ଆଜି କାଳିକାର ପାରିପାର୍ଶ୍ଵିକ ଅବସ୍ଥା, ଚଳଣି, ଖାଦ୍ୟପେୟ, କାର୍ଯ୍ୟରଚାପ ଓ ମାନସିକ ବ୍ୟସ୍ତତା କାରଣରୁ କମ୍ ବୟସର ଲୋକମାନଙ୍କୁ ଯେତେବେଳେ ଏହା ବହୁଳ ଭାବରେ ଆକ୍ରମଣ କରୁଛି, କିଡନି, ଲିଭର ବା ହାର୍ଟର କୌଣସି ତ୍ରୁଟି ନଥିଲେ ମଧ୍ୟ, ବୟସ୍କମାନଙ୍କ କଥା କ’ଣ ବା କହିବା । ସ୍ଵାଭାବିକ ଭାବରେ ତ ସେମାନଙ୍କର ଏ ବୟସରେ ତନ୍ତୁଗତ କଠିନତା ବୃଦ୍ଧି ହେତୁ ଧମନୀମାନଙ୍କର ନମନିୟତତା ହ୍ରାସ ହୋଇ ରକ୍ତ ସଞ୍ଚାଳନର ଚାପ ବଢି ଯାଇଥାଏ । ତେଣୁ କରି ମାନସିକ ଉତ୍ତେଜନା, ଚାପ ବା ଟେନସନ୍ ଓ କାର୍ଯ୍ୟଭାର ଯେତେ ଲାଘବ କରାଯାଇପାରେ ତା’ର ବ୍ୟବସ୍ଥାକରି ଅତ୍ୟଧିକ ତେଲ ବା ଚର୍ବି, ଲୁଣ ଓ ମସଲା ଦିଆ ଖାଦ୍ୟକୁ କମାଇ ଖାଦ୍ୟ ସହିତ ନିୟମିତ ଚଲହା ବା ଘୋଳଦହି ଖାଇ, ସ୍ୱଳ୍ପ ଅଥଚ ନିୟମିତ କାୟିକ ପରିଶ୍ରମ କରୁଥିଲେ ଏହି ରୋଗକୁ ଆୟତ୍ତରେ ରଖାଯାଇପାରେ ।
ଏ ସବୁ ସତ୍ତ୍ୱେ ଯଦି ରକ୍ତଚାପ ୧୫୦/୧୦୦ ରୁ ସର୍ବଦା ଅଧିକ ରାହୁଥାଏ, ତାହା ହେଲେ ନିମ୍ନଲିଖିତ ଔଷଧ ଅବସ୍ଥା ଭେଦରେ ବ୍ୟବହାର କରିବା ଉଚିତ ।
ରାଉଲଫିଆ ସର୍ପେଣ୍ଟାଇନା Q : ଏହା ଉଚ୍ଚରକ୍ତଚାପ ପାଇଁ ବ୍ୟବହାର ହେଉଥିବା ଏକ ନୀତିଦିନିଆ ଔଷଧ । ଏହା ମାନସିକ ଉତ୍ତେଜନାକୁ ଲାଘବ କରି ଭଲ ନିଦ କରାଇଥାଏ । ଏହା ବିଶେଷଭାବରେ କୌଣସି ଯାନ୍ତ୍ରୀକତ୍ରୁଟି ଜନିତ (କିଡନି, ଲିଭର ଇତ୍ୟାଦି ଦୋଷରୁ) ଉଚ୍ଚ ରକ୍ତଚାପରେ ବ୍ୟବହାର ନ ହୋଇ, ମାନସିକ ଉତ୍ତେଜନା, କାର୍ଯ୍ୟଭାର ଓ ଅନିଦ୍ରାଜନିତ କାରଣରୁ ହୋଇଥିବା ଉଚ୍ଚରକ୍ତ ଚାପରେ ହିଁ ଭଲ ଫଳ ଦିଏ । ଏହି ଔଷଧର ମୂଳ ଅର୍କ ବା ମଦରଟିଞ୍ଚର (Q) ବୟସ ଓ ଅବସ୍ଥା ଭେଦରେ ୧୦ ଟୋପାରୁ ୩୦ ଟୋପା ପର୍ଯ୍ୟନ୍ତ ଦିନରେ ଥରକରୁ ତିନିଥର ପର୍ଯ୍ୟନ୍ତ ବ୍ୟବହାର କରାଯାଇ ପାରେ । ଏହା ଏକ ଭାରତୀୟ ଔଷଧ ହୋଇଥିବାରୁ ଆମ ଦେଶର ପରିସ୍ଥିତିରେ ଆମ ଲୋକଙ୍କ ଉପରେ କାର୍ଯ୍ୟକାରୀ ଗୁଣ ଚମତ୍କାର ବୋଲି କହିବା ସ୍ଵାଭାବିକ ।
ପାସିଫ୍ଲେରା ଇନକାରନାଟା Q : ଏହା ମଧ୍ୟ ରାଉଲଫିଆ ଭଳି ଅତ୍ୟଧିକ ମାନସିକ ଉତ୍ତେଜନା ସହିତ ନିଦ୍ରାହୀନତା ହୋଇ ରକ୍ତଚାପ ବଢିଗଲେ ବ୍ୟବହାର କରାଯାଏ । ଏଥିରେ କିନ୍ତୁ କାର୍ଯ୍ୟଚାପ ହେତୁ ବ୍ୟସ୍ତତା ଓ ଅସ୍ଥିରତା ବେଶି ଦେଖାଯାଏ ଓ ତତ୍ ସହିତ ଶାରୀରିକ ଓ ମାନସିକ କ୍ଳାନ୍ତି ମଧ୍ୟ ଅଧିକ ଅନୁଭୂତ ହୁଏ ଓ ତା ସଙ୍ଗେ ସଙ୍ଗେ ପାଲପିଟେସନ୍ ବା ଛାତି ଧଡଧଡ ପ୍ରାୟତଃ ଲାଗିରହେ ।
ଗ୍ଲୋନାଇନ-୬ ରୁ ୨୦୦ : ଉଚ୍ଚରକ୍ତଚାପ ସହିତ ସାଘାଂତିକ ମୁଣ୍ଡବ୍ୟଥା ଥିଲେ ମନ୍ତ୍ରବତ କମ କରେ । ଏହି ‘ସାଘାଂତିକ’ ଶବ୍ଦଟିକୁ ଖିଆଲରେ ରଖିବାକୁ ହେବ । ମୁଣ୍ଡବ୍ୟଥା ଏପରି ସାଘାଂତିକ ଯେ ମୁଣ୍ଡ ଉପର ଖପୁରି ସତେ ଯେପରି ଫାଟିଯିବ ଏପରି ମନେ ହୁଏ । ମୁଣ୍ଡ ଭିତରେ ଧମନୀ ଗୁଡିକ ଧକ୍ ଧକ୍ କରି ନାଡୀ ସହିତ ସମତାଳରେ ଚାଲିଲା ଭଳି ପରିଷ୍କାର ଜଣା ପଡୁଛି ବୋଲି ରୋଗୀ କମ୍ପଲେନ କରେ । ସିଧା ସଳଖ ଖରାରେ ଠିଆ ହେବା ପରେ ଏଭଳି ଅବସ୍ଥା ଆସିଥିଲେ, ଏହାକୁ ଅବିଳମ୍ବେ ବ୍ୟବହାର କରିବାର କଥା । ମାତ୍ର ଗୋଟିଏ କଥା ମନେରଖନ୍ତୁ, ଏହି ପ୍ରବଳ ମୁଣ୍ଡବଥାରେ ଯଦି ରୋଗୀ ଖୁବ୍ ଅସ୍ତବ୍ୟସ୍ତ ହୋଇ ପଡୁଥା’ନ୍ତି ଓ ନିଶ୍ଚିତ ମୃତ୍ୟୁ ବୋଲି ଧାରଣା କରି ଭୟ ବିହଳିତ ହୋଇ ପଡନ୍ତି ତାହାହେଲେ ଆକୋନାଇଟ ଟ୨୦୦ ଶକ୍ତିର ପ୍ରତି ୨/୩ ଘଣ୍ଟାରେ କେତେପାନ ଦେଇ ଅବସ୍ଥାର ଉନ୍ନତି ହେବା ପରେ ଗ୍ଲୋନୋୟନ ଦେବେ ।
ଯେ କୌଣସି ଆଲୁଅ ବା ଶବ୍ଦ ଅତ୍ୟନ୍ତ ଅସହ୍ୟ ବୋଧହେଉଥିବ ସତେ ଯେପରି ତାହା ମୁଣ୍ଡଭିତର ଧମନୀ ଗୁଡିକ ଅଧିକ ତୀବ୍ର ଭାବରେ ଚାଲିବାରେ ସାହାଯ୍ୟ କରୁଛି ; ମୁହଁଟା ଲାଲ୍ ଦେଖାଯାଉଥିବ ; ବିଶେଷ କରି ଡାହାଣ ପଟ ମୁଣ୍ଡ ବିନ୍ଧୁଥିବ, ତାହାହେଲେ ବେଲାଡୋନା ଉଚ୍ଚ ଶକ୍ତି ପ୍ରତି ୨/୩ ଘଣ୍ଟାରେ ଦିଅନ୍ତୁ । ହଠାତ୍ କୌଣସି କାରଣରୁ, ଭୟ ବା କୌଣସି ପ୍ରକାରର ମାନସିକ ସ୍ତମ୍ଭନ ପାଇଁ ଯଦି ରକ୍ତଚାପ ବଢିଯାଏ ଓ ରୋଗୀ ମୃତ୍ୟୁ ଆଶଙ୍କାରେ ଭୟଭୀତ ହୋଇ ପଡେ ତାହାହେଲେ ଏକୋନାଇଟ – ୨୦୦ ର ପୁନଃପୁନଃ ପ୍ରୟୋଗ ତୁରନ୍ତ ଉପଶମ ଆଣିବ ।
କେତେକ କ୍ଷେତ୍ରରେ ଦେଖିବେ, ବ୍ଲଡପ୍ରେସର ମାପର ଉପର ଓ ତଳ ଦୁଇ ମାନ ଭିତରେ ଅତିବେଶି ଅସାମଞ୍ଜସ୍ୟତା ଦେଖାଯାଉଛି ; ଧରନ୍ତୁ ଉପର ୧୮୦ ହେଲାବେଳକୁ ତଳଟି ରହିଛି ୯୦ ବା ୮୦ ବା ଉପର ୧୨୦ ଥିଲାବେଳେ ତଳଟା ୫୦ ବା ୧୦୦ ; ତାହାହେଲେ ବାରାଇଟାମ୍ୟୁର ୩୦ – ୨୦୦ ଶକ୍ତିର ପ୍ରତିଦିନ ଥରେ ଦୁଇଥର କରି ଖାଇଲେ ଏହା ଦୂର ହୋଇଯାଇଥାଏ ।
ହଠାତ୍ ପ୍ରେସର ବଢିଗଲେ ଆମିଲନାଇଟ୍ରେଟ Q ରୁମାଲରେ ୫-୧୦ ଟୋପା ପକାଇ ଶୁଙ୍ଘାଇଲେ ବ୍ଲଡପ୍ରେସର ତୁରନ୍ତ କମିଯିବାର ଦେଖାଯାଏ । ଏଲିଆମସାଟିଲା Q ରୁ ୨୦-୩୦ ଟୋପା ସାମାନ୍ୟ ପାଣିରେ ମିଶାଇ ଖାଇଲେ ୩୦ – ୪୫ ମିନିଟ ମଧ୍ୟରେ ରକ୍ତଚାପ କମିଯିବା କଥା ଡା :ବୋରିକ୍ କହିଛନ୍ତି । ସେହିଭଳି ଭେରାଟ୍ରମଭିରିଡି – ୬ ଶକ୍ତିର ଔଷଧକୁ ପାଣିରେ ପକାଇ ପ୍ରତି ପନ୍ଦର ମିନିଟରେ ଏକ ଚାମୁଚ କରି ଦେଲେ ମଧ୍ୟ ରକ୍ତଚାପ ତୁରନ୍ତ କମିଆସିବାର ଦେଖାଯାଏ । ତେବେ ଏଲିୟାମସାଟିଲା ସାମିଶାହାରିଙ୍କ ପକ୍ଷରେ ଭଲକାମ କରୁଥିବା ଅଭିଜ୍ଞତାରୁ ଜଣାଯାଏ । ଭେରାଟ୍ରମଭିରିଡିର ପ୍ରୟୋଗ କ୍ଷେତ୍ର ହେଉଛି, ଯେତେବେଳେ ରୋଗୀ ତା’ର ଶରୀରର ସବୁଆଡେ ଧମନୀର ସ୍ପନ୍ଦନ ଅନୁଭବ କରୁଥିବେ ଓ ଜିଭରେ ଧଳା ବା ହଳଦିଆ ବୋଳ ସହିତ ଜିଭ ମଝିରେ ଉପରୁ ତଳକୁ ଗୋଟିଏ ନାଲି ଦାଗ ରହିଥିବ । ବେକ ପଛପଟ ବ୍ୟଥା ପାଇଁ ମୁଣ୍ଡ ତୋଳି ଧରିବାରେ କଷ୍ଟ ହେବା ମଧ୍ୟ ଏହାର ଏକ ଲକ୍ଷଣ ।
ସେ ଯାହାହେଉନା କାହିଁକି ରକ୍ତଚାପ ଯଦି ହଠାତ୍ ଖୁବ୍ ବଢିଯାଏ ଏବଂ ସ୍ୱଳ୍ପସମୟ ମଧ୍ୟରେ ନ କମେ, ତାହାହେଲେ ଯଥାଶୀଘ୍ର ବିଶେଷଜ୍ଞଙ୍କ ପରାମର୍ଶ ଲୋଡିବା ଆବଶ୍ୟକ, ନଚେତ୍ ଅନେକ ମାରାତ୍ମକ ଜଟିଳତା ମଧ୍ୟକୁ ରୋଗୀ ଚାଲିଯାଇ ପାରେ ।ସଂଗୃହୀତ – ଡାକ୍ତର କମଳାକାନ୍ତ କର
Last Modified : 6/21/2020