ଶରୀରର ଅତି ମୁଲ୍ୟବାନ ରସ ମାନଙ୍କର କ୍ରମାଗତ କ୍ଷରଣ ହେତୁ ଦୁର୍ବଳତା ବା ଅବସାଦ ପାଇଁ ଏହା ଅତ୍ୟନ୍ତ ଉପକାରୀ । ଏ କ୍ଷେତ୍ରରେ ଏହା ଚାଇନାର ପରିପୂରକ । ଉଦାସୀନତା, ଦୁର୍ବଳତା, ଖୁବ୍ ଶୀଘ୍ର ଡେଙ୍ଗା ହୋଇଯିବା, ଅତିରିକ୍ତ ପ୍ରସାବ ଓ ଆକାଳେ ଶୁକ୍ରକ୍ଷୟର ଉପସର୍ଗରେ ଏହା ଫଳପ୍ରଦ । ମାତ୍ର, ଦୀର୍ଘଦିନ ଧରି ଉଦରାମୟ ଭୋଗୁଥିଲେ ମଧ୍ୟ, ଯଦି ଏହାର ପ୍ରଭାବ ରୋଗୀର ଶରୀର ଉପରେ କିଛି ମାତ୍ର ପଡୁ ନ ଥାଏ ଓ କୌଣସି ପ୍ରକାର ଚିକିତ୍ସାରେ ଉପଶମ ହେଉ ନ ଥାଏ, ତାହାହେଲେ ଏହା ହିଁ ଏକମାତ୍ର ଆରୋଗ୍ୟକାରୀ ଔଷଧ । କେବଳ ଏହି କ୍ଷେତ୍ରରେ ହିଁ ଏହାର ଦୁର୍ବଳତା ପରିଲକ୍ଷିତ ହୁଏ ନାହିଁ ।
ଯେ ଯୌନଶୀ ରୋଗ, ଅପ୍ରତ୍ୟାଶିତ, ହଠାତ୍ ଓ ସାଘାଂତିକଭାବରେ ଯଦି ଆକ୍ରମଣ କରେ, ତାହାର ପ୍ରାଥମିକ ଅବସ୍ଥାରେ ଏହା ଅତି ସୁଫଳ ଦିଏ । ଭୟ, ଅତ୍ୟଧିକ ଗରମ ବା ଶୀତ ଦ୍ଵାରା ରୋଗର ଉତ୍ପତ୍ତି ସହିତ ଅତିମାତ୍ରାର ବ୍ୟସ୍ତତା, ବ୍ୟାକୁଳତା, ରୋଗୀ ଖାଲି ମୃତ୍ୟୁର ବିଭୀଷିକା ଦେଖୁଥିବ, ଘର୍ମହୀନ ପ୍ରଚଣ୍ଡ ଜ୍ଵର ସହିତ ଉତ୍କଣ୍ଠା ଓ ଅତ୍ୟଧିକ ତୃଷ୍ଣା , ଏହାର ପରିଚାୟକ ଲକ୍ଷଣ । ଏହାଛଡା ଯେ କୌଣସି ବଡଧରଣର ଆଘାତରେ ସଙ୍ଗେ ସଙ୍ଗେ ଏହାର ପ୍ରୟୋଗ ଫଳରେ ପ୍ରତିକ୍ରିୟାଜନିତ ଅବସାଦ ଓ ଅନ୍ୟାନ୍ୟ ଉପସର୍ଗକୁ ଦୂରେଇ ଦିଆଯାଇପାରେ ।
କଟିବ୍ୟଥା ଓ ଅର୍ଶପାଇଁ ଏହା ଏକ ପ୍ରଧାନ ଔଷଧ । ତ୍ରିକାସ୍ଥିରେ ଶୂଳ ପଶିଲା ଭଳି ବ୍ୟଥା ବା ଅଣ୍ଟା ଖାଲି ଭାଙ୍ଗିପଡିଲା ଭଳି ବ୍ୟଥା ମଳଦ୍ଵାରରେ କାଠି ଖୁଞ୍ଚି ହେଲାଭଳି ଅନୁଭୂତି ଥିଲେ ଏହା ଆଶୁ ଉପଶମକାରୀ । ଶୁଖିଲା, କଠିନ ଝାଡା ସହିତ ମଳଦ୍ଵାରରେ ବ୍ୟଥା ଓ ଉପଯୁକ୍ତ ଅନୁଭୂତି ଯଦି ଝାଡା ଫେରିସାରିବାର ବହୁକ୍ଷଣ ପର ପର୍ଯ୍ୟନ୍ତ ଲାଗିରହେ, ତାହାହେଲେ ଏହା ପ୍ରଥମେ ଚିନ୍ତା କରିବାର କଥା । ମଳଦ୍ଵାରରେ ରକ୍ତ ସଂଚାଳନର ବୃଦ୍ଧି ହେତୁ ଏହା ସବୁ ସମୟରେ ଯେପରି ପୂରି ରହିଲା ଭଳି ମନେହୁଏ ଓ ଝାଡା ପରିଷ୍କାରଭାବରେ ଛାଡେ ନାହିଁ । ଯେ କୌଣସି ବସି – କୋଟରୀୟ ଯନ୍ତ୍ରବିଶେଷ ର ପୀଡାରେ ଯଦି ଅଣ୍ଟାଧରି ସହିତ ତ୍ରିକାସ୍ଥି ଓ ଉରୁରେ ବ୍ୟଥା ଲାଗି ରହିଥାଏ ଏବଂ ଚାଲିବା ଓ ନଇଁବାରେ କଷ୍ଟ ବୃଦ୍ଧି ହେଉଥାଏ , ତାହାହେଲେ ଏହା ଅବଶ୍ୟ ଉପଶମ ଦେବ ।
ଶିଶୁମାନଙ୍କର ବାନ୍ତି ଓ ପିହୁଳା ରୋଗପାଇଁ ଏହା ଏକ ଅତ୍ୟନ୍ତ ଆବଶ୍ୟକୀୟ ଔଷଧ । ଦୁଗ୍ଧପାନ ପରେ ପରେ ଛେଲା ଛେଲା ବାନ୍ତିକରି ଛୁଆ ଯଦି ଆକାବାକା ହୋଇଯାଇ ହାଲିଆ ହୋଇପଡି ଶୋଇ ଯାଉଥିବ ଏବଂ ଉଠିଲା ପରେ ଖାଇ ଏହାର ପୁନରାବୃତ୍ତି ଘଟାଉଥିବ, ତାହାହେଲେ ଏହା ପାଇଁ ଇଥୁଜା ଛଡା ଅନ୍ୟ କୌଣସି ଔଷଧ ହୋଇ ନ ପାରେ । ଅବଶ୍ୟ ଅନ୍ୟ କୌଣସି ଉପସର୍ଗ ନ ଥାଇ ଖାଲି ଛେଲାଛେଲା ଦହି ଭଳି ବାନ୍ତିରେ ଭାଲେରିଆନା ଏକ ଉତ୍କୃଷ୍ଟ ଔଷଧ । ଯଦି ଜିଭରେ ମୋଟା ଧଳା ଛତିଆ ଜମୁଥିବ ଯେତେ ପରିଷ୍କାର କଲେ ମଧ୍ୟ, ତାହାହେଲେ ତ ଏଣ୍ଟିମକ୍ରୁଡ ।
କିନ୍ତୁ ଏହା ଯଦି ପିହୁଳା ମାରୁଥିବ ଓ ପିଲାର ଡୋଳା ଦୁଇଟି ତଳଆଡକୁ ଖୋସି ହୋଇଯାଇଥିବ, ସତେ ଯେପରି ସେ ତା’ର ନାକ ଅଗକୁ ଚାହିଁ ରହିଛି, ତାହାହେଲେ ଏହା ତତକ୍ଷଣାତ ଉପକାର କରିବ । ଅବଶ୍ୟ ଆଖିଡୋଳା, ଶିବନେତ୍ର ଭଳି ଉପରକୁ ଖୋସି ହୋଇଥିଲେ କ୍ୟୁପ୍ରମମେଟ ହିଁ ଲାଗିବ ।
ଏସବୁ କ୍ଷେତ୍ରରେ ଶିଶୁର ମୁହଁ ପଶିଯାଇ ହନୁହାଡ ବାହାରି ପଡେ, ନାକ ଓ ଉପର ଓଠ ପାଖରେ ଭାଙ୍ଗ ପଡିଯାଏ ।
ତରୁଣ ଶର୍ଦ୍ଦିରେ ନାକ ଓ ଆଖିରୁ ଅନର୍ଗଳ ପାଣି ଗଡୁଥିଲେ ଓ ପ୍ରବଳ ଛିଙ୍କ ସହିତ ନାକ ପୋଡୁଥିଲେ, ଏହାର ବ୍ୟବହାର ତତକ୍ଷଣ ଫଳଦାୟୀ ।
କୌଣସି କାରଣରୁ ଅଙ୍ଗଚ୍ଛେଦ ପରେ ଥୁଣ୍ଟା ଅଂଶର ସ୍ନାୟବିକ ପୀଡା ଯଦି କୌଣସିଥିରେ କମୁ ନ ଥିବ ତାହାହେଲେ ଏହାର ୨୦୦ ଓ ୧୦୦୦ ଶକ୍ତି ପ୍ରୟୋଗ କରି ଦେଖନ୍ତୁନା । ଏହା ଯେପରି ଜଣେ କେବେହେଲେ ଭୁଲି ନ ଯାଆନ୍ତି ।
ଉଦରାମୟ ତଥା ନାଳଝାଡାରେ ଏହା ପ୍ରାୟ ଫଳପ୍ରଦ ଭାବରେ ବ୍ୟବହାର ହୋଇଥାଏ । ପେଟ ମୋଡିହୋଇ ଅତର୍ଚ୍ଛ ଝାଡା ମାଡୁଥିଲେ, ବାୟୁ ସରିଲାବେଳେ, ପରିସ୍ରା ବସିଲାବେଳେ ଝାଡା ପଡିଯାଉଥିଲେ ବା ପଡିଗଲା ଭଳି ଅନୁଭୂତିରୁ ଅତି ସନ୍ତର୍ପଣରେ ରୋଗୀ ସେ କାର୍ଯ୍ୟ ସମ୍ପାଦନ କରୁଥିଲେ ଏହା ଅଦ୍ଵିତୀୟ ଔଷଧ । ଏହି ଝାଡା ସହିତ କିନ୍ତୁ ରୋଗୀର ବେଶ୍ ଭୋକ ଥାଏ । ଏହାର ଝାଡା ପ୍ରାୟ ନାଳମିଶା ଓ ଅନେକ ସମୟରେ ମେଞ୍ଚା ମେଞ୍ଚା ଜେଲିଭଳି । ଝାଡାର ଠିକ ପୂର୍ବରୁ ପେଟ ଖୁବ୍ କଳ କଳ କରେ ।
ହଠାତ୍ ସ୍ମରଣଶକ୍ତି କମି ଯାଉଥିବା, ମାନସିକ ଦ୍ଵନ୍ଦ୍ଵ ସହିତ ଗାଳିଗୁଲଜ କରି ଅଭିସମ୍ପାତ ଢାଳୁଥିବା ଲୋକର ଚର୍ମରୋଗ ଓ ଜୀର୍ଣ୍ଣଶୂଳ ରୋଗରେ ଏହା ଦରକାର । ଏ ରୋଗୀର ଯାବତୀୟ କଷ୍ଟ ଖାଇବାପରେ ଉପଶମ ହୋଇଥାଏ । ଚର୍ମ ରୋଗରେ ଆକ୍ରାନ୍ତସ୍ଥାନ ନିର୍ଜୀବ ବା ବଧିରା ହୋଇ ଯାଉଥିଲେ ଏହାର ଚିନ୍ତା କରାଯାଏ ।
ପେଟ ଗଣ୍ଡଗୋଳ ହେତୁ ବିଭିନ୍ନ ପ୍ରକାରର ରୋଗ ହେଉଥିଲେ ଏହାର ଆବଶ୍ୟକ ହୁଏ । ଏହାର ନିର୍ଣ୍ଣାୟକ ଲକ୍ଷଣ ରୋଗୀର ଜିଭ ଉପରେ ହିଁ ପ୍ରତିଫଳିତ ହୋଇଥାଏ ।ଯେତେ ପରିଷ୍କାର କଲେ ମଧ୍ୟ ବହଳ ଚୂନର ପ୍ରଲେପ ଦିଆ ହୋଇଥିବା ଭଳି ଦେଖାଯାଏ । ରୋଗୀ ପାଣି ପିଇବାକୁ ବିଲକୁଲ ଚାହୁଁ ନ ଥିବ । ଦାନ୍ତ ଉଠିବା ସମୟରେ ଉଦରାମୟରେ ଏହା ବେଶ୍ ପ୍ରୟୋଜନୀୟ । ତରଳ ଝାଡା ମଧ୍ୟରେ ବିଣ୍ଡା ବିଣ୍ଡା କଠିନ ଝାଡା ଥିବ ଓ ଗାଧୋଇବା ସମୟରେ ଝାଡା ହୋଇଯାଉଥିବା ଲକ୍ଷଣ ସହିତ ଧଳା ସର ପଡିଲାଭଳି ଜିଭ ଏହାର ନିର୍ଣ୍ଣାୟକ ଲକ୍ଷଣ ।
ରୋଗ ସମୟରେ ଏହା ଖୁବ୍ ଚିଡିଚିଡା ହୁଏ । ଛୋଟ ଛୁଆ ହୋଇଥିଲେ ଦେହରେ ହାତ ମରେଇ ଦେବ ନାହିଁ ।
ବିଭିନ୍ନ ସ୍ଥାନରେ, ବିଶେଷ କରି ତଳିପା’ରେ ବିଣ୍ଡି , ମାଛଆଖିଆ ଓ ଦେହରେ ଶିଙ୍ଘଭଳି ଭାତୁଡି ହେଉଥିଲେ ଏହା ଖୁବ୍ ଭଲ କାମ ଦିଏ, ଉଚ୍ଚଶକ୍ତିର ପ୍ରୟୋଗ ଦ୍ଵାରା ।
ଅତ୍ୟନ୍ତ ଦୁର୍ବଳ ଓ ଅବସନ୍ନଭାବରେ ପଡିରହିଥିବ ; ଛାତିରେ କଫ ଜମାହୋଇ ଘଡ ଘଡ କରୁଥିବ ଅଥଚ କାଶି ବାହାର କରିବାକୁ ଶକ୍ତି ନ ଥିବ ; ଅତ୍ୟନ୍ତ ଶ୍ଵାସକଷ୍ଟ ସହିତ କପାଳରେ ବିନ୍ଦୁ ବିନ୍ଦୁ ଝାଳ ଦେଖା ଯାଉଥିବ ; ରୋଗୀର ଚେହେରାରେ ତଥା ପରିବେଶରେ ମୃତ୍ୟୁର ଆତଙ୍କ ପୂରି ରହିଥିବ, ତାହାହେଲେ ଅନେକ ସମୟରେ ଏସବୁ ଲକ୍ଷଣରେ ଏହାର ପ୍ରୟୋଗ ଜୀବନ ରକ୍ଷା କରିଥାଏ । ଏହା ବାନ୍ତିରେ ମଧ୍ୟ ଖୁବ୍ ଉପକାରୀ । ଏହାର ବାନ୍ତି କେବଳ ଡାହାଣ କଡ ମାଡି ଶୋଇଲେ ଉପଶମ ହୁଏ ।
ଶୋଥ, ମୂତ୍ରସ୍ୱଳ୍ପତା ବା ମୂତ୍ରକୃଚ୍ଛତା, ତୃଷାହୀନତା ଓ ଗରମକାତରତା ଏହାର ନିର୍ଦ୍ଦେଶକ ଲକ୍ଷଣ । ଅଗିଆବାତରେ ଏହା ପ୍ରାୟ ବ୍ୟବହୃତ ହୁଏ । ଦେହ ମହୁମାଛି ମାରିଲା ଭଳି ଫୁଲିଯାଏ ଓ ବିନ୍ଧେ । ଆଖି ତଳପତା ଜଳ ଜଳ ହୋଇଫୁଲି ଓହଳି ପଡିଥିଲେ ଏପିସକୁ ଚିହ୍ନିବା କଷ୍ଟ ହୁଏ ନାହିଁ ।
ନାଳଶୂଳା ଝାଡାରେ ଏହା ଏକ ଅତ୍ୟନ୍ତ ଉପାଦେୟ ଔଷଧ ଯାହାକି ଆମେ ପ୍ରାୟ ଭୁଲି ଯାଉ । ମଳଦ୍ଵାର ମୁହଁ ଫୁଲି ମାଂସପୁଟୁଳା ଭଳି ଓଲଟିପଡି ମେଲା ହୋଇଯାଇଥିଲେ ଓ ନାଳ, ରସ ରକ୍ତ ନିଗିଡିପଡି ବିନ୍ଧାଛିଟିକା କରୁଥିଲେ ଏହାକୁ ତୁରନ୍ତ ଦେବା କଥା ।
ସଂଗୃହୀତ – ଡାକ୍ତର କମଳାକାନ୍ତ କର
Last Modified : 1/5/2020