ହୋମିଓପାଥି ତଥା ହୋମିଓପ୍ୟାଥିକ ଚିକିତ୍ସକମାନଙ୍କୁ ଛାଡିଦେଲେ ମଧ୍ୟ ସାଧାରଣଭାବରେ ବହୁ ଲୋକ ଓ ଅନ୍ୟପନ୍ଥୀ ଚିକିତ୍ସକ ଡା : ହ୍ୟାନିମାନଙ୍କ ଲିଖିତ ଏହି ‘ଅର୍ଗାନନ୍ ଅଫ୍ ମେଡ଼ିସିନ୍’ ଗ୍ରନ୍ଥ ସମ୍ପର୍କରେ ବିଶେଷ ଆଗ୍ରହାନ୍ଵିତ ଥିବାର ଜଣାଯାଏ । କାରଣ, ଏଥିରେ ନିହିତ ଅଛି ଉନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ପ୍ରଚଳିତ ଚିକିତ୍ସାପଦ୍ଧତିସକଳର ଏକ ପର୍ଯ୍ୟାଲୋଚନା ।
ସନ ୧୮୧୦ ମସିହାରେ ଯେତେବେଳେ ଏହାର ପ୍ରଥମ ପ୍ରକାଶନ ହୁଏ, ସେହିଦିନ ଠାରୁ ସମସ୍ତ ହୋମିଓପ୍ରେମୀଙ୍କ ନିକଟରେ ଏହା ଏକ ଅମୂଲ୍ୟ ଓ ଅପରିହାର୍ଯ୍ୟ ଗ୍ରନ୍ଥରୂପେ ଯେ କେବଳ ଗଣ୍ୟ ହୋଇସାରିଛି ତାହା ନୁହେଁ, ବହୁ ଚିକିତ୍ସାବିତ୍ ମାନଙ୍କ ନିକଟରେ ମଧ୍ୟ ଏକ ଉଚ୍ଚକୋଟିର ସମାଲୋଚନାମୂଳକ ତଥା ସମାଲୋଚନାର ବିଷୟବସ୍ତୁ ହୋଇସାରିଅଛି । କେହି କେହି ଏହାକୁ “ ଚିକିତ୍ସା ବିଜ୍ଞାନର ଶ୍ରେଷ୍ଠ ଦର୍ଶନ ଶାସ୍ତ୍ର” କହିବା ବେଳେ, କେହି କେହି ଏକ “ପାଗଳର ପ୍ରଳାପ” ମଧ୍ୟ କହିଥାଆନ୍ତି ।
ସେ ଯାହା ହେଉନା କାହିଁକି ସନ ୧୮୧୦ ମସିହା ଠାରୁ ସନ ୧୯୨୧ ମସିହା ମଧ୍ୟରେ ହୋଇଥିବା ୬ଟି ସୁସଂସ୍କୃତ ମୁଦ୍ରଣ ମଧ୍ୟରେ ହ୍ୟାନିମାନ ସାହେବ ଜେଭଳି ସୁବ୍ୟବସ୍ଥିତ ଭାବରେ, ସୁରୂଚିପୂର୍ଣ୍ଣ ଭାଷାରେ ସମୂହ ଚିକିତ୍ସା ବିଜ୍ଞାନର ବିଶ୍ଲେଷଣାତ୍ମକ ବିଚାର ତଥା ଏକ ନୂତନ ପଦ୍ଧତିର ପରିବର୍ତ୍ତନ କରି ତାହାର ସୂତ୍ରବଦ୍ଧ କରିଅଛନ୍ତି, ତାହା ସର୍ବାଦୌ ସକଳ ଚିକିତ୍ସକ ସମ୍ପ୍ରଦାୟର ପ୍ରଣିଧାନ ଯୋଗ୍ୟ, ଏହା ନିର୍ବିବାଦରେ ବୋଲାଯାଇପାରେ । “ଅର୍ଗାନନ୍ ଅଫ୍ ମେଡ଼ିସିନ୍” ର ପ୍ରଥମ ସଂସ୍କରଣ – ୧୮୧୦, ଦ୍ଵିତୀୟ – ୧୮୧୯, ତୃତୀୟ – ୧୮୨୪, ଚତୁର୍ଥ – ୧୮୨୯, ପଞ୍ଚମ – ୧୮୩୩ ଓ ଷଷ୍ଠ ସଂସ୍କରଣ - ୧୯୨୧ ମଦିହାରେ ପ୍ରକାଶିତ ହୋଇଛି । ଷଷ୍ଠ ସଂସ୍କରଣର ପ୍ରକାଶନ ହ୍ୟାନିମାନଙ୍କ ଜୀବଦ୍ଦଶା ମଧ୍ୟରେ ଘଟିପାରି ନ ଥିଲା, ଯଦିଓ ସେ ସନ ୧୮୪୨ ମସିହାରୁ ତାହାର ଲେଖା ଶେଷ କରିସାରିଥିଲେ । ୧୮୪୩ ମସିହାରେ ତାଙ୍କର ଦେହାବସାନ ପରେ ନାନା ପ୍ରକାରର ଅସୁବିଧା ହେତୁ ତାହା ୧୯୨୧ ପର୍ଯ୍ୟନ୍ତ ଲୋକଲୋଚନକୁ ଆସିପାରି ନ ଥିଲା । ପରିଶେଷରେ ଯୁକ୍ତରାଷ୍ଟ୍ର ଆମେରିକାର ସ୍ଵନାମଧନ୍ୟ ଡାକ୍ତର ବୋରିକ୍ ଙ୍କ ଅଦମ୍ୟ ଚେଷ୍ଟା ଫଳରେ ତାହା ବର୍ତ୍ତମାନ ଆମ୍ଭମାନଙ୍କ ସମକ୍ଷରେ ଉପସ୍ଥାପିତ ।
ଏହା ଏଭଳି ଗ୍ରନ୍ଥ, ଯେଉଁଥିରେ ବ୍ୟକ୍ତିଗତ ଅଭିଜ୍ଞତା ତଥା କଠିନ ପରିଶ୍ରମ ଦ୍ଵାରା ଆବିଷ୍କୃତ ଏକ ଚିକିତ୍ସା ବିଜ୍ଞାନର ମୌଳିକ ନୀତିଗୁଡିକ ସୁସଙ୍ଗଠିତ ଭାବରେ ଗ୍ରଥିତ । ଆବିଷ୍କାର୍ତ୍ତା ଡା : ହ୍ୟାନିମାନଙ୍କ ନିର୍ଦ୍ଧିଷ୍ଟ ଲକ୍ଷ୍ୟ “ ରୋଗୀକୁ ସୁସ୍ଥ କରିବାରେ, ଯାହାକୁ କି ପ୍ରକୃତ ଅର୍ଥରେ ନିରାମୟ କୁହାଯାଏ” ପାଇଁ, ତାଙ୍କର ଜୀବନବ୍ୟାପୀ ସଂଗ୍ରାମର ପ୍ରାୟୋଗିକ ନିର୍ଯ୍ୟାସ ଭଣ୍ଡାର ହେଉଛି ଏହି ଗ୍ରନ୍ଥ । ତେଣୁ “ଅର୍ଗାନନ୍ ଅଫ୍ ମେଡ଼ିସିନ୍” ହେଉଛି ହୋମିଓପ୍ୟାଥି ଭଳି ଏକ ପବିତ୍ର ଚିକିତ୍ସା ବିଧାନର ସଂହିତା । ଏହା ଚିକିତ୍ସା ବିଜ୍ଞାନର ଏକ ମୂର୍ତ୍ତ ପ୍ରତୀକ, କାରଣ “ବିଜ୍ଞାନ ହେଉଛି ଏକ ନିୟମମତ ସୁସଂହତ ଜ୍ଞାନ” । “କୌଣସି ତଥ୍ୟ ସର୍ବଦା କିଛି ଗୋଟାଏ ଜ୍ଞାତବ୍ୟ ବିଷୟ ସହିତ ସମ୍ପୃକ୍ତ ରହିବା ହିଁ ହେଉଛି ବିଜ୍ଞାନ ” ଏବଂ “ପ୍ରତ୍ୟକ କଳାକୌଶଳର ଭିତ୍ତି ନିହିତ ଥାଏ ବିଜ୍ଞାନରେ” । ସୁତରାଂ ହୋମିଓପାଥି ଯେ କେବଳ ରୋଗାରୋଗ୍ୟ କରିବାର ଏକ ଚିକିତ୍ସା କଳା, ଏହା ନିଶ୍ଚୟ କୌଣସି ଶୁଷ୍କ, କପୋଳକଳ୍ପିତ ମତବାଦ, କଳ୍ପନା ବା ଉଭଟ ଚିନ୍ତା ଉପରେ ପର୍ଯ୍ୟବେସିତ ନୁହେଁ । ଏହା ଆରମ୍ଭରୁ ରୋଗାରୋଗ୍ୟର ଏକ ପ୍ରାୟୋଗିକ ପଦ୍ଧତି, ତେଣୁ ପ୍ରକୃତ ଚିକିତ୍ସା ବିଜ୍ଞାନ । ‘ଅର୍ଗାନନ୍ ହେଉଛି ଏକ ଗ୍ରୀକ ଶବ୍ଦ, ଯାହାର ଅର୍ଥ ହେଉଛି ‘ପୁଙ୍ଖାନୁପୁଙ୍କ ଭାବରେ ଅନୁସନ୍ଧାନ କରିବାର ପଦ୍ଧତି’ । ସୁତରାଂ ‘ଅର୍ଗାନନ୍ ଅଫ୍ ମେଡ଼ିସିନ୍’ ର ଅର୍ଥ ହେଉଛି ‘ଚିକିତ୍ସା ବିଜ୍ଞାନ ସମ୍ପର୍କରେ ପୁଙ୍ଖାନୁପୁଙ୍କ ଭାବରେ ଅନୁସନ୍ଧାନ କରିବାର ପଦ୍ଧତି’ । ତେଣୁ କରି ଚିକିତ୍ସାସମ୍ପର୍କିତ ଯାବତୀୟ ବ୍ୟାପାରରେ ବିଧିବଦ୍ଧ ଭାବରେ ଗବେଷଣା କରିବା ପାଇଁ ଦରକାରୀ ସମସ୍ତ ଜ୍ଞାତବ୍ୟ ବିଷୟ ଏଥିରେ ସନ୍ନିବିଷ୍ଟ ବୋଲି ଏହି ସଂହିତାର ନାମକରଣରୁ ବୁଝାପଡେ ।
ଜଣେ ପ୍ରକୃତ ଗବେଷକଙ୍କ ମନରେ କୌଣସି ପ୍ରକାରର ପକ୍ଷପାତ ଭାବ ବା ବଦ୍ଧଧାରଣା ରହିବା ଉଚିତ ନୁହେଁ । ସେ ପୂର୍ଣ୍ଣତ ଅନୁସନ୍ଧିତ୍ସୁ ହେବାର କଥା । ତେଣୁକରି, ହୁଏତ ‘ଅର୍ଗାନନ୍ ଅଫ୍ ମେଡ଼ିସିନ୍’ ର ଶିରୋନାମା ପରେ ସେହି ନାମର ତଳେ ‘ଅଡିସାପିଏର’ ଏହି ସାରବାକ୍ୟର ଉଦ୍ଧାର କରିଛନ୍ତି ଏହି ସଂହିତାର ସ୍ରଷ୍ଟା । ଏହି ଲ୍ୟାଟିନ ଯୁଗ୍ମ – ଶବ୍ଦର ଅର୍ଥ ହେଉଛି ‘ ବିନମ୍ର ସହକାରେ ଅନ୍ୟଠାରୁ ଶିକ୍ଷା କରିବା ପାଇଁ ସାହସୀ ହୁଅ’ । ଏହାଦ୍ଵାରା ଏହି ସଂହିତାର ନିୟମଶୃଙ୍ଖଳକୁ ହ୍ୟାନିମାନ ଯେ ନିଶ୍ଚିତଭାବରେ ନମନୀୟ କରିଛନ୍ତି ଏହା କହିବା ବାହୁଲ୍ୟ ମାତ୍ର । କାରଣ, କୌଣସି ବିଧିବଦ୍ଧ ଦୃଢ ଧାରଣା ମନରେ ନେଇ ପ୍ରକୃତ ସତ୍ୟକୁ ଅସ୍ଵୀକାର କରିବା ଅମନୁଷ୍ୟତାର ଓ ତାହା ଯେ କୌଣସି ଗବେଷଣାର ପରିପନ୍ଥୀ ।
ଏହି ଗ୍ରନ୍ଥ ପାଠକଲେ ଆମେ ଉପଲଭ୍ଡି କରିବା ଯେ, ଆଧୁନିକ ତଥାକଥିତ ଚିକିତ୍ସା ବିଜ୍ଞାନର ମୌଳିକ ବିଜ୍ଞାନସମ୍ମତ ବିଚାରସକଳ ସୁଚାରୁରୂପେ ସେଥିରେ ଗ୍ରଥିତ । ତେଣୁ ପ୍ରକୃତ ପକ୍ଷରେ କହିବାକୁ ଗଲେ ଏହି “ଅର୍ଗାନନ୍ ଅଫ୍ ମେଡ଼ିସିନ୍” ଚିକିତ୍ସା ବିଜ୍ଞାନର ଏକ ସଂହିତା, ଯାହାକି ସାଧାରଣ ଭାବରେ ସାରା ଚିକତ୍ସା ବିଜ୍ଞାନ ଓ ବିଶେଷଭାବରେ ହୋମିଓପାଥି ଚିକିତ୍ସା ପଦ୍ଧତିର ନିୟାମକ ହୋଇ ରହିଅଛି ।
ହ୍ୟାନିମାନଙ୍କ ‘ଅର୍ଗାନନ୍ ଅଫ୍ ମେଡ଼ିସିନ୍’ ଯଥାର୍ଥରେ ସନାତନ ଧର୍ମର ସକଳ ବୌଦ୍ଧିକ ସିଦ୍ଧାନ୍ତର ସଂହିତା ‘ଗୀତା’ ସହିତ ତୁଳନୀୟ । ‘ଗୀତା’ ଗ୍ରନ୍ଥକୁ ପାଠକରି ଯେପରି ବିଭିନ୍ନ ପଣ୍ଡିତ ବିଭିନ୍ନ ମତାମତ ପରିବେଷଣ କରିଥା’ନ୍ତି, ସେହିପରି ସନାତନ ଓ ଶାଶ୍ଵତ ଚିକିତ୍ସା ମନ୍ତ୍ର ସନ୍ନିବିଷ୍ଟ ‘ଅର୍ଗାନନ୍’ ଗ୍ରନ୍ଥ ଉପରେ ବିଭିନ୍ନ ଚିକିତ୍ସାବିତ୍ ବିଭିନ ଟୀକା ପ୍ରଦାନ କରିଥା’ନ୍ତି । ଯେହେତୁ ସେଥିନିବିଷ୍ଟ ସୂତ୍ରସକଳ ଚିତନ୍ତନୀ ସୂତ୍ର, ତେଣୁ ବିଜ୍ଞାନର ସମସ୍ତ ଶାଖା ସହିତ ଏହାର ସପ୍ରାଣ ସଂଯୋଗ ତଥା ସମ୍ପର୍କ ରହିଅଛି । ସେହି କାରଣରୁ ବିଜ୍ଞାନୀମାନେ ନିଜ ନିଜର ଦୀକ୍ଷିତ ମତାନୁସାରେ ଏହାର ବିଶ୍ଳେଷଣ କରିଅଛନ୍ତି । ଆଧିଭୌତିକ, ଆଧ୍ୟାତ୍ମିକ ସମସ୍ତ ଧରଣର ଚିନ୍ତାଧାରା ଉପରେ ସବୁରି ଯୁକ୍ତି ବଳିଷ୍ଠ ଭାବରେ ଅର୍ଗାନନ୍ କୁ ଆଖି ଆଗରେ ରଖି ସମସ୍ତେ ଉପସ୍ଥାପିତ କରିଛନ୍ତି ଓ ହ୍ୟାନିମାନଙ୍କ ଦୃଷ୍ଟିକୋଣକୁ ସେମାନଙ୍କ ଯୁକ୍ତିର ସପକ୍ଷରେ ପ୍ରମାଣ କରୁଛନ୍ତି, ଯେପରି ଅଦୈତ ଓ ଦୈତ ଉଭୟ ମତବାଦର ସପକ୍ଷରେ ଗୀତା ଉପରେ ପ୍ରବଚନ ହୋଇଥାଏ ।
ଅବଶ୍ୟ, ଜଣେ ନବାଧ୍ୟାୟୀ ପକ୍ଷରେ ବିଜ୍ଞାନର ଯେତେସବୁ ଜଟିଳ ତତ୍ତ୍ଵକୁ ହୋମିଓପାଥିର ଜଡ ଭିତରେ ଗ୍ରାହ୍ୟ କରାଯିବା ବେଶ୍ କଷ୍ଟ ସାଧ୍ୟ । ତେଣୁକରି ସାଧାରଣ ବିଜ୍ଞାନର ପରିଧି ଭିତରେ ସ୍ଵ ସ୍ଵ ବିଚାରଧାରାରେ ଯଦି ଅର୍ଗାନନ୍ ର ପାଠ ସକଳକୁ ବୋଧଗମ୍ୟ କରାଯାଇପାରେ, ତାହାହେଲେ, ହୋମିଓପାଥି ବିଚାରଣାର ଭିତ୍ତି ଦୃଢ ହୋଇପାରେ । କାରଣ, ‘ଜୀବନୀଶକ୍ତି’, ‘ଶକ୍ତିକରଣ’, ପ୍ରତ୍ୟକ ଶକ୍ତି ର ପ୍ରକୃତ ଅବସ୍ଥିତି ଓ କାର୍ଯ୍ୟକାରିତା ଆଦି କେତେକ ଜଟିଳ ସମସ୍ୟାପୂର୍ଣ୍ଣ ପ୍ରଶ୍ନକୁ ଯଦି ବୈଜ୍ଞାନିକ ଭିତ୍ତି ଉପରେ ପ୍ରଥମେ ପ୍ରତିପାଦିତ କରି, ପରେ ହୋମିଓପାଥିର ଶାସ୍ତ୍ର ଅଧ୍ୟୟନ କରିବାର ଯୁକ୍ତିକୁ ଗ୍ରହଣ କରାଯାଏ, ପ୍ରକୃତପକ୍ଷେ ହୋମିଓପାଥି ଦ୍ଵାରା ଯେତିକି ହିତ ସାଧିତ ହେଉଅଛି, ସେ ସବୁ ଆମକୁ ମୂଳତଃ ପ୍ରତ୍ୟାଖ୍ୟାନ କରିବାକୁ ହେବ । ଏ ଜଗତରେ ପ୍ରତ୍ୟକ କାର୍ଯ୍ୟ; ସୃଷ୍ଟି, ସ୍ଥିତି ଓ ବିଲୟ; କେତେକ ବିଧିବିଧାନ ଦ୍ଵାରା ସୁଶୃଙ୍ଖଳ ଭାବରେ ସଂଗଠିତ ହେଉଅଛି, ଏହା ପ୍ରତ୍ୟକ୍ଷ, ମାତ୍ର ସେ ସମସ୍ତ କାର୍ଯ୍ୟକୁ ବୈଜ୍ଞାନିକ ଭିତ୍ତିଭୂମି ଉପରେ ବିଶ୍ଳେଷଣ କରିବା ଦ୍ଵାରା ଅଦ୍ୟାବିଧି ସମ୍ଭବ ହୋଇ ନାହିଁ । କିନ୍ତୁ, ପ୍ରକୃତିର ସେ ସବୁ ଅବସ୍ଥା ସମାଲୋଚନାର ଉର୍ଦ୍ଧ୍ଵରେ । ଠିକ୍ ସେହିପରି ହୋମିଓପାଥି ଔଷଧ ଦ୍ଵାରା ଶରୀର ମଧ୍ୟରେ ଯେ ଆଲୋଡନ ସୃଷ୍ଟି ହେଉଛି ଏହା ପ୍ରତ୍ୟକ୍ଷୀଭୂତ, ନିର୍ଦ୍ଧିଷ୍ଟ, ମାତ୍ର ବିଶ୍ଲେଷଣାତ୍ମକ ନୁହେଁ, କାରଣ ମନୁଷ୍ୟ ଜ୍ଞାନର ପରିସୀମା ବାହାରେ ତାହା ରହିଯାଉଅଛି । ସୁତରାଂ ସମାଲୋଚନା କରି ପ୍ରତ୍ୟାଖ୍ୟାନର ପ୍ରଶ୍ନ ଉତ୍ ଥାପିତ କରିବାରେ କୌଣସି ସାରବତ୍ତା ନାହିଁ । ସେସବୁ ବରଂ ଗବେଷଣାସାପେକ୍ଷ ଓ ଗବେଷଣା ନିମନ୍ତେ ଅନୁକୂଳ ସମସ୍ୟା ।
ସେଥିପାଇଁ, ହୋମିଓପାଥି ଶାସ୍ତ୍ରର ଜଟିଳତାକୁ ଖଣ୍ଡନ କରିବାକୁ କେବଳ ଯୁକ୍ତି ବା ଭୂୟୋଦର୍ଶନର ଆବଶ୍ୟକତା ସର୍ବଦା ଦରକାର, ଏ କଥା ସବୁ ସମୟରେ ଏବଂ ବିଶେଷତଃ ବର୍ତ୍ତମାନର ବିଜ୍ଞାନରେ ସମ୍ଭବ ନୁହେଁ । ତାହାକୁ ବୁଝି ଆୟତ୍ତ କରିବାକୁ ହେଲେ, ପ୍ରଥମତଃ ଅଧ୍ୟାୟୀର ମାନସିକ ପ୍ରସ୍ତୁତି ତଥା ଯଥାର୍ଥ ଗ୍ରହଣୀୟତା ଆସିବା ଦରକାର ।
ଏହି ଗ୍ରନ୍ଥର ଏକାଧିକ ସଂସ୍କରଣ ହେତୁ ଓ ହୋମିଓପାଥିର ଆବିଷ୍କର୍ତ୍ତାଙ୍କର ଗବେଷଣାମୂଳକ ଉନ୍ନତ ପରିବର୍ତ୍ତନ ସକଳର ମୂଲ୍ୟବୋଧ ପାଇଁ ଏହି ସମସ୍ତ ସଂସ୍କରଣର ମୁଖବନ୍ଧ ସକଳର ଅନୁବାଦ ଓ ତାହାଉପରେ ଟୀକା କରିବା ନିତାନ୍ତ ଜରୁରୀ, ଯେହେତୁ ହ୍ୟାନିମାନଙ୍କ ମତରେ “ଦୀର୍ଘ ଅଠର ମାସର ପରିଶ୍ରମ ପରେ ମୋର ଅର୍ଗାନନ୍ ର ଷଷ୍ଠ ସଂସ୍କରଣର କାର୍ଯ୍ୟ ସମ୍ପୂର୍ଣ୍ଣ କଲି, ଯାହାକି ଏହାର ସମସ୍ତ ସଂସ୍କରଣ ମଧ୍ୟରେ ନିଖୁଣତାର ଅତ୍ୟନ୍ତ ନିକଟବର୍ତ୍ତୀ” । ଏହା ଦ୍ଵାରା ‘ଅର୍ଗାନନ୍’ ର ପ୍ରଥମ ସଂସ୍କରଣ ଠାରୁ ଆରମ୍ଭକରି ଶେଷ ପର୍ଯ୍ୟନ୍ତ ଏହି ପଣ୍ଡିତ ଗବେଷକଙ୍କର ଚିନ୍ତାଧାରାର କ୍ରମନିକାସ ସହିତ ଆମେ ନିବିଡଭାବରେ ପରିଚିତ ହୋଇପାରିବା ଓ ଫଳରେ, ଭବିଷ୍ୟତରେ, ବର୍ତ୍ତମାନର ‘ଅର୍ଗାନନ୍’ ରେ କୌଣସି ପରିବର୍ତ୍ତନ, ପରିବର୍ଦ୍ଧନ ତଥା ପରିମାର୍ଜନର ଦରକାର ମନେକଲେ, ଭବିଷ୍ୟତ ବଂଶଧରମାନେ ଠିକଣା ମାର୍ଗଦର୍ଶନ ପାଇପାରିବେ ।
‘ଅର୍ଗାନନ୍’ ବହିଟି ହେଉଛି ସମସ୍ତ ଚିକିତ୍ସାବିଜ୍ଞାନୀମାନଙ୍କ ପାଇଁ ଏକ ମୌଳିକ ଗ୍ରନ୍ଥ । ଏହି ଗ୍ରନ୍ଥରେ ଚିକିତ୍ସା ପଦ୍ଧତି ସମ୍ପର୍କରେ ଖିନ୍ ଭିନ୍ ଆଲୋଚନା ହୋଇଅଛି । ଏ ଗ୍ରନ୍ଥର ମୁଖବନ୍ଧସକଳ ପାଠ ନ କଲେ ଆମେ କେବଳ ଏ ବହିଟିକୁ ହୋମିଓପାଥି ଚିକିତ୍ସକଙ୍କ ମଧ୍ୟରେ ସୀମିତ ରଖିବୁ ଓ ଏହା ଯେ ପ୍ରତ୍ୟକ ଚିକିତ୍ସକର ପ୍ରଣିଧାନର ଯୋଗ୍ୟ ତା’ର ଦ୍ଵାରା ବନ୍ଦ କରିଦେବୁ । ଏହା କେବଳ ହୋମିଓପାଥିର ମାର୍ଗଦର୍ଶକ ନୁହେଁ, ସମସ୍ତ ଚିକିତ୍ସା ଜଗତର ମାର୍ଗଦର୍ଶକ ଓ ନିୟାମକ କହିଲେ ଅତ୍ୟୁକ୍ତି ହେବ ନାହିଁ ।
ସଂଗୃହୀତ – ଡାକ୍ତର କମଳାକାନ୍ତ କର
Last Modified : 6/21/2020