ଅତି ଅନିର୍ବାର୍ଯ୍ୟ କାରଣ ନ ଥିଲେ ଜଣେ ଦକ୍ଷ କର୍ମଚାରୀଙ୍କୁ ହରାଇବା ପାଇଁ କୌଣସି କମ୍ପାନୀ ଚାହାନ୍ତି ନାହିଁ। ସେହିପରି ଯେଉଁ କର୍ମଚାରୀ ଦକ୍ଷ, ଧୂରୀଣ ଏବଂ ନିଜ କମ୍ପାନୀ ପ୍ରତି ନିଷ୍ଠାବାନ ସେ ମଧ୍ୟ ଗୋଟେ କମ୍ପାନୀ ଛାତି ହଠାତ୍ ଅନ୍ୟତ୍ର ଯାଆନ୍ତି ନାହିଁ। ନିଜକୁ କମ୍ପାନୀ ପାଇଁ ଜଣେ ଉପଯୋଗୀ କର୍ମଚାରୀ ସାବ୍ୟସ୍ତ କରିବାକୁ ହେଲେ ଆପଣକୁ ନିୟମିତ ବ୍ୟବଧାନରେ ଆପଣଙ୍କ ଦକ୍ଷତାକୁ ଅପଗ୍ରେଡ କରିବାକୁ ପଡିବ | ଦକ୍ଷତାର ନିୟମିତ ବିକାଶ ଦ୍ଵାରା ଆପଣଙ୍କ ପ୍ରୋଫାଇଲ୍ ବଳିଷ୍ଠ ହୋଇଥାଏ । ଜ୍ଞାନ ଅର୍ଜନ ଏକ ନିୟମିତ ପ୍ରକ୍ରିୟା । ଜ୍ଞାନର ସ୍ତର ଯେତେ ପରିମାଣରେ ବଢ଼ିଥାଏ। ଆପଣଙ୍କ କ୍ୟାରିୟରକୁ ସେହି ହିସାବରେ ପ୍ରୋସାହନ ମିଳିଥାଏ । ଜ୍ଞାନ ହାସଲ ପ୍ରକ୍ରିୟା କେବେ ବନ୍ଦ ହୋଇ ନ ଥାଏ । କିନ୍ତୁ। ଚାକିରି କ୍ଷେତ୍ରରେ ପ୍ରବେଶ କଲା ପରେ ସାଧାରଣତଃ ନିଜ ଦକ୍ଷତା ବୃଦ୍ଧି କରିବା ପାଇଁ ସମୟ ମିଳେନାହିଁ ବୋଲି ଅନେକେ ଭାବି ନିଅନ୍ତି । ଅଫିସର ଫାଇଲ୍ କାମ, ଗାଡ଼ିରେ ଯିବା ଆସିବାର ଥକ୍କାପଣ ପରେ ପୁଣି ଘରେ ଆସି କୌଣସି ବହି ତଥା ମାଗାଜିନ୍ ପଢିବା ପାଇଁ ଆଉ ନିଜ ଭିତରେ ଧର୍ଯ୍ୟ ନଥାଏ । କିନ୍ତୁ ସ୍ନାର୍ଟଫୋନ୍ ବା ଟିଭି ଦେଖି ବାରେ ମଧ୍ୟ ଘଣ୍ଟା ଘଣ୍ଟା ବିତିଯାଏ । ବର୍ତ୍ତମାନ ସମୟରେ ଦେଖାଯାଉଛି ଯେ, ଥରେ କେହି ଚାକିରିଟିଏ ପାଇଗଲେ ବିଶେଷ କରି ସ୍ୱଳ୍ପବେତନଭୋଗୀ ସାଧାରଣ କର୍ମଚାରୀ ହୋଇଗଲା ପରେ ନିଜ କ୍ୟାରିୟର ପ୍ରୋଫାଇଲ୍ ବଳିଷ୍ଟ କରିବା ଦିଗରେ ପ୍ରତିବନ୍ଧକ ସାଜେ । ସ୍ୱଳ୍ପ ଉପାର୍ଜନ କରିବାକୁ ସକ୍ଷମ ହୋଇଯାଇଥିବାରୁ ଉଚ୍ଚଶିକ୍ଷାକୁ ଅବହେଳା କରି ଦିଅନ୍ତି । ତେଣୁ ଯେଉଁମାନେ କ୍ୟାରିୟର ଗଢିବାରେ ସଫଳ ହୋଇଛନ୍ତି ସେମାନଙ୍କର ଏକ ସାଧାରଣ ପରାମର୍ଶ ଏହା ଯେ, ଯୁବପିଢି ଧର୍ଯ୍ୟର ସହ ଉଚ୍ଚ ଶିକ୍ଷାରେ ବର୍ତ୍ତି ରହିବା ଉଚିତ । ନିଜ ଶିକ୍ଷା ସମାପ୍ତ ନ କରିବା ପର୍ଯ୍ୟନ୍ତ ଅଧାରୁ ଉପାର୍ଜନ ଆଡକୁ ମନ ବଳାଇବା ଉଚିତ ନୁହେଁ।
କ୍ରିୟାଶୀଳ ଦୃଷ୍ଟିରୁ ମଣିଷର ମସ୍ତିଷ୍କ ବିଚକ୍ଷଣ । ଏହାକୁ କେବଳ ଠିକ୍ ଦିଗଦର୍ଶନ ଦେବା ଉଚିତ । ଆମ ମସ୍ତିଷ୍କକୁ ଅଧିକ କାର୍ଯ୍ୟକ୍ଷମ, ନୂତନ ଚିନ୍ତା ଜାଗ୍ରତ କରିବା ପାଇଁ କେତେକ ପଦକ୍ଷେପ ନିଆଯାଇପାରିବ । କେବଳ ଆମ ନିଜ ଆଳସ୍ୟପଣ ପାଇଁ ଆମ ସ୍କିଲ ଅପଗ୍ରେଡ ହୋଇପାରେନାହିଁ। ନିଜ ଦକ୍ଷତା ବୃଦ୍ଧି ପାଇଁ ଏଠାରେ ନିମ୍ନରେ କେତେକ ଦିଗ ଉପରେ ଆଲୋଚନା କରାଗଲା ।
କମ୍ୟୁନିକେଶନ ଦକ୍ଷତା
ବିଶେଷଜ୍ଞଙ୍କ ମତରେ କମ୍ୟୁନିକେଶନ ଦକ୍ଷତା ବର୍ତ୍ତମାନ ସମୟରେ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଆବଶ୍ୟକତା । ଏହାକୁ ବୃଦ୍ଧି କରିବା ପାଇଁ ନିଶ୍ଚିନ୍ତ ପ୍ରୟାସ କରିବା ଉଚିତ । ପ୍ରାୟ ୯୦% କର୍ମଚାରୀ ସ୍ମୁଥ କମ୍ୟୁନିକେଶନରେ ବଫଳ । ଅନ୍ୟ ଏକ ସମସ୍ୟା ହେଲା ଯେଉଁମାନେ ନିଜ କମ୍ୟୁନିକେଶନ ସ୍କିଲକୁ ଗୁଡ଼୍ ବୋଲି ଧରି ନିଅନ୍ତି ସେମାନେ ଏହାକୁ ବେଟର୍ ତଥା ବେଷ୍ଟ ସ୍ତରକୁ ନେବା ପାଇ ପରିଶ୍ରମ କରନ୍ତି ନାହିଁ । ସେହିପରି ଯେଉଁମାନେ ଇଂଲିଶ୍ ମିଡିୟମ ସ୍କୁଲରେ ପଢିଛନ୍ତି ସେମାନଙ୍କ ପାଖରେ ଭଲ ଭର୍ବାଲ୍ କମ୍ୟୁନିକେଶନ ଦକ୍ଷତା ରହିଥିଲେ ମଧ୍ୟ ଲେଖିବାରେ ଦୁର୍ବଳତା ଥାଇପାରେ । ଲେଖିଲା ବେଳେ ବ୍ୟାକରଣଗତ ତ୍ରୁଟି ରହେ । ଏହା ନିଜର ଇମେଜ୍କୁ ପ୍ରଭାବିତ କରାଏ
କିନ୍ତୁ ଇଂଲିଶ୍ ପଢି ବୁଝିପାରୁଥିବା ବ୍ୟକ୍ତି ପ୍ରଚୁର ବହି ପଢି ନିଜର ବ୍ୟାକରଣ ଗତ ତ୍ରୁଟିକୁ ହ୍ରାସ କରି ପାରିବେ । ଏଥିପାଇଁ କୌଣସି ସ୍ଵତନ୍ତ୍ର କୋଟିଂ ବା କ୍ଲାସ୍ କରିବା ଆବଶ୍ୟକତା ନାହିଁ।
ସମୟ ପରିଚାଳନା ଦକ୍ଷତା
ଆମକୁ ଦକ୍ଷତା ବୃଦ୍ଧି କରିବାକୁ ହେଲେ ସମୟକୁ ଠିକ୍ ଭାବେ ପରିଚାଳନା କରିବାକୁ ପଡିବ । ଯେଉଁମାନେ କାର୍ଯ୍ୟ ଆରମ୍ଭ କରିବା ଆଗରୁ ପୂର୍ବ ପ୍ରସ୍ତୁତି କରନ୍ତି ନାହିଁ ସେମାନେ ନିର୍ଦ୍ଦିଷ୍ଟ ସମୟରେ ନିର୍ଦ୍ଦିଷ୍ଟ କାମ ଶେଷ କରିବାରେ ବିଫଳ ହୁଅନ୍ତି । ଫଳରେ ଅଧିକ ସମୟ ଅପଚୟ ହୋଇଯାଏ । ତେଣୁ ସବୁ ବ୍ୟସ୍ତତା ଭିତରୁ ସମୟ କାଢି ବହି ପଢିବା, ଉପାଦେୟ ସିନେମା ଦେଖିବା, ବୁଦ୍ଧିଜୀବୀଙ୍କ ଠାରୁ ବିଭିନ୍ନ ବିଷୟ ଉପରେ ଜ୍ଞାନ ଆହରଣ କରିବା ପାଇଁ ହେଲେ ସମୟ ପରିଚାଳନା ଦକ୍ଷତା ବୃଦ୍ଧି କରିବାକୁ ପଡିବ ।
ଉପଯୁକ୍ତ ଯୋଜନା
ଚାପଗ୍ରସ୍ତ ହୋଇ କାମ କରିବା ଏକ ସାଧାରଣ ଅଭିଯୋଗ । ଅନେକ କର୍ମଚାରୀ ଅଭିଯୋଗ କରନ୍ତି ଯେ, ସେମାନେ ନିଜ କାର୍ଯ୍ୟାଳୟରେ ଚାପଗ୍ରସ୍ତା। କିନ୍ତୁ ନୂତନ ଆହ୍ୱାନକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ରହବା ଓ ଆବଶ୍ୟତାଠାରୁ ସାମାନ୍ୟ ଅଧିକ ପରିଶ୍ରମ କରିବା ଦ୍ଵାରା ବହୁ ସାଧାରଣ ସମସ୍ୟାକୁ ପ୍ରତିହତ କରି ହେବ । ଏଥିପାଇଁ ଉପଯୁକ୍ତ ଯୋଜନା ଆବଶ୍ୟକ ।
ଉଦ୍ଭାବନ ଏବଂ ନୂତନତ୍ଵ
ଚିରାଚରିତ ଭାବରେ ସମାନ କଥା, ସମାନ କାର୍ଯ୍ୟ କରିବା ଦ୍ଵାରା ଲୋକାଦୃତ ହେବା କଷ୍ଟକର । କୌଣସି ବି କାର୍ଯ୍ୟ ଧରାବନ୍ଧା ନିୟମ ଆଧାରରେ କରିବା ପରିବର୍ତ୍ତେ ସେଥି ରେ ନୂତନତ୍ଵ ଆଣିବା ଏବଂ କିଛି ନୂତନ ଉଦ୍ଭାବନ କରିବା ଦ୍ଵାରା ଏହା ପ୍ରଶଂସନୀୟ ହୋଇଥାଏ ।
ଅସଫଳତାର ଭୟ
ହାରିଯିବାର ମାନସିକତାଠାରୁ ସବୁ ସମୟରେ ଦୂରେଇ ରହିବା ଉଚିତ । ନୂତନ ଚିନ୍ତା ଯେ, ସଦାବେଳେ ସଫଳତାର ସ୍ଵାଦ ଚଖାଇବ ତାହାର କୌଣସି ନିର୍ଦ୍ଦିଷ୍ଟତା ନାହିଁ। କିନ୍ତୁ ଏହା ନିଶ୍ଚିତ ଶିକ୍ଷା ପ୍ରଦାନ କରିବା । ବାରମ୍ବାର ଅସଫଳତା ହିଁ
ସଫଳତାର ବାଟ ଦେଖାଇବ । ଏହା ବହୁ ବିଶିଷ୍ଟ ବ୍ୟକ୍ତିଙ୍କ କ୍ଷେତ୍ରରେ ଘଟିଛି।
ଟେକ୍ନୋସାଭି
ବର୍ତମାନ ସମୟରେ ସବୁ କାର୍ଯ୍ୟ କମ୍ପ୍ୟୁଟର ଭିତରକୁ ପ୍ରବେଶ କଲାଣି । ଇ-ବୁକ୍, ଇ-ମାଗାଜିନ୍, ଇ-ପେପର । ଏଥିରେ ନିଜକୁ ଅଭ୍ୟସ୍ତ କରିବାକୁ ପଡିବ । କୌଣସି ସାମଗ୍ରୀ ସ୍ଥାନୀୟ ଅଞ୍ଚଳରେ ଉପଲବ୍ଧ ହେଉ ନ ଥିଲେ ତାହାକୁ ଅନ୍ଲାଇନ୍ ଯେକୌଣସି ସ୍ଥାନରୁ ମଧ୍ୟ ଅର୍ଡ଼ର କରି ହେବ । ତେଣୁ ଆଜିର ଟେକ୍ନୋଲୋଜି ଯୁଗରେ ନିଜକୁ ଟେକ୍ନୋସାଭି କରିବାକୁ ପଡିବ । ବହୁ ପ୍ରତିଷ୍ଠିତ ସଂସ୍ଥାର ବରିଷ୍ଠ ଅଧିକାରୀ ନିଜେ ସ୍ଵୀକାର କରନ୍ତି ଯେ, ସେମାନେ ଆଜିର ଟେକ୍ନୋଲୋଜି ସହିତ ଖାପ ଖୁଆଇ ପାରୁନାହାନ୍ତି । ତେଣୁ ଅନାବଶ୍ୟକ ଭିଡିଓ କ୍ଲିପ୍ ଦେଖିବା ବା ଟିଭି ଦେଖାରେ ସମୟ ନଷ୍ଟ କରିବା ପରିବର୍ତ୍ତେ ଉପାଦେୟ ଜ୍ଞାନ ଆହରଣ କରିବା ଉଚିତ ।
ନୂତନ ସଂସ୍କରଣ
ବର୍ତ୍ତମାନ ଯେଉଁ ସବୁ ସାଧାରଣ ସଫ୍ଟୱେର ବ୍ୟବହାର କରାଯାଉଛି ସମୟ କ୍ରମେ ତାହାର ନୂତନ ସଂସ୍କରଣ ଆସିଥାଏ । ଏଥିରେ ନିଜକୁ ଅଭ୍ୟସ୍ତ କରାଇ ଅନ୍ୟମାନଙ୍କ ତୁଳନାରେ ପାଦେ ଆଗରେ ରହିବା ଉଚିତ ।
ଟିମ୍ ୱାର୍କ
କାମକୁ ସେତେବେଳେ ଉପଭୋଗ କରି ହେବ ଯେତେବେଳେ ଆମେ ଗୋଷ୍ଠୀବଦ୍ଧ ହୋଇ କାମ କରିବା ସମୟରେ ସହକର୍ମାଙ୍କ ଚିନ୍ତାଧାରାକୁ ସମ୍ମାନ ପ୍ରଦାନ କିରିବା । ନିଜ ଚିନ୍ତାଧାରା ଯେମିତି ନିଜ ପାଇଁ ବହୁ ଗୁରୁତ୍ବ ରଖେ। ସେହିପରି ଅନ୍ୟମାନଙ୍କର ଚିନ୍ତାଧାରା ମଧ୍ୟ ମହତ୍ତ୍ୱପୂର୍ଣ୍ଣ । ସମସ୍ତଙ୍କ ଚିନ୍ତାଧାରା ମିଶିଲେ ବହୁ ଗୁରୁତ୍ଵପୂର୍ଣ୍ଣ ସମସ୍ୟାର ସମାଧାନ ହୋଇପାରେ । ଦକ୍ଷତା ମଧ୍ୟ ବୃଦ୍ଧି ପାଏ ।
ସଂଗୃହିତ : ପ.କ୍ ପ୍ରମାନିକ
Last Modified : 3/2/2020