ଶାସ୍ତ୍ରରେ ଉଲ୍ଲେଖ ଥିବା ପରକାର ବାଟ ରୋଗ ମଧ୍ୟରେ ଏହି ରୋଗ ସ୍ଵତନ୍ତ୍ର ସ୍ଥାନ କରିଛି । ବହୁ ପ୍ରାଚୀନ କାଳରୁ ଚିକତ୍ସା ଶାସ୍ତ୍ରରେ ବର୍ଣ୍ଣିତ ହୋଇଥିବାରୁ ଏହି ରୋଗର ସାମାଜିକ ସ୍ଥିତି ମଧ୍ୟ ବହୁ ପୁରାତନ ବୋଲି ଜଣାଯାଏ । ଏହି ଆମବାତ ବା ସନ୍ଧିବାତ ରୋଗକୁ ଆଧୁନିକ ଚିକିତ୍ସାବିଜ୍ଞାନୀରଣ “ରିୟୁମାଟିକ ଆଥ୍ରାଇଟିସ୍” “ରିୟୁମାଟିଏଡ୍ ରିୟୁମାଟିଜିମ୍” ବୋଲି କହିଥାଆନ୍ତି । କେହି କେହି ଏହାରୁ ଆଣ୍ଠୁଗଣ୍ଠିବାତ ରୋଗ ବୋଲି କହିଥାନ୍ତି । ଏହି ରୋଗ ସିଧାସଳଖଭାବେ ମାରକ ବା ଘାତକ ନହେଲେ ମଧ୍ୟ ଏହି ରୋଗରେ ପୀଡିତ ବ୍ୟକ୍ତି ଆୟୁ ପ୍ରାୟ ଦଶବର୍ଷ କମିଯାଏ । ଏହି ରୋଗ ବର୍ଷ ଧରି ଶରୀରରେ ରହିଥାଏ ଏବଂ ଶୀତ ଓ ଗ୍ରୀଷ୍ମମଣ୍ଡଳାୟ ଅଧବାସୀ ତଥା ପୃଥିବୀର ସବୁ ଜାତି ବା ଗୋଷ୍ଠୀ ମଧ୍ୟରେ ଏହି ରୋଗ ଦେଖାଦେଇଥାଏ ।
ଆମେ ଖାଉଥିବା ଖାଦ୍ୟ ସମ୍ପୂର୍ଣ୍ଣରୂପେ ପରିପାକ ନହେଲେ ତାହା ଅପକ୍ଵ ବା ଆମ ରସରେ ପରିଣତ ହୁଏ । ଏହି ଆମରସ ଶରୀରସ୍ଥ ବାୟୁଦ୍ଵାର ଦୂଷିତ ହୋଇ ଶରୀରର ସନ୍ଧି ବା ଗଣ୍ଠିସ୍ଥାନମାନଙ୍କରେ ପ୍ରବେଶ କଲେ ଆମବାତ ରୋଗ ସୃଷ୍ଟି ହୋଇଥାଏ । ଏହାକୁ “ଜଏଣ୍ଟ ରିୟୁମାଟିଜିମ୍” ମଧ୍ୟ କୁହାଯାଏ । ଏହାଦ୍ୱାରା ଶରୀର ପୀଡା, ଅରୁଚି ତୃଷା, ଆଳସ୍ୟ ଖାଦ୍ୟ ଅପରିପାକ ଦେଖାଦିଏ ଏବଂ ଓଜଃରସ ସହିତ ଆମାଶୟ ଦୂଷିତ ହୋଇ ଝାଡାରେ ଲାଲ ପଡେ ରୋଗର ପ୍ରାଦୁର୍ଭାବ ବୃଦ୍ଧି ହେଲେ ସନ୍ଧି ସ୍ଥାନମାନଙ୍କରେ ଫୁଲା ଓ ଦରଜ ସହିତ ବିଛା ଦଂଶନ ଭଳି ବେଦନା ଉପସ୍ଥିତ ହୁଏ ।
ଆହୁରି ମଧ୍ୟ ମନୁଷ୍ୟର ବିରୁଦ୍ଧ ଆହାର ଯଥା – କ୍ଷୀର ମାଛ ଏକତ୍ର ଭୋଜନ, ସମପରିମାଣର ଘିଅ ଓ ମହୁ ସେବନ ଅଜୀର୍ଣ୍ଣ ଅବସ୍ଥାରେ ମୈଥୁନ ଓ ମାତ୍ରାଧିକ ଭୋଜନ ଏବଂ ଅତ୍ୟଧିକ ଥଣ୍ଡାଜାତୀୟ ଖାଦ୍ୟ ସେବନ, ଯତା – ଦହି, ଚୂଡା, ଗୁଡ, ପାଚିଲା କଦଳୀ, ଇଉରିକ୍ ଏସିଡ୍ ବୃଦ୍ଧି ହୋଇ ଏହି ରୋଗ ଦେଖାଦେଇଥାଏ ।
ବାତଜ ଆମବାତରେ ସନ୍ଧି ସ୍ଥାନରେ ସୁଚିବିଦ୍ଧ ଭଳି ବେଦନା ଅଧିକ ହୋଇଥାଏ । ପିତଜ ଆମବାତରେ ସନ୍ଧି ସ୍ଥାନରେ ଅତ୍ୟଧିକ ଦାହ ଓ ଜ୍ଵର ଉପସ୍ଥିତ ହୋଇ ଶରୀର ରକ୍ତବର୍ଣ୍ଣ ହୁଏ । କଫଜ ଆମବାତରେ ଦେହ ଓଜନିଆ ଲାଗେ, ଓଦା ବସ୍ତ୍ର ପିନ୍ଧିବା ଭଳି ଅନୁଭୂତ ହୁଏ ଏବଂ ସନ୍ଧି ସ୍ଥାନରେ ପିଡି ସହିତ କଣ୍ଡୁ ଦେଖାଦିଏ । ତ୍ରିଦୋଷଜ ଆମବାତରେ ଉପରୋକ୍ତ ଲକ୍ଷଣ ସବୁ ମିଳିତ ଭାବେ ପ୍ରକାଶ ପାଇଥାଏ ଏବଂ ଆରୋଗ୍ଯ ପାଇଁ କଷ୍ଟସାଧ୍ୟ ହୋଇଥାଏ ।
ଏହି ରୋଗର ଝାଡା ସଫା ହେଉ ନ ଥିଲେ ପ୍ରଥମେ ଘୃତ ପଚିଶି ଗ୍ରାମ୍ କିମ୍ବା ଏକଗ୍ଲାସ୍ ଗୋ- ମୂତ୍ର ସହିତ ଜଡା ତେଲ ପଚିଶ ଗ୍ରାମ୍ ମିଶାଇ ପାନ କରାଇଲେ ଝାଡା ସଫା ହୋଇଥାଏ । ରୋଗୀର ଅଗ୍ନିମାନ୍ଦ୍ୟ ଥିଲେ ଉପବାସ କର୍ତ୍ତବ୍ୟ । କେବଳ ସିଝା ପାଣିରେ ଲେମ୍ବୁ ମିଶ୍ରି ସରବତ୍ ପାନ କରିବେ । କେବଳ ବାଲିରେ ପୋଟଳୀ କରି ବେଦନା ସ୍ଥାନରେ ଅଗ୍ନିସେକ ପ୍ରଦାନ କରିବା ଉଚିତ୍ । ଉପବାସପରେ ଭୋକ ହେଲେ ପିପ୍ପଳୀ, ଚାଇଁକାଠ, ପିପ୍ପଳାମୂଳ, ଚିତାପାରୁ ଶୁଣ୍ଠି ଏହି ପାଞ୍ଚଟି ଦ୍ରବ୍ୟ ସମଭାଗରେ ଆଣି ଚୂର୍ଣ୍ଣକରି ରଖିବେ । ଖାଦ୍ୟ ଗ୍ରହଣ ସମୟରେ ପ୍ରଥମେ ଏହି ଚୂର୍ଣ୍ଣରୁ ଦଶଗ୍ରମ୍ ବା ଦୁଇଚାମଚ ଖାଇ ଖାଦ୍ୟ ଖାଇବେ ଏବଂ ଖାଦ୍ୟରେ ଶୁଣ୍ଠି ମରିଚ, ପିପ୍ପଳୀ ରସୁଣ ଅଦା, ଚିରେଇତା, ନିମ୍ବପତ୍ର ଏଗୁଡିକ ଅଧିକ ମାତ୍ରାରେ ସେବନ କରିବା ଉଚିତ୍ ।
ଶୁଣ୍ଠି, ରସୁଣ ବେଗୁନିଆଁ ପତ୍ର ଓ ହରିଡା, ବାହାଡା, ଅଁଳା, ସମଭାଗରେ ନେଇ ଦରକୁଟା କରି ଆଠଗୁଣ ଜଳରେ ସିଝାଇ ଏକ ଚତୁର୍ଥାଂଶ ଜଳ ରହିଲେ ପାଚନ ଛାଣି ସେଥିରେ ସମାନ ଭାଗ ମିଶ୍ରି ମିଶାଇ ସାହେଗ୍ରମ୍ ମାତ୍ରାରେ ସକାଳ ସଂଧ୍ୟାରେ ଦୁଇବେଳା ସେବନ କାଲେ ଆମବାତ ନଷ୍ଟ ହୁଏ । ଏହା ଆମବାତର ଶ୍ରେଷ୍ଠ ପଚନ ଯୋଗ । ଏହାକୁ ଭୋଜନ ପୂର୍ବରୁ ସେବନ କରିବା ଉଚିତ୍ ।
ବାତ ପିତ୍ତ କଫି ଦୂଷିତ ହୋଇ ଏହି ରୋଗ ଭୟଙ୍କର ହୋଇଉଠିଲେ ଅଭିଜ୍ଞ ଆୟୁର୍ବେଦ ଚିକିତ୍ସକଙ୍କ ପରାମର୍ଶରେ ଔଷଧ ସେବନ କରିବା ଉଚିତ୍ । ଏଥିପାଇଁ ବହୁଶାସ୍ତ୍ରୀୟ ଔଷଧ ରହିଛି ଯାହାକୁ ରୋଗୀର ବଳ ବୟସ ଓ ଅବସ୍ଥାକୁ ଚାହିଁ ପ୍ରୟୋଗ କରାଯିବା ବିଧେୟ ।
ପୁରୁଣା ଚାଉଳର ଭାତ ବା ଗରମ ଅଟା ରୁଟି, କୋଳଥ ମୁଗ, ହରଡ ଡାଲି କଦଳୀ, ଆଳୁ ପୋଟଳ, ଡମିରି, କଲରା, ସଜନା ଛୁଇଁ, କନ୍ଦମୂଳ, ଆଡ ରସୁଣ ନିମବୁ ଧନିଆଁପତ୍ର କିମ୍ବା ଛେଳି, ପାରା ଓ କୁକୁଡା ମାଂସ ରସ, ସୁଜି ଉପମା, ହାଲୁଆ ପଥ୍ୟ କରିବେ । ଏହାଦ୍ଵାରାରୋଗୀଶୀଘ୍ରଆରୋଗ୍ୟ ହୋଇଥାଏ । ଆବଶ୍ୟକତା ଅନୁସାରେ ଉଷୁମ ପାଣିରେ ସ୍ନାନ ମାର୍ଜନ କରିବେ ଏବଂ ମାଛ, ଶୁଖୁଆ, ଅଣ୍ଡା, ସାରୁ ପୋଇ, ଦହି ଚୁଡା, ଗୁଡ, ପାଚିଲା କଦଳୀ ଅରୁଆ ବିରି ପିଠା, ଖାତା ମଦ୍ୟପାନ କରିବେ ନାହିଁ । ମଳମୂତ୍ରର ବେଗ ଧାରଣ କରିବେ ନାହିଁ କି ରାତି ଅନିଦ୍ରା ରହିବେ ନାହିଁ । ଅଧିକ ମାତ୍ରାରେ ଭୋଜନ କରିବେ ନାହିଁ କିମ୍ବା ଥଣ୍ଡା ଜଳବାୟୁ ସେବନ କରିବେ ନାହିଁ
ଓଡିଶା ଆୟୁର୍ବେଦ ସେବା ସଦନ
Last Modified : 1/26/2020