অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଏମଏସଏମଇ କ୍ଷେତ୍ରରେ କ୍ୟାରିୟର

ଏମଏସଏମଇ କ୍ଷେତ୍ରରେ କ୍ୟାରିୟର

ଉପକ୍ରମ

ଯଦି ଆଜିର ଯୁବପିଢିଙ୍କୁ ପଚରାଯାଏ ଯେ ସେମାନେ ଭବିଷ୍ୟତରେ କ’ଣ ହେବା ପାଇଁ ଚାହାଁନ୍ତି ତେବେ ସେମାନେ ଆଇଏଏସ, ଆଇପିଏସ, ସିଏ, ବ୍ୟାଙ୍କ ପିଓ, ଇଞ୍ଜିନିୟର, ଡାକ୍ତର କିମ୍ବା ମ୍ୟାନେଜମେଣ୍ଟ ପ୍ରଫେଶନାଲ ହେବା ପାଇଁ ଇଚ୍ଛା ରଖିଥିବା ପ୍ରକାଶ କରିବେ । ପେସାଗତ କିମ୍ବା ବୈଷୟିକ ଶିକ୍ଷା ସମାପ୍ତି ପରେ ଖୁବ କମ ଛାତ୍ରୀଛାତ୍ର ଉଦ୍ୟୋଗୀ ହେବା ପାଇଁ ମନ ବଳାଇଥାନ୍ତି । ଅନ କ୍ୟାମ୍ପସ କିମ୍ବା ଅଫ କ୍ୟାମ୍ପସ ଜରିଆରେ ଭଲ ଦରମା ଥିବା ଚାକିରିଟିଏ ପାଇବା ସବୁ ଛାତ୍ରୀଛାତ୍ରଙ୍କ ସ୍ଵପ୍ନ ଥାଏ ।

ଉଦ୍ୟୋଗୀ

ଦେଶର ଅର୍ଥନୈତିକ ସମସ୍ୟାର ସମାଧାନ ଲାଗି ଛାତ୍ରୀଛାତ୍ର ମାନଙ୍କୁ ଜଣେ ଜଣେ ଉଦ୍ୟୋଗୀ ହେବା ଲାଗି ପ୍ରବର୍ତ୍ତାଇବା ଜରୁରୀ । ଅନେକ ଦେଶରେ ଛାତ୍ରୀଛାତ୍ରମାନେ ପାଠପଢା ସାରିବା ପରେ ନିଜ ନିଜର ମ୍ୟାନୁଫ୍ୟାକ୍ଚରିଙ୍ଗ କମ୍ପାନୀ ଖୋଲିବା ଉପରେ ଅଗ୍ରାଧିକାର ଦେଇଥାନ୍ତି । ସରକାରୀ ଚାକିରିକୁ ସେମାନେ ଦ୍ଵିତୀୟ ବିକଳ୍ପ ଭାବେ ନେଇଥାନ୍ତି । କିନ୍ତୁ ଆମ ଦେଶରେ ବିଶେଷକରି ଓଡିଶାରେ ଏହି ମନୋବୃତ୍ତି ଛାତ୍ରୀଛାତ୍ରଙ୍କ ମଧ୍ୟରେ ଦେଖିବାକୁ ମିଳିନଥାଏ । ଏଠାରେ ପିଲାମାନେ ନିଜ ନିଜର ଉଦ୍ୟୋଗ ସ୍ଥାପନ କରିବା ବଦଳରେ ମୋଟା ବେତନ ଯୁକ୍ତ ଚାକିରିକୁ ପସନ୍ଦ କରିଥାନ୍ତି । ଜଣେ ସଫଳ ଉଦ୍ୟୋଗୀ ହେବା ପାଇଁ ବର୍ଷ ବର୍ଷ ଧରି ସଂଘର୍ଷ କରିବାକୁ ପଡିବ ବୋଲି ଏମାନେ ଭାବିଥାନ୍ତି । ସଫଳତା ମିଳିବ କିମ୍ବା ନାହିଁ ସେଥିରେ ମଧ୍ୟ ଗ୍ୟାରେଣ୍ଟି ନାହିଁ ବୋଲି ଏମାନେ କୁହନ୍ତି । ଖାଲି ସେତିକି ନୁହଁ , ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ କଡା ନିଯମାବଳୀ ତଥା କଟକଣା ମଧ୍ୟରେ ଏମାନେ ବ୍ୟବସାୟ କରିବା ନେଇ ପଛଘୁଞ୍ଚା ଦେଇଥାନ୍ତି । କେତେକାଂଶରେ ସେମାନେ ଠିକ । କିନ୍ତୁ ଏଠାରେ କୁହାଯାଇପରିବ ଦେଶରେ ବ୍ୟବସାୟୀକ ଟ୍ରେଣ୍ଡ ବଦଳିଯାଇଛି ।

ଏମଏସଏମଇ

ସରକାର ଇଜ ଅଫ ଡୁଇଙ୍ଗ ବିଜନେସ ବାତାବରଣରେ ଉନ୍ନତି ଆଣିବା ପାଇଁ ଉଦ୍ୟମ ଚଳାଇଛନ୍ତି । ଚ୍ୟାଲେଞ୍ଜ ନେବା ପାଇଁ ପ୍ରସ୍ତୁତ ଥିବା ଛାତ୍ରୀଛାତ୍ରଙ୍କ ନିମନ୍ତେ ଏ କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି ହୋଇଛି । ଆଇଆଇଏମ ତଥା ଆଇଆଇଟି ଭଳି ବଡବଡ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରମାନେ ଚାକିରିକୁ ହାତଛଡା କରି ଆଜି ବ୍ୟବସାୟ ଜଗତରେ ନାଁ କମାଇବା ପାଇଁ ଆଗେଇ ଆସିଲେଣି । ଦେଶରେ ଏମଏସଏମଇ କ୍ଷେତ୍ରରେ ଅଭିବୃଦ୍ଧିରେ ଏମାନଙ୍କର ସକ୍ରିୟ ଭୂମିକା ରହିଛି । ସରକାରଙ୍କ ପ୍ରୋତ୍ସାହନ ମାଧ୍ୟମରେ ଏହି କ୍ଷେତ୍ରକୁ ଅଧିକ କ୍ରିୟାଶୀଳ କରାଯାଇପାରିବ । କାମ ପାଇଁ ଗାଁରୁ ସହରକୁ ପଳାଇ ଆସୁଥିବା ଯୁବପିଢି ନିଜ ସ୍ଥାନରେ ରହି ମଧ୍ୟ ନିଜ ନିଜର ଏମଏସଏମଇ ୟୁନିଟ ଗଠନ କରି ମୋଟା ଅଙ୍କର ରୋଜଗାର କରିପାରିବେ ଏବଂ ଦେଶର ନିଯୁକ୍ତି କ୍ଷେତ୍ରର ଅଭିବୃଦ୍ଧିରେ ନିଜର ଅବଦାନ ମଧ୍ୟ ଦେଇପାରିବେ । ଏମଏସଏମଇ ବର୍ତ୍ତମାନ ଭାରତୀୟ ଶିଳ୍ପ କ୍ଷେତ୍ରରେ ଏକ ଲୋକପ୍ରିୟ ଶବ୍ଦ ପାଲଟିଛି । ସମସ୍ତ ଶିଳ୍ପର ମୂଳରେ ଏହା ରହିଛି । ଏମଏସଏମଇ ବିକାଶ ଆଇନର ସଂଶୋଧନ ଏବଂ ସରକାରଙ୍କ ପ୍ରୋତ୍ସାହନ ଦ୍ଵାରା ବର୍ତ୍ତମାନ ବୃହତ ମାତ୍ରାରେ ଯୁବପିଢି ଏ ଦିଗରେ ଆଗେଇବା ପାଇଁ ଇଚ୍ଛା ପ୍ରକାଶ କଲେଣି । ରାଜ୍ୟ ସରକାର ଏମଏସଏମଇ କ୍ଷେତ୍ରରେ ତ୍ୱରାନ୍ୱିତ କରିବା ପାଇଁ ବିଭିନ୍ନ ଉତ୍ପାଦ ପାଇଁ ୩ରୁ ୨୦ ବର୍ଷ ପାଇଁ ଟିକସ ମୁକ୍ତ କାର୍ଯ୍ୟ ପରିବେଶ ପ୍ରଦାନ କରାଯାଉଛି । ଆବଶ୍ୟକ ପୁଞ୍ଜି ତଥା ନିବେଶ ଅନୁସାରେ ଏହି ଉଦ୍ୟୋଗ ଗୁଡିକର ଆକାରକୁ ସ୍ଥିର କରାଯାଇଥାଏ । ଏହି ଏମଏସଏମଇ କ୍ଷେତ୍ରରେ ଯୁବପିଢିଙ୍କ ଲାଗି କିଭଳି ସୁବିଧା ସୁଯୋଗ ରହିଛି ତାହା ଆଜିର ବିଷୟ ବସ୍ତୁ । ଭାରତ ସରକାରଙ୍କ ନୂଆ ଗାଇଡଲାଇନ ଅନୁସାରେ ଘରୋଇ ବ୍ୟାଙ୍କ ସହିତ ସମସ୍ତ ବ୍ୟାଙ୍କକୁ ନିବେଶସାପେକ୍ଷ ନୀତି ଆପଣେଇବା ପାଇଁ କୁହାଯାଇଛି । ଉଦ୍ୟୋଗୀ ମାନଙ୍କୁ ତ୍ଵରିତ ସେବା ପ୍ରଦାନକରିବା  ଲାଗି ଏକ ସ୍ଵତନ୍ତ୍ର ଏମଏସଏମଇ ଫାଇନାନ୍ସ ୱିଙ୍ଗ ସ୍ଥାପନ କରିବା ପାଇଁ ନିର୍ଦେଶ ଦିଆଯାଇଛି । ସେଲସ ଏମ୍ପ୍ଲାଏଡ ଟେକ୍ନୋକ୍ରାଟ ତଥା ପ୍ରଫେଶନାଲ ମାନଙ୍କ ପାଇଁ ଏଠାରେ ୧୦ ଲକ୍ଷ ଟଙ୍କାରୁ କମ ମୂଲ୍ୟର ରୁଣ ପାଇବା ଅତ୍ୟନ୍ତ ସହଜ, ଯେଉଁଥିରେ ୨ଲକ୍ଷ ୱର୍କିଙ୍ଗ କ୍ୟାପିଟାଲ ଭାବେ ବ୍ୟବହାର କରାଯାଇ ପାରିବ । ସେବା କ୍ଷେତ୍ର ପାଇଁ ସ୍ଵତନ୍ତ୍ର ଫାଇନାନ୍ସ ସ୍କିମ ରହିଛି । ଅନେକ କ୍ଷେତ୍ରରେ ଅନାବଶ୍ୟକ କଟକଣା ଏବଂ ନିୟମ ଏଡାଇବା ଲାଗି ବିଭିନ୍ନ ସରକାରୀ ଏଜେନ୍ସି ସେଲ୍ଫ ଡିକ୍ଳାରେସନ ସୁବିଧା ପ୍ରଦାନ କରୁଛନ୍ତି । ମେକ ଇନ ଇଣ୍ଡିଆ ଅଭିଯାନକୁ ସଫଳ କରିବା ଲାଗି ସରକାରଙ୍କ ପକ୍ଷରୁ ବିଭିନ୍ନ ସୁବିଧା ଘୋଷଣା କରାଯାଇଛି । ଆକାଉଣ୍ଟ ଗୁଡିକର ଯାଞ୍ଚ ଆବଶ୍ୟକ ନାହିଁ । ତାଚ୍ଛଡା ୩ବର୍ଷ ପାଇଁ ଟିକସ ଛାଡ ବ୍ୟବସ୍ଥା କରାଯାଇଛି । ପାଣ୍ଠି ଯୋଗାଣ ଏବଂ ଋଣ ସଂଗ୍ରହ ପ୍ରକ୍ରିୟାକୁ ସହଜ କରାଯାଇଛି । ଏସଏମଇ ତଥା ଏମଏସଏମଇ ଏଜେନ୍ସି ଗୁଡିକ ପ୍ରକଳ୍ପ କୁ ମଞ୍ଜୁରୀ ଦେବା ପରେ ବ୍ୟାଙ୍କ ଗୁଡିକ ସରଳ ଋଣ ପ୍ରଦାନ ପ୍ରକ୍ରିୟା ମାଧ୍ୟମରେ ଉଦ୍ୟୋଗୀ ମାନଙ୍କୁ ସାହାଯ୍ୟ କରୁଛନ୍ତି । ନିର୍ଧାରିତ ସମୟ ମଧ୍ୟରେ ବିଭିନ୍ନ ବ୍ୟାଙ୍କ ଦ୍ଵାରା ରିଟେଲ ଲେଣ୍ଡିଂ ସୁବିଧା ପ୍ରଦାନ କରାଯାଉଛି । ବ୍ୟବସାୟ ଋଣ, ଅଟୋ ଋଣ, ବାଣିଜ୍ୟକ ଯାନ ଋଣ, ନିର୍ମାଣ ଯନ୍ତ୍ରାଂଶ ଋଣ ନିମନ୍ତେ ସମ୍ପତି ବଦଳରେ ରିଟେଲ ଲୋନ ପ୍ରଦାନ କରାଯାଉଛି । ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ କୌଣସି ସିକ୍ୟୁରୀଟି ରଖାଯାଉ ନାହିଁ । ୧କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ଟର୍ମ ଲୋନ ଫ୍ୟାସିଲିଟି ସିଜିଟି ଏମଏସଏମଇ ଦ୍ଵାରା ଗ୍ୟାରେଣ୍ଟି ପ୍ରାପ୍ତ । ଓଡ଼ିଶାକୁ ଅନେକ ଏସଇଜେଡ ଆସୁଛି, ଯେଉଁ ଗୁଡିକ ଉତ୍ପାଦନ କମ୍ପାନୀଗୁଡିକ ନିମନ୍ତେ ସହାୟକ ହେବେ । ଏହି ଏସଇଜେଡ ଗୁଡିକ କମ୍ପାନୀ ମାନଙ୍କୁ ଉତ୍ପାଦନ ଏବଂ ରପ୍ତାନି କ୍ଷେତ୍ରରେ ସୁବିଧା ପ୍ରଦାନ କରିବ। ମେକଇନ ଇଣ୍ଡିଆ ଏବଂ ଷ୍ଟାର୍ଟ ଅଫ ଇଣ୍ଡିଆ ଅଭିଯାନ ପରେ ଓଡିଶା ସମେତ ଅନେକ ରାଜ୍ୟ ଔଦୋଗୀତାକୁ ନୂଆ ଦିଗ ଦେବାପାଇଁ ଆଗେଇ ଆସିଛନ୍ତି । ଯୁବ ନିବେଶକଙ୍କ ପାଇଁ କ୍ୟାରିୟର ର ଢେର ସୁଯୋଗ ରହିଛି ଏହି ଯୁବ ପିଢୀ ଖାଲିଜେ ନିଜେ ସଫଳ ହୋଇପାରିବେ ତାହା ନୁହେଁ , ଦେଶର ନିଯୁକ୍ତି କ୍ଷେତ୍ରକୁ ଏମାନେ ତ୍ୱରାନିତ୍ଵ କରିପାରିବେ । ଓଡିଶାରେ ଖାଦ୍ୟ ପ୍ରକ୍ରିୟାକରଣ , ନଡିଆକତାରୁ ପ୍ରସ୍ତୁତ ଉତ୍ପାଦ ଶିଳ୍ପ, ପ୍ଲାଷ୍ଟିକ ତଥା ଏଥିରୁ ପ୍ରସ୍ତୁତ ଉତ୍ପାଦ , କ୍ଷୁଦ୍ର ଉପକରଣ ଉତ୍ପାଦନ ଶିଳ୍ପ ଔଷଧ , ବୟନଶିଳ୍ପ ଖାଦ୍ୟ ଓ ପାନୀୟ ଏବଂ ଆଇଟି ଓ ଆଇଟିଇଏସ ଶିଳ୍ପ କ୍ଷେତ୍ରରେ ଢେର ସୁଯୋଗ ରହିଛି । ଉପଯୁକ୍ତ ଜ୍ଞାନ ଏବଂ ସାମାନ୍ୟ ଆତ୍ମ ବିଶ୍ୱାସ ଆପଣଙ୍କୁ ଏ କ୍ଷେତ୍ରରେ ସଫଳତା ଦେଇପାରିବ ।

ରପ୍ତାନୀ ଓ ଉତ୍ପାଦନ

ଓଡିଶା ଅର୍ଥନୀତିରେ ଏମଏସଏମଇ କ୍ଷେତ୍ରର ପ୍ରମୁଖ ଅବଦାନ ରହିଛି । ମୋଟ ରପ୍ତାନୀରେ ଏହାର ଅବଦାନ ୪୦% ଥିବା ବେଳେ ମୋଟ ଉତ୍ପାଦନ କ୍ଷେତ୍ରରେ ଏହାର ଅବଦାନ ୪୫% ରହିଛି । ଏହି କ୍ଷେତ୍ରର ଭବିଷ୍ୟତ ଉଜ୍ଜ୍ୟୋଳ ରହିଥିବାରୁ ଯୁବପିଢି ଏହାକୁ କ୍ୟାରିୟର ର ଏକ ବିକଳ୍ପ ଭାବେ ନେଇ ପାରିବେ । ଆପଣଙ୍କ ନିକଟରେ ଯଦି ଆତ୍ମ ବିଶ୍ୱାସ ରହିଛି ତା’ହେଲେ ସରକାରୀ ଏଜେନ୍ସି ଗୁଡିକ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଅପେକ୍ଷାରତ ଅଛନ୍ତି ।

ଆଧାର - କ୍ୟାରିୟର ବ୍ୟୁରୋ

Last Modified : 6/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate