অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଶିକ୍ଷା ଋଣ

ମେଧାବୀ ଛାତ୍ରୀଛାତ୍ରଙ୍କୁ ମିଳିବ ଶିକ୍ଷା ଋଣ

ଦିନ ଥିଲା ଯେତେବେଳେ ଗରିବ ଛାତ୍ରୀଛାତ୍ରମାନେ ଆର୍ଥିକ ସମସ୍ୟା ଯୋଗୁ ଉଚ୍ଚ ଶିକ୍ଷା ଲାଭ କରିପାରୁ ନଥିଲେ । ସେମାନଙ୍କ ସ୍ଵପ୍ନ ଅଧାରେ ରହି ଯାଉଥିଲା । ନିଜ ଇଚ୍ଛା ଏବଂ ପସନ୍ଦ ମୁତାବକ କ୍ୟାରିୟର କରିବାରେ ସକ୍ଷମ ନହେବା ଯୋଗୁ ସେମାନଙ୍କ ମନରେ ନିରାଶାଭାବ ପ୍ରକାଶ ପାଉଥିଲା ।  ଦେଶ ତଥା ଦେଶ ବାହାରେ ଜଣାଶୁଣା ଶିକ୍ଷାନୁଷ୍ଠାନରେ ପଢିବା ପାଇଁ ଇଚ୍ଛା ଥିଲେ ବି ମାତାପିତାଙ୍କ ଆର୍ଥିକ ଦୁରବସ୍ଥା ଯୋଗୁ ପିଲାମାନଙ୍କୁ ବାଧ୍ୟ ହୋଇ ଅନ୍ୟ କୋର୍ସ କରିବାକୁ ପଡୁଥିଲା । ଆଇଆଇଟି, ଆଇଆଇଏମ୍ ତଥା ଅନ୍ୟାନ୍ୟ ବଡ ବଡ ଇଞ୍ଜିନିୟରିଂ କଲେଜ୍ ର ଉଚ୍ଚ କୋର୍ସ ଫି’ ଯୋଗୁ ପିଲାମାନେ ଏଠାରେ ପଢିବା ପାଇଁ ଚିନ୍ତା ମଧ୍ୟ କରୁ ନ ଥିଲେ । ଖାଲି ସେତିକି ନୁହେଁ ଟ୍ୟୁଶନ ଫି’, ବହିପତ୍ର ତଥା ହଷ୍ଟେଲ ଖର୍ଚ୍ଚ ଏଗୁଡିକ ମିଶିଲେ ଏହାର ଭରଣା କରିବା କଥା ମାତାପିତାମାନେ  ଭାବୁ ନଥିଲେ । ଏବେ ମଧ୍ୟ ଆଇଆଇଟି ଏବଂ ଆଇଆଇଏମ୍ ଭଳି ଲୋକପ୍ରିୟ ଶିକ୍ଷାନୁଷ୍ଠାନରେ କୋର୍ସ ଫି’ ଉଚ୍ଚ ରହୁଛି, ଯାହାକି ଅନେକ ଅଭିଭାବଙ୍କ ପାଇଁ ଭରଣା କରିବା କଷ୍ଟକର ବ୍ୟାପାର ପାଲଟିଛି । ଏଭଳି କ୍ଷେତ୍ରରେ ଛାତ୍ରୀଛାତ୍ରମାନେ  ସେମାନଙ୍କ ମନପସନ୍ଦର  ଶିକ୍ଷାନୁଷ୍ଠାନରେ ପଢିବା ପରିବର୍ତ୍ତେ ରୋଜଗାର କରି ପରିବାର ଗୁଜରାଣ ମେଣ୍ଟାଇବା ଦିଗରେ ଅଗ୍ରସର ହେଉଛନ୍ତି । ନିଜ ସ୍ଵପ୍ନକୁ ପୂରଣ କରିବାରେ ବିଫଳ ହେବା ହେତୁ ଜୀବନକାଳ ପର୍ଯ୍ୟନ୍ତ ସେମାନେ ମନଊଣା କରିଥାନ୍ତି ।

କିନ୍ତୁ କଥା ହେଉଛି ଏବେ ସମୟ ବଦଳିବା ସହ ଶିକ୍ଷା ଟ୍ରେଣ୍ଡ୍ ମଧ୍ୟ ବଦଳିଛି । ପିଲାମାନଙ୍କ ପାଇଁ ସମସ୍ୟାର ସମାଧାନ ପାଲଟିଛନ୍ତି ବିଭିନ୍ନ ସରକାରୀ ତଥା ଘରୋଇ ବ୍ୟାଙ୍କ । ସ୍ଵଚ୍ଛ ପଦ୍ଧତି ମାଧ୍ୟମରେ ସମସ୍ୟାବିହୀନ ଶିକ୍ଷାଋଣ ପ୍ରଦାନ କରିବା ଲାଗି ବ୍ୟାଙ୍କଗୁଡିକ ଆଗେଇ ଆସିଛନ୍ତି । ଏମ୍ବିଏ, ଇଞ୍ଜିନିୟରିଂ ଏବଂ ମେଡିକାଲ ଭଳି କୋର୍ସ ନିମନ୍ତେ ଏମାନେ ଶିକ୍ଷାଋଣ ପ୍ରଦାନ କରୁଛନ୍ତି । ଏଥିପାଇଁ ମାତାପିତାଙ୍କୁ ସେମାନଙ୍କ ଜମି ବିକ୍ରି କରିବାକୁ ପଡୁନାହିଁ କିମ୍ବା ସମ୍ପତ୍ତି ବନ୍ଧା ପକାଇବାକୁ ମଧ୍ୟ ପଡୁନାହିଁ । ବିନା ବିଳମ୍ବରେ ଋଣ ମିଳିଯାଉଛି । ବର୍ତ୍ତମାନ ସରକାରଙ୍କ ପକ୍ଷରୁ ଅନେକ  ଅଭିଯାନ ଆରମ୍ଭ କରାଯାଇଛି, ଯାହା ଅଧୀନରେ ମେଧାବୀ ଛାତ୍ରୀଛାତ୍ରଙ୍କୁ ପ୍ରୋତ୍ସାହନ ଦିଆଯାଉଛି । ଜାତୀୟ ଦକ୍ଷତା ବିକାଶ କାଉନ୍ସିଲ ଅଧୀନରେ ସରକାର ସ୍ଵତନ୍ତ୍ର ବ୍ୟବସ୍ଥା କରିଛନ୍ତି । ଏହା ମାଧ୍ୟମରେ ଛାତ୍ରୀଛାତ୍ରଙ୍କୁ ଅତି ସହଜରେ ଋଣ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ବିଦ୍ୟାଲକ୍ଷ୍ମୀ ଯୋଜନା ମାଧ୍ୟମରେ ଗରିବ ମେଧାବୀ ଛାତ୍ରୀଛାତ୍ରଙ୍କୁ  ଅତି ସହଜରେ ଶିକ୍ଷା ଋଣ ମିଳିଯାଉଛି ।

ସମ୍ପ୍ରତି ଆଇଆଇଟି, ଆଇଆଇଏମ୍ ତଥା ଏମ୍ସ ସହିତ ବିଭିନ୍ନ ଧନ୍ଦାମୂଳକ ଶିକ୍ଷା ତଥା ଦକ୍ଷତା ବିକାଶ ପାଠ୍ୟକ୍ରମ ଯେପରି ଆଇଟିଆଇ, ଡିପ୍ଲୋମା କିମ୍ବା ଡିଗ୍ରୀ କୋର୍ସ ପାଇଁ ମଧ୍ୟ ଶିକ୍ଷା ଋଣ ସୁବିଧା ଉପଲବ୍ଧ କରାଯାଇଛି । ଏଠାରେ ସୁଧ ହାର  ସାଧାରଣ ଶିକ୍ଷା ଋଣ ତୁଳନାରେ ସାମାନ୍ୟ ଅଧିକ । ବିଦ୍ୟାଲକ୍ଷ୍ମୀ ସ୍କିମ୍ କ୍ଷେତ୍ରରେ  ବିଭିନ୍ନ ସରକାର ତଥା ଘରୋଇ ବ୍ୟାଙ୍କ  ଅଂଶୀଦାର ଅଛନ୍ତି । ଏହି ବ୍ୟାଙ୍କଗୁଡିକ ମଧ୍ୟରେ ଏସ୍ବାଆଇ, ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସ, କାନାରା ବ୍ୟାଙ୍କ, ଦେନା ବ୍ୟାଙ୍କ, ଏକ୍ସିସ୍ ବ୍ୟାଙ୍କ, ଏଚ୍ଡିଏଫ୍ସି ବ୍ୟାଙ୍କ, ଷ୍ଟାଣ୍ଡାର୍ଡ ଚାର୍ଟାର୍ଡ ବ୍ୟାଙ୍କ, ଡସ୍ ବ୍ୟାଙ୍କ ଆଦି ରହିଛନ୍ତି । ମୁଖ୍ୟ ପ୍ରମୋଟର ଅଛନ୍ତି ଆଇଡିବିଆଇ, ୟୁଟିଆଇ ଏବଂ ଏନ୍ଏସ୍ଇ, ଯେଉଁମାନେ ବିଦ୍ୟାଲକ୍ଷ୍ମୀ ସ୍କିମ୍କୁ ପରିଚାଳନା କରିବେ । ବର୍ତ୍ତମାନ ସମୟରେ ଇଞ୍ଜିନିୟରିଂ, ମେଡିକାଲ ଏବଂ ଅନ୍ୟାନ୍ୟ ମ୍ୟାନେଜ୍ମେଣ୍ଟ କୋର୍ସଗୁଡିକରେ ଫି’ ଅଧିକ ରହୁଥିବାବେଳେ ଶିକ୍ଷା ଋଣ ନିତାନ୍ତ ଭାବେ ଜରୁରୀ ।

ଶିକ୍ଷା ଋଣରେ ସୁଧ ହାର କିପରି ?

ଗୃହ ଏବଂ ଯାନ ଋଣ ତୁଳନାରେ ଶିକ୍ଷା ଋଣ ସୁଧ ହାର ସାମାନ୍ୟ ଅଧିକ ରହିଥାଏ । ବ୍ୟକ୍ତିଗତ ଋଣ ସହିତ ଏହା ପାଖାପାଖି ସମାନ ଥାଏ । ବାର୍ଷିକ ସୁଧ ହାର ୧୧.୩୦% ରେଞ୍ଜ୍ ରେ ରହିଥାଏ ।

ସୁଧ ହାରରେ କିଛି ରୁହାତି ସୁବିଧା : ଏସ୍ବିଆଇ ସ୍କଲାର ଲୋନ୍ ଅଧୀନରେ ଉନ୍ନତ ପ୍ରଦର୍ଶନ କରୁଥିବା ଛାତ୍ରୀଛାତ୍ରମାନେ କିଛି ରିହାତି ବ୍ୟବସ୍ଥା ରହିଛି ।

ବିଦ୍ୟାଲକ୍ଷ୍ମୀ ସ୍କିମ୍ ରେ କିପରି ଋଣ ପାଇପାରିବେ : ଉଚ୍ଚ ଶିକ୍ଷାର ପ୍ରସାର କ୍ଷେତ୍ରରେ ସରକାରଙ୍କ ଏହା ନୂଆ ଯୋଜନା ହୋଇଥିବାବେଳେ ଏହାକୁ ଉପଲବ୍ଧ କରିବା ପାଇଁ କିଛି ପ୍ରକ୍ରିୟା ଦେଇ ଯିବାକୁ ପଡିବ । ଏ କ୍ଷେତ୍ରରେ ନିୟୋଜିତ ବ୍ୟାଙ୍କ କନ୍ସୋର୍ଟିୟମ୍ ର ସମାନ ପ୍ରକାର ଆବେଦନ ଫର୍ମ ରହିଛି । ଏହାକୁ କମନ୍ ଏଜୁକେଶନ ଲୋନ ଆପ୍ଲିକେଶନ  ଫର୍ମ (ସିଇଏଲ୍ଏଏଫ୍) ବୋଲି କୁହାଯାଇଥାଏ । ଆବେଦକଙ୍କୁ  ଏହି ଫର୍ମକୁ  ଡାଉନ୍ଲୋଡ୍ କରି ଆବଶ୍ୟକ ଡିଟେଲ ଦେଇ ଫର୍ମ ପୂରଣ କରିବାକୁ ପଡିଥାଏ । ସହ-ଋଣକର୍ତ୍ତା ତଥା  ଗ୍ୟାରେଣ୍ଟରଙ୍କ ବିଷୟରେ ତଥ୍ୟ ଦେବାକୁ ପଡିଥାଏ । ଫର୍ମ ପୂରଣ କରିବା ସମୟରେ କୋର୍ସ ଡିଟେଲ, ଋଣ ପରିମାଣ, କୋର୍ସ ଅବଧି ସମ୍ବନ୍ଧୀୟ ସବିଶେଷ ତଥ୍ୟ ଦେବାକୁ ପଡିବ । ସିଇଏଲ୍ଏଏଫ୍ ମାଧ୍ୟମରେ ୩ଟି ବ୍ୟାଙ୍କରେ ଆବେଦନ କରିହେବ ।

କିପରି ଏବଂ କେବେ ପରିଶୋଧ କରିବାକୁ ପଡିଥାଏ

କୋର୍ସ ସମାପ୍ତ ହେବାର ବର୍ଷେ ପରେ କିମ୍ବା କୌଣସି କମ୍ପାନୀରେ ଯୋଗ ଦେବାର ୬ ମାସରୁ ଋଣ ପରିଶୋଧ ପ୍ରକ୍ରିୟା ଆରମ୍ଭ ହୋଇଥାଏ । ଏଥିମଧ୍ୟରୁ ଯେଉଁଟି ଆଗେ ହେବ ସେ ଅନୁସାରେ ଋଣ ପରିଶୋଧ କରିବାକୁ ପଡିବ । ତେବେ ଛାତ୍ରୀଛାତ୍ରମାନେ ସ୍ଥାୟୀ ଚାକିରି ପାଇବା ନେଇ ନିଶ୍ଚିତ ହେବା ଦରକାର । ଆଗୁଆ ପରିଶୋଧ କରିବାକୁ ଚାହିଁଲେ କୌଣସି ଅସୁବିଧା ନାହିଁ ।

ବିଦେଶରେ ପଢିବା ପାଇଁ ଶିକ୍ଷା ଋଣ ପାଇହେବ କି ?

  • ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ପକ୍ଷରୁ ଏ ନେଇ ସ୍ଵତନ୍ତ୍ର ବ୍ୟବସ୍ଥା ରହିଛି । ଯଦି ଏହା ଦ୍ଵାରା ଧାର୍ଯ୍ୟ ସର୍ତ୍ତାବଳୀ ପୂରଣ କରୁଥିବେ ତା’ହେଲେ ଋଣ ପାଇବାରେ କୌଣସି ଅସୁବିଧା ନାହିଁ ।
  • ଭାରତରେ ପଢିବା ପାଇଁ ୫୦,୦୦୦ରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶିକ୍ଷା ଋଣ ପ୍ରଦାନ କରାଯାଇଥାଏ । ଋଣ ପରିମାଣ ଏବଂ ଧାର୍ଯ୍ୟ ଇଏମ୍ଆଇ ଅନୁସାରେ ଋଣ ପରିଶୋଧ ଅବଧି ୫ରୁ୧୫ ବର୍ଷ ମଧ୍ୟରେ ରହିଛି ।

ସମସ୍ୟା ସମାଧାନ ପାଇଁ କେଉଁ ଠାରେ ଆପ୍ରୋଚ୍ କରିବେ

ଭାରତୀୟ ବ୍ୟାଙ୍କ ସଂଘର ନିଜସ୍ୱ ଅଭିଯୋଗ ସମାଧାନ ବ୍ୟବସ୍ଥା ରହିଛି । ଏହା ଛଡା ସନ୍ତୁଷ୍ଟି ନ ମିଳିଲେ ଉପଭୋକ୍ତା ଫୋରମ୍ ରେ ମଧ୍ୟ ଅଭିଯୋଗ ସମାଧାନ ନେଇ ଆପ୍ରୋଚ କରିହେବ ।

ଠିକ୍ ସମୟରେ ପରିସୋଧ କରିବା ଶ୍ରେୟସ୍କର : ସୁଧ ହାର ଅଧିକ ରହୁଥିବାରୁ ଆବଶ୍ୟକଠାରୁ ଅଧିକ ପରିମାଣ ଋଣ ହେବା ଠିକ୍ ନୁହେଁ । ଠିକ୍ ସମୟରେ ଏହାକୁ ପରିଶୋଧ କରିଦେବା ଉଚିତ । କାରଣ ଆପଣ ଯେତେ ବିଳମ୍ବ କରିବେ ସେତେ ମାତ୍ରାରେ ଅଧିକ ସୁଧ ହାର ପ୍ରଦାନ କରିବାକୁ ପଡିବ ।

ଏକ ଭଲ ଉଦ୍ଦେଶ୍ୟ ନେଇ ମେଧାବୀ ଛାତ୍ରୀଛାତ୍ରଙ୍କ ପାଇଁ ଶିକ୍ଷା ଋଣ ପ୍ରଦାନ କରାଯାଇଥାଏ । ଏଣୁ ଏହାର ସୁବିନିଯୋଗ କରି ପାଠପଢାକୁ ତ୍ଵରିତ କରିବା ଉଚିତ । ଫଳରେ ଭଲ ଚାକିରିଟିଏ ପାଇ ଛାତ୍ରୀଛାତ୍ର ମାନେ ଋଣ ପରିଶୋଧ ଦାୟିତ୍ଵ ନିଜ ମୁଣ୍ଡକୁ ନେଇପାରିବେ । ମାତାପିତା ଏବଂ ଅଭିଭାବକଙ୍କୁ  ଏହି ବୋଝରୁ ବଞ୍ଚିତ ରଖିବେ । ଏକ ଉନ୍ନତ ଭବିଷ୍ୟତ ନିର୍ଦ୍ଧାରଣ କରି ନିଜକୁ ଆର୍ଥିକ ଦୃଷ୍ଟିରୁ ସ୍ଵଚ୍ଛଳ କରିପାରିବେ ।

ଆଧାର – ଶିକ୍ଷା ବ୍ୟୁରୋ

Last Modified : 3/31/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate