ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କ ପାଇଁ ପ୍ରବେଶିକା ପରୀକ୍ଷା ପରିଚାଳନା ସକାଶେ ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସୀ ଗଠନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି
ଏଣିକି ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକରେ ପ୍ରବେଶିକା ପରୀକ୍ଷା ପରିଚାଳନା ସକାଶେ ଏକ ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସୀ ଗଠନ କରାଯିବ । ଏହି ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଜି ଅନୁମୋଦନ କରାଯାଇଛି । କ୍ୟାବିନେଟ ନିଷ୍ପତି ଅନୁଯାୟୀ ପ୍ରସ୍ତାବିତ ଏଜେନ୍ସୀ ଭାରତୀୟ ସୋସାଇଟି ପଞ୍ଜିକରଣ ଆଇନ 1860 ଅଧିନରେ ଏକ ସୋସାଇଟି ଭାବେ ପଞ୍ଜିକୃତ ହେବ । ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସୀ ଏକ ସ୍ୱୟଂଶାସିତ ପ୍ରବେଶିକା ପରୀକ୍ଷା ପରିଚାଳନା ସଂସ୍ଥା ଭାବେ ଜାତୀୟସ୍ତରରେ କାର୍ଯ୍ୟ କରିବ ।
ବୈଶିଷ୍ଟ୍ୟ –
- ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସୀ ସିବିଏସଇ ଦ୍ୱାରା କରାଯାଉଥିବା ପ୍ରବେଶିକା ପରୀକ୍ଷାଗୁଡିକ ପରିଚାଳନା କରିବେ ।
- ପର୍ଯ୍ୟାୟକ୍ରମେ ଏହି ଏଜେନ୍ସୀ ଅନ୍ୟାନ୍ୟ ପରୀକ୍ଷା ପରିଚାଳନାକୁ ଧିରେ ଧିରେ ନିଜ ହାତକୁ ନେବେ । ଏଥିଲାଗି ଏହି ଏଜେନ୍ସୀକୁ ଶୀଘ୍ର ସ୍ୱୟଂ ସମ୍ପୂର୍ଣ୍ଣ ସଂସ୍ଥା ଭାବେ ଗଠନ କରାଯିବ ।
- ପ୍ରବେଶିକା ପରୀକ୍ଷାଗୁଡିକ ବର୍ଷକୁ ଦୁଇଥର ଅନଲାଇନ ଜରିଆରେ କରାଯିବ । ଏହାଦ୍ୱାରା ଅନେକ ପ୍ରାର୍ଥି ପରୀକ୍ଷା ପ୍ରଦାନର ଉତ୍ତମ ସୁବିଧା ପାଇବେ ।
- ଗ୍ରାମାଂଚଳ ଛାତ୍ରଛାତ୍ରୀଙ୍କ ସୁବିଧା ନିମନ୍ତେ ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସୀ ଜିଲ୍ଲା ଏବଂ ସବଡିଭିଜନ ସ୍ତରରେ ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା ଲାଗି ପ୍ରୟାସ କରିବ । ଏହାଛଡା ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ପ୍ରସ୍ତୁତି ଲାଗି ଆବଶ୍ୟକ ପ୍ରଶିକ୍ଷଣ ପ୍ରଦାନ କରିବେ ।
ଗଠନ ପ୍ରଣାଳୀ –
- ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସୀର ଅଧ୍ୟକ୍ଷ ରୂପେ ଜଣେ ବିଶିଷ୍ଟ ଶିକ୍ଷାବିତ୍ତ ନିଯୁକ୍ତ ହେବେ ଯାହାଙ୍କୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ନିଯୁକ୍ତି ପ୍ରଦାନ କରିବେ ।
- ଏହି ସଂସ୍ଥାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଭାବେ ଜଣେ ମହାନିର୍ଦ୍ଦେଶକଙ୍କୁ କେନ୍ଦ୍ର ସରକାର ନିଯୁକ୍ତ କରିବେ ।
- ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସୀର ପରିଚାଳନା ପାଇଁ ଏକ ବୋର୍ଡ ଅଫ ଗଭର୍ଣ୍ଣସ ରହିବେ । ଏଥିରେ ସମ୍ପୃକ୍ତ ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କର ପ୍ରତିନିଧି ରହିବେ ।
- ମହାନିର୍ଦ୍ଦେଶକଙ୍କୁ ସହଯୋଗ କରିବା ନିମନ୍ତେ 9ଟି ପୃଥକ ପୃଥକ ଶିକ୍ଷା କମିଟି ରହିବ । ଏହି କମିଟିର ମୁଖ୍ୟ ଭାବେ ଜଣେ ଲେଖାଏଁ ବିଶେଷଜ୍ଞ ଅଥବା ଶିକ୍ଷାବିତ୍ତ ରହିବେ ।
ଆର୍ଥିକ ବ୍ୟବସ୍ଥା –
- ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସୀ ଗଠନ ପାଇଁ ଭାରତ ସରକାର ଏକକାଳୀନ ଅନୁଦାନ ଭାବେ 25 କୋଟି ଟଙ୍କା ପ୍ରଦାନ କରିବେ । ପ୍ରଥମ ବର୍ଷରୁ ଏହି ଅନୁଦାନ ଦିଆଯିବ । ତା’ପରବର୍ତ୍ତୀ ସମୟଗୁଡିକରେ ଏହି ସଂସ୍ଥା ଆର୍ଥିକ ଦୃଷ୍ଟିରୁ ଆତ୍ମନିର୍ଭର ହୋଇ କାର୍ଯ୍ୟ କରିବେ ।
ପ୍ରଭାବ –
- ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସୀ ଗଠନ ଫଳରେ ପ୍ରତିବର୍ଷ ପ୍ରାୟ 40 ଲକ୍ଷ ଛାତ୍ର ଉପକୃତ ହେବେ । ଜାତୀୟସ୍ତରରେ ପ୍ରବେଶିକା ପରୀକ୍ଷା ପରିଚାଳନା ପାଇଁ ସିବିଏସଇ, ଏଆଇସିଟିଇ ଏବଂ ଅନ୍ୟାନ୍ୟ ସଂସ୍ଥା ଉପରେ ଆଉ ଚାପ ପଡିବ ନାହିଁ । ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସୀ ପେଷାଦାର ଢ଼ଙ୍ଗରେ ସୁବ୍ୟବସ୍ଥିତ ଭାବେ ଜାତୀୟସ୍ତରରେ ପରୀକ୍ଷା ପରିଚାଳନା କରିବେ । ଅର୍ଥମନ୍ତ୍ରୀ ତାଙ୍କର 2017-18 ଆର୍ଥିକ ବର୍ଷର ବଜେଟ ଅଭିଭାଷଣ ବେଳେ ଏହି ପ୍ରସ୍ତାବ ବିଷୟ ଘୋଷଣା କରିଥିଲେ ।
ଆଧାର : PIB
Last Modified : 11/11/2017
0 ratings and 0 comments
Roll over stars then click to rate.
© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.