অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମେଧାବର୍ଦ୍ଧକ ଖାଦ୍ୟ

ମେଧାବର୍ଦ୍ଧକ ଖାଦ୍ୟ

ଉପକ୍ରମ

ଆଜିକାଲି ପରୀକ୍ଷାସର୍ବସ୍ଵ ଯୁଗ  । କୌଣସି ଚାକିରି, ପାଠ, ଖେଳକସରତ ଲାଗି ଶାରୀରିକ ଓ ମାନସିକ ବା ମେଧା ପରୀକ୍ଷା ଆବଶ୍ୟକ ହୋଇଥାଏ  । ଶରୀର ସୁସ୍ଥ ରଖିବା ପାଇଁ ଜୀବନଶୈଳୀ, ଯୋଗ, ପ୍ରାଣାୟମ, ସୁଷମ ଖାଦ୍ୟ ଉପରେ ଗୁରୁତ୍ଵ ଦିଆଯିବା ପରି ମେଧା ପାଇଁ ମେଧାବର୍ଦ୍ଧକ ଖାଦ୍ୟ ଓ ଔଷଧ ଗ୍ରହଣ କରାଯାଏ  । ଏହାକୁ ଡାକ୍ତରୀ ଭାଷାରେ ‘ନ୍ୟୁଟ୍ରୋପିକ୍’ କହନ୍ତି  । ନ୍ୟୁଟ୍ରୋପିକ୍ ମନେରଖିବା ଓ ଶିଖିବାର ଦକ୍ଷତା ବୃଦ୍ଧି କରେ, ପ୍ରତିକୂଳ ପରିସ୍ଥିତିରେ ମସ୍ତିଷ୍କକୁ କାର୍ଯ୍ୟକ୍ଷମ ରଖେ, ରାସାୟନିକ କ୍ଷତିରୁ ମସ୍ତିଷ୍କର ସୁରକ୍ଷା କରେ, ମସ୍ତିଷ୍କ କୋଷ ବା ନ୍ୟୁରନ୍ ଗୁଡିକର କାର୍ଯ୍ୟକାରିତା ଶକ୍ତି ବଢାଏ  । ଏହାର କୌଣସି ବିଷାକ୍ତ ଗୁଣ ନଥାଏ   । ଏଗୁଡିକ ମଣିଷକୁ ନିଦ୍ରାଗ୍ରସ୍ତ କରନ୍ତି ନାହିଁ  କି ଉତ୍ତେଜିତ କରନ୍ତି ନାହିଁ  ।

ମସ୍ତିଷ୍କରୁ ବିଭିନ୍ନ ପ୍ରକାର ରାସାୟନିକ ପଦାର୍ଥ କ୍ଷରଣ ହୋଇଥାଏ, ଯଥା- ନର୍-ଏପିନେ ଫ୍ରିନ, ସିରୋଟୋନିକ, ଡୋପାମାଇନ ଆଦି  । ଏଗୁଡିକ ଅସନ୍ତୁଳିତ ହେଲେ ମାନସିକ ଉଦବେଳନ, ଉତ୍ତେଜନା, ବିଷାଦ ଭଳି ଲକ୍ଷଣ ପ୍ରକାଶ ପାଏ  । ଫଳରେ ସାଧାରଣ ଜୀବନ ପ୍ରଭାବିତ ହୁଏ  । ମେଧାବର୍ଦ୍ଧକ ଖାଦ୍ୟ ଓ ଔଷଧ ଏହି ସମସ୍ୟାର ସମାଧାନ କରେ  ।

ମେଧାବର୍ଦ୍ଧକ ଖାଦ୍ୟ

ମାଛ, ଦୁଗ୍ଧ ଓ ଦୁଗ୍ଧଜାତ ଖାଦ୍ୟ, କଲିଜା, ଅକାଣ୍ଡିଆ ଚାଉଳ, ଚୋପାଥିବା ଗହମ, ଚର୍ବି ନଥିବା ମାଂସ, ଅଣ୍ଡା, ପାଳଙ୍ଗ ଶାଗ, ଡାଲି, ଚିଙ୍ଗୁଡି ମାଛ, କୋଳି, କଦଳୀ, ସବୁଜ ଚା’ ଓ କଫି, ଚିନାବାଦାମ, ଗଜାବୁଟ, ଗଜାମୁଗ, କାଜୁ, ପିଷ୍ଟାଚିଓ, ଆଭୋକାଡୋ, କଖାରୁ ମଞ୍ଜି, ହଳଦୀ, ଜିନ୍ ସେଙ୍ଗ, ଅଶ୍ଵଗନ୍ଧା, ଡାଲଚିନି ଇତ୍ୟାଦି  ।

ବିଶେଷକରି ସମୁଦ୍ର ମାଛ, ଇଲିଶି, ଖଅଙ୍ଗା, ପୋଟେଲ, ଭେକଟି, ୟୁରୋପୀୟ ମାଛ- ସାଲମନ, ମାକରେଲ, ସାର୍ଡାଇନ, ଟୁନା ଆଦି ମସ୍ତିଷ୍କ ପାଇଁ ଉପକାରୀ  । ମସ୍ତିଷ୍କର ଶତକଡା ପଞ୍ଚଷଠିଭାଗ ଫ୍ୟାଟି ଏସିଡ୍ ରେ ତିଆରି  । ଏସବୁ ମାଛରୁ ଓମେଗା ଥ୍ରୀ ଫ୍ୟାଟି ଏସିଡ୍  ବହୁ ପରିମାଣରେ ମିଳିଥାଏ  । ସବୁ ମାଛରେ ଏହା ଅଳ୍ପେ ବହୁତେ ଥିଲେ ମଧ୍ୟ ତେଲିଆ ମାଛରେ ଅଧିକ  । ମାଛର ଉପର ଚମଡା ନଫିଙ୍ଗି ଖାଇବା ଭଲ  ।

ଦୁଗ୍ଧ ସହିତ ଦୁଗ୍ଧଜାତ ବସାଦହି ପ୍ରୋ ବାୟୋଟିକ ଏବଂ ପ୍ରିବାୟୋଟିକର ପ୍ରାକୃତିକ ଉତ୍ସ  । ଏଥିରେ ଥିବା ଲାକ୍ଟୋବାସିଲସ୍ ଅନ୍ତନଳୀରେ ଏକାଧିକ ଭିଟାମିନ୍ କ୍ଷରଣ କରାଇଥାନ୍ତି ଯାଆ ଶରୀରକୁ ସୁସ୍ଥ ରଖେ  ।

ହଳଦୀ ମସ୍ତିଷ୍କରେ ଏକ ସ୍ଵତନ୍ତ୍ର ରାସାୟନିକ ପଦାର୍ଥ ବି.ଡି.ଏନ୍.ଏଫ୍ କ୍ଷରଣ କରିଥାଏ ଯାହା ମସ୍ତିଷ୍କ ସୁସ୍ଥ ରଖିବା ସହିତ ସ୍ମରଣ ଶକ୍ତି ବୃଦ୍ଧି କରାଏ  । ରାତିରେ ଶୋଇବା ବେଳକୁ ୧ଗ୍ଲାସ ଉଷୁମ କ୍ଷୀରରେ ୧ଚାମଚ ହଳଦୀଗୁଣ୍ଡ ଗୋଳାଇ ପିଇଲେ ସ୍ମରଣ ଶକ୍ତି ବୃଦ୍ଧି ହୁଏ  ।

ଏସବୁ ବାଦ୍ ବିଭିନ୍ନ ଔଷଧ ବାହାରିଲାଣି  । ଯେଉଁମାନେ ଖାଦ୍ୟ ଖାଇପାରୁନାହାନ୍ତି, ସେମାନେ ଔଷଧ ଖାଇପାରିବେ  । ଆୟୁର୍ବେଦରେ ମେଧାବୃଦ୍ଧି ପାଇଁ ବ୍ରାହ୍ମୀର ବର୍ଣ୍ଣନା କରାଯାଇଛି  । ଏହାକୁ ଉଦ୍ଭିଦ ବିଜ୍ଞାନ ଭାଷାରେ ‘ବାକୋପା ମନିଏର’ କହନ୍ତି  । ବ୍ରାହ୍ମୀ ଦୁଶ୍ଚିନ୍ତାର ସଙ୍କେତ ବା ଷ୍ଟ୍ରେସ ସିଗନାଲ କମାଏ  । ଅଶ୍ଵଗନ୍ଧା ସେହିଭଳି ଏକ ପ୍ରାକୃତିକ ଖାଦ୍ୟ  ।

ଚୀନା ଆୟୁର୍ବେଦରେ ଜିନ୍ ସେଙ୍ଗ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟବହୃତ ହୁଏ  । ସବୁଜ ଚା’ରେ ଥିଆନିଜ ନାମରେ ଏକ ପଦାର୍ଥ ରହିଛି  । ଏଣୁ ଏହାକୁ ପିଇଲେ ମନରେ ଆପେ ଶାନ୍ତ ଅବସ୍ଥା ସୃଷ୍ଟି ହୁଏ  । ଅଣ୍ଡା ଓ ସୋୟାବିନ୍ ରେ ଥିବା ଟାଇରୋସିନ ମେଧାବର୍ଦ୍ଧକ  । ମେଧାବୃଦ୍ଧି ଏକ ପ୍ରବାହମାନ ପ୍ରକ୍ରିୟା  । ଏହାକୁ ସବୁଦିନ, ସବୁ ସମୟରେ ଆହରଣ କରାଯାଇପାରେ  । ଛାତ୍ର ହୁଅନ୍ତୁ ବା ବୃଦ୍ଧ ବାରମ୍ବାର ବିଭିନ୍ନ ତଥ୍ୟ ମନେପକାଇବା ଭଳି ମସ୍ତିଷ୍କ ବ୍ୟାୟାମ କଲେ ମେଧାବୃଦ୍ଧି ହୋଇପାରିବ ଏବଂ ସ୍ମରଣଶକ୍ତି ଜନିତ କୌଣସି ସମସ୍ୟା ହେବନାହିଁ  ।

ସଂଗୃହୀତ – ଡାକ୍ତର ନିରଞ୍ଜନ ତ୍ରିପାଠୀ

Last Modified : 10/25/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate