“ଜ୍ଵର ତ ଜ୍ଵର ସେ ପୁଣି ଟାଇଫଏଡ ” । ନାଁ ଶୁଣିଲା ମାତ୍ରେ ସମସ୍ତେ ଯେପରି ଭୀତତ୍ରସ୍ତ ତା’ର ସାଘାଂତିକ ପରିମାଣକୁ ଚିନ୍ତାକରି । କିନ୍ତୁ ଏ ସବୁ ଅବସ୍ଥା ପାଇଁ ସାଧାରଣ ଲୋକଙ୍କଠାରୁ ଆରମ୍ଭକରି ସ୍ୱାସ୍ଥ୍ୟସେବାରେ ନିଯୁକ୍ତ ସବୁ ସ୍ତର ଓ ବିଭାଗର କର୍ମଚାରୀମାନେ ହିଁ ଦାୟୀ ।
ଦୂଷିତ ଖାଦ୍ୟପାନୀୟ ଜରିଆରେ ଏ ଜ୍ଵର ବ୍ୟାପିଥାଏ । ତେଣୁ ପରିବେଶକୁ ପ୍ରଦୂଷଣମୁକ୍ତ ରଖିବା ଆମ ସମସ୍ତଙ୍କର ପ୍ରଥମ କର୍ତ୍ତବ୍ୟ । ଏଥିରେ ସାମାନ୍ୟତମ ଅବହେଳାପାଇଁ ଏକକାଳୀନ ବହୁଲୋକ ଏଥିରେ ଆକ୍ରାନ୍ତ ହେବେ ।
ଦ୍ଵିତୀୟ କଥା ହେଉଛି, ଟାଇଫଏଡ ଜ୍ଵରଟି ପ୍ରଥମରୁ ହିଁ ଟାଇଫଏଡ । ଠିକଣା ସମୟରେ ଉପଯୁକ୍ତ ଚିକିତ୍ସା ନ କଲେ ତା’ର ଯେଉଁ ଜଟିଳତା ପ୍ରକାଶ ପାଇବ, ସେଥିରେ ବିବ୍ରତ ହେବାର ଯଥେଷ୍ଟ କାରଣ ରହିଛି । ଏହାର ଜଟିଳତା ପାଇଁ ଆମେ ସମସ୍ତେ ଦାୟୀ । ଜ୍ଵର ହେବା ସଙ୍ଗେ ସଙ୍ଗେ ତା’ର ପରିପ୍ରକାଶକୁ ଅପେକ୍ଷା ନ କରି ପ୍ରଥମରୁ ନିଜେ ନିଜେ ଡାକ୍ତର ସାଜି, ଆଲକାପାଇରିନ, ତା’ର ବିଫଳତାରେ ମ୍ୟାଲେରିଆ ବଟିକା, ନ ହେଲେ ଆଣ୍ଟିବାୟୋଟିକ ଘଟିତ ଔଷଧ ଦେଇ ଦେଉ । ହୋମିଓପାଥି ଜାଣିଥିଲେ ଏକୋନାଇଟରୁ ଆରମ୍ଭକରି ଆହୁରି କେତେ କେତେ ଔଷଧ ଘନ ଘନ ପରିବର୍ତ୍ତନ କରି ନିରାଶ ହେବା ପରେ ଡାକ୍ତର ପାଖକୁ ବା ଡାକ୍ତରଖାନାକୁ ଯାଉ ।
ସେ ଯାହା ବା ହେଉ, ଜ୍ଵର ହେବାପରେ ପ୍ରଥମେ ଦିନେ ଦୁଇଦିନ ଔଷଧ ନ ଦେଇ ସାଧାରଣ ଉପଚାର କରି, ବେଶି ଜ୍ଵରରେ ମୁଣ୍ଡରେ ପାଣିପଟି ଦେଇ, ଖାଦ୍ୟପାନୀୟକୁ ନିୟନ୍ତ୍ରଣ କରି, ଅପେକ୍ଷାକରି, ଲକ୍ଷଣ ଅନୁସାରେ ଔଷଧ ଦେଲେ ଖୁବ୍ କମ୍ ସମୟରେ ରୋଗୀ ସୁସ୍ଥ ହେବ । ଭାଇରାଲ ଫିଭର ହେଉ, ମ୍ୟାଲେରିଆ ହେଉ ବା ଟାଇଫଏଡ ହେଉ, ଯେଉଁ ଜ୍ଵର ହେଲେ ମଧ୍ୟ ତା’ର ଲକ୍ଷ୍ୟର ପ୍ରକାଶ ପାଇବ ନିର୍ମଳ ଭାବରେ । କୌଣସି ଜ୍ଵର ସହିତ ଅନ୍ୟ କୌଣସି ଜ୍ଵରର ଆଦୌ ମେଳ ନାହିଁ । ଔଷଧ ମଧ୍ୟ ବିଭିନ୍ନ ଅବସ୍ଥା ପାଇଁ ଅଲଗା ଅଲଗା । ଧୈର୍ଯ୍ୟ ହରାଇଲେ ପ୍ରଥମରୁ , ଶେଷକୁ ଅବସ୍ଥା ଜଟିଳ ହେବ ନାହିଁ ତ ଆଉ କ’ଣ ?
ହୋମିଓପାଥି ଏକ ସରଲା ଚିକିତ୍ସା ପଦ୍ଧତି । ଲକ୍ଷଣସବୁ ନିର୍ମଳଭାବରେ ଥିଲେ ପ୍ରଥମରୁ ଗୋଟାଏ ଦୁଇଟା ଔଷଧରେ ଦିନେ ଦୁଇଦିନ ମଧ୍ୟରେ ଆରାମ । ଆଖିବୁଜି ତ ଆକୋନାଇଟ ଚଲେଇଲେ ହେବ ନାହିଁ ।
ଯଦି ପ୍ରଥମରୁ ଦେହହାତ ଘୋଳିବିନ୍ଧି ହୋଇ ବ୍ୟସ୍ତ ଲାଗୁଥିବ, ଶୀତ ଶୀତ ହୋଇ ଜ୍ଵର ଘୁମୁସେଇ ରହୁଥିବ ଓ ସନ୍ଧ୍ୟାବେଳକୁ ବଢୁଥିବ, ଜିଭରେ ମଇଳା ଜମିଥିବ ଅଥଚ ଜିଭ ଅଗ ଓ ଧାର ଲାଲ ଦେଖା ଯାଉଥିବ, ତାହାହେଲେ ରସଟକ୍ସ ନ ଦେଇ ଯେତେ ଆକୋନାଇଟ ଦେଲେ କ’ଣ ଜ୍ଵର କମିବ ? ଆକୋନାଇଟ ଲକ୍ଷଣରେ ମୋତେ ଟାଇଫଏଡ ଲକ୍ଷଣର ମେଳ ହୋଇପାରିବ ନାହିଁ । ଯଦି ଆଖିବୁଜି ଦିଅନ୍ତି ତାହାହେଲେ କେଶ୍ ଖରାପ ହୋଇଯିବ । ଯଦି ଟାଇଫଏଡ ହୋଇଥିବ ଓ ରୋଗୀ ରସଟକ୍ସ ଦରକାର କରୁଥିବ ମୂଳରୁ ତା’ହେଲେ ଦେଖିବେ ସେ ରୋଗୀ ଘୂମନ୍ତ ଅବସ୍ଥାରେ ଖାଲି ଯାବତୀୟ ଶାରୀରିକ ପରିଶ୍ରମ, ନଚେତ୍ ନଈ ପହଁରିବା, ଡଙ୍ଗାରେ ଆହୁଲାମାରି ପାରି ହେବା, ଏଭଳି ସ୍ଵପ୍ନ ନିଶ୍ଚୟ ଦେଖିବେ । ଏହାକୁ ୨୦୦ ଶକ୍ତିରେ ଦିନକୁ ୪ ଥର କରି ବ୍ୟବହାର କରିବେ । ମାତ୍ର ଯଦି ରୋଗୀ ଚୁପଚାପ ପଡି ରହିଥିବ , ଓଠ ପାଟି ଶୁଖିଯାଇ ଓଠରୁ ଚୋପା ଛାଡୁଥିବ, ବହୁସମୟ ବ୍ୟବଧାନରେ ଗୁଡାଏ ଲେଖାଏ ପଣି ପିଇବାକୁ ଇଚ୍ଛା କରୁଥିବ, ସାଂଘାତିକ ମୁଣ୍ଡବ୍ୟଥା ସାଙ୍ଗକୁ ଝାଡା ମଧ୍ୟ ଖୁବ୍ କବଜ ଥିବ – ମୋଟା ଶୁଖିଲା ଲଣ୍ଡଝାଡା ହେଉଥିବ ବା ମୋଟେ ଝାଡାର ବେଗ ନ ଥିବ । ଜ୍ଵର ବଢିଲେ ରୋଗୀ ବାଉଳି ହେବ ଖାଲି ଘରକୁ ଯିବା ପାଇଁ ; ନିଜ ଘରେ ରହିଥିଲେ ମଧ୍ୟ । ତାହାହେଲେ ବ୍ରାୟୋନିଆ – ୨୦୦ ଦିନକୁ ୪ ଥର ଲେଖାଏଁ ଦେଇ ଧୈର୍ଯ୍ୟଧରି ରହିବେ । ୨/୩ ଦିନରେ ଜ୍ଵର ସ୍ଵାଭାବିକ ହୋଇଯିବ ।
ଅପର ପକ୍ଷରେ ବ୍ରାୟୋନିଆ ଭଳି ପଡି ରହିଥିବ ମାତ୍ର ମାନସିକ ଅବସାଦ ବେଶି ଥିବ । ଦେହ ମୁଣ୍ଡ ଦରଜ, ତାହାହେଲେ ଆର୍ଣ୍ଣିକା ବା ବାପଟିସିଆ ଲାଗିବ । ଉଭୟ ରୋଗୀଙ୍କର ଦେହ ମୁଣ୍ଡ ଏପରି ଦରଜ ଯେ ଯେତେ ନରମ ଶେଯ ଶୋଇବାକୁ ଦେଲେ ମଧ୍ୟ ଯେଉଁ କଡ ମାଡକରି ଶୋଇବେ ସେ କଡ ଖୁବ୍ ଦରଜ ହୋଇଯିବ । ସେତେ ଯେପରି ଖୁବ୍ ଟାଣ ଶେଯ ବା ଖାଲି ତକ୍ତପୋଶ ଉପରେ ରୋଗୀ ଶୋଇଛନ୍ତି । ଜ୍ଵର ଯଦି ବେଶିଦିନର ହେଲାଣି , ତେବେ ଆର୍ଣ୍ଣିକା ରୋଗୀକ୍ଷେତ୍ରରେ ଦେଖିବେ ପେଟ ଓ ଦେହର ବିଭିନ୍ନ ଜାଗାରେ କଳା କଳା ଦାଗ ରହିଛି ସତେ ଯେପରି ମଲାରକ୍ତ ସବୁ ଚମ ତଳେ ଜମି ରହିଛି । ମାନସିକ ଅବସାଦ ଏତେ ବେଶି ଯେ ରୋଗୀ ଅନେକ ସମୟରେ ଅଘୋର ଅବସ୍ଥାରେ ପଡି ରହୁଛନ୍ତି ଓ ସେ ସମୟରେ ଡାକିଲେ ଓ ପଚାରିଲେ କିନ୍ତୁ ଠିକ୍ ଉତ୍ତର ଦେଇ ପୁଣି ଅଘୋର ଅବସ୍ଥାରେ ପଡି ରହୁଛନ୍ତି । ଝାଡା ଖୁବ୍ ଦୁର୍ଗନ୍ଧ ଓ ଅନେକ ସମୟରେ ଶେଯରେ ଝାଡା ହୋଇଯାଏ ।
ବାପ୍ଟିସିଆ ରୋଗୀଙ୍କର ମଧ୍ୟ ଏଭଳି ଅବସ୍ଥା । ଠିକ୍ ଆର୍ଣ୍ଣିକା ଭଳି ଦେହ ଦରଜ, ଦୁର୍ଗନ୍ଧ ଝାଡା ଓ ପରିସ୍ରା । ମାନସିକ ଅବସାଦ ଖୁବ୍ ଶୀଘ୍ର ଆସେ । ରୋଗୀକୁ ଯଦି କିଛି ପ୍ରଶ୍ନ କରାଯାଏ ତାହାହେଲେ ଅଧା ଉତ୍ତର ମଧ୍ୟରେ ରୋଗୀ ଶୋଇପଡନ୍ତି । ରୋଗୀ ବାଉଳା ଅନେକ ସମୟରେ ବାଉଳି ହୁଅନ୍ତି ଓ ମନେକରନ୍ତି ସତେ ଯେପରି ତାଙ୍କର ଅଙ୍ଗପ୍ରତ୍ୟଙ୍ଗ ସବୁ ଅଲଗା ଅଲଗା ହୋଇଯାଇଛି ଏବଂ ସେ ସବୁକୁ ଏକାଠି କରିବାକୁ ଚାହାନ୍ତି । ଏସବୁ ଟାଇଫଏଡ ରୋଗୀର ସାଂଘାତିକ ଅବସ୍ଥାର ଲକ୍ଷଣ ଓ ଚିକିତ୍ସାର ଅଣହେଳାରୁ ଏପରି ହୁଏ । କିଛି ଅଧୀର ନ ହୋଇ ବାପ୍ଟିସିଆ – ୬ ବା ୩୦ ପ୍ରତି ୩/୪ ଘଣ୍ଟାରେ ପାନେ ଲେଖାଏଁ ଦେଲେ ଦୁଇଦିନରେ ରୋଗୀର ଅବସ୍ଥା ବଦଳି ଯାଏ ।
ଆର୍ଶେନିକ ଆଲବମ୍ ମଧ୍ୟ ଏଭଳି ଦୁର୍ଗନ୍ଧଯୁକ୍ତ ଝାଡା ହେଉଥିବା ଟାଇଫଏଡ ଜ୍ଵରରେ ବ୍ୟବହାର ହୁଏ । ରସଟକ୍ସ ଭଳି ଏ ରୋଗୀ ଖାଲି ବ୍ୟସ୍ତ ଓ ଅସ୍ଥିର ହେଉଥିବେ । ଜିଭରେ ମଇଳା ଓ ପାଟି ଦୁର୍ଗନ୍ଧ । ପାଟି ଶୁଖି ଶୁଖି ଯାଉଥିବ ଅଥଚ ଟିକିଏ ଟିକିଏ ପାଣି ବାରମ୍ବାର ପିଉଥିବେ । ଜ୍ଵର ଦ୍ଵିପ୍ରହର ଓ ରାତି ଦ୍ଵିପ୍ରହର (୧୨ ଟାରୁ ୨ ଟା ଭିତରେ ) ଘଡି ଧରିଲା ଭଳି ବଢୁଥିବ ଓ ସବୁ ଲକ୍ଷଣର ବୃଦ୍ଧି ଘଟୁଥିବ । ରୋଗୀ ମନରେ ଭୟ ହେଉଥିବ ସତେ ଯେପରି ସେ ଆଉ ଏଥିରୁ ଭଲ ହୋଇପାରିବନି ଓ ମୃତ୍ୟୁ ତା’ର ସୁନିଶ୍ଚିତ ।ଆର୍ଶେନିକ ଆଲବମ୍ – ୬ – ୨୦୦ ଅବସ୍ଥା ଘେନି ଘଣ୍ଟାରୁ ୮ ଘଣ୍ଟା ତଫାତରେ ଦିଅନ୍ତୁ । ଆଉ କୌଣସି ଔଷଧ ଲାଗିବ ନାହିଁ ଓ ରୋଗୀ ୨/୩ ଦିନରେ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇଯିବ ।
ଟାଇଫଏଡରେ ପାଇରୋଜେନକୁ ଭୁଲିବାର ନୁହେଁ । ପ୍ରବଳ ଜ୍ଵର, ହଠାତ୍ ବଢିଯାଉଥିଲେ ଓ ଶରୀରର ସର୍ବାଙ୍ଗ ଦରଜ ହୋଇ ରହିବା ହେତୁ ଶଯ୍ୟାରେ ସ୍ଥିର ହୋଇ ନ ରହୁଥିଲେ, ଝାଡା, ପରିସ୍ରା, ଝାଳ ସବୁ ଅତ୍ୟନ୍ତ ଦୁର୍ଗନ୍ଧଥିଲେ ; ଝାଳ ବୋହୁଥିଲେ ମଧ୍ୟ ଜ୍ଵରର କୌଣସି ଫରକ ନ ପଡୁଥିଲେ, ନାଡିର ଗତି ଅତି ପ୍ରବଳ ବା ଜ୍ଵର ସହିତ ଏହାର କୌଣସି ତାଳ ମେଳ ନ ଥିଲେ ; ଜ୍ଵର ବଢିବା ସହିତ ଘନଘନ, ନିର୍ମଳ ଯଥେଷ୍ଟ ପରିସ୍ରା ହେଉଥିଲେ ପାଇରୋଜେନ ବ୍ୟତୀତ ଅନ୍ୟ କେଉଁ ଔଷଧ ଲାଗିବ କହନ୍ତୁ ନା ? ଆର୍ଶେନିକ ଏ ଅବସ୍ଥାରେ ମୃତ୍ୟୁଭୟ ଓ ସେଥିପାଇଁ ବ୍ୟସ୍ତତା ସାଙ୍ଗକୁ ମୁହୁର୍ମୁହୁ ଢୋକେ ଢୋକେ ମାତ୍ର ପାଣି ପିଇବା ସହିତ ଶୀତକାତରରେ ଘୋଡି ହୋଇ କୁକୁଡ଼ାକୁଣ୍ଡଳି ଭଳି ପଡିରହିବାର ଯେ ଦୃଶ୍ୟ, ତାହା କ’ଣ ପାଇରୋଜେନ ସହିତ ମେଳ ଖାଇବ ? ଆର୍ଶେନିକ ଶାରୀରିକ ଅବସନ୍ନତା ଓ ମାନସିକ ଅସ୍ଥିରତାର ଏକ ସୁନ୍ଦର ମିଶ୍ରଣ ଅବସ୍ଥା ।
ଏସିଡଫସ୍ ମଧ୍ୟ ଏକ ନିଚ୍ଛକ ଟାଇଫଏଡ ଜ୍ଵରରେ ଭାରି ଭଲ କାମ କରେ । ଜ୍ଵର ଧୀରେ ଧୀରେ ବଢୁଥିବା ସହିତ ଶାରୀରିକ ଦୁର୍ବଳତା ଓ ମାନସିକ ଅବସାଦ ଯଦି ସମତାଳରେ ବଢି ଚାଲିଥିବ ତାହାହେଲେ ଏହା ଏକ ଉତ୍ତମ ଔଷଧ । ରୋଗୀ ଆର୍ଣ୍ଣିକା ଓ ବାପ୍ଟିସିଆ ପରି ଅଘୋର ଅବସ୍ଥାରେ ପଡିରହିଥାଏ, ମାତ୍ର ଥରେ ଉଠେଇ ଦେଲେ ବେଶ୍ ସଜ୍ଞାନ ହୋଇ ଉଠେ ଏବଂ ଧୀରେ ଧୀରେ ଯେପରି ସବୁ ବୁଝିବାକୁ ଚେଷ୍ଟା କରେ । ପେଟରେ ବାୟୁ ଜମେ, ଜିଭ ଓ ଦାନ୍ତରେ ଶୁଖିଲା ମଇଳା ଜମେ, ଓଠ କଳା ଦେଖାଯାଏ, ଅନେକ ସମୟରେ ନାକରୁ ରକ୍ତ ପଡେ, ଝାଡାରେ ରକ୍ତ ପଡିବା ମଧ୍ୟ ଦେଖାଯାଏ । ଏସିଡଫସ୍ – ୬ – ୩୦ ଏ କ୍ଷେତ୍ରରେ ୪/୬ ଘଣ୍ଟାରେ ପାନେକରି ଦେଇ ଦେଖନ୍ତୁ କେତେ ଶୀଘ୍ର ରୋଗୀ ଆରୋଗ୍ୟଲାଭ କରୁଛନ୍ତି ।
ପେଟରେ ବାୟୁ ଜମୁଥିବ, ବିଭିନ୍ନ ସ୍ଥାନରୁ ରକ୍ତକ୍ଷରଣ ହେଉଥିବ, କାଳିଚିଆ ରକ୍ତ, ପାଣିଫଟା, ଜମା ଜମାଟ ବାନ୍ଧୁ ନ ଥିବ । ଓଠ, କାନ ଓ ଚମ ନୀଳ ଦେଖାଯାଉଥିବ, ରୋଗୀର ଯେପରି ଦମ୍ ବନ୍ଦ ହୋଇଯାଉଛି, ଶ୍ଵାସ ପ୍ରଶ୍ଵାସ ନେବାରେ ଭୀଷଣ କଷ୍ଟ, ଆତୁରରେ ଖାଲି ପଙ୍ଖା କରିବାକୁ ଇଙ୍ଗିତ ଦେଉଛନ୍ତି । ଦେହରେ ଥଣ୍ଡା ଝାଳ ଓ ଆଣ୍ଠୁରୁ ତଳକୁ ଗୋଡ ଦିଓଟି ଥଣ୍ଡା । ସମସ୍ତ ଆଶା ଭରସା ତୁଟି ଗଲାଣି, କାନ୍ଦ ବୋବାଳି ପଡିଲାଣି – ଥରେ କାର୍ବୋଭେଜ -୩୦ ବା ୨୦୦ ଦେଇ ଚେଷ୍ଟା କରନ୍ତୁ ନା ପ୍ରତି ୨/୩ ଘଣ୍ଟାରେ ଥରେ । ବ୍ୟସ୍ତ କାହିଁକି, ଅବସ୍ଥା ବଦଳି ଯାଇପାରେ ।
ସଂଗୃହୀତ – ଡାକ୍ତର କମଳାକାନ୍ତ କର
Last Modified : 6/21/2020