অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପଶୁ ରୋଗ ପାଇଁ ହୋମିଓପାଥି ଚିକିତ୍ସା

ଉପକ୍ରମ

ହୋମିଓପାଥି    ଚିକିତ୍ସା   ଯେ  କେବଳ  ଅର୍ଥନୈତିକ  କାରଣର   ସୀମିତ  ସମ୍ବଳର   ଅନୁକୂଳ  ତାହା  ନୁହେଁ, ଏହା  ଯେ  ନିର୍ଦ୍ଧିଷ୍ଟଭାବରେ  ରୋଗ  ଆରୋଗ୍ୟ   କରିବାରେ  ସକ୍ଷମ, ଏହା  ପ୍ରତିଷ୍ଠିତ  । ପଶୁମାନଙ୍କ  କ୍ଷେତ୍ରରେ  ହୋମିଓପାଥି   ଔଷଧ  ନିର୍ଣ୍ଣୟ   ମନୁଷ୍ୟମାନଙ୍କ   ଅପେକ୍ଷା  କମ୍  ଆୟାସସାଧ୍ୟ  । ଏ  ସମ୍ପର୍କରେ   ବିଖ୍ୟାତ  ଡା: କେଣ୍ଟଙ୍କର   ଏକ  ଉକ୍ତି ପ୍ରଣିଧାନଯୋଗ୍ୟ  । ସେ  କହିଛନ୍ତି “ରୋଗ  କ୍ଷେତ୍ରରେ  ହିଁ  ବାସ୍ତବ   । କାରଣ  କୌଣସି  ଏକ   ଔଷଧର  ଆଂଶିକ   ସାଦୃଶ୍ୟରେ  ଏକ  ପଶୁରୋଗୀ   ଆରୋଗ୍ଯ   ଲାଭ  କରିପାରେ,  ମାତ୍ର  ମନୁଷ୍ୟ   କ୍ଷେତ୍ରରେ  ଔଷଧ  ନିରୂପଣ   କରିବାକୁ  ହେଲେ  ଅତି   ସୂକ୍ଷ୍ମଭାବରେ  ଔଷଧଗୁଡିକର   ବୈଶିଷ୍ଟ୍ୟଗତ   ପ୍ରଭେଦ  କରିବାକୁ  ପଡିଥାଏ   ।”

ପଶୁଚିକିତ୍ସା  କ୍ଷେତ୍ରରେ  ହୋମିଓପାଥିର  ପ୍ରୟୋଗ

ପଶୁଚିକିତ୍ସା  କ୍ଷେତ୍ରରେ  ହୋମିଓପାଥିର  ପ୍ରୟୋଗ   ସମ୍ପର୍କରେ   ସମ୍ଭବତଃ  ଏକ  ପ୍ରଶ୍ନ  ମନ  ମଧ୍ୟରେ   ଉଦ୍ରେକ  ହୁଏ   । ହୋମିଓପାଥିକ  ଡାକ୍ତର  ମାନଙ୍କର   ନାନାବିଧି   ପ୍ରଭେଦାତ୍ମକ   ପ୍ରଶ୍ନର  ଉତ୍ତର  ଦେବାକୁ   ପଶୁମାନେ  ସକ୍ଷମ  ନ  ହେଉଥିବାରୁ  ନିର୍ଭୁଲ  ଔଷଧ  ପ୍ରୟୋଗ  କରିବା  ହୁଏତ  ସମ୍ଭବ  ହେବ  ନାହିଁ   । ମାତ୍ର  ଡାଃ : ଜେ. ହାର୍ଣ୍ଣଡାଲ  M.R.C.V.S.  ଙ୍କ  ମତାନୁସାରେ  “ଜଣେ  ଅଭିଜ୍ଞ   ପଶୁଡାକ୍ତରଙ୍କ   ନିକଟରେ  ପଶୁମାନେ   ସେମାନଙ୍କର  ବାହ୍ୟ   ଲକ୍ଷଣଦ୍ଵାରା   ନିର୍ଦ୍ଧିଷ୍ଟ  ରୋଗର   ଚାରିତ୍ରିକ  ଲକ୍ଷଣ  ପ୍ରକାଶ  କରିବାକୁ  ସକ୍ଷମ  ।” କୌଣସି  କଷ୍ଟକର  ପୀଡାର  ନିର୍ଦ୍ଧିଷ୍ଟ  ସ୍ଥାନ , ତା’ର  ହ୍ରାସବୃଦ୍ଧି  ଓ  ଆନୁସଙ୍ଗିକ  ଲକ୍ଷଣ  ପଶୁରୋଗୀର  ସ୍ଵଭାବ,  ଲକ୍ଷଣ  ତଥା  ଡାକ୍ତରଙ୍କର  ପର୍ଯ୍ୟବେକ୍ଷଣ  ଓ  ପରୀକ୍ଷା  ଦ୍ଵାରା  ନିର୍ଦ୍ଧାରଣ  କରିବା  ଖୁବ୍  ସହଜ   । ସୁତରାଂ   ଲକ୍ଷଣର   ସ୍ୱଳ୍ପତା  ବା  ପଶୁଜାତିର   ନିର୍ବାକତା   ହୋମିଓପାଥିକ  ଔଷଧ  ବିଚାର  ପାଇଁ  କୌଣସି  ପ୍ରକାରେ  ଅସୁବିଧାର  କାରଣ  ନୁହେଁ   ।

ପୁନଶ୍ଚ  ଏ  ଚିକିତ୍ସା  କ୍ଷେତ୍ରରେ  ହୋମିଓପାଥିକ  ଔଷଧର   ସ୍ୱଳ୍ପମାତ୍ରାସମ୍ପର୍କିତ   ଧାରଣା  ମଧ୍ୟ   କିୟତ  ପରିମାଣରେ   ସନ୍ଦେହ  ସୃଷ୍ଟି  କରିଥାଏ   ।  ହୋମିଓପାଥିକ  ଚିକିତ୍ସା  ପଦ୍ଧତି   ଜଡବାଦର   ଉର୍ଦ୍ଧ୍ଵରେ   ପ୍ରତିଷ୍ଠିତ   ହୋଇଥିଆ  ହେତୁ  ଔଷଧର   ପରିମାଣଗତ   ମାତ୍ରାର   ବିଚାର  ଏକ  ଅଳୀକ  ପ୍ରଶ୍ନ   । କେବଳ  ଏ  କ୍ଷେତ୍ରରେ   ଏତିକି  ଜାଣିବା  ଯଥେଷ୍ଟ  ହେବ  ଯେ, ପଶୁମାନଙ୍କର  ମାନସିକ  ଅଭିବୃଦ୍ଧି  ସ୍ଥୂଳ   ହୋଇଥିବାରୁ  ଔଷଧର  ସୂକ୍ଷ୍ମଶକ୍ତି   ସେମାନଙ୍କ  କ୍ଷେତ୍ରରେ   ପ୍ରୟୋଗ  ନ କରି   ସ୍ଥୂଳଶକ୍ତି  ବ୍ୟବହାର  କରିବା  ଅଧିକ   ଯୁକ୍ତିସମ୍ମତ   ହୋଇପାରେ   । ତେଣୁ  ହୋମିଓପାଥିକ   ଔଷଧର  Q  ଠାରୁ  ଆରମ୍ଭ  କରି  ୩୦ ଶକ୍ତି  ପର୍ଯ୍ୟନ୍ତ  ବ୍ୟବହାର   ଯଥେଷ୍ଟ   ।

ହୋମିଓପାଥି    ସମ୍ପର୍କରେ  ଏହି  ସାମାନ୍ୟ  ତଥା  ସ୍ଥୂଳଜ୍ଞାନର   ପରିପ୍ରେକ୍ଷୀରେ   ଆମ୍ଭେମାନେ  ବର୍ତ୍ତମାନ  ଗୋ – ମହିଷାଦିଙ୍କର  ଗୋଟିଏ  ଅତ୍ୟନ୍ତ  ସାଧାରଣ  ଅଥଚ  ଆମ  ଅର୍ଥନୀତି  ଉପରେ  ଯଥେଷ୍ଟ  ପ୍ରଭାବ  ପକାଉଥିବା   ରୋଗ  ଉପରେ  ବିଚାର  କରିବା   ।  ଏହି  ଭଳି  ଭାବରେ  ଅନ୍ୟାନ୍ୟ  ରୋଗମାନଙ୍କ  ପାଇଁ   ଜଣେ   ହୋମିଓପାଥି  ଚିକିତ୍ସକ   ନିଜର  ଚିକିତ୍ସା  ଖସଡା   ତିଆରି  କରିପାରିବେ   ।

ଗୋ – ରୋଗ ର ଲକ୍ଷଣ ଓ ଚିକିତ୍ସା

ବର୍ଷା  ଋତୁ  ଚାଷକାର୍ଯ୍ୟ  ପାଇଁ  ଚାଷୀକୂଳକୁ   ଯେତେ  ଅନୁକୂଳ  ହେଲେ  ମଧ୍ୟ,  ଆମ  ଦେଶର  ଚାଷୀଙ୍କର  ପୂର୍ଣ୍ଣନିର୍ଭର  ହଳବଳଦ   ପାଇଁ   କିନ୍ତୁ   ବିଶେଷ   ପ୍ରତିକୂଳ   । ଏହି  ଋତୁରେ   ସବୁଠାରୁ  ବିଶେଷ  କଷ୍ଟକର  ତଥା   କ୍ଷତିକର   ଗୋ – ରୋଗ   ହେଉଛି  ଫାଟୁଆ,  ଚହୁଆ  ବା  F.M.D.   ।

ଫାଟୁଆ  ରୋଗ  ଏପରି  ଏକ  ସଂକ୍ରାମକ   ରୋଗ  ଯେ,  ତାହା  ଥରେ   ଦେଖାଦେଲେ   ଅତି  କମ୍  ସମୟ  ମଧ୍ୟରେ  ଏପରି  ବ୍ୟାପକ   ଆକାର   ଧାରଣ  କରେ  ଯେ,  ଚାଷୀକୂଳରେ  ହାହାକାର  ପଡିଯାଏ  । ଗୋରୁ – ଗାଈ  କେବଳ  ଖୁଣ୍ଟରେ  ବନ୍ଧାହୋଇ   ରହନ୍ତି  ଏବଂ   ଏ   ରୋଗର   ପ୍ରଭାବ  ବହୁଦିନ  ସ୍ଥାୟୀ   ।  ରୋଗର   ପ୍ରାରମ୍ଭିକ   ପ୍ରଖରତା  ଊଣା   ହୋଇଗଲେ   ମଧ୍ୟ  ରୋଗୀ  ବହୁଦିନ   ପର୍ଯ୍ୟନ୍ତ  ଅର୍ଦ୍ଧ  ଅକର୍ମଣ୍ୟ   ହୋଇ   ରହିଯାଆନ୍ତି,  ଫଳରେ  ଚାଷକାର୍ଯ୍ୟରେ   ପ୍ରଭୁତା  କ୍ଷତିସାଧନ   ହୋଇଥାଏ  ।

ଏ  ରୋଗର  ପ୍ରଥମାବସ୍ଥାରେ  ଜ୍ଵର, ମୁହଁରେ  ତଥା  ଖୁରାରେ  ସ୍ଫୋଟକ  ଓ  ପ୍ରବଳ   ଲାଳ   ନିର୍ଗମନ  ହୋଇଥାଏ   । ପରେ  ସେହି  ସ୍ଫୋଟକଗୁଡିକ  କ୍ଷତରେ  ପରିଣତ  ହୋଇ  ଚଳପ୍ରଚଳ   କରିବାରେ  ବିଶେଷ  କଷ୍ଟଦାୟକ  ହୋଇଥାଏ   । ଫଳରେ  ବଳଦ  ଚାଷକାର୍ଯ୍ୟକୁ   ଅକ୍ଷମ   ହୁଏ  ଓ  କୃଷକର   ଆର୍ଥିକାବସ୍ଥାକୁ  ଦୋହଲାଇ  ଦିଏ   ।

ଏ  ରୋଗର  ପ୍ରତିଷେଧକ  ଟୀକା  ବର୍ତ୍ତମାନ  ତିଆରି  ହୋଇଥିଲେ  ମଧ୍ୟ  ତା’ର   ଫଳପ୍ରଦ  କାର୍ଯ୍ୟକାରିତା   ସମ୍ପର୍କରେ  ସଠିକ  ଓ  ନିର୍ଭୁଲ  ପ୍ରାମାଣିକ  ଅଭିଜ୍ଞତା  ଅର୍ଜନ  କରାଯାଇପାରି  ନାହିଁ   । ଏହାର  କାରଣ  ଏ  ରୋଗ  ସୃଷ୍ଟି  କରୁଥିବା   ଭୂତାଣୁ  ଏକାଧିକ  ଜାତିର  ଓ  କେଉଁ  ସମୟରେ  କେଉଁ  ଜାତିର  ଭୂତାଣୁ  ଦ୍ଵାରା  ରୋଗ  ହେଉଅଛି  ସଠିକ୍ ଜାଣିବା  ସମ୍ଭବପର  ହେଉ  ନାହିଁ   । ଗ୍ରାମୀୟଭାବରେ  ଗୋରୁର  ଲାଳ  ସୁସ୍ଥ  ଗୋରୁଙ୍କଠାରେ  ଲଗାଇ  ସାମୟିକ  ରୋଗ  ନିରୋଧ  କରିବାରେ  ମଧ୍ୟ  ସମ୍ପୂର୍ଣ୍ଣ  ସଫଳତା  ମୌଳିକ  ଔଷଧ,  ଅପେକ୍ଷାକୃତ   ସ୍ୱଳ୍ପ  ମୂଲ୍ୟର  ନାହିଁ   କହିଲେ  ଭୁଲ  ହେବ  ନାହିଁ   । ଏଭଳି  କ୍ଷେତ୍ରରେ   ହୋମିଓପାଥିକ  ଅଉସଦାହ  ମୂଲ୍ୟ  ଓ  ସ୍ୱଳ୍ପ  ମାତ୍ରାରେ   ଯଥେଷ୍ଟ  ଆଶାଜନକ  ଫଳଦେବ  ।

ଏହି  ରୋଗର  ଅବସ୍ଥାନୁସାରେ   ନିମ୍ନଲିଖିତ  ସାମାନ୍ୟ  କେତୋଟି  ଔଷଧର  ଉଚିତ  ପ୍ରୟୋଗରେ  ଯଥାଶୀଘ୍ର   ଅଧିକାଂଶ   କ୍ଷେତ୍ରରେ  ଆରୋଗ୍ୟ   ପ୍ରଦାନ   କରିପାରିବ   । ଉକ୍ତ   ଔଷଧଗୁଡିକରେ  ନିର୍ଦ୍ଦେଶିତ  ଲକ୍ଷଣାନୁସାରେ  ଯେ  କୌଣସି  ଗୋଟିଏ   ଔଷଧ  ରୋଗର   ଅବସ୍ଥା  ନେଇ  ୩/୪ ଘଣ୍ଟାରେ  ପାନେଠାରୁ  ଆରମ୍ଭ  କରି  ଦିନକୁ  ଏକପାନ  ହିସାବରେ  ପ୍ରୟୋଗ  କରାଯାଇପାରେ  ।

ଔଷଧ ପ୍ରୟୋଗ

ଔଷଧଗୁଡିକ  ନିମ୍ନଲିଖିତ   ଅନୁପାତରେ  ପ୍ରୟୋଗ କରାଯାଇପାରେ   ।

Q ୫/୧୦  ଟୋପା  ଅଧକପ୍   ପାଣିରେ   ମିଳାଇ  ଏକପାନ   ହିସାବରେ  ଦିଆଯାଇପାରେ   ।

ଅନ୍ୟ  ଶକ୍ତିର  ଔଷଧ  (୩ ରୁ ୩୦) ତରଳ  ହୋଇଥିଲେ  ୧/୨ ବୁନ୍ଦା  ବଟିକା  ହୋଇଥିଲେ  ୫/୧୦ ଟି  ବଟିକାକୁ  ଏକପାନ  ବୋଲି  ଧରି  ନିଆଯାଇପାରେ   ।

ଫାଟୁଆ  ରୋଗ  ପାଇଁ  ବ୍ୟବହାର   ଉପଯୋଗୀ   ଔଷଧ  :

ବେଲାଡୋନା

ରୋଗର  ପ୍ରହମାବସ୍ଥାରେ,  ଅତ୍ୟଧିକ  ଜ୍ଵର,  ଆଖି  ଲାଲ୍  ଓ ଲୋତକପୂର୍ଣ୍ଣ,  ପାଟି  ଭିତର  ଖୁବ୍  ଲାଲ୍  ଓ  ଲାଳୁଆ,  ନିସ୍ତେଜତା  ଅଥଚ  ସାମୟିକ  ପ୍ରଚଣ୍ଡତା, ଖୁରାରେ  ମାଟି  ଖୋଳିବା  ଓ  ରହି  ରହି  ଖୁବ୍  ଜୋରରେ  ରଡି  କରିବା   ।

ରସଟକ୍ସ

ଖୁବ୍  ଛଟପଟ    କରିବା,  ଗୋତୁ  ଖାଲି  ଉଠୁଥିବ,  ଶୋଉଥିବ,  ଅବିରତ  ଏହିପରି  ବ୍ୟସ୍ତତା  ପ୍ରକାଶ  କରୁଥିବ   । ଜ୍ଵର,  ପାଟି  ଓ  ଖୁରାରେ   ଫୋଟକା – ସତେ  ଯେପରି  ଚିଆଁ  ଲାଗିଯାଇଛି ; ବାରମ୍ବାର  ହାଇ  ମାରୁଥିବ  ।

ଆର୍ଶେନିକ  ଏଲବମ

ଜ୍ଵର  ବ୍ୟସ୍ତତା ଥିବ  ଅଥଚ  ଫୋଟକାଗୁଡିକ  ଫାଟି  କ୍ଷତରେ  ପରିଣତ  ହୋଇଯାଇଥିବ,  ଖୁବ୍  ଦୁର୍ଗନ୍ଧଯୁକ୍ତ  ପୂଜ  ସ୍ରାବ  ହେଉଥିବ   । ପାଟିରେ  ଥିବା  କ୍ଷତଗୁଡିକ   କଳା  ଦେଖାଯାଉଥିବ  ଓ  ପାଟିରୁ  ଲାଳ  ବୋହୁଥିବ, ସର୍ବଦା  ରୋଗୀର   ପିପାସା  ଥିବ,  ବାରମ୍ବାର  ଓ  ଅଳ୍ପ  ଅଳ୍ପ  ପାଣି  ପିଉଥିବ   । ଦିନ  ବାରାତି  ୧/୨ ଟା ସମୟରେ  ରୋଗୀ   ଖୁବ୍  ଛାଟିପିଟି   ହୋଇ  ରୋଗବୃଦ୍ଧିର   ଲକ୍ଷଣ  ପ୍ରକାଶ  କରୁଥିବ   ବିକଳ  ଚିତ୍କାର  କରି   ।

ଏହି  ଔଷଧ  ଶତକଡା  ୮୦ ଭାଗ   ଉପେକ୍ଷିତ   ରୋଗୀଙ୍କୁ   ଆରୋଗ୍ୟ   କରିବାର  ଯଶ  ଲାଭ କରିଅଛି   ।

ମର୍କସଲ :

ଏହା  ମଧ୍ୟ  ରୋଗର  ପରିଣତ  ବା  ଉପେକ୍ଷିତ   ଅବସ୍ଥାରେ  କାମରେ  ଲାଗେ   । ରୋଗୀର  ପାଟିରୁ  ଲାଳସ୍ରାବ  ବହୁତ, ପାଟିର  କ୍ଷତଗୁଡିକ  ବଡ  ଓ  ମନେହୁଏ  ସେଗୁଡିକର  ଚର୍ବି   ବୋଳା  ହୋଇଛି   । ବହୁ  ପରିମାଣରେ  ପାଣି  ପିଇବାକୁ  ଖୋଜେ  ଓ   ରାତିସାରା  ବିଶେଷ  ଛଟପଟ   କରେ  । କ୍ଷତ  ସ୍ଥାନରୁ,  ବିଶେଷକରି  ଖୁରାରୁ  ବହଳ  ପୂଜ   ବାହାରେ   । ଏହା ସହିତ  ଆମାଶୟ   ଯଦି  ଥାଏ,  ତେବେ  ମର୍କସଲର  ପ୍ରୟୋଗ  ଅମୋଘ  ହୋଇଉଠେ   ।

ନାଇଟ୍ରିକ  ଏସିଡ :

ମୁଖର  ଘା’  କୌଣସିଥିରେ   ଭଲ  ନ ହେଲେ  ଏହି  ଔଷଧ  କଥା  ଅବଶ୍ୟ  ଚିନ୍ତା  କରିବାର  କଥା   ।ପୁନଶ୍ଚ  ଏହା  ମୁଖର  ଘା’  ହେଉ  ଅଥବା  ଖୁରାରେ  ଘା’  ହେଉ,  ଯଦି  କ୍ଷତ  ଖୁବ୍  ଅସମାନ   ଧାରଯୁକ୍ତ  ହୋଇ  ବଢି  ବଢି  ଯାଉଥାଏ  ଓ  ସାମାନ୍ୟ   ସ୍ପର୍ଶରେ  ରକ୍ତକ୍ଷରଣ  ହେଉଥାଏ, ତାହାହେଲେ  ନିଶ୍ଚିତଭାବରେ  ଏହାର  ପ୍ରୟୋଗ  କରି  ଆଶୁଫଳ  ଲାଭ  କରାଯାଇ  ପାରିବ   ।

ସିକେଲିକର :

ଅତ୍ୟନ୍ତ  ଉପେକ୍ଷିତ  ରୋଗୀ  କ୍ଷେତ୍ରରେ,  ଯେଉଁଠି,  ବିଶେଷଭାବରେ  କ୍ଷତଗୁଡିକରେ  ଅତ୍ୟଧିକ  ପଚନ  କ୍ରିୟା  ଆରମ୍ଭ  ହୋଇଯାଇଥାଏ, କ୍ଷତଗୁଡିକ  କଳା   ଦେଖାଯାଏ,  ଖୁବ୍  ଦୁର୍ଗନ୍ଧଯୁକ୍ତ  ରକ୍ତସ୍ରାବ  ହୁଏ  ଏବଂ  ଆର୍ଶେନିକ  ଦେଇ  ମଧ୍ୟ  ବିଶେଷ  ଫଳଲାଭ   ହୁଏ  ନାହିଁ,  ସେ  କ୍ଷେତ୍ରରେ   ଏହି  ଔଷଧ  ରୋଗୀର  ରକ୍ଷାକବଚ   ହୁଏ   ।

ଫାଟୁଆ   ବ୍ୟତୀତ  ଏ  ଋତୁରେ   ବର୍ଷାରେ  ଭିଜି  କ୍ଷେତରେ   କାମ  କରିବା  ହେତୁ  ବଳଦମାନଙ୍କର  ଖୁବ୍  କଷ୍ଟକର  କାଶ  ହୋଇଥାଏ,  ଯାହାକି  ସେମାନଙ୍କର  କାର୍ଯ୍ୟକାରୀ  କ୍ଷମତା  ଉପରେ  ବିଶେଷ  କ୍ଷତିକର  ପ୍ରଭାବ  ପକାଇଥାଏ   । ସେଭଳି  କ୍ଷେତ୍ରରେ  ଶୁଖିଲା  କାଶରେ  “ରସଟକ୍ସଫଳପ୍ରଦ  କାଶ ହେଉଥିଲେ  “ଡଲକାମେରା” ବ୍ୟବହାର  କଲେ  ବେଶ୍  ସୁଫଳ  ମିଳିବ   ।ଜ୍ଵର ଓ ବ୍ୟସ୍ତତା  ଥିଲେ  “ରସଟକ୍ସ” ଖୁବ୍  ଚମତ୍କାର   ଫଳ   ଦର୍ଶାଇବ  । ପରେ  କାଶ  କଫଯୁକ୍ତ  ହେଲେ  “ଡଲକାମେରା”  ଦେଇ  ପୂର୍ଣ୍ଣ  ଆରୋଗ୍ୟ   ପାଇଁ  ସାହାଜ୍ଯ  କରାଯାଇ  ପାରିବ  ।

ଚାଷକାଳ  ମଧ୍ୟରେ  ଏପରି  ଜରୁରୀ   ଅବସ୍ଥାକୁ   ସ୍ୱଳ୍ପ  ଖର୍ଚ୍ଚ  ଓ  ସ୍ୱଳ୍ପ  ସମୟ  ମଧ୍ୟରେ  ଚାଷୀକୂଳକୁ   କେବଳ  ହୋମିଓପାଥିକ  ଔଷଧ  ହିଁ  ସାହାଯ୍ୟ  କରିବ  ।

ସଂଗୃହୀତ – ଡାକ୍ତର କମଳାକାନ୍ତ କର

Last Modified : 6/21/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate