ଜଙ୍ଗଲ ସୁରକ୍ଷା ଓ ସୁପରିଚାଳନା ସହିତ ଗ୍ରାମର ସର୍ବାଙ୍ଗିନ ଉନ୍ନତି ପାଇଁ ‘ବନ ସଂରକ୍ଷଣ ସମିତି’ ଦ୍ଵାରା ଅଣୁଯୋଜନା ପ୍ରସ୍ତୁତ କରାଯିବ । ସ୍ଵେଚ୍ଛାସେବୀ ସଙ୍ଗଠନ, ବିଶେଷଜ୍ଞ ଓ ସଂପୃକ୍ତ କ୍ଷେତ୍ର ପରିଚାଳନା ସଂସ୍ଥା ଅଣୁ ଯୋଜନା ପ୍ରସ୍ତୁତିରେ ‘ବନ ସଂରକ୍ଷଣ ସମିତି’କୁ ସାହାଯ୍ୟ କରିବେ । ସଭ୍ୟ ମାନଙ୍କର ପ୍ରାଥମିକ ଆବଶ୍ୟକତା ଓ ଉପଲବ୍ଧ ସଂପଦକୁ ବିଚାରକୁ ନେଇ, ସହଭାଗୀ ଗ୍ରାମ୍ୟ ଅବଧାରଣା (PRA) ପଦ୍ଧତିରେ ପରସ୍ପର ସହଯୋଗରେ ଅଯୋଜନା ପ୍ରସ୍ତୁତ କରାଯିବ । ପ୍ରତ୍ୟେକ ବନ ସଂରକ୍ଷଣ ସମିତି ପାଇଁ ଉଦ୍ଧିଷ୍ଟ ଉଜୁଡ଼ା ଜଙ୍ଗଲର ନକ୍ସା ପ୍ରସ୍ତୁତ କରାଯିବ । ଅଣୁ ଯୋଜନା ରେ ଉଦ୍ଦିଷ୍ଟ କାର୍ଯ୍ୟଗୁଡ଼ିକୁ ପ୍ରକଳ୍ପ ସହାୟତାରେ ସଂପାଦନ କରାଯିବ ।
ଗ୍ରାମ ବୈଠକରେ ଅଣୁଯୋଜନା ପ୍ରସ୍ତୁତି ପାଇଁ କାର୍ଯ୍ୟକ୍ରମ ଓ ସହଭାଗୀ ଗ୍ରାମ୍ୟ ଅବଧାରଣା (PRA) ମାଧ୍ୟମରେ ନିମ୍ନ ବିଷୟରେ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯିବ ।
‘ବନ ସଂରକ୍ଷଣ ସମିତି ଗଠନ କିମ୍ବା ପୁନଃବିନ୍ୟାସ ପରେ ଗ୍ରାମବାସୀଙ୍କ ସହ ଦୁଇ ତିନିଥର ଆଲୋଚନା କରାଯାଇ ସୁସମ୍ପର୍କ ସ୍ଥାପନ କରାଯିବ । ଅଣୁଯୋଜନା ପ୍ରସ୍ତୁତି ପୂର୍ବରୁ ସାଧାରଣ ପରିଷଦର ବୈଠକ ଡକାଯାଇ ସମିତି ସଭ୍ୟମାନଙ୍କୁ ଯୋଜନାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ବନ୍ଧରେ ଜଣାଇ ଦିଆଯିବ ଏବଂ ଯୋଜନା କାର୍ଯ୍ୟକାରିତାର ସବୁ ସ୍ତରରେ ସେମାନଙ୍କ ସହଯୋଗ ଲୋଡ଼ାଯିବ । ସେମାନଙ୍କ ସମସ୍ୟା, ସ୍ଥିତି ଏବଂ ସୁବିଧା ସୁଯୋଗ ସମ୍ପର୍କରେ ଆଲୋଚନା ପରେ ଗ୍ରାମର ଉନ୍ନତି ପାଇଁ ସୁହାଇଲାଭଳି କାର୍ଯ୍ୟକ୍ରମ ଚିନ୍ତା କରିବାକୁ ପରାମର୍ଶ ଦିଆଯିବ । ଲୋକଙ୍କ ସାଧାରଣ ସମସ୍ୟା, ଉଜୁଡ଼ି ଯାଇଥିବା ଜଙ୍ଗଲର ପରିମାଣ, ଜଙ୍ଗଲର ସୁରକ୍ଷା ବ୍ୟବସ୍ଥା, ଗୋଚାରଣ ଓ ଜଙ୍ଗଲ ନିଆଁ ରୋକିବା ପାଇଁ ପଦକ୍ଷେପ ନେବା, ବିକଳ୍ପ ଜୀବିକା ଉପାର୍ଜନ ଉପାୟ ଆଦି ବିଶଦଭାବେ ଆଲୋଚନା କରାଯିବ ।
ପ୍ରକଳ୍ପ ଅନ୍ତର୍ଭୁକ୍ତ ପୁରୁଣା ବନ ସଂରକ୍ଷଣ ସମିତିର ପଞ୍ଜୀକରଣ, ସଭ୍ୟପଦ, ଜଙ୍ଗଲ ଅଞ୍ଚଳର ନକ୍ସା, ପୂର୍ବର ଅଣୁ ଯୋଜନା, ଯୋଜନା ରୂପାୟନର ସ୍ଥିତି, କାର୍ଯ୍ୟନିର୍ବାହୀ କମିଟିର ଟିକିନିଖୁ ବିବରଣୀ, ହାତକୁ ନିଆଯାଇଥିବା କାର୍ଯ୍ୟ, ବନଜାତ ଦ୍ରବ୍ୟର ସଂଗ୍ରହ ଆଦି ବିଷୟକୁ କାର୍ଯ୍ୟକାରୀ ଗୋଷ୍ଠୀ (Working Group) ଯାଞ୍ଚ କରିବେ । ସଭ୍ୟ ସଚିବ ଏସବୁ ନଥିପତ୍ର ମିଳିବାରେ ସାହାଯ୍ୟ କରିବେ ।
ଜଙ୍ଗଲ ପରିଦର୍ଶନ ଓ ତଥ୍ୟ ସଂଗ୍ରହ
ସଭ୍ୟ ସଚିବ ଜଙ୍ଗଲ ନକ୍ସା ଓ ଅନ୍ୟ କେତେକ ତଥ୍ୟ ଯୋଗାଇବେ । ସଭ୍ୟସଚିବ, ସ୍ଵେଚ୍ଛାସେବୀ ସଂସ୍ଥାର ଅଧିକାରୀ ଓ ଗ୍ରାମ୍ୟ ବନ ସହାୟକ ମିଶି ଜଙ୍ଗଲ ଅଞ୍ଚଳ ଭଲ ଭାବରେ ବୁଲି ଦେଖିବେ ଓ ଜମି, ଜଳସେଚନ, ମଞ୍ଜି ମିଳିବା, ଚାରାକେନ୍ଦ୍ରର କାର୍ଯ୍ୟକାରିତା ଆଦି ବିଷୟରେ ତଥ୍ୟ ସଂଗ୍ରହ କରିବେ । ବନ ସଂରକ୍ଷଣ ସମିତି ପାଇଁ ଥିବା ଜଙ୍ଗଲ ଅଞ୍ଚଳ, ଜମି ବ୍ୟବହାର, ଅତୀତ ଓ ବର୍ତ୍ତମାନର ଜଙ୍ଗଲ ସ୍ଥିତି, ମୃର୍ଭକାର ଅବସ୍ଥା, ଜଳ ସଂରକ୍ଷଣ, ପରିବାର ସର୍ବେକ୍ଷଣ, ଗ୍ରାମବାସୀମାନଙ୍କ ଆର୍ଥିକ ସ୍ଥିତି ଓ ଦରିଦ୍ରତାର ସ୍ତର ଇତ୍ୟାଦି ବିଷୟ ମାନଙ୍କ ଉପରେ ମଧ୍ୟ ତଥ୍ୟ ସଂଗ୍ରହ କରାଯିବ । ଅନ୍ୟ ବିଭାଗ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ଯୋଜନା ବିଷୟରେ ସମିତିକୁ ତଥ୍ୟ ଦରକାର ପଡ଼ିଥାଏ ।
ତଥ୍ୟ ସଂଗ୍ରହ ପରେ ଏହା ଉପରେ ବିଶଦ ବିଶ୍ଳେଷଣ ଓ ଆଲୋଚନା କରି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ । ମୂଖ୍ୟତଃ ଚାରୋଟି ବିଷୟ ଯଥା – ଆବଶ୍ୟକତାର ପ୍ରାଧାନ୍ୟତା, ଜମିର ଉପଯୋଗିତା ଦୃଷ୍ଟିରୁ ବିଭାଗୀକରଣ, ବହୁଳ ଉତ୍ପାଦିତ ଦ୍ରବ୍ୟ ତାଲିକା, ସମ୍ବଳ ମୁତାବକ ଲୋକ ଚାହିଦା ପୁରଣ ଇତ୍ୟାଦିକୁ ପାଥେୟ କରି ତଥ୍ୟ ବିଶ୍ଳେଷଣ କରାଯିବା ଆବଶ୍ୟକ ।
ଅଣୁଯୋଜନା ପ୍ରସ୍ତୁତି ପ୍ରକ୍ରିୟା ମୁଖ୍ୟତଃ ବନ ସଂରକ୍ଷଣ ସମିତି ଦ୍ଵାରା ପରିଚାଳିତ ହେବ । ସ୍ଵେଚ୍ଛାସେବୀ ସଂଗଠନର ଅଧିକାରୀ, ବନ ବିଭାଗ କର୍ମଚାରୀ ଓ ଅନ୍ୟାନ୍ୟ ବୈଷୟିକ ଜ୍ଞାନଥିବା ବ୍ୟକ୍ତିବିଶେଷ ସେମାନଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରିବେ । ଏଥିପାଇଁ ବନ ସଂରକ୍ଷଣ ସମିତିର ସାମର୍ଥ୍ୟ ଓ ଦକ୍ଷତା ବୃଦ୍ଧି ହେବା ଅତ୍ୟନ୍ତ ଜରୁରୀ । ଏହି ଦୃଷ୍ଟିରୁ ଅଣୁଯୋଜନା ପ୍ରସ୍ତୁତି କାର୍ଯ୍ୟ ତିନି ରୁ ପାଞ୍ଚମାସ ପର୍ଯ୍ୟନ୍ତ ସମୟ ଲାଗିବ । ଏଥିପାଇଁ ନିମ୍ନଲିଖିତ କାର୍ଯ୍ୟକ୍ରମ ଗୁଡ଼ିକ ପର୍ଯ୍ୟାୟକ୍ରମେ ଗ୍ରହଣ କରାଯିବ ।
ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ବାସ କରୁଥିବା ଲୋକମାନଙ୍କର ଜଙ୍ଗଲ ପରିଚାଳନା ଓ ପାରମ୍ପରିକ ବ୍ୟବହାର ସମ୍ବନ୍ଧୀୟ ବିଧିବ୍ୟବସ୍ଥା ମଧ୍ୟରେ ସମନ୍ବୟ ରକ୍ଷା କରିବାର ଆବଶ୍ୟକତା ରହିଛି । ସମୂହ ସମ୍ପତ୍ତିର ବିସଙ୍ଗତ ନିୟନ୍ତ୍ରଣ କରିବା ପାଇଁ ସ୍ଥାନୀୟ ଅନୁଷ୍ଠାନ, ଗ୍ରାମବାସୀ, ବନ ସଂରକ୍ଷଣ ସମିତିର ସଭ୍ୟ ଓ ଜଙ୍ଗଲ ବିଭାଗ କର୍ମଚାରୀଙ୍କ ପାଇଁ ଆବଶ୍ୟକ ତାଲିମ୍ ବ୍ୟବସ୍ଥା କରାଯିବ । ଜଙ୍ଗଲ ସମ୍ପଦର ଅଭିବୃଦ୍ଧି, ସେଥିରୁ ମିଳୁଥିବା ଦ୍ରବ୍ୟର ଉପଯୋଗ ଓ ଜୈବ ବିବିଧତାର ଉପକାରିତା ବିଷୟରେ ବନ ସଂରକ୍ଷଣ ସମିତିର ସଭ୍ୟମାନଙ୍କୁ ତାଲିମ ପ୍ରଦାନ କରାଯିବ ।
ବନ ସଂରକ୍ଷଣ ସମିତି କାର୍ଯ୍ୟକାରୀ ଗୋଷ୍ଠୀ
ବନ ସଂରକ୍ଷଣ ସମିତି, କାର୍ଯ୍ୟକାରୀ ଗୋଷ୍ଠୀ ଗ୍ରାମବାସୀମାନଙ୍କ ସହିତ ପରାମର୍ଶ କରି ବିଭିନ୍ନ ବିଭାଗର କ୍ଷେତ୍ର କର୍ମଚାରୀଙ୍କ ମତାମତ ନେଇ, ବିଭିନ୍ନ ସୂତ୍ରରୁ ତଥ୍ୟ ସଂଗ୍ରହ କରି, ଅଣୁଯୋଜନା ଚିଠା ପ୍ରସ୍ତୁତ କରିବେ।
ବନ ସଂରକ୍ଷଣ ସମିତିର ସଭାପତି, ସଭ୍ୟ ସଚିବ, ବନରକ୍ଷୀ, ଗ୍ରାମ୍ୟ ବନ ସହାୟକ, ଶିକ୍ଷକ, ୪ ଜଣ ବନ ସଂରକ୍ଷଣ ସମିତି ସଭ୍ୟ (୨ ଜଣ ମହିଳା) ଏବଂ ସ୍ଵେଚ୍ଛାସେବୀ ସଙ୍ଗଠନର ପ୍ରତିନିଧିଙ୍କୁ ନେଇ ଅଣୁଯୋଜନା କାର୍ଯ୍ୟକାରୀ ଗୋଷ୍ଠୀ ଗଠିତ ହେବ । ସଭ୍ୟସଚିବ ବୈଠକ ଡାକିବା ସହିତ ସମସ୍ତ ଅଂଶୀଦାର ସହିତ ଯୋଗସୂତ୍ର ରକ୍ଷା କରି ଠିକ୍ ସମୟରେ ଅଣୁଯୋଜନା ପ୍ରସ୍ତୁତିରେ ସହଯୋଗ କରିବେ । ଜଙ୍ଗଲ ଉପରେ ନିର୍ଭରଶୀଳ ଶ୍ରେଣୀ, ଅଭିଜ୍ଞ କୃଷକ, ପାରମ୍ପରିକ ଜଡ଼ିବୁଟି ବୈଦ୍ୟ, ମହିଳା, ଭୂମିହୀନମାନଙ୍କ ସହିତ ପରାମର୍ଶ କରି କାର୍ଯ୍ୟକାରୀ ଗୋଷ୍ଠୀ ଅଣୁଯୋଜନା ଚିଠା ପ୍ରସ୍ତୁତ କରିବେ । ଅଣୁଯୋଜନା ପ୍ରସ୍ତୁତିର ପ୍ରଗତି ବିଷୟ ରେ ସଭ୍ୟ ସଚିବ କ୍ଷେତ୍ର ପରିଚାଳନା ୟୁନିଟ୍କୁ ଜଣାଇବେ ।
ସ୍ୱେଚ୍ଛାସେବୀ ସଂଗଠନ
ସ୍ଵେଚ୍ଛାସେବୀ ପ୍ରତିନିଧୁମାନେ ଗ୍ରାମବାସୀମାନଙ୍କୁ ପ୍ରକଳ୍ପର ଆଭିମୁଖ୍ୟ ସମ୍ବନ୍ଧରେ ସଚେତନ କରିବା ସହିତ ବନ ସଂରକ୍ଷଣ ସମିତି ସଭ୍ୟମାନଙ୍କୁ ଅଣୁଯୋଜନା ପ୍ରସ୍ତୁତି ଉପରେ ତାଲିମ ଦେବେ । ସାମାଜିକ, ଅର୍ଥନୈତିକ ତଥ୍ୟ ସଂଗ୍ରହରେ ସ୍ଵେଚ୍ଛାସେବୀମାନେ ସମିତିର ସଭ୍ୟଙ୍କୁ ସହଯୋଗ କରିବେ । ବିଭିନ୍ନ ସମସ୍ୟା ଉପରେ ଧାରଣା ଦେବା ଓ ସେଗୁଡ଼ିକର ସମାଧାନ ଉପାୟ ଖୋଜି ବାହାର କରିବାରେ ସେମାନେ ସମିତିର ସଭ୍ୟ ଓ ଲୋକଙ୍କୁ ସାହାଯ୍ୟ କରିବେ । ଅଣୁଯୋଜନାଟିକୁ କାର୍ଯ୍ୟକାରୀ ଗୋଷ୍ଠୀର ବିଚାର କ୍ରମେ ଲେଖିବାରେ ସାହାଯ୍ୟ କରିବେ ।
ଗ୍ରାମ୍ୟ ବନ ସହାୟକ
ଗ୍ରାମର ସମ୍ବଳ ସମ୍ପର୍କିତ ଆବଶ୍ୟକ ତଥ୍ୟ ସଂଗ୍ରହ ସହିତ ଅଣୁଯୋଜନା ବୈଠକରେ ଯୋଗଦେବା ପାଇଁ ଗ୍ରାମବାସୀଙ୍କୁ ପ୍ରବର୍ତ୍ତାଇବେ । ବିଜ୍ଞାପନ ବିତରଣ ଠାରୁ ଆରମ୍ଭ କରି ବୈଠକ ଆୟୋଜନ, ଶ୍ରମଦାନ କରିବା ଆଦି କାର୍ଯ୍ୟରେ ଗ୍ରାମ୍ୟ ବନ ସହାୟକ ସହଯୋଗ କରିବେ । ଗ୍ରାମବାସୀଙ୍କ ମତାମତକୁ ସ୍ୱେଚ୍ଛାସେବୀ ସଙ୍ଗଠନକୁ ଜଣାଇବା ଓ ସଭ୍ୟ ସଚିବଙ୍କୁ ଅଣୁଯୋଜନା ଚିଠା ପ୍ରସ୍ତାବ ଲେଖିବାରେ ସହଯୋଗ କରିବେ ।
ସଭ୍ୟସଚିବ
ସଭ୍ୟସଚିବ ଗ୍ରାମ ଜଙ୍ଗଲ ଓ ତତ୍ସମ୍ବନ୍ଧୀୟ ସମସ୍ତ ରେକର୍ଡ଼ ପ୍ରସ୍ତୁତ କରି ଆଲୋଚନା ପାଇଁ ରଖୁବେ । ଅନ୍ୟାନ୍ୟ ବିଭାଗର କ୍ଷେତ୍ର କର୍ମଚାରୀଙ୍କୁ ଆମନ୍ତ୍ରଣ କରି କାର୍ଯ୍ୟକାରୀ ହେଉଥିବା ଯୋଜନାରେ ସେମାନଙ୍କର ସହଯୋଗ ସମ୍ପର୍କରେ ଆଲୋଚନା କରିବେ । ଅଣୁଯୋଜନା ଚିଠା ପ୍ରସ୍ତାବ ଲେବା ଛଡ଼ା କାର୍ଯ୍ୟନିର୍ବାହୀ କମିଟି ଓ ସଭ୍ୟମାନଙ୍କୁ ଚିଠା ପ୍ରସ୍ତାବର ନକଲ ଯାଞ୍ଚ ପାଇଁ ଦେବେ । ରେଞ୍ଜ ଅଫିସର, ଏ.ସି.ଏଫ୍, ଏବଂ ଡି.ଏଫ୍.ଓ.ଙ୍କ ମତାମତ ଓ ପରାମର୍ଶ ଲୋଡ଼ିବେ । ସେ ସାଧାରଣ ପରିଷଦ ବୈଠକର ବ୍ୟବସ୍ଥା କରି କ୍ଷେତ୍ର ପରିଚାଳନା ସଂସ୍ଥାର ମୁଖ୍ୟଙ୍କ ଦ୍ଵାରା ଅଣୁଯୋଜନାର ସମୀକ୍ଷା କରାଇ ଚିଠା ଅନୁମୋଦନ ପାଇଁ ଆବଶ୍ୟକ କାର୍ଯ୍ୟ କରିବେ ।
ଅନୁମୋଦନ
ଅଣୁଯୋଜନା ଚିଠାର ନକଲ କାର୍ଯ୍ୟନିର୍ବାହୀ କମିଟି ଓ ବନ ସଂରକ୍ଷଣ ସମିତିର ସଭ୍ୟମାନଙ୍କୁ ସେମାନଙ୍କର ପରାମର୍ଶ ଓ ମତାମତ ପାଇଁ ଦିଆଯିବ । ସେମାନଙ୍କର ମତାମତକୁ ବିଚାରକୁ ନେଇ ଅଣୁଯୋଜନା ଚିଠାରେ ଆବଶ୍ୟକ ପରିବର୍ତ୍ତନ କରାଯିବ । ଏହି ଚିଠାକୁ ସାଧାରଣ ପରିଷଦର ଏକ ସ୍ଵତନ୍ତ୍ର ବୈଠକରେ ଆଲୋଚନା ଓ ସମୀକ୍ଷା ପାଇଁ ଉପସ୍ଥାପନ କରାଯିବ । ସାଧାରଣ ପରିଷଦ ଏହାର ଅନୁମୋଦନ କଲାପରେ ଓ ବନ ସଂରକ୍ଷଣ ସମିତିର ସଭାପତି ଦସ୍ତଖତ କଲାପରେ ସଭ୍ୟ ସଚିବ ଚିଠା ଅଣୁଯୋଜନାକୁ କ୍ଷେତ୍ର ପରିଚାଳନା ସଂସ୍ଥାର ମୁଖ୍ୟଙ୍କ ନିକଟକୁ ପ୍ରେରଣ କରି ବେ । କ୍ଷେତ୍ର ପରିଚାଳନା ସଂସ୍ଥାର ମୁଖ୍ୟ ଏହି ଚିଠା ପ୍ରସ୍ତାବକୁ ବୈଷୟିକ, ସାମାଜିକ ଦୃଷ୍ଟିରୁ ସମୀକ୍ଷା କରି ଅଣୁଯୋଜନାକୁ ଅନୁମୋଦନ କରିବେ ।
ଅନୁମୋଦିତ ଅଣୁଯୋଜନାର ୪ ଗୋଟି ନକଲ କରାଯାଇ, ବନ ସଂରକ୍ଷଣ ସମିତି, ସଭ୍ୟ ସଚିବ, କ୍ଷେତ୍ରପରିଚାଳନା ସଂସ୍ଥା ଓ ଖଣ୍ଡୀୟ ପରିଚାଳନା ସଂସ୍ଥାଙ୍କୁ ଯୋଗାଇ ଦିଆଯିବ ।
ସଂଶୋଧନ
ଅଣୁଯୋଜନାକୁ ଅଧୁକ କ୍ରୀୟାଶୀଳ କରିବା ପାଇଁ ପ୍ରତିବର୍ଷ ସାଧାରଣ ପରିଷଦର ବୈଠକ ଡକାଯାଇ ଏହାର କାର୍ଯ୍ୟକାରିତାକୁ ନେଇ ଆଲୋଚନା ହେବ । ଯଦି ଅଧୁକାଂଶ ସଭ୍ୟ ଯୋଜନାର ସଂଶୋଧନ ପାଇଁ ଅନୁଭବ କରନ୍ତି ତେବେ ସାଧାରଣ ପରିଷଦ ଆବଶ୍ୟକ ସଂଶୋଧନ ପାଇଁ ନିଷ୍ପତ୍ତି ନେବେ । ସଭ୍ୟ ସଚିବ ପରିବର୍ତ୍ତନ ହେବାକୁ ଥିବା ବିଷୟ ଓ ଏହାର ଯଥାର୍ଥତା ନଥିଭୁକ୍ତ କରି କ୍ଷେତ୍ର ପରିଚାଳନା ସଂସ୍ଥାର ମୁଖ୍ୟଙ୍କୁ ଜଣାଇଇବେ । କ୍ଷେତ୍ର ପରିଚାଳନା ସଂସ୍ଥା ସଂଶୋଧନ ପାଇଁ ଅନୁମୋଦନ କରିବେ ।
Last Modified : 10/29/2019