ଶରୀର ମଧ୍ୟରେ ପାନକ୍ରିୟାସ ନାମକ ଏକ ଗ୍ରନ୍ଥି ଅଛି, ଯାହା ଠାରୁ ଇନସୁଲିନ ନାମକ ଏକ ରସ ନିର୍ଗତ ହୁଏ । ଏହା ଶରୀର ମଧ୍ୟକୁ ଖାଦ୍ୟଦ୍ଵାରା ଯାଉଥିବା ଶର୍କରା ବା ଚିନିଜାତୀୟ ଖାଦ୍ୟକୁ, ଶରୀରର ଶକ୍ତି ବିନିଯୋଗ କାର୍ଯ୍ୟପାଇଁ ନିୟନ୍ତ୍ରଣ କରିବା ସଙ୍ଗେ ସଙ୍ଗେ ରକ୍ତରେ ଏହାର ପରିମାଣକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ଏହି ଇନସୁଲିନ କମିଗଲେ ରକ୍ତର ଶର୍କରା ଅଂଶରେ ବୃଦ୍ଧିଘଟି ପ୍ରସ୍ରାବରେ ମଧ୍ୟ ନିଃସରିତ ହୋଇଥାଏ । ଏହିଭଳି ଏକ ଅବସ୍ଥାକୁ ଡାଇବେଟିସ ବା ମଧୁମେହ କୁହାଯାଏ । ଅନେକ ସମୟରେ ଖାଦ୍ୟ ଓ ପାନୀୟରେ ସଂଯମତା ଅବଲମ୍ବନରେ ଏହି ଅବସ୍ଥାକୁ ନିୟନ୍ତ୍ରିତ କରି ରଖାଯାଇ ପାରୁଥିଲେ ମଧ୍ୟ ଔଷଧ ଓ କ୍ଷେତ୍ର ବିଶେଷରେ ଇନସୁଲିନ ମଧ୍ୟ ବରାବର ନେବାକୁ ହୁଏ । ଥରେ ଇନସୁଲିନ ଅଭ୍ୟାସରେ ପଡିଗଲେ ଏହି ରୋଗକୁ ନିୟନ୍ତ୍ରଣରେ ରଖିବା କଷ୍ଟକର ହୋଇପଡେ । ଯେହେତୁ ଏହି ରୋଗରେ ବହୁ ପ୍ରକାରର ରୋଗ ଜଟିଳତା ଦେଖାଦିଏ, ତେଣୁ ସାବଧାନତା ସହକାରେ ନିୟମିତ ଭାବରେ, ପ୍ରସ୍ରାବ ଓ ରକ୍ତରେ ଶର୍କରାର ପରିମାଣକୁ ପରୀକ୍ଷା କରି କିଛି ଔଷଧ ; ବିଶେଷକରି ୪୦ ବର୍ଷ ବୟସ ଅତିକ୍ରମ କରିବା ପରେ ; ବ୍ୟବହାର କରୁଥିଲେ ବିଶେଷ କିଛି ଜଟିଳ ପରିସ୍ଥିତି ମଧ୍ୟକୁ ନିଶ୍ଚିତ ଭାବରେ ଜଣେ ଯିବେ ନାହିଁ ।
ସମ୍ପୂର୍ଣ୍ଣ ଭାବରେ ଆରୋଗ୍ୟ ପାଇଁ, ହୋମିଓପାଥିର ଧାତୁଗତ ଔଷଧ ଖୁବ୍ କ୍ରିୟାଶୀଳ ହୋଇଥିଲେ ମଧ୍ୟ ଯେଉଁ ଅବସ୍ଥାରେ ଏ ଧରଣର ରୋଗୀ ଚିକିତ୍ସା ହେବାକୁ ଆସିଥା’ନ୍ତି ସେଥିରେ ସ୍ଥାୟୀ ପ୍ରତିକାର କରିବା ଏକ ଦୁଃସାଧ୍ୟ ବ୍ୟାପାର । ତଥାପି, କ୍ଷେତ୍ରବିଶେଷରେ ଏପରିକି ଇନସୁଲିନ ନେବାରେ ଅଭ୍ୟସ୍ତ ରୋଗୀମାନଙ୍କ କ୍ଷେତ୍ରରେ ନିମ୍ନଲିଖିତ କେତୋଟି ଔଷଧର ନିୟମିତ ବ୍ୟବହାର ନିଶ୍ଚିତ ଉପକାର କରିଥାଏ । ଅନ୍ଦାଧୁନିଆଁ ଏ ସବୁକୁ ବ୍ୟବହାର ନ କରି ସେ ସବୁର କ୍ଷେତ୍ର ବିଚାର କରି ବ୍ୟବହାର କରିବା ଦରକାର । ସେହି ଔଷଧମାନଙ୍କର ମୂଳଅର୍କ ବା Q ଥରକେ ୫ – ୧୦ ଟୋପା ସାମାନ୍ୟ ପାଣିରେ ମିଶାଇ, ଖାଦ୍ୟ ଖାଇବାର ଠିକ୍ ପୂର୍ବରୁ ବା ପରେ ଦିନକୁ ୨ – ୩ ଥର ଖାଇବା ଦରକାର । ଔଷଧ ଗୁଡିକ ହେଉଛି :
ଆବ୍ରୋମା ଅଗଷ୍ଟା Q : ଡାଇବେଟିସ ସହିତ ଅତ୍ୟଧିକ କ୍ଷୁଧା ଓ ଚିଡିଚିଡା ସ୍ଵାଭାବ ବଢିଯାଇଥିଲେ ଏହାର ବ୍ୟବହାର ଫଳପ୍ରଦ । ସ୍ତ୍ରୀ ଲୋକଙ୍କର ମଧୁମେହ ସହିତ ଶ୍ଵେତପ୍ରଦର ବାଧକ ଯନ୍ତ୍ରଣା ରହିଥିଲେ ଏହା ବିଶେଷ ଫଳପ୍ରଦ ।
ଜିନ୍ମେମା ସିଲଭେଷ୍ଟାର : ଏଥିରେ କିନ୍ତୁ କ୍ଷୁଧାହୀନତା ବେଶି ପରିଲକ୍ଷିତ ହୁଏ । ଏଥି ସହିତ ଶରୀରର ବିଭିନ୍ନ ଅଂଶରେ ଜଳାପୋଡା କରୁଥିବାର ଲକ୍ଷଣ ଥାଏ । ଏ ରୋଗୀମାନେ ଗରମ ଆଦୌ ସହ୍ୟ କରିପାରନ୍ତି ନାହିଁ । ସଦାବେଳେ ତାଙ୍କ ଦେହରୁ ଯେପରି ଗରମ ହୁତାସ ବାହାରୁଛି, ଏପରି ମନେ କରନ୍ତି । ଯୌନକ୍ରିୟାର ଶକ୍ତି ହ୍ରାସ ପାଉଥିବାର କମ୍ପ୍ଲେନ ଏହାର ରୋଗୀମାନେ ବେଶି କରନ୍ତି । ତେଣୁ ଏହି ଔଷଧ ଡାଇବେଟିସ ରୋଗୀ କ୍ଷେତ୍ରରେ ଧାତୁ ଦୌର୍ବଲ୍ୟ ପାଇଁ ଖୁବ୍ ଦରକାରୀ । ମଧୁମେହ ରୋଗୀଙ୍କର ବଥ ବାହାରୁଥିଲେ ଏହା ଖୁବ୍ ଉପଯୋଗୀ ।
ସେଫାଲେଣ୍ଡ୍ରାଇଣ୍ଡିକା Q : ଏ ଔଷଧରେ ମଧ୍ୟ ଜଳାପୋଡାର ଲକ୍ଷଣ ଥାଏ, ମାତ୍ର ଏଥି ଅଙ୍ଗେ ଅଙ୍ଗେ ଅତ୍ୟଧିକ ଦୁର୍ବଳତା ବା ହାଲିଆ ହୋଇପଡୁଥିବାର କମ୍ପ୍ଲେନ ରୋଗୀ କରନ୍ତି । ବିଶେଷ ଭାବରେ ମୁଣ୍ଡ ବୁଲାଇ ପଡିଗଲା ଭଳି ଲାଗିବା, ଆଖିକୁ ଅନ୍ଧାର ଦେଖାଯିବା କଥା ରୋଗୀ ପ୍ରାୟତଃ କହିଥା’ନ୍ତି ।
ସିଜିଜିୟାମଜାମ୍ବୋଲିନାମ Q : ଏହା ସଚରାଚର ଆଖିବୁଜା ଡାଇବେଟିସ ପାଇଁ ବ୍ୟବହାର ହେଉଥିଲେ ମଧ୍ୟ ଅମ୍ଳଜନିତ ଅଜୀର୍ଣ୍ଣତା ସହିତ ଡାଇବେଟିସ ଥିଲେ ଏହା ଫଳପ୍ରଦ କାର୍ଯ୍ୟ କରିଥାଏ । ଏଥି ସହିତ ଶରୀର ଶୁଖି ଯାଉଥିଲେ ଓ ଦେହରେ ନାଲି ନାଲି ଉଦ୍ଭେଦ ଦେଖା ଯାଉଥିଲେ ତ ଏହା ଚମତ୍କାର କାମ କରିବ ।
ଏହାଛଡା ୟୁରାନିୟମ ନାଇଟ୍ରେଟ ବୋଲି ଏକ ଔଷଧର ନିମ୍ନଶକ୍ତି 3X, ଅନେକ ବ୍ୟବହାର କରନ୍ତି । ଏ ଔଷଧର କିନ୍ତୁ ଲକ୍ଷଣ ହେଉଛି ଅତ୍ୟଧିକ କ୍ଷୁଧା ଓ ତୃଷ୍ଣା ସହିତ ଦୁର୍ବଳତା ଏବଂ ଅଜୀର୍ଣ୍ଣ । ରୋଗୀ ଯେତେ ଖାଇଲେ ମଧ୍ୟ ଓଜନ କମିଯାଇ ଦୁର୍ବଳ ହୋଇପଡନ୍ତି ।
ମାନସିକ ଅଶାନ୍ତି ସହିତ ଅଗ୍ନିମାନ୍ଦ୍ୟ ଓ ଅତ୍ୟଧିକ ପିପାସା ଏବଂ ଦୁର୍ବଳତା ପାଇଁ ଏସିଡଫସ ଖୁବ୍ ଉପଯୋଗୀ । ଏହା ବିଶେଷକରି ଯୁବ ମଧୁମେହୀଙ୍କ ପାଇଁ ଏକ ଅମୂଲ୍ୟ ଔଷଧ ।
ଡାଇବେଟିସର ସମସ୍ତ ଲକ୍ଷଣ, ଯଥା ଅତିକ୍ଷୁଧା, ଅତିତୃଷ୍ଣା, ଅତିମୂତ୍ର, ଅତିଦୁର୍ବଳତା ସହିତ ଶୀର୍ଣ୍ଣତା ଥିଲେ ମଧ୍ୟ, ଜନନେନ୍ଦ୍ରିୟ, ଓ ପାଦ ଫୁଲା ଥିଲେ ଆରଜେଣ୍ଟମ ମେଟାଲିକମ ଔଷଧ ଅମୋଘ । ଶୁଷ୍କଚର୍ମ ସହିତ ବାନ୍ତିଭାବ ଓ ବାନ୍ତି ଲାଗି ରହିଥିଲେ ଲାକଟିକ୍ ଏସିଡ ଭଳି ଔଷଧ ନାହିଁ ।
ସେ ଯାହା ହେଉନା କାହିଁକି ଡାଇବେଟିସର ଏପରି ଚିକିତ୍ସା କଲାବେଳେ ରୋଗୀର ଧାତୁଗତ ଚିକିତ୍ସା ଚାଲୁ ରଖିବା ଅବଶ୍ୟ କର୍ତ୍ତବ୍ୟ ।ସଂଗୃହୀତ – ଡାକ୍ତର କମଳାକାନ୍ତ କର
Last Modified : 6/21/2020