ଆଖିର ଏ ରୋଗଟିକୁ ଆଲୁଅ ବୋଲି ଯେ କାହିଁକି କୁହାଯାଏ, କହିବା ମୁସ୍କିଲ ହେଲେ ଆଲୋକ ସହିତ ଏହାର ସମ୍ପର୍କ ଏପରି ଯେ, ଏ ରୋଗରେ ରୋଗୀ କିନ୍ତୁ ଆଲୁଅ ସମ୍ଭାଳି ପାରେନାହିଁ । ଛୋଟ ଛୋଟ ଘିମିରି ବା ତା’ଠାରୁ ବଡ ଉଦ୍ଭେଦ ଆଖି ପତାର ଧାରରେ ଉଠିଥାଏ ଓ ପ୍ରାୟତଃ ଖୁବ୍ ବ୍ୟଥାକରେ । ସାମାନ୍ୟ ଛୋଟରୁ ଆରମ୍ଭ ହୋଇ ଏହା ବଢେ ଓ ଶେଷରେ ଫାଟିଯାଏ । କେତେକ ମଧ୍ୟ ନଫାଟି ବସିଯାଏ ଓ ସେ ସ୍ଥାନରେ ତାହା ଟାଣ ହୋଇ ଦୀର୍ଘଦିନ ଧରି ରହି ଅସୁବିଧା ସୃଷ୍ଟିକରେ ।
ପଲସେଟିଲା – ୩୦ ଏହି ରୋଗର ମହୌଷଧି ବୋଲି ଧରାଯାଇଛି । ସ୍ତ୍ରୀ ଲୋକ ବା ଧୀର ସ୍ଥିର ସ୍ଵାଭାବର ଲୋକଙ୍କ ଆଖିରେ ଆଲୁଅ ପାଇଁ ଏହା ଭଲ କାମ କରେ । ତେବେ ଆଖିରେ ଆଲୁଅ ଉଠିବା ସମୟରେ ଆଖିରେ ଥଣ୍ଡାପାଣି ବା ଅନ୍ୟକିଛି ଥଣ୍ଡା ଜିନିଷ ଲଗାଇବା ପାଇଁ ଇଚ୍ଛା ହେବା ଓ ସେଥିରେ ବ୍ୟଥାର ସାମୟିକ ଉପଶମ ଅନୁଭବ କରିବା ଏହି ଔଷଧର ପରିଚାୟକ ଲକ୍ଷଣ । ମାତ୍ର ଏହାର ବିପରୀତ, ଅର୍ଥାତ୍, ବ୍ୟଥା ବହୁତ ଆଖିପତା ଅତ୍ୟଧିକ ସ୍ପର୍ଶକତାର ଓ ଉଷୁମ ସେକ ବା ହାପ୍ପା କଲେ ଉପଶମ ଅନୁଭବ କରିବା, ଆଲୁଅ ମୁହଁଟି ଧଳା ଦେଖାଯାଇ ଖୁବ୍ ଧକଧକ୍ କରୁଥିବା ଲକ୍ଷଣ ରେ ହିପାରସଲଫ – ୬ ହିଁ ନିର୍ଦ୍ଧିଷ୍ଟ । ଯଦି ତାହା ସୁଲୁସୁଲୁ ହେଉଥାଏ ଓ ରୋଗୀ ଖାଲି ଆଖିପତାକୁ ସାଉଁଳୁ ଥା’ନ୍ତି ଆରମ ପାଇବାକୁ, ତାହା ହେଲେ ମର୍କସଲ – ୬ । ପଲସେଟିଲା ଭଳି ବେଶି ବଥା ନଥିବ ଅଥଚ ଗରମ ଭଲ ଲାଗୁଥିବା ତାହା ହେଲେ ସାଇଲିସିଆ – ୬ ହିଁ କାମିକା ଔଷଧ । ଯେତେବେଳେ ଦେଖିବେ, ଆଲୁଅ ସହିତ ଆଖିପତା କୁଣ୍ଡାଇ ହେଉଥିବ ଓ ପତାରୁ ଟିକେ ଟିକେ ଚୋପା ଛାଡୁଥିବ, ଆଲୁଅ ଭିତରେ ବେଳେବେଳେ ଚିନ୍ ଚିନ୍ ମାରି ଦେଉଥିବ ତାହାହେଲେ ମେଜେରିଆମ – ୬ ନ ଦେଲେ ଆଉ କେଉଁଥିରେ ବି ତାହା ଶୁଣିବ ନାହିଁ । ଅନେକ ସମୟରେ ଦେଖିବେ ଆଲୁଅ ଗୁଡିକ ଗୋଟାକ ପରେ ଗୋଟାଏ ବାହାରୁଥିବେ, ଅଥଚ ପାଚୁ ନଥିବେ, ବସିଯାଇ ଗଣ୍ଠିପାଲଟି ରହି ଯାଇଥିବେ । ସେଥିପାଇଁ ଷ୍ଟାଫିସାଗ୍ରିଆ – ୨୦୦ ହିଁ ଔଷଧ । କେତେକ ଲୋକ ଅଛନ୍ତି ତାଙ୍କ ଆଖିରେ ଏ ଆଲୁଅ ସବୁ ଯେପରି ଲାଗିରହିଥାନ୍ତି, ଗୋଟାକପରେ ଗୋଟାଏ ଚାଲିଛି । ସେ କ୍ଷେତ୍ରରେ ମଧ୍ୟ ଷ୍ଟାଫିସାଗ୍ରିଆ ପ୍ରୟୋଜନ । ବିଶେଷ କରି ଯୁବାବୟସର ରୋଗୀ ହୋଇଥିଲେ ତ କଥା ନାହିଁ । ଯଦି ଆଲୁଅ ଗୁଡିକ ଖୁବ୍ ଛୋଟ ଛୋଟ ହୋଇ ଉଠୁଥିବ ଓ ଭୀଷଣ ବଥା କରୁଥିବ, ତାହାହେଲେ ଆର୍ଣ୍ଣିକା – ୨୦୦ ବା ୧୦୦୦ ଶକ୍ତିର ପ୍ରୟୋଗ କରିବେ । ଏ ସବୁ ସତ୍ତ୍ୱେ ରୋଗୀ ସାମୟିକ ଭାବରେ ଭଲ ହୋଇଗଲେ ମଧ୍ୟ ଏଭଳି ଆଲୁଅ ଉଠିବାର ପ୍ରବଣତା ତାଙ୍କଠାରେ ପ୍ରାୟତଃ ରହିଯାଉଥିବାର ଦୃଷ୍ଟି ଗୋଚର ହୁଏ । ସେତେ ପରିମାଣରେ ନ ଉଠିଲେ ମଧ୍ୟ ମଝିରେ ମଝିରେ ଆଖିପତା ଲାଲପଡି ଦରଜ ଲାଗେ ଓ କୁଣ୍ଡେଇ ହୁଏ । ସେଭଳି କ୍ଷେତ୍ରରେ ସଲଫର – ୨୦୦ ରୁ ପାନେ ଦୁଇପାନ ସକାଳୁ ଦିନେ ଦୁଇଦିନ ଦେବେ । ତାହାହେଲେ ଏ ପ୍ରବଣତା ଦୂର ହୋଇ ଯିବ ।
ଦୃଷ୍ଟିଶକ୍ତିର ଅସୁବିଧା ହେତୁ ମଧ୍ୟ, ଅନେକ ସମୟରେ ଆଲୁଅ ବାରମ୍ବାର ଉଠେ । ତେଣୁ ସୁବିଧା ଥିଲେ ଆଖିପରୀକ୍ଷା କରି ଚଷମାର ବ୍ୟବସ୍ଥା କରି ପାରନ୍ତି । ଏଥିରେ ଦେଖା ଯାଇଛି ବହୁ ସ୍ଥଳରେ, ଚଷମା ବ୍ୟବହାର ପରେ ଆଲୁଅ ଆଉ ଉଠେନାହିଁ ।
ସଂଗୃହୀତ – ଡାକ୍ତର କମଳାକାନ୍ତ କର
Last Modified : 6/21/2020