ରକ୍ତକଣିକା ସୃଷ୍ଟି ପାଇଁ ଶରୀରର ଏହି ଗ୍ରନ୍ଥିଟି ବିଶେଷ ଦରକାରୀ କାର୍ଯ୍ୟ କରିଥାଏ । ତେଣୁ ପ୍ରାୟ ସବୁପ୍ରକାରର ଅସାଧ୍ୟ ରକ୍ତକଣିକା ସମ୍ପର୍କିତ ରୋଗରେ ଏହାର ବୃଦ୍ଧି ଘଟିଥାଏ । ପୁରୁଣା ମ୍ୟାଲେରିଆ ରୋଗରେ ତ କଥା ନାହିଁ । ଗାଁ ଗହଳିର ପିଲାଏ ପ୍ରାୟ ଏହି ରୋଗ ଭୋଗୁଥାନ୍ତି – ପିଳେହି ବଢି । ଉପର ପେଟର ବାମପଟକୁ ଏହାର ଅବସ୍ଥାନ ଯେ କୌଣସି ଲୋକର ପିଳେହି ବଢିଲେ ହିଁ ସଙ୍ଗେ ସଙ୍ଗେ ଧରି ହୁଏ । ଆଉ ପିଳେହି ବଢିବା ବହୁ ସାଂଘାତିକ ରୋଗର କାରଣ ସହିତ ଯୋଡା ଯାଇପାରେ ରକ୍ତହୀନତା ଠାରୁ ଆରମ୍ଭ କରି ହୃଦରୋଗ, ବିଭିନ୍ନ ପ୍ରକାରର କ୍ୟାନସର ସହିତ । ପିଳେହି ବା ସ୍ପିନ ଉପରେ ସିଧାସଳଖ କାମ କରୁଥିବା ଅନେକ ଔଷଧ ରହିଛି ଯାହାକି ଆମେ ଖୁବ୍ ସୁବିଧାରେ ବ୍ୟବହାର କରିପାରିନା, ବିଶେଷକରି ଦୁର୍ବଳ ରକ୍ତହୀନତା ଓ ମେଲେରିଆର ଜଟିଳତା ଭୋଗୁଥିବା ରୋଗୀମାନଙ୍କ ପାଇଁ ।
ଯେଉଁ କାରଣରୁ ପ୍ଲିହା ବଢିଥାଉନା କାହିଁକି ସିଆନୋଥସ କଥା ପ୍ରଥମେ ମନକୁ ଆସେ । ରକ୍ତହୀନତା ସହ ପ୍ଲିହା ଖୁବ ବଡ ; ଚିନ୍ ଚିନ୍ କରି ସେଠାରୁ ବାମପଟ ପିଠିଆଡକୁ ମଝିରେ ମଝି ଝୁଞ୍ଚିମାରି ଦେଉଥିବ, ଓ ରୋଗୀ ବାମକଡମାଡି ଆଦୌ ଶୋଇପାରୁ ନ ଥିବ ; ବଡ ବେଶି ଶୀତକାତର, ସବୁବେଳେ ଘୋଡିଘାଡି ହୋଇ ଖରାରେ ବା ନିଆଁ ପାଖରେ ବସୁଥିବ, ତାହାହେଲେ ଏହି ଔଷଧର Q ରୁ ୫ ଟୋପା କରି ସକାଳେ ସନ୍ଧ୍ୟାରେ କିଛି ଦିନ ଖାଇଲେ ପ୍ଲିହା ସ୍ଵାଭାବିକ ହୋଇଯାଏ ।
ଚାଇନା ମଧ୍ୟ ପ୍ଲିହା ପାଇଁ ଆଉ ଏକ ଭଲ ଔଷଧ । ଏଥିରେ ବ୍ୟଥା ଟା ପ୍ଲିହାର ଡାହାଣ କଡରୁ ଆରମ୍ଭ ହୋଇ ବାମ ପଟକୁ ବା ବାମରୁ ଡାହାଣ ଆଡକୁ ମାରୁଥାଏ । ଏଥି ସହ ରୋଗୀର ବାୟୁଦୋଷ ରହିଥାଏ । ପେଟ ଫୂଲେଇ ଅଣ ନିଶ୍ଵାସୀ କରି ଦେଉଥାଏ, ଅଥଚ ବାୟୁସରିଲେ ବା ଢକାର ଗଲେମଧ୍ୟ ଉପଶମ ଅନୁଭବ କରେ ନାହିଁ । ତା’ ସହିତ ଅଜୀର୍ଣ୍ଣ ତରଳ ଝାଡା ଲାଗି ରହିଥାଏ, ବିଶେଷ କରି ରାତିରେ । ପାଳିଜ୍ଵର ସହିତ ବା ମେଲେରିଆ ଜ୍ଵରର ଇତିହାସ ଥାଇ, ଏ ସବୁ ଲକ୍ଷଣ ରହିଥିଲେ ଚାଇନାର ସମକକ୍ଷ ଔଷଧ ଆଉ କିଛି ନାହିଁ । ପାଳିଜ୍ଵର ସହିତ ପାଟି ସବୁବେଳେ ପିତା ଉଠୁଥିଲେ, ଓ ପ୍ଲିହା ସ୍ଥାନର ବଥା ପେଟକୁ ଛାପି ରଖିଲେ ଯଦି ଆରାମ ମିଳୁଥାଏ ତାହାହେଲେ ଚିନିନମସଲଫ ମଧ୍ୟ ଏକ ଉତ୍ତମ ଔଷଧ । ମେଲେରିଆ ପାଇଁ କୁଇନାଇନ ଜାତୀୟ ଔଷଧ ଖାଇ ଭଲ ହେଲା ପରେ ଯଦି ପ୍ଲିହା ବୃଦ୍ଧି ଘଟିଥାଏ ତେବେ ଆରାନିଆଡାଏଡିମା ଓ ନେଟ୍ରାମମ୍ୟୁର ମଧ୍ୟ ଉତ୍ତମ ଔଷଧ । ଆରାନିଆରେ ରୋଗୀ ବର୍ଷାଦିନେ ବା ମେଘୁଆ ପାଗରେ ଖୁବ୍ ଅସୁସ୍ଥ ହୁଏ । ପେଟ ଦରଜ ହୋଇଯାଏ । ସବୁବେଳେ ଶୀତ ଶୀତ ହୋଇ ଘୋଡି ହୋଇ ରହେ । ଦୁର୍ବଳତା ସହିତ ଅସ୍ଥିରତା ମିଶିକରି ରହିବା ଏହାର ଚାରିତ୍ରିକ ଲକ୍ଷଣ । କିନ୍ତୁ ନେଟ୍ରାମମ୍ୟୁର ରୋଗୀ ଖୁବ୍ ଗରମ କାତର, ଅର୍ଥାତ୍ କୌଣସି ପ୍ରକାରର ଗରମ ସହ୍ୟ କରିପାରେନା । ଲୁଣିଆ ଖାଦ୍ଯ ବା ଅତ୍ୟଧିକ ଲୁଣ ଖାଇବାର ଆଗ୍ରହ ରଖେ । ଯଥେଷ୍ଟ ପରିମାଣର ପାଣି ପିଉଥିଲେ ମଧ୍ୟ ଝାଡା ବହୁତ କଠିନ ହୁଏ ଏବଂ ରୋଗୀ ଦେଖିବାକୁ ଜୀର୍ଣ୍ଣଶୀର୍ଣ୍ଣ । ଆଗାରିକସ୍ ଔଷଧଟି ମଧ୍ୟ କମ୍ ଗୁଣର ନୁହେଁ ଏ କ୍ଷେତ୍ରରେ । ପ୍ଲିହା ବୃଦ୍ଧି ସହିତ ଯକୃତ ବା ଲିଭରରେ ହଠାତ୍ ଛୁଞ୍ଚିଖେଞ୍ଚିଲା ଭଳି ବ୍ୟଥା ହେଉଥିଲେ ଓ ପ୍ଲିହାକୁ ଚିପିଲେ ସେଠାରେ କରକର ଶବ୍ଦ କରୁଥିଲେ ଏହା ଅବଶ୍ୟ ହିଁ କାର୍ଯ୍ୟ କରିବ । ଏହାର ରୋଗୀ ମଧ୍ୟ ବେଶ୍ ଶୀତ କାତର ।
ସଂଗୃହୀତ – ଡାକ୍ତର କମଳାକାନ୍ତ କର
Last Modified : 6/21/2020