ପଚା, ଦୁର୍ଗନ୍ଧ ପରିବେଶରୁ ଜାତ, ରକ୍ତପ୍ରଦୂଷଣ ଓ ପୂଜ ରୋଗମାନଙ୍କରେ ଯଦି ଶରୀରର ଉତ୍ତାପ ଅତ୍ୟଧିକ ବଢିଯାଉଥିବ , ଜିଭ ଗାଢ ଲାଲ୍ ବର୍ଣ୍ଣର ଦେଖାଯାଉଥିବ ; ଜ୍ଵର ଓ ନାଡିର ଗତିରେ ସାମଞ୍ଜସ୍ୟ ନ ଥିବ ; ସର୍ବାଙ୍ଗରେ ପୀଡା ଓ ଦରଜ ଲାଗି ରହିଥିବ ; ଯେତେ ନରମ ଶଯ୍ୟା ହେଲେ ମଧ୍ୟ ପୀଡାଦାୟକ ହେଉଥିବ ; ଶରୀରର ସମସ୍ତ ସ୍ରାବ ଦୁର୍ଗନ୍ଧଯୁକ୍ତ ହୋଇଥିବ ; ଜ୍ଵର ବୃଦ୍ଧି ସମୟରେ ବାରମ୍ବାର ଓ ବହୁପରିମାଣର ପରିସ୍ରା ହେଉଥିବ, ତାହାହେଲେ ଏହା ଏକ ଉତ୍ତମ ଔଷଧ ।
ବର୍ଷାଦିନିଆ ରୋଗ, ବର୍ଷାରେ ଭିଜିବା ହେତୁ ଅଥବା ଅବେଳରେ, ଅଜାଗାରେ, ଅଦିନିଆ ଗାଢୁଆ ପାଧୁଆ ପରେ କୌଣସି ରୋଗ, ବିଶେଷକରି, ଶର୍ଦ୍ଦି, ଜ୍ଵର, ଗଣ୍ଠିବାତ, ଆମାଶୟ ଆଦି ହେଉଥିଲେ ଏହା ଆବଶ୍ୟକ ହୁଏ । ଏହାର କ୍ରିୟା ମାଂସପେଶୀ ଉପରେ ହେଉଥିବାରୁ, ସମସ୍ତ ଶରୀରର ମାଂସପେଶୀମାନଙ୍କର ବ୍ୟଥା ହୋଇ ଛେଚିକୁଟି ହୁଏ ଓ ରୋଗୀ ଖାଲି ଭିଡିମୋଡି ହୋଇ ଅଳସ ଭାଙ୍ଗିଲାଭଳି ହେଉଥାଏ । ବିଛଣାରେ ପଡିଥିଲେ ଖାଲି ଏପଟ ସେପଟ ଗଡେଇ ତଡେଇ ହେଉଥାଏ । ବା ବାରମ୍ବାର ଉଠି ଘରସାରା ବୁଲୁଥାଏ, ସତେ ଯେପରି ବିଶ୍ରାମରେ ଏହାର ସମସ୍ତ କଷ୍ଟ ବଢିଥାଏ । ଅବଶ୍ୟ ରସଟକ୍ସର ବୃଦ୍ଧି ସଂଚଳନର ପ୍ରାରମ୍ଭରେ । ତେଣୁକରି ସକାଳୁ ଉଠିବାପରେ କିଛି ସମୟ ଏହାର ଶାରୀରିକ ପୀଡା ବହୁତ ବେଶି ହୁଏ ଓ ଚଲାବୁଲା କରିବାର କିଛି ସମୟପରେ ଉପଶମ ଅନୁଭବ କରେ । ଏପରିକି ପୁନର୍ବାର ଶୋଇବା ବା ବିଶ୍ରାମ ନେବା ପର୍ଯ୍ୟନ୍ତ ତା’ର କୌଣସି ଅସୁବିଧା ହୁଏ ନାହିଁ । ଏହାର ଜିଭ ଅଗ ଓ ଧାର ବେଶ୍ ଲାଲ୍ ଦେଖାଯାଏ । ଜିଭ ମଝିଟି ମାଟିଆ ରଙ୍ଗର ପ୍ରଲେପ ଥିଲାଭଳି ମନେହୁଏ ।
ଦେହ ଘୋଳାବିନ୍ଧା ଏହାର ଅତ୍ୟନ୍ତ ସହଚର ଲକ୍ଷଣ ହୋଇଥିଲେ ମଧ୍ୟ, ସବିରାମ ଜ୍ଵରରେ ଏହାର ଦୁଇଟି ନିର୍ଣ୍ଣାୟକ ଲକ୍ଷଣ ହେଉଛି, ଜ୍ଵର ଆସିବା ପୂର୍ବରୁ ଶୀତ ବା କମ୍ପ ସହିତ କାଶ ହେବା ଓ ଜ୍ଵର ସମୟରେ ଅଗିଆବାତ ବାହାରିବା । ଏହାର କାଶ ବହୁତ କଷ୍ଟକର ଓ ତଣ୍ଟି ଛିଣ୍ଡିଗଲା ଭଳି ଲାଗେ । କଫରେ ରକ୍ତର ସ୍ଵାଦ ରହିଥାଏ ରକ୍ତ ପଡୁ ବା ନ ପଡୁ ।ଏହାର ରୋଗୀ ଥଣ୍ଡାପବନ ଆଦୌ ସହିପାରେନା । ହିପାରସଲ୍ଫ ଭଳି ଶରୀରର କୌଣସି ଅଂଶରେ ପବନ ବାଜିଲାମାତ୍ରେ କାଶ ହୋଇଥାଏ । ଦୀର୍ଘସ୍ଥାୟୀ ଜ୍ଵରରେ, ସବିରାମ ହେଉ ବା ଅବିରାମ ହେଉ, ଜ୍ଵର ଅଧିକ ଥିଲାବେଳେ ରୋଗୀ ନିଜର ଧନ୍ଦା, ନଈ ପହଁରିବା, ଗାଧୋଇବା, ମାଛଧରିବା ଇତ୍ୟାଦି ବିଷୟରେ ବାଉଳି ହୁଏ ବା ସ୍ଵପ୍ନ ଦେଖେ । ରୋଗ ଯାହା ବା ହେଉନା କାହିଁକି, ଘୋଳାବିନ୍ଧା, ଶାରୀରିକ ଅସ୍ଥିରତା ଓ ଲାଲ୍ ଜିହ୍ଵାଗ୍ର ଏହାର ନିର୍ଣ୍ଣାୟକ ଲକ୍ଷଣ ।
ସ୍ତ୍ରୀଲୋକମାନଙ୍କର, ଅତିରଜ, ବାଧକ ଯନ୍ତ୍ରଣା ଓ ଗର୍ଭସ୍ରାବରେ ଏହା ପ୍ରାୟ ପ୍ରୟୋଜନରେ ଆସେ । କଟି ଓ ତ୍ରିକାସ୍ଥିରୁ ଜନନେନ୍ଦ୍ରିୟ ପର୍ଯ୍ୟନ୍ତ ଟାଣି ଧରିଲାପରି ବେଦନା ଓ ତତ ସଙ୍ଗେ ସଙ୍ଗେ ଛେଲା ଛେଲା ରକ୍ତସ୍ରାବ, ଏହାର ପରିଚାୟକ ଲକ୍ଷଣ । ତୃତୀୟ ମାସରେ ଗର୍ଭସ୍ରାବ ହେବାର ପ୍ରବଣତା ଏହାଦ୍ଵାରା ଦୂରୀଭୂତ ହୁଏ । ଏହାର ଚାରିତ୍ରିକ ଲକ୍ଷଣ ହେଉଛି ସଙ୍ଗୀତ ଶ୍ରବଣରେ ବିରକ୍ତି ଓ କ୍ରନ୍ଦନ ।
ଏହାର ବ୍ୟବହାର ଖୁବ୍ ସ୍ୱଳ୍ପ ହେଲେ ମଧ୍ୟ, ରାତିଅଧିଆ ଆପଦ କାଳରେ ଏହାର ଆବଶ୍ୟକତା ଢେର । ଶିଶୁମାନଙ୍କର ହଠାତ୍ ଶର୍ଦ୍ଦିହେଲେ ଅଧରାତିକୁ ନାକ ଚୁଣ୍ଟିହୋଇ ଆବାକାବା ହୋଇ ଉଠିପଡିଲେ ଓ ଉଠିବା ସଙ୍ଗେ ସଙ୍ଗେ ଦେହ ଓ କପାଳରୁ ଝାଳ ଗମଗମ୍ ହୋଇ ବୋହିପଡୁଥିଲେ, ଏହାର ପ୍ରୟୋଗରେ ସେ ତତକ୍ଷଣାତ ଉପଶମ ଅନୁଭବ କରେ ହୃଦରୋଗୀର ଏତାଦ୍ଦୃସ ଲକ୍ଷଣରେ ମଧ୍ୟ ଏହା ଖୁବ୍ ଉପଯୋଗୀ । ଅବଶ୍ୟ ବୁକୁଭିତରେ ହୃଦ୍ ଯନ୍ତ୍ରକୁ ଜାବୁଡି ଧରିଲାଭଳି ଅନୁଭୂତି ସହିତ ଏଭଳି ଝାଳ ବୋହିଯାଉଥିଲେ କାକ୍ଟସ ସଙ୍ଗେ ସଙ୍ଗେ ଜୀବନ ରକ୍ଷାକାରୀ ଭାବରେ ସାହାଯ୍ୟ କରିଥାଏ । ସାମ୍ବୁକସ୍ କିନ୍ତୁ ହଠାତ୍ ନାକ ବନ୍ଦ ହୋଇଯିବା ଲକ୍ଷଣରେ ପ୍ରୟୋଗ ହୋଇଥାଏ ।
ସ୍ନାୟୁଶୂଳ ପାଇଁ ଏହା ଏକ ନିତ୍ୟବ୍ୟବହାର୍ଯ୍ୟ ଔଷଧ । ଡାହାଣ ପାଖର ସ୍ନାୟୁଶୂଳ ପାଇଁ ଏହା ବେଶି ଦରକାର ହୁଏ । ସାଧାରଣତଃ ଅଧାକପାଳି ରୋଗରେ ଏହା ଏକ ପ୍ରମୁଖ ଔଷଧ । ମୁଣ୍ଡବ୍ୟଥା ସକାଳୁ ସନ୍ଧ୍ୟାପର୍ଯ୍ୟନ୍ତ ହେଉଥିବ ; ବ୍ୟଥା ବେକଷଣ୍ଢାରୁ ଆରମ୍ଭ ହୋଇ ଧୀରେ ଧୀରେ ମୁଣ୍ଡ ଉପରଦେଇ ଡାହାଣ ଆଖିର ଉପରକୁ ଯାଇ ରହୁଥିବ ; ମୁଣ୍ଡବ୍ୟଥା ସହିତ ଅଇ ଉଠାଉଥିବ ବା ବାନ୍ତି ହେଉଥିବ, ତାହାହେଲେ ଏହା ଅବଶ୍ୟ ଆରୋଗ୍ୟକାରୀ । ସେହିଭଳି ଡାହାଣ କାନ୍ଧ, ଖୁଆ ବିନ୍ଧା ହେଉଥିବ ଓ ହାତଟେକିବା କଷ୍ଟକର ହେଉଥିଲେ ଏହା ଅନେକ ସମୟରେ ପ୍ରାଥମିକ ଅବସ୍ଥାରେ ଆରୋଗ୍ୟ କରିଥାଏ । ଏହାଛଡା, ପୁରୁଣା କାଶ, ଯେଉଁଥିରେ କି ଦୁର୍ଗନ୍ଧ କଫ ବାହାରୁଥିବ ଓ କାଶିବା ସମୟରେ ମୁହଁ ଲାଲ୍ ପଡିଯାଉଥିବ, ତାହାହେଲେ ଏହା କାମରେ ଲାଗିବ । ଏ କ୍ଷେତ୍ରରେ ମଧ୍ୟ ଡାହାଣପଟ ଫୁସଫୁସ୍ ଓ ଛାତି ଆକ୍ରାନ୍ତ ହୋଇଥାଏ ।
ଏହା ଏକ ଗଭୀର କ୍ରିୟାକାରୀ ଧାତୁଗତ ଔଷଧ । କ୍ୟାଲକେରିଆ ଜାତୀୟ ଔଷଧଭଳି ପୋଷକ ଦୋଷଯୁକ୍ତ ଉପସର୍ଗମାନଙ୍କରେ ଏହାର ବିଶେଷ ପ୍ରୟୋଜନ ହୁଏ । ଏହା ଶିଶୁମାନଙ୍କ ‘ପୁଅରୋଗ’ ର ଏକ ପ୍ରଧାନ ଔଷଧ । ଶିଶୁଟିର ମୁଣ୍ଡ ଓ ପେଟ ଶରୀରର ଅନ୍ୟାନ୍ୟ ଅଙ୍ଗ ତୁଳନାରେ ବେଶ୍ ବଡ । ହାତ ଓ ପାଦରୁ ବେଶି ଝାଳ ବୋହୁଥିବ । ଶର୍ଦ୍ଦି ଓ ପୂଜପ୍ରବଣ ଶିଶୁ ତଥା ବଡ ମଣିଷଙ୍କର ପୌଷ୍ଟିକ କାରଣରୁ ଶୀର୍ଣ୍ଣତା ଓ ନାନାପ୍ରକାରର ରୋଗମାନଙ୍କ ପାଇଁ ଏହାର ବ୍ୟବହାର ଫଳପ୍ରଦ ଭାବରେ ହୁଏ । ସାମାନ୍ୟ ଖଣ୍ଡିଆରେ ପୂଜ ହେବା, କାନପଚା ଓ ନାଳୀ ଘା’ ରେ ଏହାର ଉପଯୁକ୍ତ ପ୍ରୟୋଗଫଳରେ ପୂଜ ଶୁଖିଯାଇଥାଏ । ବାରାଇଟାକାର୍ବ ଭଳି ଏ ରୋଗୀର ପାଦରୁ ବହୁତ ଦୁର୍ଗନ୍ଧଯୁକ୍ତ ଝାଳ ବହେ ଓ ଏହା କୌଣସି ପ୍ରକାରେ ବନ୍ଦ ହୋଇଗଲେ ନାନା ଉପସର୍ଗ ବାହାରେ ।
ଯେଉଁ କୋଷ୍ଠକାଠିନ୍ୟରେ ଝାଡା ବହୁ ସମୟ କୁନ୍ଥାଇଲେ ମଧ୍ୟ ବାହାରିପାରୁ ନ ଥିବ, ବରଂ ଅଧେ ବାହାରି ପୁଣି ଖସି ଯାଉଥିବ ତାହାହେଲେ ଏହାର ଉଚ୍ଚଶକ୍ତି ସେଭଳି କୋଷ୍ଠକାଠିନ୍ୟ ଭଲ କରିଥାଏ ।
ଥଣ୍ଡାପବନ ଓ ଅମାବାସ୍ୟା ସମୟରେ ରୋଗଲକ୍ଷଣର ବୃଦ୍ଧି ଘଟୁଥିଲେ ଏହା ବେଶ୍ ଉପକାର ଦେଖାଏ । ସାଇଲିସିଆ ରୋଗୀ ମୁଣ୍ଡରେ ଆଦୌ ଥଣ୍ଡା ସହିପାରେ ନାହିଁ, ଫଳରେ ତାହାକୁ ସେ ସର୍ବଦା ଆବୃତ କରି ରଖିବା ଚାହେଁ ।
ଏହାର ପୂଜ ସୃଷ୍ଟି କରିବାର ଶକ୍ତି ଏପରି ଯେ, ଦେହରେ କୌଣସି ବାହ୍ୟ ପଦାର୍ଥ, କଣ୍ଟା ଇତ୍ୟାଦି ରହିଥିଲେ, ଏହା ପୂଜ ସୃଷ୍ଟିକରି ବାହାର କରିଦେଇଥାଏ । ତେଣୁ ହାଡଭଙ୍ଗାରେ ନେଲିଂ ହୋଇଥିଲେ ବା ହୃଦରୋଗୀ କ୍ଷେତ୍ରରେ ପେଶ୍ ମେକାର ଲାଗିଥିଲେ ଏହାର ଉଚ୍ଚଶକ୍ତି ବ୍ୟବହାର ନିଷେଧ ।
ସାଙ୍ଗୁନେରିଆ ଭଳି ସ୍ନାୟୁଶୂଳ ବ୍ୟଥା ବାମପଟରେ ଦେଖାଯାଉଥିଲେ ଏହା କାର୍ଯ୍ୟକାରୀ । ଅଧାକପାଳି ଠିକ୍ ସାଙ୍ଗୁନେରିଆ ଭଳି, କିଣୁ ବାମପଟ । ବାମପଟ ଛାତିର ବ୍ୟଥା ବାମହାତ ଦେଇ ଆଙ୍ଗୁଠି ପର୍ଯ୍ୟନ୍ତ ଗତି କରୁଥିଲେ ଓ କପାଳରେ ଝାଳ ଦେଖାଦେଉଥିଲେ, ହୃଦରୋଗରେ ଏହା ତତକ୍ଷଣାତ ବ୍ୟବହାର କରିବାର କଥା ଜୀବନ ରକ୍ଷାପାଇଁ । ଅବଶ୍ୟ ଛାତିଭିତରେ ହୃତପିଣ୍ଡକୁ ଖୁବ୍ ଜୋରରେ କେହି ଛାପି ଧରିଲାଭଳି ଅନୁଭବ କରି ଦମ୍ ବନ୍ଦ ହୋଇଗଲାଭଳି ମନେକଲେ କାକ୍ଟସ ଦେବାକୁ ଆଦୌ ବିଳମ୍ବ କରିବେ ନାହିଁ । ଦୃଦରୋଗୀମାନେ କିନ୍ତୁ ବ୍ୟଥା ସହିତ, ହୃଦସ୍ପନ୍ଦନ ଖୁବ୍ ବଢିଯାଏ ଓ ସମ୍ପୂର୍ଣ୍ଣ ଛାତିଟା ଥରିଉଠେ ପ୍ରତ୍ୟକ ସ୍ପନ୍ଦନ ସହିତ । ବେଳେ ବେଳେ ଛାତିର ସ୍ପନ୍ଦନ ମଧ୍ୟ ବାହାରକୁ , ଛାତିର ଅଳ୍ପଦୂର ପର୍ଯ୍ୟନ୍ତ ଖାଲି କାନକୁ ଶୁଣାଯାଇଥାଏ । ସାମାନ୍ୟ ହଲଚଲ ଓ ଚଲାବୁଲାରେ ଏହାର ବ୍ୟଥା ବଢିଯାଏ ଓ ବ୍ରାୟୋନିଆ ଭଳି ଚୁପ ଚାପ୍ ପଡିରହେ । ଏହାର ଉପସର୍ଗ ସବୁ ‘ସୂର୍ଯ୍ୟାବର୍ତ୍ତକ’ – ଅର୍ଥାତ୍ ଦିନବେଳେ ସୂର୍ଯ୍ୟଙ୍କବଢିବା ଓ କମିବା ସହିତ ଯେପରି ଏହାର ଉପସର୍ଗ ସବୁର ବୃଦ୍ଧି ହ୍ରାସର ସମ୍ପର୍କ ।
ସଂଗୃହୀତ – ଡାକ୍ତର କମଳାକାନ୍ତ କର
Last Modified : 1/28/2020