ନିଉଟନ ମାଆ ପେଟରେ ପୁରା ଦଶମାସ ନରହି ସତ ମାସରେ ଜନ୍ମ ହୋଇ ପଡିଲେ । ଜନ୍ମ ବେଳେ ସେ ଏତେ ଛୋଟ ଥିଲେ ଯେ ତାଙ୍କ ମାଆ କହୁଥିଲେ ପିଲାଟା ଗୋଟିଏ ମଗ ଭିତରେ ରାହିଜାଇପାରିଥାନ୍ତା । ସେ ବଞ୍ଚିବେ ବୋଲି କେହି ଆଶା କରୁନଥିଲେ । ସେକେବଳ ବଞ୍ଚିଲେ ନାହିଁ, ପୃଥିବୀର ସର୍ବଶ୍ରେଷ୍ଠ ବିଜ୍ଞାନୀ ହେଲେ । ଏକଥା ନିଶ୍ଚିତ ହୋଇଯାଇଛି ଯେ ସେ କେବେହେଲେ ମରିବେ ନାହିଁ ।
ନିଉଟନଙ୍କ ବାଲ୍ୟକାଳ ସୁଖରେ କଟିନଥିଲା । ସେ ମାଆ ପେଟରେ ଥିବା ସମୟରେ ତାଙ୍କ ବାପା ମରିଗଲେ । ନିଉଟନଙ୍କୁ ଦୁଇ ବର୍ଷ ହୋଇଥିବା ସମୟରେ ତାଙ୍କୁ ଆଈଙ୍କ ପାଖରେ ଛାଡି ନିଉଟନଙ୍କ ମାଆ ଦ୍ଵିତୀୟ ବିବାହ କଲେ । ନିଉଟନ ତାଙ୍କ ଆଈମା ପାଖରେ ବଢିଲେ । ତାଙ୍କର ସାବତ ବାପା ମଧ୍ୟ ବାର ବର୍ଷ ପରେ ମରିଗଲେ । ବୋଧହୁଏ ପିଲାଦିନ ସୁଖରେ କଟିନଥିବାରୁ ବଦଦିନେ ସେ ଚିଡିଚିଡା ଓ ସନ୍ଦେହୀ ହେଲେ । ତାଙ୍କର ସମାସମୟିକ ବିଶିଷ୍ଟ ବିଜ୍ଞାନୀଙ୍କ ସହିତ ନିଉଟନଙ୍କର କଳିଗୋଳ ହେଉଥିଲା ।
ନିଉଟନ ଚାଷ ବିଷୟ ବୁଝାବୁଝି କରନ୍ତୁ ବୋଲି ମାଆ ଇଚ୍ଛା କରୁଥିଲେ, ମାତ୍ର ଚାଷକାମରେ ତାଙ୍କର କୌଣସି ଆଗ୍ରହ ନଥିଲା । ଅନେକ ସମୟରେ ସେ ବହି ଧରି ବସଥିଲେ ବ କାଠରେ ବୈଜ୍ଞାନିକ ଯନ୍ତ୍ରପାତି ତିଆରି କରୁଥିଲେ । ଏ କଥା ଲକ୍ଷ୍ୟ କରି ତାଙ୍କ ମାମୁ ନିଉଟନଙ୍କୁ କେମ୍ବ୍ରେଜ୍ଜ ଟ୍ରିନଟି କଲେଜରେ ନାମ ଲେଖାଇ ଦେଲେ । ସେତେବେଳେ ନିଉଟନଙ୍କ ବୟସ ଅଠର ବର୍ଷ । ଟ୍ରିନଟି କଲେଜରେ ସେ ପାଞ୍ଚ ବର୍ଷ ପଢିଲେ । ଛାତ୍ରାବସ୍ଥାରେ ନିଉଟନଙ୍କ ବୈଜ୍ଞାନିକ ପ୍ରତିଭା କିଛି ଧାରା ପଡିନଥିଲା ।
୧୬୬୫ ଲଣ୍ଡନରେ ଭୟଙ୍କର ପ୍ଲେଗ ବ୍ୟାପିଥିଲା । ସେଥିପାଇଁ ନିଉଟନ ଲଣ୍ଡନ ଛାଡି ଘରକୁ ପଳେଇ ଆସିଲେ । ଘରେ ମାତ୍ର ଅଠର ମାସ ରହିଲେ । ଏହି ଅଠର ମାସ ଭିତରେ ସେ ବିଜ୍ଞାନର ଯେତେ ନୂଆ ନୂଆ ଆବିଷ୍କାର କଲେ ତାହା ଅତି ଅଦ୍ଭୁତ ବିଷୟ । ଅଠରମାସ ଭିତରେ ନିଉଟନ , କାଲକୁଲସ, ମାଧ୍ୟାକର୍ଷଣର ନିୟମ ଓ ସୂର୍ଯ୍ୟାଲୋକ ସାତୋଟି ରଙ୍ଗର ସମାହାର ପରି ଜଟିଳ ବିଷୟ ସବୁ ଆବିଷ୍କାର କରିଥିଲେ । ଏହି ତିନୋଟିରୁ ଯେ କୌଣସି ଗୋଟିଏ ଆବିଷ୍କାର କୃଷକ ଜଣେ ମହାନ ବିଜ୍ଞାନୀର ସମ୍ମାନ ପାଇଥାଆନ୍ତା ।
ଗଣିତ ବିଜ୍ଞାନର ଭାଷା । ଅଳ୍ପ କେତୋଟି ଶବ୍ଦ ବ୍ୟବହାର କରି ଶିଶୁ ଚଳିଯାଏ । ବଡ ହେବା ସହିତ ଶିଶୁର ଅଧିକ ଶବ୍ଦ ସବୁ ଜାଣିବା ଦରକାର ହୁଏ । କୋପରନିକସଙ୍କ ସମୟର ବିଜ୍ଞାନର ଦ୍ରୁତ ଅଗ୍ରଗତି ଘଟିବା ଫଳରେ ପ୍ରକାଶିତ ହେବା ପାଇଁ ପ୍ରଚଳିତ ଗଣିତ ବିଜ୍ଞାନ କୁ ନିଅଣ୍ଟ ହେଲା । ଆଧୁନିକ ବିଜ୍ଞାନକୁ ପ୍ରକାଶ କରିବା ପାଇଁ ନିଉଟନ ଗଣିତର ଏକ ନୂଆ ନୂଆ ସାକ୍ଷା କାଲକୁଲସ ଆବିଷ୍କାର କଲେ ।
ମାଧ୍ୟାକର୍ଷଣ ନିୟମ କିପରି ତାଙ୍କ ମୁଣ୍ଡରେ ପଶିଳା ସେ ବିଷୟରେ ଥିବା ଗପଟି ସୁପରିଚିତ । ଥରେ ନିଉଟନ ବଗିଚାରେ ଆପେଲ ଗଛ ମୂଳେ ବସିଥିଲେ । ଗୋଟିଏ ଆପେଲ ଗଛରୁ ଖସି ତଳେ ପଡିଲା । ଫଳଟିଏ ଗଛରୁ ଖସିବା ଦୃଶ୍ୟ ମଣିଷମାନେ ଆଦିମ କାଳରୁ ଦେଖିଆସୁଛନ୍ତି । ଫଳଟି କାହିଁକି ତଳକୁ ଖସିପଡୁଛି , ଉପରକୁ ଆକାଶମୁଖ୍ୟ ହୋଇ ଉଠିଯାଉ ନାହିଁ, ସେ ପ୍ରଶ୍ନ ପୂର୍ବରୁ କାହା ମୁଣ୍ଡକୁ ଢୁକି ନଥିଲା । ଏପରିକି ସ୍ଵୟଂ ନିଉଟନ ନିଜେ କଣ କେତେଥରେ ଗୋଟିଏ ଗଛରୁ ଫଳ ତଳେ ପଡିବା ଦୃଶ୍ୟ ଦେଖିନଥିବେ ? ପୂର୍ବରୁ କିନ୍ତୁ ମାଧ୍ୟାକର୍ଷଣ ସମ୍ପର୍କରେ କୌଣସି ଚିନ୍ତା ତାଙ୍କ ମୁଣ୍ଡରେ ଖେଳୁ ନଥିଲା । କିଛି ଦିନ ଧରି ହୁଏତ ସେ ପୃଥିବୀର ଆକର୍ଷଣ ବଳ ବିଷୟରେ ଚିନ୍ତା କରୁଥିବେ । ସେହି କାଳ ଭିତରେ ଦିନେ ବଗିଚାରୁ ଆପେଳଟିଏ ଖସିପଡିଲା । ଏହା ନିଉଟନଙ୍କ ମୁଣ୍ଡରେ ବିଜୁଳି ପରି ନାନା ପ୍ରଶ୍ନସବୁ ଖେଳିଗଲା ।
ନିଉଟନ ଦେଖିପାରିଲେ ଆପେଲଟି ଯେଉଁ ପ୍ରାକୃତିକ ନିୟମ ମାନି ପୃଥିବୀକୁ ଖସି ପଡିଲା , ସେହି ନିୟମ ମାନି ଚନ୍ଦ୍ର ପୃଥିବୀ ଚାରିପଟେ ଘୂରୁଛି । ଏହା ଏକ ଚମକପ୍ରଦ ଆବିଷ୍କାର । କାରଣ ଆରିଷ୍ଟୋଟଳ କହିଥିଲେ ପୃଥିବୀର ବସ୍ତୁମାନେ ଯେଉଁସବୁ ପ୍ରକୃତିକ ନିୟମର ଅଧୀନ, ଆକାଶର ଜ୍ୟୋତିଷ୍କମାନେ ସେହି ନିୟମ ଅଛି । ନିଉଟନ ପ୍ରଥମେ ଦର୍ଶାଇଲେ , ପୃଥିବୀର ଫଳଟିଏ ଠାରୁ ଆରମ୍ଭ କରି ଆକାଶର ଚନ୍ଦ୍ର ଓ ନକ୍ଷତ୍ରମାନେ ଗୋଟିଏ ମାଧ୍ୟାକର୍ଷଣ ନିୟମର ଅଧୀନ । ଯଦି ଗୋଟିଏ ବସ୍ତୁର ବସ୍ତୁତ୍ଵ m 1 ଆଉ ଗୋଟିଏ ବସ୍ତୁର ବସ୍ତୁତ୍ଵ m2ଏବଂ ଦୁଇବସ୍ତୁଙ୍କ ମଧ୍ୟରେ ଦୁରତ୍ଵ d ହୋଇଥାଏ , ତେବେ ଦୁଇବସ୍ତୁଙ୍କ ମଧ୍ୟରେ
ସୂର୍ଯ୍ୟକରଣର ରହସ୍ୟମୋଚନ ନିଉଟନଙ୍କର ତୃତୀୟ ମହାନ ଆବିଷ୍କାର । ସୂର୍ଯ୍ୟକିରଣ ରଙ୍ଗ ଧଳା । ମାତ୍ର ପ୍ରକୃତରେ ଏହା ସାତୋଟି ରଙ୍ଗର ସମଷ୍ଟି । ସରୁ କଣା ବାଟେ ଆସୁଥିବା ସୂର୍ଯ୍ୟକିରଣକୁ ଗୋଟିଏ ପ୍ରିଜିମ ଭିତରେ ପ୍ରବେଶ କରାଇ ନିଉଟନ ଇନ୍ଦ୍ରଧନୁର ସାତୋଟି ରଙ୍ଗ ସୃଷ୍ଟି କରିଥିଲେ ।
ପଚିଶ ବର୍ଷ ବୟସରେ ନିଉଟନ କେମ୍ବ୍ରିଜ ଫେରିଗଲେ ଓ ମାତ୍ର ସତେଇଶ ବର୍ଷ ବୟସରେ ୧୬୬୯ ଖ୍ରୀଷ୍ଟାଦ୍ଦରେ କେମ୍ବ୍ରିଜ ବିଶ୍ଵବିଦ୍ୟାଳୟର ଗଣିତ ପ୍ରଫେସର ହେଲେ । ନିଶ୍ଚିତ ଭାବେ ତାଙ୍କର ବୈଜ୍ଞାନିକ ପ୍ରତିଭା ପ୍ରଚାରିତ ହୋଇଥାଏ । ସପ୍ତଦଶ ଶତାଦ୍ଦୀ ଦ୍ଵିତୀୟାର୍ଦ୍ଧରୁ ଇଂଲଣ୍ଡରେ ବିଜ୍ଞାନର ଦ୍ରୁତ ଅଗ୍ରଗତି ପାଇଁ ଅନୁକୂଳ ସମୟ ଥିଲା ବିଜ୍ଞାନ ଉପରେ ରାଜାଙ୍କର ଶୁଭଦୃଷ୍ଟି ପଡିଥାଏ । ବିଶିଷ୍ଟ ଜ୍ୟୋର୍ତିବିଜ୍ଞାନୀ ଏଡମଣ୍ଡ ହାଲେ , ପଦାର୍ଥବିଜ୍ଞାନୀ ରର୍ବଟ ହୁକ ଓ ରବର୍ଟ ବୟେଲ ଇଂଲଣ୍ଡର ବିଜ୍ଞାନ ଜଗତରେ ଆଲୋଜନ ସୃଷ୍ଟି କରିଥାନ୍ତି । କେତେଜଣ ବଡ ବିଜ୍ଞାନୀ ଓ ବିଜ୍ଞାନ ଭକ୍ତମିଶି ୧୬୨୨ ଖ୍ରୀଷ୍ଟାଦ୍ଦରୁ ରୟାଲ ଷୋସାଇଟି ପ୍ରତିଷ୍ଠା କରିଥାନ୍ତି । ଶହେ ବର୍ଷ ଭୀତରେ ଏହି ଅନୁଷ୍ଠାନର ଖ୍ୟାତି ସାରା ପୃଥିବୀରେ ବ୍ୟାପିଗଲା । ଏହିପରି ସମୟରେ ନିଉଟନଙ୍କ ଆବିର୍ଭାବ ବିଜ୍ଞାନକୁ ମହିମାମଣ୍ଡିତ କଲା । ୧୬୭୨ ରେ ନିଉଟନ ରୟାଲ ସୋସାଇଟିକୁ ସଭ୍ୟ ଭାବେ ନିର୍ବାଚିତ ହୋଇ ସେଥରେ ତାଙ୍କର ଆଲୋକ ସମ୍ବନ୍ଧରେ ପରୀକ୍ଷା ସବୁ ଦେଖାଇଲେ ।
ପୃଥିବୀ ଓ ଅନ୍ୟ ଗ୍ରହମାନେ ସୂର୍ଯ୍ୟକୁ ଗୋଲାକାର ବା ଅଣ୍ଡାକାର କକ୍ଷ ରେ ପରିକ୍ରମଣ କରୁଛନ୍ତି ସେ ବିଷୟରେ ବିଜ୍ଞାନୀଗଣ କୌଣସି ନିଷ୍ପତିରେ ପହଞ୍ଚି ପାରୁନଥାନ୍ତି । ପ୍ରସିଦ୍ଧ ଜ୍ୟୋତିବିଜ୍ଞାନୀ ଏଡମଣ୍ଡ ହ୍ୟାଲେ ରୟାଲ ସୋସାଇଟିର ସଭାପତି ଥାଆନ୍ତି । ୧୬୮୪ ରେ କେମ୍ବ୍ରିଜ ଯାଇ ସେ ନିଉଟନଙ୍କୁ ଗ୍ରହ କକ୍ଷ ସମ୍ବନ୍ଧରେ ପ୍ରଶ୍ନ କଲେ । ନିଉଟନ ତତକ୍ଷଣାତ କହିଲେ ଯେ ମାଧ୍ୟାକର୍ଷଣ ନିୟମ ଅନୁସାରେ କକ୍ଷପଥ ସବୁ ଅଣ୍ଡାକାର । ଏପରି ଚଟାପଟ ଉତ୍ତର ସୂନୀ ହ୍ୟାଲେ ବିସ୍ମିତ ହେଲେ ଓ ପ୍ରମାଣ ଚାହିଁଲେ । ଯେଉଁ ପ୍ରମାଣ ପ୍ରାୟ କୋଡିଏ ବର୍ଷପୂର୍ବେ ପ୍ଲେଗ ସମୟରେ ସେ ଘରେ ବସି ତାଙ୍କ ଗଣିତ ଖାତାରେ ଟିପିଥିଲେ ସେ ଖାତା ତ କେବେଠାରୁ ହଜିଗଲାଣି । ତେବେ ନିଉଟନ ପ୍ରତିଶ୍ରୁତି ଦେଲେ ଯେ ହ୍ୟାଲେଙ୍କ ପାଇଁ ସେ ସବୁକଥା ଟିକିନିଖି ଆଉଥରେ ଲେଖିବେ । ଏହିପରି ଭାବେ ନିଉଟନଙ୍କର ବିଖ୍ୟାତ ଓ ବୋଧହୁଏ ବିଜ୍ଞାନର ସର୍ବଶ୍ରେଷ୍ଟ ଗ୍ରନ୍ଥ “ ପ୍ରିନସିପିଆ ମାଥମେଟିକ “ ଲେଖାହେଲା ଓ ୧୬୮୭ ରେ ହ୍ୟାଲେଙ୍କ ଉଦ୍ୟମରେ ପ୍ରକାଶ ପାଇଲା । ବହିର ପ୍ରକାଶନ ପାଇଁ ଅନ୍ୟତମ ବିଶିଷ୍ଟ ବିଜ୍ଞାନୀ ରବର୍ଟ ବାୟେଲ ଅର୍ଥ ସାହାଯ୍ୟ କରିଥିଲେ ।
ପ୍ରିନସିପିଆ ମାଥମେଟିକା ଲ୍ୟାଟିନ ଭାଷାରେ ହୋଇଥିଲା । ୟୁରୋପ ରେ ଲ୍ୟାଟିନର ଗୌରବ ଆମ ସଂସ୍କୃତି ଭାଷା ପରି । ଆଲୋକ ସମ୍ବନ୍ଧରେ ତାଙ୍କର ଦ୍ଵିତୀୟ ଗ୍ରନ୍ଥ “ ଆପଟିକସ “ ୧୭୦୪ ଖ୍ରୀଷ୍ଟାଦ୍ଦ ରେ ପ୍ରକାଶ ପାଇଲା । ଏହି ଗ୍ରନ୍ଥକୁ ନିଉଟନ ନିଜ ମାତୃଭାଷା ଇଂରାଜୀରେ ଲେଖିଥିଲେ । ପ୍ରିନସିପିଆ ଓ ଆପଟିକସ ମଧ୍ୟରେ ୧୭ ବର୍ଷର ବ୍ୟବଧାନ । ଏହି କାଳ ଭିତରେ ବିଜ୍ଞାନ ଲୋକଙ୍କର ଅଧିକ ଆପଣାର ହୋଇଥିବାରୁ ଆପଟିକସ ନିଉଟନ ଇଂରାଜୀରେ ଲେଖିଲେ ।
ପଦାର୍ଥ ବିଜ୍ଞାନରେ ସବୁ ଶାଖା ନିଉଟନଙ୍କ ଅବଦାନରେ ସମୃଦ୍ଧ ହୋଇଛି । ତାଙ୍କର ଗତି ସମ୍ବନ୍ଧୀୟ ତିନୋଟି ନିୟମ ମେକାନିକସର ମୂଳସ୍ତମ୍ଭ ଓ ସ୍କୁଲଛାତ୍ରଙ୍କର ସୁପରିଚିତ ।
ନିଜ ଜୀବନକାଳ ଭିତରେ ନିଉଟନ ଅନେକ ସମ୍ମାନ ପାଇ ପରବର୍ତ୍ତୀ ଯୁଗର ବିଜ୍ଞାନୀଙ୍କ ପାଇଁ ବାଟ ଖୋଲିଦେଲେ । ୧୬୮୯ରେ ପ୍ୟାର୍ଲାମେଣ୍ଟ ସଭ୍ୟ ଭାବେ ବିଶ୍ଵବିଦ୍ୟାଳୟ ନିଉଟନଙ୍କୁ ନିର୍ବାଚିତ କରି ପଠାଇଥିଲେ । ମୁଦ୍ରାଶାଳର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇ ଇଂଲଣ୍ଡର ଅର୍ଥନୈତିକ ସଙ୍କଟ ସମୟରେ ନିଉଟନ ମୁଦ୍ରା ପ୍ରଚଳନ ନୀତିରେ ସୁଚିନ୍ତିତ ପରିବର୍ତ୍ତନ ଆଣିଥିଲେ । ୧୭୦୫ ଇଂଲଣ୍ଡର ରାଣୀ ତାଙ୍କୁ ନାଇଟ ଉପାଧି ପ୍ରଦାନ କଲେ । କୌଣସି ରାଜପ୍ରଦତ୍ତ ଉପାଧି ପାଇବା କ୍ଷେତ୍ରରେ ନିଉଟନ ପ୍ରଥମ ବିଜ୍ଞାନୀ ।
୧୭୨୭ ରେ ନିଉଟନଙ୍କ ମୃତ୍ୟୁ ବେଳକୁ ବିଖ୍ୟାତ ଫରାସୀ ଦାର୍ଶନିକ ଭୋଲଟାୟାର ଲଣ୍ଡନରେ ଉପସ୍ଥିତ ଥିଲେ । ନିଉଟନଙ୍କ ଶବକୁ ରାଜା ମହାରାଜାଙ୍କ ଶବ ପରି ମର୍ଯ୍ୟାଦା ଦିଆଯାଉଥିବାର ଦେଖି ଭୋଲଟାୟାର ବିସ୍ମିତ ହେଲେ । ସାଙ୍ଗରେ ନିଉଟନଙ୍କ ପ୍ରିନସିପିଆ ମାଥମେଟିକା ବହି ଧରି ଭୋଲଟାୟାର ଫ୍ରାନ୍ସ ଫେରିଲେ । ପ୍ରିନସିପିଆକୁ ଭୋଲଟାୟାର ଏମିଲି ଚାଟଲେଟଙ୍କ ସହିତ ମିଶି ଫରାସୀ ଭାଷାରେ ଅନୁଦିତ କରିଛନ୍ତି । ଫରାସୀରେ ତାଙ୍କ ଗ୍ରନ୍ଥ ଅନୁଦିତ ହେବା ପରେ ନିଉଟନଙ୍କ ଖ୍ୟାତି ୟୁରୋପରେ ବ୍ୟାପିଗଲା ।
ସଂଗୃହିତ - ଶରତ କୁମାର ମହାନ୍ତି
Last Modified : 1/28/2020