କଥାରେ ଅଛି ‘ଜଳ ହିଁ ଜୀବନ’ । ଦୈନଦିନ ଜୀବନରେ ଜଳର ଆବଶ୍ୟକତା କେତେ ତାହା କହିବା ବାହୁଲ୍ୟ । ବର୍ତ୍ତମାନ ଜଳର ଭବିଷ୍ୟତକୁ ନେଇ ଅନେକ ତର୍କ ବିତର୍କ ଚାଲିଛି । ଅଯଥା ଜଳ ଅପଚୟ ରୋକିବା ପାଇଁ ପ୍ରୟାସ ଚାଲିଛି , ତଥାପି ଏନେଇ ଅନେକ ସଚେତନ ନାହାନ୍ତି । ଜଳର ଉଚିତ ବ୍ୟବହାର ଏବଂ ଏହାର ସଂରକ୍ଷଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ପ୍ରତିବର୍ଷ ମାର୍ଚ୍ଚ ୨୨କୁ ‘ବିଶ୍ଵ ଜଳ ଦିବସ’ ଭାବରେ ପାଳନ କରାଯାଇଥାଏ । ଏ ନେଇ ଚଳିତବର୍ଷର ସ୍ଲୋଗାନ ରହିଛି ‘ଜଳ ଓ ନିୟୋଜନ ‘ । ଜଳର ଅପବ୍ୟବହାରକୁ ରୋକାଯାଇପାରିଲେ ଏହାଦ୍ଵାରା ଦେଖାଦେଇଥିବା ଜଳାଭାବ ସମସ୍ୟାର କେତେକାଂଶରେ ସମାଧାନ କରାଯାଇପାରିବ । ଏ ବିଷୟରେ ସମସ୍ତଙ୍କୁ ଅବଗତ କରାଇବା ହେଉଛି ଚଳିତ ବର୍ଷ ପାଳିତ ହେଉଥିବା ବିଶ୍ଵ ଜଳ ଦିବସର ଲକ୍ଷ ।
ପୃଥିବୀ ଜଳ ଗ୍ରହ ହେଲେ ସୁଦ୍ଧା ଏହାର ଅଧିକାଂଶ ଭାଗ (୯୬.୫%) ସମୁଦ୍ରରେ ଅବସ୍ଥିତ ଓ ଲୁଣିଆ ଯାହା ମନୁଷ୍ୟର ବ୍ୟବହାର ଉପଯୋଗୀ ନୁହେଁ । ଅବଶିଷ୍ଟ ଜଳର ମାତ୍ର ୨.୫% ମଧୁର ଜଳ । ଏହାର ଏକ ବଡ ଭାଗ (୯୮.୮%) ମେରୁ ଅଞ୍ଚଳର ବରଫାବୃତ୍ତ ସୃଙ୍ଘରେ ଗଚ୍ଛିତ ଯାହା ମନୁଷ୍ୟର ହାତ ପାଆନ୍ତାରେ ନାହିଁ । ମାତ୍ର ୦.୩%ରୁ କମ ଜଳ ଭୁପୃଷ୍ଠରେ ନଦୀ, ହ୍ରଦ, ଆକାରରେ ପ୍ରବାହିତ ଯାହା ମନୁଷ୍ୟର ବ୍ୟବହାର ନିମନ୍ତେ ଉପଲବ୍ଧ । ସୁତରାଂ ପ୍ରକୃତିରେ ଜଳର ଭଣ୍ଡାର ସୀମିତ ଏବଂ ଏହି ଦୃଷ୍ଟିରୁ ଜଳ ଏକ ଅମୂଲ୍ୟ ସମ୍ପଦ ।
ନଭେମ୍ବର ୨୦୦୯ ମସିହାରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ , ଆଗାମୀ ୨୦୩୦ ମସିହା ବେଳକୁ ବିଶ୍ଵର ଅଧିକାଂଶ ବିକାଶଶୀଳ ଦେଶରେ ଜଳର ଯୋଗାଣ ତୁଳନାରେ ଚାହିଦା ପ୍ରାୟ ୫୦% ବୃଦ୍ଧି ପାଇ ଜଳ ସଙ୍କଟ ପରିସ୍ଥିତି ସୃଷ୍ଟି ହେବ । ସୁତରାଂ ଜଳ ପାଇଁ ଯୁଦ୍ଧର ସୂତ୍ରପାତ କିଛି ଅସମ୍ଭବ ନୁହେଁ ।
ଜଳ ଏକ ଉତ୍ତମ ଦ୍ରାବକ ହୋଇଥିବାରୁ ଏହାକୁ ‘ସାର୍ବଜନୀନ ଦ୍ରାବକ’ କୁହାଯାଏ । ଏଥିରେ ଅଧିକାଂଶ ପଦାର୍ଥ ଯଥା ଲବଣ, ଚିନୀ, ଅମ୍ଳ, କ୍ଷାର, ଗ୍ୟାସ ଇତ୍ୟାଦି ଦ୍ରବୀଭୂତ ହୋଇପାରେ । ଆମ ଜୀବକୋଷର ପ୍ରାୟ ୭୦% ଅଂଶ ଜଳ ଏବଂ ଏଥିରେ ଅଧିକାଂଶ ପ୍ରୋଟିନ, ଡିଏନଏ ଇତ୍ୟାଦି ଦ୍ରବୀଭୂତ ହୋଇଥାନ୍ତି । ଜଳର ଦ୍ରାବକ ଭୂମିକା ହେତୁ ବିଶ୍ଵ ଅର୍ଥନୀତିରେ ଜଳର ଅବଦାନ ମହତ୍ଵପୂର୍ଣ୍ଣ । ବିଭିନ୍ନ ରାସାୟନିକ ପଦାର୍ଥ , ଶିଳ୍ପ କ୍ଷେତ୍ରରେ ବ୍ୟବହୃତ ଶୀତଳକ ତଥା ପରିବହନ ସାମଗ୍ରୀ ପାଇଁ ଜଳକୁ ଦ୍ରାବକ ରୂପେ ବ୍ୟବହାର କରାଯାଏ ।
ପୃଥିବୀରେ ବ୍ୟବହୃତ ମଧୁର ଜଳର ଏକ ବଡ ଭାଗ (୭୦%) କୃଷି କ୍ଷେତ୍ରରେ ବ୍ୟବହାର କରାଯାଏ । ସୁତରାଂ ପ୍ରକୃତିରେ ଉପଲବ୍ଧ ପାନୀୟ ଜଳର ମାତ୍ରା ଅତି କମ ।
ଜଳ ପ୍ରଦୂଷଣ ଯୋଗୁ ବିଶ୍ଵରେ ଦୈନିକ ୧୦,୦୦୦ ଲୋକ ମୃତ୍ୟୁମୁଖରେ ପଡନ୍ତି । ଆମ ଭାରତରେ ଜଳ ପ୍ରଦୂଷଣ ଜନିତ ବିଭିନ୍ନ ରୋଗ ଓ ବ୍ୟାଧିରେ ଦୈନିକ ୫୮୦ଜଣ ଲୋକ ପ୍ରାଣ ହରାଇଥାନ୍ତି । ବିଶ୍ଵର ସର୍ବାଧିକ ୧୦ପ୍ରଦୂଷିତ ନଦୀମାନଙ୍କ ମଧ୍ୟରୁ ଆମ ଭାରତର ଗଙ୍ଗା ନଦୀ ଅନ୍ୟତମ । ଆମ ରାଜ୍ୟରେ ବ୍ରାହ୍ମଣୀ ସର୍ବାଧିକ ପ୍ରଦୂଷିତ ନଦୀ ।
ଆଧାର:ନିକୁଞ୍ଜ ବିହାରୀ ସାହୁ,ଢେଙ୍କାନାଳ ବିଜ୍ଞାନ କେନ୍ଦ୍ର , ଢେଙ୍କାନାଳ
Last Modified : 1/16/2020