କାନ ଏକ ଶ୍ରବଣ ଅଙ୍ଗ ଯାହା ଶବ୍ଦ ଶୁଣି ପାରେ । ଏହା ଠାରୁ ଅନେକ ଅଧିକ କାମ କାନ ଦ୍ଵାରା ସାଧିତ ହୁଏ । ଦେହର ସନ୍ତୁଳନ (Balance) ଓ ପୋଜିସନ ରକ୍ଷା କରିବା ମଧ୍ୟ ଏହାର କାମ । ଶ୍ରବଣ ମଣ୍ଡଳର ଏହା ଏକ ଅଂଶ । ଆମେ ବାହାରେ ଦେଖାଯାଉଥିବା ଅଂଶକୁ କାନ କହୁ ଯାହାକୁ ଇଂରାଜୀରେ ପିନ୍ନା ବା ଅରିକ୍ଲ ହୁହାଯାଏ । ଶ୍ରବଣ ଯନ୍ତ୍ରର ଏହା ପ୍ରଥମ ଅଙ୍ଗ । ମୁଣ୍ଡର ଦୁଇ ପାଖରେ ସମ ଭାବ ଅବସ୍ଥିତିରେ ଦୁଇଟି କାନ ଥାଏ ଯାହା ଦ୍ଵାରା ଏହି ବ୍ୟବସ୍ଥା ଦ୍ଵାରା ଶବ୍ଦ ଆସୁଥିବା ସ୍ଥାନ ଜାଣିହୁଏ ।
ଶବ୍ଦ ବୋଧ ଶକ୍ତିକୁ ଇଂରାଜୀରେ ଅଡିସନ୍ କହନ୍ତି । ଶବ୍ଦ ଏକ ଶକ୍ତି (Energy) ତଥା ଏକ ରୈଖିକ ଚାପ ତରଙ୍ଗ ଯାହା ବାୟୁ, ଜଳ ଓ ଅନ୍ୟାନ୍ୟ ମାଧ୍ୟମରେ ଗତି କରେ । ଏହା ଦ୍ଵାରା ଶୃତିଗତ ଭାବ ଆଦାନ ପ୍ରଦାନ ହୁଏ । କାନ କେବଳ ଶବ୍ଦ ଗ୍ରହଣ କରେ, ମସ୍ତିଷ୍କ ଦ୍ଵାରା ଶୁଣି ହୁଏ । କେନ୍ଦ୍ରୀୟ ସ୍ନାୟୁ ମଣ୍ଡଳରେ ଅବସ୍ଥିତ ଶ୍ରବଣ ସ୍ଥାନରେ ସ୍ନାୟୁ ତରଙ୍ଗ ପ୍ରବେଶ ଓ ତାହାର ଚିହ୍ନଟ ଯୋଗୁ ଶୁଣି ହୁଏ । ବାହାରୁ ଆସୁଥିବା ଶବ୍ଦ ତରଙ୍ଗ କାନ ଦ୍ଵାରା ସ୍ନାୟୁ ତରଙ୍ଗରେ ପରିଣତ ହୁଏ ଯାହା ମସ୍ତିଷ୍କକୁ ପଠାଯାଏ ।
କାନର ବାହାରକୁ ଦେଖା ଯାଉଥିବା ଅଂଶ ଧ୍ଵନୀ ତରଙ୍ଗ ସଂଗ୍ରହ କରେ । ଏହି ତରଙ୍ଗ ମଝି କାନ ଦ୍ଵାରା ବର୍ଦ୍ଧିତ ହୁଏ ଓ ଅନ୍ତ କର୍ଣ୍ଣରେ ଥିବା ତରଳ ପଦାର୍ଥରେ ଏହା ତରଙ୍ଗ ସୃଷ୍ଟି କରେ । ଏହି ତରଳ ପଦାର୍ଥ ମଧ୍ୟରେ ଏକ ପ୍ରକାର କେଶ ସ୍ନାୟୁ କୋଷ ଥାଏ ଯାହା ଏହି ତରଳ ପଦାର୍ଥ ଥିବା କୋଠରୀର କାନ୍ଥର ଜୀବ କୋଷରୁ (epithelium) ଆସିଥାଏ । ଶବ୍ଦ ଯୋଗୁ ତରଳ ପଦାର୍ଥରେ ସୃଷ୍ଟି ହୋଇଥିବା ତରଙ୍ଗ ଏହି କେଶମାନଙ୍କୁ ଉତ୍ତେଜିତ କରେ । ତରଳ ପଦାର୍ଥର ଚଳନ ଅନୁସାରେ କେଶ ବଙ୍କା ସିଧା ହେଉଥାଏ ଓ ଏହାର କମ୍ପନ ଅନୁସାରେ କେଶ ସ୍ନାୟୁରେ ସ୍ନାୟୁ ତରଙ୍ଗ ସୃଷ୍ଟି କରେ । ଏହି ସ୍ନାୟୁ ତରଙ୍ଗ (Nerve impulse) ମସ୍ତିଷ୍କରେ ପ୍ରବେଶ କରେ । ଏହି କେଶ ଏକ ପ୍ରକାର ମେକାନୋରିସେପ୍ଟର (Mechanoreceptor) କାମ କରେ ।
Last Modified : 1/16/2020