ଯେଉଁପରିପ୍ରେକ୍ଷୀରେ ଏହାର ଅବତାରଣା, ତାହାହେଉଛି କୌଣସି ବସ୍ତୁଦ୍ଵାରା ବାହାରୁ ଶରୀରର କୌଣସି ଅଙ୍ଗରେ ମାଡ ହେବାର ଅବସ୍ଥା । ତେଣୁ ଏହାର ପରିଣାମ ନିର୍ଭର କରୁଛି ଆଘାତପ୍ରାପ୍ତ ନିର୍ଦ୍ଧିଷ୍ଟ ଅଙ୍ଗ ବା ଅଂଶ ଓ ଆଘାତର ଶକ୍ତି ଉପରେ । ‘ପ୍ରତ୍ୟକ୍ଷ – ଶରୀର ବିଜ୍ଞାନ’ ଦୃଷ୍ଟିରୁ, ଶରୀର ବାହାରୁ ଭିତର ପର୍ଯ୍ୟନ୍ତ ଯେ ସବୁ ତନ୍ତୁରେ ଅଙ୍ଗପ୍ରତ୍ୟଙ୍ଗାଦି ସୃଷ୍ଟି ହୋଇଛି ତାହା କୋମଳ, ଜଟାକାର, କଠିନ ଓ ଅତିକୋମଳ ତନ୍ତୁମାନଙ୍କୁ ନେଇ । ଯଥା : ଚର୍ମ, ମାଂସପେଶୀ, ମାଂସରଜ୍ଜୁ, ସ୍ନାୟୁ, ଅସ୍ଥି ଆବରଣ, ଗ୍ରନ୍ଥି, ଅସ୍ଥି ଓ ଅତି କୋମଳ ପ୍ରାଣଧାରକ ଅଙ୍ଗପ୍ରତ୍ୟଙ୍ଗ । ପୁନଶ୍ଚ ଧାରୁଆ, ମୁନିଆ, ଦନ୍ଥରା ଓ ମୁଣ୍ଡା ଇତ୍ୟାଦି ଜିନିଷ ଦ୍ଵାରା ବିଭିନ୍ନ ପ୍ରକାରର ଆଘାତ ସୃଷ୍ଟି ହୋଇଥାଏ । ଏହିସବୁ ବିଭିନ୍ନ ଧରଣର ଅସ୍ତ୍ରଦ୍ଵାରା ଭିନ୍ନଭିନ୍ନ କିସମର ତନ୍ତୁଦ୍ଵାରା ଗଠିତ ଶରୀରାଂଶ ଉପରେ ଆଘାତଜନିତ ଫଳ ଭିନ୍ନ ଭିନ୍ନ ପ୍ରକାରର ଓ ତାହା ଉପରେ ଜୀବନ୍ତ ଶରୀରର ପ୍ରତିକ୍ରିୟା ଆନୁପାତିକଭାବରେ ମଧ୍ୟ ନାନାପ୍ରକାରର । ଏହିସବୁ ଦିଗକୁ ଲକ୍ଷ୍ୟରଖି ହୋମିଓପାଥି ଔଷଧର ବ୍ୟବହାର ନିର୍ଦ୍ଧିଷ୍ଟ ହୁଏ । ଯଥା : ମୁଣ୍ଡା ଜିନିଷଦ୍ଵାରା ଆଘାତ ପାଇଁ ଏକୋନାଇଟ, ଆର୍ଣ୍ଣିକା, ବୋଭିଷ୍ଟା, ଏସିଡସଲଫ, ସିମ୍ଫାଇଟମ୍ , ନ୍ୟାଟ୍ରମସଲଫ ଓ ରୁଟା ବ୍ୟବହାର ହେଲେ, ଧାରୁଆ ଅସ୍ତ୍ରଦ୍ଵାରା ଆଘାତପାଇଁ ଷ୍ଟାଫିସାଗ୍ରିୟା, ହାଇଫେରିକାମ୍, ଏଲିୟାମ ସିପା ଆଦି ପ୍ରୟୋଜନ । ମୁନିଆ ଜିନିଷଦ୍ଵାରା ଆଘାତ ହୋଇଥିଲେ ଲିଡମ, ହାଇପେରିକମ୍, ସାଇଲିସିଆ ଓ ଆନାଗାଲିସ କଥା ଚିନ୍ତା କରିବା ବିଧେୟ । ଦନ୍ଥରା ଜିନିଷ ହୋଇଥିଲେ ଆର୍ଣ୍ଣିକା, କାଲେଣ୍ଡୁରା, ହାଇପେରିକମ୍ କଥା ସବୁବେଳେ ମନେ ରଖିବା କଥା ।
ପୁନଶ୍ଚ ଆଘାତ ଦ୍ଵାରା ବାହ୍ୟଚର୍ମ ଅକ୍ଷତ ଥିଲେ ଏକୋନାଇଟ, ଆର୍ଣ୍ଣିକା, ବୋଭିଷ୍ଟା, ଏସିଡସଲଫ, ନ୍ୟାଟ୍ରମସଲଫ, ସିମ୍ଫାଇଟମ୍ ଓ ରୁଟା କଥା ଯେପରି ମନରେ ଆଣିବାକୁ ହେବ, କ୍ଷତ ହୋଇଥିଲେ ଏକୋନାଇଟ, ଆର୍ଣ୍ଣିକା, କାଲେଣ୍ଡୁରା, ହାଇପେରିକମ୍ ଓ ଲିଡମ ଆଦି କଥା ମଧ୍ୟ ସେହିଭଳି ଚିନ୍ତା କରିବାକୁ ପଡିବ ।
ମାଂସପେଶୀରେ ଆଘାତ ହୋଇଥିଲେ ଆର୍ଣ୍ଣିକା, ବୋଭିଷ୍ଟା, ଏସିଡସଲଫ କଥା ଯେପରି ଆମେ ଚିନ୍ତାକରୁ, ଜଟାକାର ତନ୍ତୁ ପାଇଁ ସେହିପରି ରସଟକ୍ସ ଓ ରୁଟା ଆଦି ଆଗ୍ରାଧିକାର ଭିତ୍ତିରେ ବ୍ୟବହାରର ପ୍ରୟୋଜନ ଆସିଥାଏ । ସ୍ନାୟୁଗତ ଆଘାତ ପାଇଁ ଏକୋନାଇଟ, ଏଲିୟାମସିପା, ଲିଡମ୍ ଓ ହାଇପରକାମ୍ ର ଯେପରି ତୁଳନା ନାହିଁ ସେହିପରି ଅସ୍ଥି ଆବରଣ ପାଇଁ ରୁଟା ଓ ଅସ୍ଥି ପାଇଁ ସିମ୍ପାଇଟମ ଭଳି ଔଷଧର ସ୍ଥାନାଧିକାର କରିବା ଭଳି ଔଷଧ କାହିଁ ? ଗ୍ରନ୍ଥି ର ଆଘାତ ପର ଅବସ୍ଥା ପାଇଁ କୋନିୟମ ଯେପରି ଅମୋଘ ମୁଣ୍ଡ ପାଇଁ ସେହିପରି ନେଟ୍ରାମସଲଫର ପଟ୍ଟାନ୍ତର ନାହିଁ । ହେଲେ ମଧ୍ୟ, ଆଘାତ ଯେତେବେଳେ ଶରୀର ଉପରେ ଏକ ବାହ୍ୟ ବସ୍ତୁର ସଙ୍ଘାତ, ତେଣୁ ଉପଯୁକ୍ତ ଆଲୋଚନା ପରିପ୍ରେକ୍ଷୀରେ ଆର୍ଣ୍ଣିକା ଓ ହାଇପରିକମ୍ ର ବ୍ୟବହାର ସବୁଠାରୁ ଅଧିକ ଓ ସ୍ଵତନ୍ତ୍ର । ସତେ ଯେପରି ଏହି ଦୁଇଟି ଔଷଧକୁ ଛାଡିଦେଲେ ହୋମିଓପାଥିକ ମତରେ ଆଘାତର ଚିକିତ୍ସା ହୋଇପାରେନା । କାରଣ, ଯେ କୌଣସି ଆଘାତ ପ୍ରଥମେ ଉପରିସ୍ଥ କୋମଳ ତନ୍ତୁ ଓ ସ୍ନାୟୁ ତନ୍ତୁକୁ କ୍ଷତିଗ୍ରସ୍ତ କରେ । କିନ୍ତୁ ବଡକଥା ହେଉଛି, ଆଘାତ ପରେ ଅନେକ ସମୟରେ ଶରୀରର ପ୍ରଥମ ପ୍ରତିକ୍ରିୟା ହେଉଛି Shock ବା ଆଘାତର ଅବସନ୍ନତା । ତେଣୁ, ଯାହାବା ଅବସ୍ଥା ଥାଉନା କାହିଁକି ଏକୋନାଇଟ – ୨୦୦ ରୁ ୨/୪ ପାନ ୧୫ ମିନିଟ୍ ଅନ୍ତରରେ ଦେବା ଉଚିତ ।
ଏକୋନାଇଟ ଠାରୁ Shuck ବା ଆଘାତପର ଅବସନ୍ନତା ପାଇଁ ଆଉ ଶକ୍ତିଶାଳୀ ଔଷଧ କିଛି ହୋଇପାରେନା ପ୍ରାଥମିକ ଅବସ୍ଥାରେ । ତାହାଛଡା ଆଖିଉପରେ ମାଡ ହେଲେ ଏହା ଯଦି ପ୍ରଥମରୁ ପ୍ରୟୋଗ କରନ୍ତି, ତାହାହେଲେ କୌଣସି ପ୍ରକାରର ଆଘାତଜନିତ ଚକ୍ଷୁ ପୀଡା ହେବାର ସମ୍ଭାବନାକୁ ସୁରୁଖୁରୁରେ ଏଡାଇ ଦେଇହେବ । ଏହାପରେ ଯଦି ଆକ୍ଷିପତା ବା ତାହାରି ଭିତର ଅଂଶରେ ମଲା ରକ୍ତ ଜମିଥିବ ବା ନେଳି ପଡିଥିବ ତାହାହେଲେ ଆର୍ଣ୍ଣିକା ହିଁ ଔଷଧ । ଏହା ସହିତ ମୁଣ୍ଡବିନ୍ଧା ରହି ଆଖି ବିନ୍ଧୁଥିଲେ ରୁଟା । ତଥାପି ଦରଜ ରହିଗଲେ ସିମ୍ପାଇଟମ ଦେଇ ଦେଖନ୍ତୁ ଆଖି ଡାକ୍ତରଙ୍କ ପାଖକୁ ଯିବାର ଆବଶ୍ୟକତା ରହିଛି କି ନାହିଁ ।
ଯେ କୌଣସି ଆଘାତ ପରେ ଯଦି ମଲା ରକ୍ତ ଜମି ଚର୍ମ ନେଳି ପଡି ଯାଇଥିବ ପ୍ରଥମେ ଆର୍ଣ୍ଣିକା ହିଁ ଦିଅନ୍ତୁ । ଦେଖିବେ ପ୍ରଥମେ ଦରଜ କମିଯାଇ ଧୀରେ ଧୀରେ ଚର୍ମ ପରିଷ୍କାର ହୋଇଯିବ । ଯଦି ଆଘାତ ବହୁତ ଜୋରଦାର ଧରଣର ହୋଇ ଭିତର ତନ୍ତୁଗୁଡିକର ମଧ୍ୟ କ୍ଷୟକ୍ଷତି ଘଟି ଦରଜଟା ଭିତରେ ମାଲୁମ ହେଉଥିବ ଓ ମଲା ରକ୍ତ ତଥାପି ରହିଥିବ ତାହାହେଲେ ସଲଫ୍ୟୁରିକ ଏସିଡ୍ ଦେବେ । ଏଥିସହିତ ଗୋଟିଏ କଥା କହି ରଖିବା ଉଚିତ ହେବ ଯେ, କେତେକ ଲୋକଙ୍କର ଧାତୁ ଏପତି ଯେ ସାମାନ୍ୟତମ ଆଘାତ ଲାଗିଲେ ମଧ୍ୟ ଦେହ ଉପରେ ଦାଗ ରହିଯାଏ, ଆଘାତର ଛାପ ରହିଯାଏ ଏବଂ ତାହା ଯିବାକୁ ଢେର ସମୟ ଲାଗେ । ଏ କ୍ଷେତ୍ରରେ ବୋଭିଷ୍ଟା (ଯାହାର ପ୍ରୟୋଗ ସାଧାରଣତଃ କେହି କରି ନ ଥାନ୍ତେ) ଦେଇ ଦେଖନ୍ତୁନା, ତାହାହେଲେ ହୋମିଓପାଥି କ’ଣ ତାହା ଅଙ୍ଗେ ଲିଭେଇବେ । ପୁନଶ୍ଚ କୌଣସି ଆଘାତରେ କ୍ଷତ ହେଲେ, ପ୍ରଥମେ ତାହାକୁ ହାଇପେରିକମ୍ Q ରେ ସଫାକରି ପଟ୍ଟି ବାନ୍ଧି ଦେବେ । ହାଇପେରିକମ୍ ର କ୍ରିୟା ବିଶେଷଭାବରେ ସ୍ନାୟୁ ତନ୍ତୁ ଉପରେ ହୋଇଥିବାରୁ ଏହାର ପ୍ରୟୋଗରେ ଆଘାତଜନିତ ବ୍ୟଥା ଅତିଶୀଘ୍ର ଦୂର ହେବା ସଙ୍ଗେ ସଙ୍ଗେ କ୍ଷତ ମଧ୍ୟ ଶୁଖିଯାଏ ।
ଅନେକ କାଲେଣ୍ଡୁରା Q ବ୍ୟବହାର କରିବାକୁ ଉପଦେଶ ଦିଅନ୍ତି । ଏହା କିନ୍ତୁ କୌଣସି କ୍ଷତରେ ପୂଜ ହେଲା ପରେ ହିଁ ବ୍ୟବହାର କରିବାର କଥା । ନଚେତ୍ ସଦ୍ୟ କ୍ଷତରେ ବ୍ୟବହାର କଲେ ପୂଜ ହେବାର ସମ୍ଭାବନା ଥାଏ । ପରୀକ୍ଷା କରି ଦେଖନ୍ତୁନା । ନିଜର ଅଭିଜ୍ଞତା ଠାରୁ ବଡ କଥା କିଛି ନାହିଁ ।
ଯଦି ଅଧିକ ରକ୍ତ କ୍ଷରଣ ହେଉଥାଏ କୌଣସି କ୍ଷତରୁ, ତାହାହେଲେ ଆମଲିକା Q ରେ କ୍ଷତ ଧୋଇ ଫେରମଫସ୍ – 3X ଚୂର୍ଣ୍ଣକୁ ତା ଉପରେ ଦେଇ ପଟ୍ଟି ବାନ୍ଧି ଦିଅନ୍ତୁ । ଦେଖିବେ ସବୁ ଠିକ୍ ଠାକ୍ ।
ଆଘାତ ବିଷୟରେ ଭାବିଲାବେଳେ ସାଧାରଣତଃ ମକଚି ଯିବା ବା ହଠାତ୍ ମୋଡି ହୋଇଯିବା କଥା ପ୍ରଥମେ ଆମ ଦୃଷ୍ଟିକୁ ଆସେ । ଏହାର ଚିକିତ୍ସା ମଧ୍ୟ ଠିକ୍ ସେହିଭଳି । ପ୍ରଥମେ ଆର୍ଣ୍ଣିକା ଖାଇବାକୁ ଦେବେ ସେଠାରେ ମଲା ରକ୍ତ ଜମିଯାଇ ନେଳି ପଡି ଯାଇଥିବ ଓ ଅଧକପ୍ ଶୀତଳ ଜଳରେ ୩୦ ଟୋପା ଆର୍ଣ୍ଣିକା Q ମିଶାଇ କନା ଭିଜାଇ ପଟ୍ଟି ବାନ୍ଧିଦେବେ । ବିଶେଷ ଭାବରେ କଟି ଓ ବଳାଗଣ୍ଠି ପାଇଁ ଲିଡିମପାଲର ଅନୁରୂପ ବ୍ୟବହାର ଶୀଘ୍ର ଉପଶମ ଦେବ । ଯଦି ଆଘାତ ସ୍ଥାନ ଫୁଲି ଯାଇଥାଏ ଓ ଉପଯୁକ୍ତ ଚିକିତ୍ସା ବିଶେଷ ଫଳଦାୟକ ନ ହୁଏ, ୨୪ ରୁ ୪୮ ଘଣ୍ଟା ପରେ ବ୍ରାୟୋନିଆ ଖାଇବାକୁ ଦିଅନ୍ତୁ । ଏହିସବୁ ଔଷଧ ୬-୨୦୦ ଶକ୍ତି ପର୍ଯ୍ୟନ୍ତ ୩-୪ ଘଣ୍ଟାରୁ ଆରମ୍ଭ କରି ୮ ଘଣ୍ଟା ଅନ୍ତରରେ ଅବସ୍ଥାଭେଦରେ ଦିଆଯିବା ଉଚିତ । ଏସବୁ ସତ୍ତ୍ୱେ ୧୦-୧୨ ଘଣ୍ଟା ମଧ୍ୟରେ ଯଦି ବ୍ୟଥା ଓ ଫୁଲା ନକମେ ବା ବଢେ, ତାହାହେଲେ X – Ray କରିନେବେ ଏବଂ ଯଦି ଦେଖନ୍ତି କୌଣସି ହାଡ ତଦ୍ଦ୍ଵାରା କ୍ଷତିଗ୍ରସ୍ତ ହୋଇଥାଏ (ସାମାନ୍ୟଠାରୁ ଆରମ୍ଭ କରି ସମ୍ପୂର୍ଣ୍ଣଭାବରେ ) ତାହାହେଲେ ସ୍ଥାନଟିକୁ ସଞ୍ଚାଳନରୁ ବନ୍ଦ ରଖିବା ପାଇଁ ପ୍ଲାଷ୍ଟର ପଟ୍ଟି ଦେବେ ଓ ସିମ୍ପାଇଟମ – ୬ ଦିନକୁ ୪ ଥର କରି ଖାଇବେ ଓ ମଝିରେ ମଝିରେ ହାଇପେରିକମ୍ – ୨୦୦ ରୁ ପାନେ ପାନେ ଦେବେ, ଦିନକୁ ଥରେ ବ ଦୁଇଥର ।
ଶେଷରେ ଗୋଟିଏ କଥା କହିବା ଜରୁରୀ ମନେକରେ । ଆଜିକାଲି ଯାନବାହନର ଯେଭଳି ଗତି ଓ ଆରୋହୀମାନଙ୍କର ମତୁଆଲା ଚାଳନା, ସେଥିରେ ତତଜନିତ ଆଘାତର ମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି । ତେଣୁକରି ସର୍ବଦା ନିକଟରେ ଏକୋନାଇଟ – ୨୦୦ ଓ ଆର୍ଣ୍ଣିକା – ୨୦୦ର ଦୁଇଟି ଶିଶି ଡ୍ରାଇଭିଂ ଲାଇସେନସ ଭଳି ପାଖରେ ରଖିଥିବେ । କୌଣସି ଦୁର୍ଘଟଣା ଘଟିବା ସଙ୍ଗେସଙ୍ଗେ ପ୍ରତି ପନ୍ଦର ମିନିଟରେ ଏକୋନାଇଟ – ୨୦୦ ରୁ ୪/୫ଟି ଗୁଳି ୪ ଥର ଖାଇନେବେ ଓ ତାହାପରେ ପ୍ରତି ପନ୍ଦର ମିନିଟରେ ଆର୍ଣ୍ଣିକା – ୩୦ ରୁ ୪ ଥର ଖାଇ କୌଣସି ବିଶେଷଜ୍ଞଙ୍କର ପରାମର୍ଶ ଲୋଡିବେ । କାରଣ ଏଭଳି ଦୁର୍ଘଟଣାରେ ମସ୍ତିସ୍କ ଆଘାତର ସମ୍ଭାବନା ହିଁ ଅଧିକ ।
ଏଥିସହିତ ସାଧାରଣ ଜ୍ଞାତବ୍ୟପାଇଁ କେତେକ ଔଷଧର ଆଘାତ କ୍ଷେତ୍ରରେ ଉପଯୋଗୀ ବିଶିଷ୍ଟ ଲକ୍ଷଣ ପ୍ରଦାନ କରାଗଲା :
ସଂଗୃହୀତ – ଡାକ୍ତର କମଳାକାନ୍ତ କର
Last Modified : 6/21/2020