ଏହା ଏକ ସାଧାରଣ ଚର୍ମ ରୋଗ, ଅପରିଷ୍କୃତିର କାରଣରୁ ହୋଇଥାଏ । ‘ଆକାରସ୍’ ବୋଲି ଏକ ଅତିକ୍ଷୁଦ୍ର କୀଟାଣୁ ଚର୍ମତଳେ ତାହି ଚର୍ମ ଖାଇଯାଏ । ତେଣୁ ଦେହ କୁଣ୍ଡାଇ ହୁଏ ଓ ପରେ ସେଥିରେ ଅନ୍ୟ ସଂକ୍ରମଣ ହୋଇ ପୂଜ ହୁଏ । ସେଥିପାଇଁ ଏହାକୁ ଚିକିତ୍ସା କରିବାକୁ ହେଲେ ଘରଦ୍ଵାର, ଲୁଗାପଟା, ଶେଯ ବିଛଣା ସବୁକୁ ସଫା ସୁତୁରା ରଖି, ଗରମ ପାଣିରେ ଧୁଆହୋଇ କରି ଔଷଧ ବ୍ୟବହାର କଲେ ଏହା ଅତିଶୀଘ୍ର ଭଲ ହୋଇଯିବ । ନଚେତ, ଜଣକୁ ହେବାପରେ ଘରେ ସମସ୍ତଙ୍କୁ ହେବାର ସମ୍ଭାବନା ବହୁତ ବେଶି । ପ୍ରଥମ କର୍ତ୍ତବ୍ୟ ହେଲା ଏହି କୀଟାଣୁ ମାନଙ୍କୁ ମାରିବା । ସେଥିପାଇଁ ଗରମ ପାଣିରେ ପରିଷ୍କାର ଭାବରେ ଦେହକୁ ଘଷିରଗଡି ଗାଧୋଇବା ତ ଉଚିତ, ହେଲେ ମଧ୍ୟ, ଲାଭେଣ୍ଡର ଅଏଲ ୫ ମି.ଲି. ଶହେ ମି.ଲି. ନଡିଆ ତେଲରେ ମିଶାଇ ରାତିରେ ଶୋଇବା ବେଳକୁ ଲଗାଇ, ସକାଳୁ ଉପଯୁକ୍ତ ମତେ ଗାଧୋଇ ନିମ୍ନଲିଖିତ କୌଣସି ଗୋଟିଏ ଔଷଧ ନିର୍ବାଚନ କରି ଖାଇଲେ କାଛୁକୁଣ୍ଡିଆ ଶୀଘ୍ର ଭଲ ହୋଇଯିବ । ଲାଭେଣ୍ଡର ତେଲ କୀଟାଣୁ ଗୁଡିକୁ ମାରି ନଷ୍ଟ କରିଦେଇଥାଏ, ଓ ହୋମିଓପାଥି ଔଷଧ ଶରୀରର ଏହି କୀଟପ୍ରତି ପ୍ରତିରୋଧ ଶକ୍ତିକୁ ବଢାଇଥାଏ ।
ସାଂଘାତିକ ଭାବରେ କୁଣ୍ଡାଇ ହେଉଥିବ, ଚର୍ମତଳେ ଏତେ ଦରଜ ଯେ କୁଣ୍ଡାଇବା ଏକ କଷ୍ଟକର ଓ ଦୁଃସାଧ୍ୟ ବ୍ୟାପାର । କୁଣ୍ଡେଇ ହେବା ସହିତ ଝିମ୍ ଝିମ୍ ଭାବ ରହିଥିବ, ତାହାହେଲେ କ୍ରୋଟନଟିଗ୍ ଦିନକୁ ଦୁଇଥର କରି ତିନି ଚାରିଦିନ ଖାଆନ୍ତୁ । ନଚେତ୍ ଯଦି ପୂଜ ଟୁଳୁଟୁଳୁ ହୋଇ ରାତିକୁ କୁଣ୍ଡାଇ ହେବା ଓ ବିନ୍ଧା ବିନ୍ଧି ବଢୁଥିବ, ତାହାହେଲେ ମର୍କସଲ ଦିନକୁ ଦୁଇଥର କରି ଦୁଇଚାରି ଦିନ ଖା’ନ୍ତୁ । ବହୁତ ଦରଜ ଥିବ ଏପରିକି ଛୁଇଂବା ମଧ୍ୟ କଷ୍ଟକର, ଗରମ ପାଣିରେ ଧୋଇଲେ ଆରାମ ଲାଗୁଥିବ, ତେବେ ହିପାରସଲଫ ଉପଯୁକ୍ତ ମତେ ଖାଇବେ । ଅନେକ ସମୟରେ ଦେଖିବେ ଘା’ ଗୁଡିକ ଶୁଖି ଖୋଳପା ବସିଯାଇଛି, ତାହା ତଳେ କୁଟୁକୁଟୁ କରି କୁଣ୍ଡେଇ ହେଉଛି ଓ ଚିପି ଦେଲେ ଖୋଳପା ତଳୁ ଗାଢପୂଜ ବାହାରୁଛି । ଏଭଳି କ୍ଷେତ୍ରରେ ମେଜେରିୟାମ ପାନେ ଦୁଇପାନ ଦିଅନ୍ତୁ । ଗଣ୍ଠି ଓ ଆଙ୍ଗୁଠି ସନ୍ଧିରେ ଶୁଖିଲା କୁଣ୍ଡିଆ ; ସାଘାଂତିକ ଗଲୁ, ରାତିରେ ବିଛଣା ଧରୁଧରୁ ଏତେ ଗଲୁଯେ, କୁଣ୍ଡେଇ କୁଣ୍ଡେଇ ଲହୁଲୁହାଣ ହେଲେ ମଧ୍ୟ ଆରାମ ନାହିଁ । ଏଥିକୁ ସଲଫର – ୩୦ ମାତ୍ର ପାନେ କି ଦୁଇପାନ ଦେବେ । ଶୁଖିଲା ରମ୍ପା, ରାମ୍ପି ରାମ୍ପି ଦେହ ପୋଡୁଛି, ବିଶେଷ କରି ହାତ ଗୋଡରେ ଏହା ବେଶି, କୁଣ୍ଡେଇଲା ପରେ ଦେହରୁ ଏକ ଖରାପ ଗନ୍ଧ ବାହାରୁଛି, ପେଟରେ ସାମାନ୍ୟ ବାୟୁ ଜମୁଛି, ଲୁଗାପଟା ବଦଳାଇବା ପରେ ରମ୍ପା ବାଢୁଛି ।
କାର୍ବୋଭେଜ – ୩୦ ଦିନକୁ ଦୁଇ ଥର କରି ଦୁଇ ଚାରି ଦିନ ଖାଇବା ଦରକାର । ମୋଟା ଖୋଳପି ସହିତ ସାଂଘାତିକ କୁଣ୍ଡାଇ ହେବା ଏବଂ ଏହା ସନ୍ଧ୍ୟାବେଳେ ବଢିବା ଲକ୍ଷଣ ଥିଲେ ଲାଇକୋପୋଡିୟମ – ୩୦ ପାନେ ଦୁଇପାନ ଖାଇବାକୁ ପଡିବ । ଗାଧୋଇବା ପରେ ଯଦି କୁଣ୍ଡାଇ ହେବା ବେଶି ବଢିଯାଉଥିବ ତାହାହେଲେ କ୍ଲିମାଟିସ – ୨୦୦ରୁ ପାନେ ଦୁଇପାନ ଦେଇ ଅପେକ୍ଷା କରନ୍ତୁ ।
ସଂଗୃହୀତ – ଡାକ୍ତର କମଳାକାନ୍ତ କର
Last Modified : 6/21/2020