଲୋକଙ୍କ ପ୍ରମୁଖ ମାଧ୍ୟମ ହେଉଛି ପେଟିଏମ୍ । ଏହାର ୱାଲେଟ୍ ପାର୍ଟନରଭାବେ ଉବେର, ବୁକମାଇଁ ଶୋ, ମେକ୍ ମାଇଁ ଟ୍ରିପ୍ ସହ ଏକାଧିକ ସପିଂ, ଟ୍ରାଭେଲ, ମନୋରଞ୍ଜନ ଏବଂ ଫୁଡ୍ ୱେବସାଇଡଗୁଡିକ ରହିଥିବାରୁ ଏହାଦ୍ଵାରା ଲୋକେ କ୍ୟାବ୍, ମୁଭି, ଟ୍ରେନ୍, ବସ୍, ଓ ବିମାନ ଟିକେଟ୍ ବୁକିଂ କରିପାରୁଛନ୍ତି । ତା’ ଛଡା ଅନଲାଇନ୍ ମାଧ୍ୟମରେ ମନପସନ୍ଦର ସାମଗ୍ରୀ ବି କିଣିପାରୁଛନ୍ତି । ଏତଦ୍ ବ୍ୟତୀତ ପେଟିଏମ୍ ଉପଲବ୍ଧ ଥିବା ଷ୍ଟୋର୍ ବା ଦୋକାନଗୁଡ଼ିକରେ ଗ୍ରାହକ ନିଜ ପେଟିଏମ୍ ୱାଲେଟ୍ ବ୍ୟବାହର କରି ପେମେଣ୍ଟ କରୁଛନ୍ତି । ହୋଟେଲ ବିଲ୍ ହେଉ କି ପରିବା କିଣା ସବୁଥିରେ ଏହାକୁ ବ୍ୟବହାର କରାଯାଇପାରୁଛି । ସେହିପରି ନିଜ ବ୍ୟାଙ୍କ ଆକାଉଣ୍ଟ ସହ ସଂଯୋଗ କରି ଅନଲାଇନ୍ ଟ୍ରାଞ୍ଜାକସନ୍ ଟଙ୍କା ଟ୍ରାନ୍ସଫର୍ ଆଦି କରିହେଉଛି । ଡେବିର୍ଟ କାର୍ଡ,କ୍ରେଡିର୍ଟ କାର୍ଡ, ନେଟ୍ ବ୍ୟାଙ୍କିଙ୍ଗ, ଆଇଏମ୍ପିଏସ୍ ମରଚାଣ୍ଟ ପେମେଣ୍ଟ ବ୍ୟବହାର କରି ପେଟିଏମ୍ ୱାଲେଟକୁ ରିଚାର୍ଜ କରାଯାଉଥିବାବେଳେ ଆଣ୍ଡାଏଡ୍, ଆଇଓଏସ୍, ୱିଣ୍ଡୋଜ୍, ବ୍ଳାକବେରୀ ଏବଂ ଓଭିଆଇ ଅପରେଟିଂ ସିଷ୍ଟମ୍ ଥିବା ସ୍ମାର୍ଟଫୋନରେ ଏହାକୁ ବ୍ୟବହାର କରାଯାଇପାରୁଛି । ପେଟିଏମ୍ ଆପକୁ ଯାଇ ଦୋକାନରେ ଆବଶ୍ୟକ ତଥ୍ୟ ଭରିବା ପରେ ସେଠାରେ ଥିବା କ୍ୟୁଆର୍ କୋଡକୁ ସ୍କାନ କାଲେ ପେମେଣ୍ଟ ହୋଇଯାଉଛି । ରାଜଧାନୀ ଭୁବନେଶ୍ଵରରେ ପୂର୍ବରୁ ଏକାଧିକ ଦୋକାନରେ ପେଟିଏମ୍ ସୁବିଧା ଉପଲବ୍ଧ ଥିଲେ ବି ତାହା ଏବେ ୫୦ ପ୍ରତିଶତ ବୃଦ୍ଧି ପାଉଛି । ଏପରି କି, ଅଧିକାଂଶ ଉଠାଦୋକାନରେ ପେଟିଏମ୍ କୋର୍ଡ ଦେଖିବାକୁ ମିଳୁଛି ।
ପେଟିଏମ୍ ଭଳି ଫ୍ରିଚାର୍ଜରେ ବି କ୍ୟୁଆର୍ କୋଡକୁ ସ୍କାନ୍ କରି ପେମେଣ୍ଟ କରିହେଉଛି । ପ୍ରିପେର୍ଡ କିମ୍ବା ପୋଷ୍ଟପେର୍ଡ ମୋବାଇଲ୍ ରିଚାର୍ଜ ସାଙ୍ଗକୁ ବିଦ୍ୟୁତ୍ ଦେୟ ପୈଠ, ଡିଟିଏଚ୍ ଏବଂ ଡାଟା କାର୍ଡ ରିଚାର୍ଜ ପାଇଁ ଏହାକୁ ବ୍ୟବହାର କରାଯାଇପାରୁଛି । ଏହାବ୍ୟତୀତ ଅନଲାଇନ୍ ସପିଂ କରିବାରେ ମଧ୍ୟ ଫ୍ରିଚାର୍ଜ କାମରେ ଆସୁଛି । ଏକ ଅନଲାଇନ୍ ସପିଂ ୱେବସାଇଟ୍ ଅଧିକାରୀ ସନ୍ଦିପ୍ ଦାସଙ୍କ କହିବାଅନୁଯାୟୀ, ଭୁବନେଶ୍ଵରରେ ଆଗରୁ ‘କ୍ୟାଶ ଅନ୍ ଡେଲିଭରି’ କୁ ଲୋକେ ଗୁରୁତ୍ଵ ଦେଉଥିଲେ । ବର୍ତ୍ତମାନ କିନ୍ତୁ ଅନଲାଇନ୍ ଏବଂ ମୋବାଇଲ୍ ୱାଲେଟରେ ପେମେଣ୍ଟ କରୁଛନ୍ତି । ଶପିଂ ୱେବସାଇଟଗୁଡିକ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍ ନେବାକୁ ମନା କରିଦେଇଥିବାରୁ ଏହା ହିଁ ଏକମାତ୍ର ବିକଳ୍ପ ହୋଇଛି ।
ଡୋମିନୋଡ୍ ପିଜା ହେଉ କି କ୍ୟାଫେ କଫି ଡେ’,ବୁକ ମାଇଁ ଶୋ’, ମେକ୍ ମାଇଁ ଟ୍ରିପ୍ ଆଦି ସ୍ଥାନରେ ସ୍ମାର୍ଟ ଲୋକଙ୍କ ସ୍ମାର୍ଟ ପସନ୍ଦ ହେଉଛି ମୋବିକ୍ୱିକ୍ । ଏତଦ୍ ବ୍ୟତୀତ ୭୦ହଜାରରୁ ଊର୍ଦ୍ଧ୍ଵ ଦୋକାନରେ ମୋବିକ୍ୱିକ୍ ସହାୟତାରେ କ୍ୟାଶଲେସ୍ ପେମେଣ୍ଟ କରିହେଉଥିବାରୁ ବହୁଳ ସଂଖ୍ୟାରେ ଲୋକେ ଏହି ଆପ୍ଲିକେସନ୍ ଡାଉନଲୋଡ କରୁଛନ୍ତି । ସୂଚନାଥାଉ କି, ଗତ ୧୦ଦିନ ମଧ୍ୟରେ ମୋବିକ୍ୱିକରେ ୧୫ ଗୁଣା ଟ୍ରାଫିକ୍ ବୃଦ୍ଧି ପାଉଥିବାବେଳେ କର୍ତ୍ତ୍ଵପକ୍ଷ ଏହାର ସୁରକ୍ଷା ବ୍ୟବସ୍ଥାକୁ ବର୍ତ୍ତମାନ ଗୁରୁତ୍ଵ କରିବା ଉପରେ ଗୁରୁତ୍ଵ ଦେଉଛନ୍ତି ।
ପେଟିଏମ୍, ମୋବିକ୍ୱିକ୍ ପରେ ଅନ୍ୟତମ ଲୋକପ୍ରିୟ ଡିଜିଟାଲ୍ ୱାଲେଟ୍ ମଧ୍ୟରେ ରହିଛି ଓଲା ମନି । ମୁଖ୍ୟତଃ ଓଲା କ୍ୟାବ୍ ଓ ଓଲା ଷ୍ଟୋର୍ ବ୍ୟବହାର କରୁଥିବା ଗ୍ରହକଙ୍କ ପାଇଁ ଓଲା ମନି ୱାଲେଟ୍ ବେଶ୍ ଉପଯୋଗୀ ହେଉଛି । ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ଅଚଳ ପରେ ଓଲା ମନି ରିଚାର୍ଜ ପ୍ରାୟ ୧୫ ଗୁଣା ବୃଦ୍ଧି ପାଉଛି । ୫୦୦ ରୁ ଅଧିକ ଅନଲାଇନ୍ ବା ଅଫଲାଇନ୍ ବ୍ୟବସାୟିକ ସଂସ୍ଥା ସହ ଜଡିତ ଥିବା ଓଲା ମନି କେବଳ କ୍ୟାବ୍ ବୁକିଂ ନୁହେଁ, ବରଂ ଖାଦ୍ୟ ଏବଂ ଦରକାରୀ ସାମଗ୍ରୀ କିଣାକିଣି, ସିନେମା, ବସ୍, ବିମାନ ଟିକେଟ୍ ବୁକିଂ, ଅନଲାଇନ୍ ଶପିଂ କରିବାରେ ମଧ୍ୟ ସାହାଯ୍ୟ କରୁଛି । ଡୋମିନୋଡ୍, ପିଜାହଟ୍, କ୍ୟାଫେ କଫି ଡେ’, ବୁକ୍ ମାଇଁ ଶୋ’, ଟିକେଟ୍ ନ୍ୟୁ, କ୍ଳିୟର ଟ୍ରିପ୍, ଓୟୋ ରୁମସ୍, ହେଲଥ୍ କାର୍ଟ,ଡୋରମିଣ୍ଟ ଭଳି ଏକାଧିକ ସଂସ୍ଥା ସହିତ ଏହା ଜଡିତ ରହିଛି ।
କେବଳ ଏତିକି ନୁହେଁ, ପ୍ରମୁଖ ମୋବାଇଲ୍ ନିର୍ମାତା କମ୍ପାନୀମାନେ ମଧ୍ୟ ଆଜିକାଲି ବ୍ୟବହାରକାରୀମାନଙ୍କ ପାଇଁ ନିଜସ୍ଵ ୱାଲେଟ୍ ବ୍ୟବସ୍ଥା ଉପଲବ୍ଧ କରୁଛନ୍ତି । ଆପଲ୍ ପେ’ରୁ ଆରମ୍ଭ କରି ସାମସଙ୍ଗ ପେ’, ଗୁଗୁଲ୍ ୱଲେଟ୍ ଆଦି ଏହା ମଧ୍ୟରେ ରହିଛି । ତା’ ଛଡା ଏଯାରଟେଲ୍ ମନି, ଭୋଡାଫୋନ୍ ଏମ୍-ପେସା, ଡିଲର୍, ଆକ୍ସିଜେନ୍ ୱଲେଟ୍ ଏବେ ଲୋକଙ୍କ କାମରେ ଆସୁଛି ।
ମୋବାଇଲ୍ ବ୍ୟାକିଙ୍ଗ, ଇଣ୍ଟର୍ନେଟ୍ ବ୍ୟାକିଙ୍ଗ, ମୋବାଇଲ୍ ୱାଲେଟ୍ ସୁବିଧା ଉଭୟ ପ୍ରାଇଭେଟ୍ ଓ ପବ୍ଲିକ୍ ସେକ୍ଟର୍ ବ୍ୟାଙ୍କର ରହିଥିବା ବେଳେ ପୂର୍ବାପେକ୍ଷା ଏହା ବହୁଳ ବ୍ୟବହାର ହେଉଥିବା ଦେଖିବାକୁ ମିଳୁଛି । ‘ଏସବିଆଇ ବତି ଆପରୁ ଆରମ୍ଭ କରି ଆଇସିଆଇସିଆଇ ବ୍ୟାଙ୍କର ‘ପକେଟସ୍’, ଏଚଡିଏଫସି ବ୍ୟାଙ୍କର ‘ପେଜ୍ୟାପ୍’, ଆକ୍ସିସ୍ ବ୍ୟାଙ୍କର ‘ଲାଇମ୍’ ଆଦି ମୋବାଇଲ୍ ୱାଲେଟ୍ ଆପ୍ଲିକେସନ୍ ଗ୍ରାହକଙ୍କ ପାଇଁ ବେଶ୍ ଉପାଦେୟ ହେଉଛି । ବ୍ୟାଙ୍କର ନିଜସ୍ଵ ଆପ୍ଲିକେସନ୍ ହୋଇଥିବାରୁ ସୁରକ୍ଷା ଦୃଷ୍ଟିରୁ ମଧ୍ୟ ଏଗୁଡିକ ଉପରେ ଭରସା କରିହେଉଛି । ଅନ୍ୟ ମୋବାଇଲ୍ ୱାଲେଟ୍ ଭଳି ଏଥିରେ ମଧ୍ୟ କିଣାକିଣି, ବିଲ୍ ପେମେଣ୍ଟ ଅନଲାଇନ୍ ଶପିଂ ଆଦି କରିହେଉଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିଜିଟାଲ୍ ଇଣ୍ଡିଆର ସ୍ଵପ୍ନ ଦେଖୁଥିବାବେଳେ ଦେଶରେ ଏବେ ମଧ୍ୟ ଧୀମା ଇଣ୍ଟର୍ନେଟ୍ ଲୋକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ଯାହା କି ଡିଜିଟାଲ୍ ୱାଲେଟ୍ କାରବାରରେ ପ୍ରମୁଖ ବାଧକ ସାଜୁଛି । ଡିଜିଟାଲ୍ ଦେଶରେ ଡିମାଣ୍ଡ ଏବେ ଚାରିଆଡେ ରହିଛି, ହେଲେ ଦୁର୍ବଳ ଭିତ୍ତିଭୂମି ଯୋଗୁ ଲୋକେ ଅସୁବିଧାରେ ପଡ଼ୁଛନ୍ତି । କେତେବେଳେ ଧୀମା ଇଣ୍ଟର୍ନେଟ୍ ଫଳରେ ପେଟିଏମ୍ କାମ କରୁନି ତ କେତେବେଳେ ସର୍ଭର ସମସ୍ୟା ଯୋଗୁ ଗ୍ରହକଙ୍କ ଆକାଉଣ୍ଟରୁ ଦୁଇଥର ଟଙ୍କା କଟିଯାଇଛି । ଏପଟେ ଅଧିକ କଟିଥିବା ଟଙ୍କାକୁ ଦୋକାନୀମାନେ ଫେରାଇବାକୁ ବି ନାରାଜ । ଯେଉଁଥିପାଇଁ ସାଧାରଣ ଗ୍ରାହକ ଅନେକ ସମୟରେ ହଟହଟା ହେଉଛନ୍ତି । ସେହିଭଳି ସବୁ ସମୟରେ ଏବଂ ସବୁ ସ୍ଥାନରେ ଇଣ୍ଟର୍ନେଟ୍ ସୁବିଧା ମିଳିପାରୁ ନ ଥିବାରୁ କ୍ୟାଶଲେସ୍ ପେମେଣ୍ଟ କରିବାକୁ ଚାହୁଁଥିବା ଗ୍ରାହକ ହଇରାଣ ହେଉଛି । ବ୍ୟାଙ୍କ ଆକାଉଣ୍ଟର ସୁରକ୍ଷା ଦୃଷ୍ଟିରୁ ବି କେତେକ ଆପ୍ଲିକେସନ ନିର୍ଭରଯୋଗ୍ୟ ନ ହେବା ଆଉ ଏକ ସମସ୍ୟାଭାବେ ଉଭାହେଉଛି । କାହାର ସିକ୍ୟୁରିଟି ଫିଚର ସୁଦୃଢ ନୁହେଁ ତ କାହାର ବହୁଳ ଟ୍ରାଫିକ୍ ସମସ୍ୟା ସୃଷ୍ଟି କରୁଛି । ଏହିଭଳି ଏବେ କାର୍ଡ ସ୍ନାଇପ୍ ବା ପିଓଏସ୍ ମେଶିନର ଡିମାଣ୍ଡ ମଧ୍ୟ ବୃଦ୍ଧି ପାଉଛି । ଗତ ଦୁଇସପ୍ତାହ ମଧ୍ୟରେ ଭୁବନେଶ୍ଵରରେ ଅଧିକାଂଶ ଛୋଟବଡ ଦୋକାନରେ ପିଓଏସ୍ ମେଶିନ୍ ସୁବିଧା ଉପଲବ୍ଧ କରାଯାଉଛି । ହେଲେ ଏଥିରେ ମଧ୍ୟ ସର୍ଭର ଡାଉନ୍ ଯୋଗୁ ଅନେକ ସମୟରେ ଗ୍ରାହକ ଏବଂ ଦୋକାନୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜୁଛି ।
ଆଧାର : ପତ୍ରକାର
Last Modified : 12/31/2019