ପୁରାତନ କାଶ, ଶ୍ଵାସ, ଗଳଗଣ୍ଡ ଓ ଅଣ୍ଡକୋଷ ପ୍ରଦାହରେ ଏହାର ବିଶେଷ ବ୍ୟବହାର ହୁଏ । କାଶ ବା ନିଶ୍ଵାସ ପ୍ରଶ୍ଵାସ ନେବା ସମୟରେ ଗଳା ଭିତରେ କରତ ଚାଲିଲାଭଳି ଶବ୍ଦ ହେବା, ଶ୍ଵାସଯନ୍ତ୍ର ରୋଗରେ ଏହାର ପ୍ରୟୋଗପାଇଁ ଏକ ବିଶିଷ୍ଟ ଲକ୍ଷଣ ।
ଏହାର କାଶ ମିଠା ଖାଇବାପରେ, ଥଣ୍ଡାପାଣି ପିଇବାରେ, କଥାବାର୍ତ୍ତାରେ ଆରମ୍ଭ ହୁଏ ବା ବଢେ ଏବଂ ଖାଇବା ପରେ ଗରମ ପାନୀୟ ପରେ ଏହାର ଉପଶମ ହୁଏ । ମିଠା ଖାଇବାପରେ ତଣ୍ଟିବ୍ୟଥା କଲେ ମଧ୍ୟ ସ୍ପଞ୍ଜିଆ ଆରୋଗ୍ୟ କରିଥାଏ । ପ୍ରଶ୍ଵାସ ନେବା ସମୟରେ ଏହାର କାଶ ଓ ଧଇଁ ବେସୀ ଅନୁଭୂତ ହୁଏ ।
ଗଳଗଣ୍ଡ ରୋଗରେ, ଶୋଇବା ଅବସ୍ଥାରେ ଦମ୍ ଅଟକି ଗଲାଭଳି ବୋଧହେବା, ଅଣ୍ଡକୋଷ ପ୍ରଦାହରେ ଅଣ୍ଡକୋଷକୁ ଚିପି ଧରିଲାଭଳି ବ୍ୟଥା ଲାଗିବା, ସ୍ପଞ୍ଜିଆର ପରିଚାୟକ ଲକ୍ଷଣ ।
ଏହା ଏକ ବହୁଳଭାବରେ ବ୍ୟବହାର ହେଉଥିବା ଔଷଧ । କିନ୍ତୁ ଏହାର ଅପପ୍ରୟୋଗ, ଚର୍ମରୋଗରେ ଏତେ ଅଧିକ ଯେ, ଏହା ହିତେ ବିପରୀତ କରିଥାଏ ।ଯେହେତୁ ଏହା ଏକ ଗଭୀର ଧାତୁଗତ ଔଷଧ, ଏହାର ଚାରିତ୍ରିକ ଲକ୍ଷଣ ଉପରେ ହିଁ ଏହାକୁ ବ୍ୟବହାର କରିବାର କଥା । ସେ ସବୁ ହେଲା : ଡେଙ୍ଗା, ବଙ୍କା (ଆଗକୁ ଝୁଙ୍କି ରହିବା), ଅପରିଷ୍କାର, ଲୁଖୁରା ଶରୀରର ଲୋକ, ଯାହାର ପାଟି, ଓଠ, ନାଶାରନ୍ଧ୍ର, ଆକ୍ଷିପତାର ଧାରା ଓ ଶରୀରର ଅନ୍ୟାନ୍ୟ ଦ୍ଵାରସକଳ ଅସ୍ଵାଭାବିକ ଭାବରେ ଲାଲ୍ ଦେଖାଯାଉଥିବ ; ଠିଆହୋଇ ରହିବା ଯାହାପ୍ରତି ଏକ ଦଣ୍ଡଭଳି (ସେ ଯେଉଁଠିପାରେ ସେଠି ବିନା ବାଛବିଚାର ବା ସୌଜନ୍ୟତାରେ ମଧ୍ୟ ବସି ପଡୁଥିବେ) , ଯିଏ ଗାଧୋଇବା କାହାରେ ଛେଳିକୁ ପାଣିକି ନେଲାଭଳି ମନେକରୁଥିବେ ; ଭଲକରି ଗାଧୁଆ ପାଧୁଆରେ ଯାହାଙ୍କର ଅସୁସ୍ଥତା ବଢୁଥିବ, ଅଥଚ ସବୁବେଳେ ଦେହରେ ଉତ୍ତାପ ଓ ଜ୍ଵଳନର ଅଭିଯୋଗ କରୁଥିବେ ଓ ଗରମ ମୋଟେ ସହ୍ୟ କରିପାରୁ ନଥିବେ ; ଦିନ ଦଶଟାରୁ ଏଗାରଟା ଭିତରେ ଖାଇବାକୁ ବିକଳ ହୋଇଯାଉଥିବେ, ସେଭଳି ଲୋକଙ୍କର ବିଭିନ୍ନ କଷ୍ଟରେ ଏହାର ପ୍ରୟୋଗ ସୁଫଳ ଦେଇଥାଏ ।
ଏହାର ଜ୍ଵାଳା ବିଶେଷଭାବରେ ତାଳୁ ଉପର ଓ ପାଦ ପାପୁଲିରେ ଅନୁଭୂତ ହୁଏ । ଭୋ’ରୁ ଅଟର୍ଚ୍ଛ ଝାଡା ମଡାଇବା ଟା’ର ଯେପରି ଏକ ନିତ୍ୟ ସହଚର ।
ଏ ସବୁ ରୋଗୀଙ୍କର ଶୁଖିଲା ଚର୍ମରୋଗ ବେଶି ଦେଖାଯାଏ ଓ ତାହା ବହୁତ କୁଣ୍ଡେଇ ହୁଏ, ବିଶେଷ କରି ଶଯ୍ୟାର ଉତ୍ତାପରେ, ବିଛଣା ଧରିବା ସଙ୍ଗେ ସଙ୍ଗେ । ଅବଶ୍ୟ ମର୍କସଲରେ ମଧ୍ୟ ଏ ଲକ୍ଷଣ ରହିଛି । ହେଲେ ମର୍କସଲ ଚର୍ମରୋଗ ପୂଜଯୁକ୍ତ । ସୋରିନାମ୍ ଭଳି ଉପଯୁକ୍ତ ଅଉଷହଡ ବ୍ୟବହାର ସତ୍ତ୍ୱେ ବାରମ୍ବାର ରୋଗଲକ୍ଷଣ ଗୁଡିକର ପୁନରାବିର୍ତ୍ତାବ ଘଟୁଥିଲେ ଏହାର ପ୍ରୟୋଗ ସେଭଳି ଅବସ୍ଥା ଦୂର କରିଥାଏ । ଅବଶ୍ୟ ସଲଫର,
ଉପଦଂଶଜନିତ ବିଷ ଓ ତତଜନିତ ବଂଶୀୟ ଦୋଷଜ ରୋଗରେ ଏହା ବ୍ୟବହାର୍ଯ୍ୟ । ସୂର୍ଯ୍ୟାସ୍ତ ଠାରୁ ସୂର୍ଯ୍ୟଦୟ ପର୍ଯ୍ୟନ୍ତ ରୋଗର ବୃଦ୍ଧି, ଯାବତୀୟ ରୋଗରେ ଏହାର ନିର୍ଣ୍ଣାୟକ ଲକ୍ଷଣ, ଯଦି ଅନ୍ୟକୌଣସି ସୁଚିନ୍ତିତ ଔଷଧ କାର୍ଯ୍ୟ କରିପାରୁ ନ ଥାଏ ।
ଦଶିପୋକ ଓ ଉହାରୋଗରେ ଏହାର ବିଶେଷ ବ୍ୟବହାର । ନାକ ଭିତରେ ବାହୁପାଦ ହୋଇ ସବୁବେଳେ କୁଣ୍ଡାଇ ହେଉଥିଲେ, ଏହାର ମୂଳଅର୍କ ୨/୫ ଟୋପାକରି ଦିନକୁ ୨ ଥର କରି କିଛିଦିନ ଉପକାର ମିଳେ । ଶିଶୁମାନଙ୍କର ଦଶିପୋକ କାମୁଡା ରୋଗପାଇଁ ଏହାର ଶକ୍ତିକୃତ ଔଷଧ ବ୍ୟବହାର କଲେ ଏହାର ନିବୃତ୍ତି ହୋଇଥାଏ ।
ଭାତୁଡି କହିଲେ ସମସ୍ତେ ଥୁଜା କଥା ମାନେ ପକାନ୍ତି । ଏହା ସ୍ଵାଭାବିକ, କାରଣ ଭାତୁଡି ବା ଭାତୁଡିଜାତୀୟ କୌଣସି ତନ୍ତୁଗତ ଅଭିବୃଦ୍ଧିର ସୃଷ୍ଟି ଥୁଜାଦ୍ଵାରା ହିଁ ହୋଇଥାଏ । ଶରୀରରେ ଭାତୁଡି ବାହାରିବା, ବିଭିନ୍ନ ସ୍ଥାନରେ ଅର୍ବୁଦ ହେବା, ମୁଣ୍ଡଛଡା ଅନ୍ୟସବୁ ଅଙ୍ଗରୁ ବିଶେଷକରି ଅନାବୃତ ଅଂଶରୁ ଝାଳ ବୋହିବା ; କୋଳସନ୍ଧିର ଝାଳ ମିଠା ବା ମହୁଭଳି ଗନ୍ଧହେବା, ଟୀକା ନେବା ପରଠାରୁ ବା ପ୍ରମେହ ରୋଗ ହେବା ପରଠାରୁ ନାନା ଉପସର୍ଗ ଦେଖାଦେବା , ପରିସ୍ରା ଦୁଇଧାର ହୋଇ ହେବା ଓ ମୁଣ୍ଡର କେଶ ପାଚି ଯାଉଥିବା ଲକ୍ଷଣମାନନ୍କାରେ ଏହା କାମ କରେ ।
ଥୁଜାର ରୋଗୀ ଲୁଣିଆଖାଦ୍ୟ ଖାଇବାକୁ ପସନ୍ଦ କରେ । ଚା, କଫି ଓ ପିଆଜ ତା ଦେହରେ ଯାଏ ନାହିଁ ।
ବସିବା ସମୟରେ ଏହାର ରୋଗୀ ଗୋଡଟେକି ବସିଲେ ଖୁବ୍ ଆରାମ ଅନୁଭବ କରେ । ବାମ ଅଙ୍ଗର କଷ୍ଟ ଓ ବର୍ଷାଦିନରେ ବୃଦ୍ଧି ଏହାର ଧାତୁଗତ ଲକ୍ଷଣ ।
ଶର୍ଦ୍ଦି ପ୍ରାୟ ଲାଗି ରହିଥିବ ଓ ବେକ ଚାରିପଟ ଗ୍ରନ୍ଥି ଫୁଲୁଥିବ ; ବଡବଡ ଟନସିଲ୍ ଥାଇ ତାହା ପାଚୁଥିବ ; ଯେତେ ଖାଇଲେ ମଧ୍ୟ ଦେହରେ ଲାଗୁ ନ ଥିବ ; ବଂଶ ଇତିହାସରେ କ୍ଷୟରୋଗରେ ଦୃଷ୍ଟାନ୍ତ ଥିବ, ତାହାହେଲେ ଏହାର ପ୍ରୟୋଗରେ ଅବସ୍ଥାର ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଥାଏ ।
ଟ୍ୟୁବରକୁଲିନମ୍ ବ୍ୟବହାର ଉପଯୋଗୀ ରୋଗୀମାନେ ଅତ୍ୟନ୍ତ ବୁଦ୍ଧିମାନ, ଚତୁର ଓ ପରିବର୍ତ୍ତନଶୀଳ ଚରିତ୍ରର ।
ଡା : କେଣ୍ଟଙ୍କ ମତରେ ଟ୍ୟୁବରକୁଲିନମ୍ ସ୍ଥାନରେ ଟ୍ୟୁବରକୁଲିନମ୍ ବୋଭିନମ୍ ବ୍ୟବହାର କଲେ ଭଲ ଫଳ ମିଳେ ।
ପର୍ଯ୍ୟାୟକ୍ରମେ ଝାଡାବାନ୍ତି ତୁହାକୁ ତୁହା ହୋଇ, ମୁଣ୍ଡରେ ବିନ୍ଦୁବିନ୍ଦୁ ଶୀତଳ ଝାଳ ଦେଖାଦେଇ , ସନ୍ନିପାତ ଘୋଟିଯାଇ ଦେହ ହେମାଳ ହୋଇ ଯାଉଥିଲେ ଏହାର ପ୍ରୟୋଗ ଜୀବନ୍ୟାସ ଦେଲାଭଳି କାମ କରିବ ।
ସ୍ତ୍ରୀଲୋକମାନଙ୍କର ବାଧକ ଯନ୍ତ୍ରଣାରେ, ଯଦି ଋତୁସ୍ରାବ ପୂର୍ବରୁ ଉଦରାମୟ ଦେଖାଯାଉଥିବ ତାହାହେଲେ ଏହା ଅତ୍ୟନ୍ତ ଉପଯୋଗୀ ।
ସଂଗୃହୀତ – ଡାକ୍ତର କମଳାକାନ୍ତ କର
Last Modified : 1/28/2020