অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗର୍ଭାବସ୍ଥାରେ ମ୍ୟାଲେରିଆ

ମ୍ୟାଲେରିଆ ରୋଗ କଣ ଓ  ପର୍ଯ୍ୟାୟ ?

ବର୍ତ୍ତମାନ ମ୍ୟାଲେରିଆ ଆମ ରାଜ୍ୟରେ ଆତଙ୍କ ସୃଷ୍ଟି କରିଛି । ସାରା ଦେଶରେ ମ୍ୟାଲେରିଆ ଯୋଗୁଁଯେତେଜଣ ମୃତ୍ୟୁବରଣ କରିଛନ୍ତି, ତନ୍ମଧ୍ୟରୁ ୨୫% ମୃତ୍ୟୁ ଓଡିଶାରେ ହେଉଛି । ତେବେ ପିଲାଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କ ଲାଗି ଏହି ରୋଗ ବିପଦପୂର୍ଣ୍ଣ । ବିଶେଷକରି ଗର୍ଭାବସ୍ଥାରେ ଏହି ରୋଗ ଖୁବ୍ ଜଟିଳ ପରିସ୍ଥିତି ସୃଷ୍ଟି କରିଥାଏ । ଏ ସମୟରେ ନାରୀର ରୋଗ ପ୍ରତିରୋଧକାରୀ ଶକ୍ତି କମ୍ ଥିବାରୁ ମ୍ୟାଲେରିଆ ଜୀବାଣୁ ଖୁବ୍ ଶୀଘ୍ର ରକ୍ତରେ ବଢିଯାଏ । ଫଳରେ ମା’ ଏବଂ ଗର୍ଭସ୍ଥ ଶିଶୁ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡେ । ତା’ଛଡା ଏହି ଅବସ୍ଥାରେ ମ୍ୟାଲେରିଆର ଲକ୍ଷଣ ଠିକ୍ ଭାବରେ ପ୍ରକାଶ ପାଉ ନ ଥିବାରୁ ରୋଗ ଆରମ୍ଭ ହେବା ମାତ୍ରେ ଗୁରୁତର ଅବସ୍ଥାକୁ ଚାଲିଯାଏ ଏବଂ କେତେକ କ୍ଷେତ୍ରରେ ମା’ର ମୃତ୍ୟୁ ମଧ୍ୟହୋଇଥାଏ ।

ଏହି ରୋଗ ୩ଟି ପର୍ଯ୍ୟାୟ ହୋଇଥାଏ । ଯଥା-ଥଣ୍ଡା ଗରମ ଏବଂ ଝାଳ ବୋହିବା ପର୍ଯ୍ୟାୟ । ଏହା ପାଳିଜ୍ଵର ଭଳି ୪୮ରୁ୭୨ ଘଣ୍ଟା ପରେ ହୋଇଥାଏ । ସାଧାରଣତଃ ଗର୍ଭଧରଣର ଦ୍ଵିତୀୟ ପର୍ଯ୍ୟାୟ ବା ୪ରୁ ୭ମାସମଧ୍ୟରେ ଏହି ରୋଗ ଦେଖାଦେଇଥାଏ । ତେବେ ପ୍ରଥମ ଗର୍ଭଧାରିଣୀମାନଙ୍କୁ ମ୍ୟାଲେରିଆ ବାରମ୍ଭାର ସଂକ୍ରମଣ କରିଥାଏ । ବିଶେଷକରି ଫାଲ୍ସିପାରମ୍ ମ୍ୟାଲେରିଆ ଅନ୍ତଃସତ୍ତ୍ଵାଙ୍କ ଲାଗି ଅଧିକ ବିପଦପୂର୍ଣ୍ଣ କାରଣ ଏଥିରେ ମାତୃ ମୃତ୍ୟୁହାର ଆଶଙ୍କା ଅଧିକ ।

ରୋଗ ଚିହ୍ନଟ

ବେଶି ଜ୍ଵର ହେଲେ ତୁରନ୍ତ ରକ୍ତ ପରୀକ୍ଷା କରିବା ଦ୍ଵାରା ଏଥିରେ ମ୍ୟାଲେରିଆ ପାରାସାଇଟ୍ ଥିବା ଜଣାପଡ଼େ । ତେବେ ଏହା ଅପେକ୍ଷା ମ୍ୟାଲେରିଆ କାର୍ଡଟେଷ୍ଟ ଦ୍ଵାରା ରୋଗ ଆହୁରି ସ୍ପଷ୍ଟ ଚିହ୍ନଟ କରାଯାଇ ପାରିବ ।

ପ୍ରଭାବ

ମ୍ୟାଲେରିଆ ରୋଗ ପ୍ରଥମ ଥର ଗର୍ଭଧରଣ କରିଥିବା ମହିଳାଙ୍କଠାରେ  ବେଶୀ ଜଟିଳତା ସୃଷ୍ଟିକରେ । କାରଣ ଏହି ସମୟରେ ରୋଗ ପ୍ରତିରୋଧକ ଶକ୍ତି ଖୁବ୍ କମ୍ ଥିବାରୁ ପ୍ରଚୁର ପରିମାଣରେ ମ୍ୟାଲେରିଆ ଜୀବାଣୁ ସେମାନଙ୍କ ଗର୍ଭଫୁଲରେ  ଖୁନ୍ଦି ହୋଇ ରହିଯାଆନ୍ତି । ତେଣୁ ଗର୍ଭଫୁଲ ଦେଇ ଶିଶୁ ଦେହକୁ ଭଲ ଭାବରେ ରକ୍ତ ଓ ସାରାଂଶ ଯାଇ ନ ପାରିବାରୁ ଶିଶୁର ବୃଦ୍ଧିରେ ବାଧା ସୃଷ୍ଟି ହୋଇଥାଏ । ଏଣୁ ଫାଲ୍ସିପାରମ୍ ମ୍ୟାଲେରିଆ ଭୋଗୁଥିବା ଗର୍ଭବତୀମାନଙ୍କର ଖୁବ୍ ଶୀଘ୍ର ରକ୍ତରେ ଶର୍କରା ଅଂସ କମିଯାଏ । ଏହାକୁ ‘ସେରିବ୍ରାଲ ମ୍ୟାଲେରିଆ’ ବା ବ୍ରେନ୍ ମ୍ୟାଲେରିଆ’ କୁହାଯାଇଥାଏ । ଏହି ରୋଗରେ ଗର୍ଭାବତୀ  ବହୁଦିନ ଧାରି ଅସୁସ୍ଥ ରହିଥାଏ । ମୁଣ୍ଡବିନ୍ଧା, ବାନ୍ତି, କାମଳରୋଗ ବା ଜଣ୍ଡିସ୍ ଅଚେତ ହୋଇଯିବା, ବାତ ମାରିବା ଆଦି ଲକ୍ଷଣ ଦେଖାଯାଏ । ଏମାନଙ୍କ ଦେହରେ ଥିବା ଲୋହିତ ରକ୍ତକଣିକାରେ ପାରାସାଇଟ୍ ଗୁଡିକ ଖୁନ୍ଦିଖାନ୍ଦି ହୋଇ ରହିଥିବାରୁ ଏହା ଫାଟିଯାଏ । ଫଳରେ ରକ୍ତହୀନତା ଦେଖାଦେଇଥାଏ । ଏହାଛଡା ଫାଟିଯାଇଥିବା ଲାହିତ ରକ୍ତକନିକାଗୁଡିକ ଏକ ଆଣ୍ଟିଜେନ୍ ସୃଷ୍ଟିକରିଥାନ୍ତି । ଏଣୁ ଶିଶୁର ରକ୍ତହୀନତା ହୁଏ । ଶିଶୁ ବଢିପାରେ ନାହିଁ । ଗର୍ଭନଷ୍ଟ ଅପରିଣତ ପ୍ରସବ, କମ୍ ଓଜନର ଶିଶୁ ଏପରିକି ଗର୍ଭରେ ଶିଶୁ ମୃତ୍ୟୁର ଆଶଙ୍କା ବଢିଥାଏ । ଏପରି ରୋଗୀମାନଙ୍କ ଫୁସ୍ ଫୁସ୍ ରେ ପାଣି ଜମିଯାଏ । ଏଥିରେ ୫୦% ମହିଳାଙ୍କର ମୃତ୍ୟୁମଧ୍ୟ ହୋଇଥାଏ । ଏହା ପ୍ରସବ ପରେ ପରେ ହୋଇଥାଏ । ଏଥିରେ ରୋଗୀ ନିଃଶ୍ଵାସପ୍ରଶ୍ଵାସ ନେବାରେ ବହୁତ କଷ୍ଟ ଅନୁଭବ କରିଥାଏ । ବେଳେବେଳେ ହଠାତ୍ ପରିସ୍ରା ବନ୍ଦ ହୋଇଯାଇ ବୃକକ୍ ଫେଲିଓର୍ ହୋଇଥାଏ । କାରଣ ବୃକକ୍ ଭିତରେ ଥିବା କୋଷ ନଷ୍ଟ ହୋଇଯାଏ । ଦେହର ଅନେକ ଜାଗାରୁ ମନକୁମନ ରକ୍ତସ୍ରାବ ହୋଇଥାଏ । ଏତଦ୍ ବ୍ୟତୀତ ଚର୍ମତଳେ ରକ୍ତସ୍ରାବ ହୋଇ ନୀଳନୀଳ ବିନ୍ଦୁ ଭଳି ଦେଖାଯାଏ ତଥା ଆଖିର ଉପରେ ଆସ୍ତରଣ( କଞ୍ଜକ୍ଟିଭା) ତଳକୁ ଛୋଟଛୋଟ ବିନ୍ଦୁ ରକ୍ତସ୍ରାବ ( ସବ୍ କଞ୍ଜକ୍ଟିଭାଲ୍ ହେମ୍ ରେଜ୍) ହୋଇଥାଏ । ଗର୍ଭାବସ୍ଥାରେ ମ୍ୟାଲେରିଆ ରୋଗ ହେଲେ ଅନ୍ୟାନ୍ୟ ଜୀବାଣୁଜନିତ ସଂକ୍ରମଣର ଆଶଙ୍କା ବଢିଯାଏ ।

ଗର୍ଭାବସ୍ଥାରେ ମ୍ୟାଲେରିଆ ରୋଗୀମାନେ କେତେକ ଅବସ୍ଥାରେ ମୃତ୍ୟୁମୁଖରେ ପଡିଥାନ୍ତି ଯଥା –

  • ଯଦି ତାଙ୍କ ରକ୍ତରେ ମ୍ୟାଲେରିଆ ଜୀବାଣୁ ସଂଖ୍ୟା ବଢିଯାଇଥାଏ ।
  • ରକ୍ତରେ ହିମୋଗ୍ଲୋବିନ୍ ପରିମାଣ ୭ ଗ୍ରାମ୍ ରୁ କମ୍ ବା ପ୍ୟାକଡ ସେଲ୍ ଭଲ୍ୟୁମ୍ ୨୦%ରୁ କମ୍ ଥାଏ ।
  • ରକ୍ତରେ ଗ୍ଳୁକୋଜ୍ ପରିମାଣ ପ୍ରତି ୧୦୦ ମି.ଗ୍ରା.କୁ ୪୦ ମି.ଗ୍ରା. ରୁ କମ୍ ଥାଏ ।
  • ବ୍ରେନ୍ ରେ ସୁଗାର ପରିମାଣ କମ୍ ଥାଏ ।
  • ଶିରାରେ ଲାକ୍ଟିକ୍ ଏସିଡ୍ କ୍ରିଆଟିନିନ୍ ଓ ୟୁରିଆର ପରିମାଣ ବେଶିଥିଲେ, ଗର୍ଭବତୀଙ୍କର ମୃତ୍ୟୁ ଘଟିଥାଏ ।

ଶିଶୁଙ୍କର ଜନ୍ମଗତ ମ୍ୟାଲେରିଆ

ଗର୍ଭବତୀ ମା’ ମ୍ୟାଲେରିଆ ଭୋଗୁଥିବା ଜନ୍ମହେବାର ୭ ଦିନ ଭିତରେ ଶିଶୁର ରକ୍ତରେ ମଧ୍ୟ ମ୍ୟାଲେରିଆ ପାରାସାଇଟ୍ ଦେଖାଦେଇଥାଏ । କିନ୍ତୁ ବେଳେବେଳେ ଶିଶୁ ଗର୍ଭଫୁଲ ଦେଇ ମା’ର ରକ୍ତରୁ ଇମ୍ୟୁନୋଗ୍ଲେକୁଲିନ୍ ପାଇଥାଏ । ତେଣୁ ଶିଶୁ ମ୍ୟାଲେରିଆ ହୋଇଥାଏ ।

ଗର୍ଭାବସ୍ଥାରେ ଚିକିତ୍ସା

ଗର୍ଭବତୀମାନେ ମ୍ୟାଲେରିଆରେ ଆକ୍ରାନ୍ତ ହେଲେ ଖୁବ୍ ଶୀଘ୍ର ଚିକିତ୍ସା କରିବା ଜରୁରୀ । କାରଣ ରୋଗ ଜଟିଳ ହେବା ସହ ରକ୍ତରେ ରୋଗଜୀବାଣୁ ଅଚାନକ ବଢିଯାଏ ଏବଂ ମା’ ଓ ଶିଶୁ ମୃତ୍ୟୁମୁଖରେ ପଡିଥାନ୍ତି । ତେଣୁ ଗର୍ଭାବସ୍ଥାରେ ବହୁତ ବାନ୍ତି, ଜ୍ଵର ଏବଂ ଭୋକ କମିଯାଇଥିବା ଯୋଗୁ ରୋଗୀର ଜଳୀୟ ଅଂଶର ପରିମାଣ କମିଯାଏ । ତେଣୁ ପାତିବାଟେ ବା ଶିରାଦେଇ ଯଥେଷ୍ଟ ପାଣି ଓ ଜଳୀୟ ଅଂସ ଦେବା ଆବଶ୍ୟକ । ମ୍ୟାଲେରିଆ ରୋଗୀଙ୍କ ର ରକ୍ତହୀନତା ହୋଇଥାଏ । ତେଣୁ ସେମାନଙ୍କୁ ରକ୍ତ ଓ ପ୍ୟାକଡସେଲ୍ ଟ୍ରାନ୍ସଫ୍ୟୁଜନ୍ ସହିତ ଫଲିକ୍ ଏସିଡ୍ ଦେବା ପ୍ରୟୋଜନ । କ୍ଳୋରୋକୁଇନ୍ ଗର୍ଭାବସ୍ଥାରେ ଏକ ନିରାପଦ ଔଷଧ । ପ୍ରତି ସପ୍ତାହରେ ୫ମି.ଗ୍ରା/ କେ.ଜି ବଡିୱେଟ୍ ଡୋଜ୍ ରେ ରୋଗୀକୁ ଦିଆଯିବା ଆବଶ୍ୟକ । ଏହାଛଡା କ୍ଳୋରୋକୁଇନ୍ ବଟିକା ୩ଦିନ ଖାଇବା ଦରକାର । ଗର୍ଭାବତୀମାନେ ମ୍ୟଲେରିଆ ସଂକ୍ରମଣ ସ୍ଥାନକୁ ଗଲେ ସପ୍ତାହକୁ ଥରେ ୩୦୦ ମି. ଗ୍ରା. ବଟିକା ଖାଇବା ସହ ସେଠାରୁ ଫେରିବାର ମାସେ ପର୍ଯ୍ୟନ୍ତ ସେ ଔଷଧ ଖାଇବା ଆବଶ୍ୟକ ।

ସଂକ୍ଷେପ ରେ କହିବାକୁ ଗଲେ ସାଧାରଣ ନାରୀଙ୍କ ଅପେକ୍ଷା ଗର୍ଭାବତୀଙ୍କୁ ଏହା ବେଶି ପରିମାଣରେ ହୋଇଥାଏ । କାରଣ ସେମାନଙ୍କର ପ୍ରତିରୋଧକ ଶକ୍ତି କମ୍ ଥାଏ । ମ୍ୟାଲେରିଆ ବ୍ରେନ୍ ମ୍ୟାଲେରିଆରେ ସାଧାରଣ ମହିଳା ୫ ରୁ ୬% ମୃତ୍ୟୁ ହେଉଥିବାବେଳେ ଗର୍ଭାବସ୍ଥା ମ୍ୟାଲେରିଆ ରୋଗୀଙ୍କର ମୃତ୍ୟୁ ୧୩% ହୋଇଥାଏ । ଏଥିପାଇଁ ଏଣୁତେଣୁ ଔଷଧ ଖାଇବା ଦ୍ଵାରା ଅନେକ ପ୍ରକାର ପାର୍ଶ୍ଵ ପ୍ରତିକ୍ରିୟା ସୃଷ୍ଟି ହୋଇଥାଏ । ମ୍ୟାଲେରିଆ ରୋଗକୁ ଠିକ୍ ଭାବେ ଚିହ୍ନଟ ଏହାର ପ୍ରକୃତ ଔଷଧ ଖାଇବା ନିରାପଦ ।

ଆଧାର - ସ୍ୱାସ୍ଥ୍ୟ ଡାଏରୀ

Last Modified : 1/6/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate