ବର୍ତ୍ତମାନ ବିଶ୍ଵ ଜନସଂଖ୍ୟାର ଏକ ପଞ୍ଚମାଂଶ ହେଉଛନ୍ତି କିଶୋରୀ । ଆମ ଦେଶରେ ୧୦ ରୁ ୧୯ ବର୍ଷ ବୟସର ପ୍ରାୟ ୧୯୦ ନିୟୁତ ଝିଅ ବାସ କରନ୍ତି । ଯେଉଁ ମାନଙ୍କ ମଧ୍ୟରୁ ପ୍ରାୟ ୩୦ ଲକ୍ଷ ଝିଅ ଅପରିଣତ ବୟସରେ ବିବାହ କରିଥାନ୍ତି । ଆଉ ଅତ୍ୟନ୍ତ ପରିତାପର ବିଷୟ ଯେ ତନ୍ମଧ୍ୟରୁ ଶତକଡା ୪୩ ଭାଗ ଝିଅଙ୍କର ମୃତ୍ୟୁ ଗର୍ଭ ଓ ପ୍ରସବ ଜନିତ କରଣରୁ ହୋଇଥାଏ ।
ତେଣୁ ଅପରିଣତ ବୟସରେ ବିବାହ ଓ ମାତୃତ୍ଵ ଏକ ସାମାଜିକ ସମସ୍ୟା କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ । ପୁରୁଷ ଭଳି ନାରୀର ମଧ୍ୟ ସନ୍ତାନ ଜନ୍ମକୁ ନିୟନ୍ତ୍ରଣ କରିବା ମୌଳିକ ଅଧିକାର ରହିଛି । ସେ କେତେ ବର୍ଷ ବ୍ୟବଧାନରେ କେତୋଟି ସନ୍ତାନ ଜନ୍ମ ଦେବ ସେ କଥାର ସିଦ୍ଧାନ୍ତ ମଧ୍ୟ ନାରୀଟିଏ ହିଁ ନେବା ଉଚିତ । ତେଣୁ ସନ୍ତାନ ଜନ୍ମ ତଥା ପରିବାର ନିୟନ୍ତ୍ରଣର ଉଚ୍ଚତମ ପର୍ଯ୍ୟାୟରେ ପହଞ୍ଚିବାକୁ ହେଲେ ନାରୀର ଏ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ରହିବା ଜରୁରୀ ।
ଭାରତର ଚିରାଚରିତ ଦୃଶ୍ୟପଟରେ ଲିଙ୍ଗା ଭେଦ ସର୍ବଦା ରହି ଆସିଛି । ଏଥି ପାଇଁ ଶତକଡା ୩୦ ଭାଗ କିଶୋରୀ କନ୍ୟା ବିଦ୍ୟାଳୟ ଶିକ୍ଷାରୁ ବଞ୍ଚିତ ହୋଇଥାନ୍ତି । ଏମିତିକି କେତେକ ସ୍ଥାନରେ ପୁଅ ତୁଳନାରେ ଝିଅ ଖାଦ୍ୟ, ପୋଷାକ ଓ ସ୍ଵାସ୍ଥ୍ୟର ଯତ୍ନ କ୍ଷେତ୍ରରେ ଅବହେଳିତ ହୋଇଥାନ୍ତି । ଋତୁସ୍ରାବ ର ବୟସ ୧୬ ବର୍ଷରୁ ୧୦-୧୨ ବର୍ଷକୁ କମିଯିବା କିଶୋର ଓ କିଶୋରୀ ମାନଙ୍କ ଆବାଧ ମିଳାମିଶା ଘରେ ଓ ସ୍କୁଲରେ ଯୌନ ଶିକ୍ଷାର ଅଭାବ ଯୋଗୁଁ ଅଳ୍ପବୟସର ଝିଅଟି ଉପରେ ମାତୃତ୍ଵ ର ବୋଝ ଲଦି ହୋଇଯାଏ । ତେଣୁ ଅଧିକାଂଶ କିଶୋରୀ ମାନଙ୍କର ଅବୈଧ ଗର୍ଭଧାରଣା ଯୋଗୁଁ ବଳପୂର୍ବକ ବା ଅନିଚ୍ଛାକୃତ ବିବାହ ଅବାଞ୍ଛିତ ମାତୃତ୍ଵ ଓ ସନ୍ତାନ ଏବଂ ତତଜନିତ ମାନସିକ ଦୁଶ୍ଚିନ୍ତା ବେଶୀ ଦେଖାଯାଏ । ଆଉ ଏ କ୍ଷେତ୍ରରେ ମାନସିକ ଅସନ୍ତୁଳନତା ଯୋଗୁଁ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ପାଖରେ ପରାମର୍ଶ କରି ଗର୍ଭନଷ୍ଟ ପାଇଁ ବିଳମ୍ବ ହୋଇଯାଏ । ଫଳରେ ସେମାନେ ଏମ. ଟି. ପି ସେଣ୍ଟର କୁ ନ ଯାଇ ଗାଁ ଗହଳିରେ ଅଣ ତାଲିମ ପ୍ରାପ୍ତ କ୍ଵାକ ଠାରୁ ଚେରମୂଳି କିମ୍ବା ଏଣୁ ତେଣୁ ଔଷଧ ଖାଇ ବିଷ୍କାକ୍ତ ଗର୍ଭପାତ ବା ସେପ୍ଟିକ ଆବସନର ଶିକାର ହୁଅନ୍ତି । ସେମାନଙ୍କ ମଧ୍ୟରୁ ଅନେକ ମୃତ୍ୟୁ ମୁଖରେ ପଡିଥାନ୍ତି ତ ଆଉ କେତେକ ଆଜୀବନ ନିଜର ଜରାୟୁ ହରାଇଥାନ୍ତି । କେତେ ଜଣଙ୍କ ମଧ୍ୟ ବନ୍ଧ୍ୟା ଦୋଷ, ବାରମ୍ବାର ଗର୍ଭପାତ ଓ ଅପରିଣତ ପ୍ରସବ ହୋଇଥାଏ ।
ଯେଉଁ ସମୟରେ ଝିଅଟିର ନିଜ ଶରୀର ବର୍ଦ୍ଧନ ପାଇଁ ସୁଷମ ଖାଦ୍ୟ ଆବଶ୍ୟକ ହୋଇଥାଏ ସେ ସମୟରେ ଗର୍ଭଧାରଣ କରିବା ଦ୍ଵାରା ସେ ରକ୍ତ ହୀନତା ରୋଗ ଭୋଗିଥାଏ । ଏହା ଛଡା ପ୍ରସବ ପୂର୍ବରୁ ରକ୍ତସ୍ରାବ, ଗର୍ଭାବସ୍ଥାରେ ଉଚ୍ଚ ରକ୍ତଚାପ ଓ ବାତ କଷ୍ଟସାଧ୍ୟ ପ୍ରସବ ଆଦି ହୋଇ ଥାଏ । ଏ କ୍ଷେତ୍ରରେ ବିଶେଷ କରି ଅସ୍ତ୍ରୋପଚାର ଦ୍ଵାରା ପ୍ରସବ ହୋଇ ଅପରିଣତ ଓ ଅଳ୍ପ ଓଜନର ଶିଶୁ ଜନ୍ମ ହୋଇଥାଏ । ତେଣୁ ଶିଶୁ ମୃତ୍ୟୁ ହାର ଅନେକାଂଶରେ ବଢିଯାଏ ।
ଅପରିଣତ ବୟସର କନ୍ୟଟିଏ ଗର୍ଭାବସ୍ଥା ଓ ପ୍ରସବକୁ ଭାବପ୍ରବଣତା ବିଭିନ ପର୍ଯ୍ୟାୟ ତଥା ଆନନ୍ଦ, କ୍ରୋଧ, ମାନସିକ ଅବସାଦ ଓ ଅପରାଧ ବୋଧ ଦେଇ ଗତି କରିଥାଏ । ବିବାହିତା ହୋଇଥିଲେ ସେ ଏହାକୁ ଆନନ୍ଦର ସହ ଗ୍ରହଣ କଲା ବେଳେ ଅବିବାହିତ ହୋଇଥିଲେ ତା ପାଇଁ ଏହା ମନସ୍କ ଦୁଶ୍ଚିନ୍ତା ର କାରଣ ସାଜିଥାଏ ।
ଏଥି ପାଇଁ ପରିବାର ସମସ୍ତ ସଦସ୍ୟ ତଥା ସମାଜର ସବୁ ସ୍ତରରେ ସଚେତନତା ରହିବା ଉଚିତ । ସେଥିପାଇଁ ପରିବାର ନିୟନ୍ତ୍ରଣ ପ୍ରଜନନ ସ୍ୱାସ୍ଥ୍ୟ ଏବଂ ଅବାଞ୍ଛିତ ଗର୍ଭଧାରଣ ବିଷୟରେ ସମସ୍ତଙ୍କର କିଛି ନା କିଛି ଜ୍ଞାନ ରହିବା ଜରୁରୀ । ବିକାଶ ଉନ୍ମୁଖୀ ଦେଶମାନଙ୍କରେ ବିଶେଷ କରି ଗାଁ ଗହଳିରେ ଝିଅ ମାନଙ୍କୁ ଖୁବ ଶୀଘ୍ର ବିବାହ କରି ଦିଆଯାଏ । କିନ୍ତୁ ନିୟମ ଅନୁଯାଇ ୧୮ ବର୍ଷରୁ କମ ଝିଅ କୁ ବିବାହ ଦେବା ଅନୁଚିତ ।
ପ୍ରସୂତି ପରିଚର୍ଯ୍ୟାଗାରରେ ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞଙ୍କ ଦ୍ଵାରା ନିୟମିତ ସ୍ୱାସ୍ଥ୍ୟ, ରକ୍ତଚାପ ଆଦିପରୀକ୍ଷା କରାଇନେବା ଉଚିତ । ଏହା ଛଡା ନିୟମିତ ଆବଶ୍ୟକ ପରିମାଣରେ ସୁଷମ ଖାଦ୍ୟ, ଆଇରନ ଓ କ୍ୟାଲସିୟମ ଖାଇବା ଉଚିତ ।
ଅଳ୍ପ ବୟସର ଗର୍ଭବତୀ ନାରୀ ମାନଙ୍କର ପ୍ରସବ ସମୟରେ ଅନେକ ଜଟିଳତା ଦେଖାଦିଏ । ତେଣୁ ସେମାନେ ଚିକିତ୍ସାଳୟରେ ଅଭିଜ୍ଞ ଡାକ୍ତରଙ୍କ ପାଖରେ ପ୍ରସବ କରାଇବା ଉଚିତ । ପ୍ରସବ ପରେ ବେଶୀ ରକ୍ତକ୍ଷରଣ ଓ ସେପ୍ସିସର ଭୟ ଥାଏ, ତେଣୁ ଏ ସବୁକୁ ଏଡାଇବା ପାଇଁ ଉପଯୁକ୍ତ ପଦକ୍ଷେପ ମାନ ନେବା ଉଚିତ । ଏହା ଛଡା ଶିଶୁ କୁ ସ୍ତନ୍ୟ ପାନ କରାଇବା ପାଇଁ ମା କୁ ଉପଯୁକ୍ତ ଉପଦେଶ ଦେବା ଜରୁରୀ । ପ୍ରସବ ପରେ ପୁଣି ଥରେ ଗର୍ଭଧାରଣ ନ କରିବା ପାଇଁ ଝିଅଟିକୁ ପରିବାର ନିୟନ୍ତ୍ରଣ ବ୍ୟବସ୍ଥା ଗ୍ରହଣ କରିବାକୁ ପ୍ରବର୍ତ୍ତାଇବା ଉଚିତ । ଅଳ୍ପ ବୟସର ମା ମାନଙ୍କର ଆର୍ଥିକ ଓ ସାମାଜିକ ନିରାପତ୍ତା ନ ଥିବାରୁ ଏବଂ ଶିଶୁର ଲାଳନ ପାଳନ ବିଷୟରେ ସେମାନେ ଅଜ୍ଞ ଥିବାରୁ ଶିଶୁ ମାନଙ୍କର ଉପଯୁକ୍ତ ଯତ୍ନ ସେମାନେ ନେଇ ପାରନ୍ତି ନହିଁ । ତେଣୁ ଶିଶୁ ମନ ଶାରୀରିକ ଓ ମାନସିକ ସ୍ତରରେ ଅବହେଳିତ ହୁଅନ୍ତି । ବେଳେବେଳେ ଅଳ୍ପବୟସରେ ଗର୍ଭଧାରଣର ଦୁଃଖ, ଅପମାନ, ସାମାଜିକ ନିନ୍ଦା ଓ କଳଙ୍କ ତଥା ଆର୍ଥିକ ସଙ୍କଟ ଏବଂ ଏକ ସମ୍ପୂର୍ଣ୍ଣ ନୂତନ ଭୂମିକା ତାଙ୍କ ପାଇଁ ବିବାହ ବିଚ୍ଛେଦ ତଥା ଆତ୍ମହତ୍ୟା ଭଳି କଠୋର ପଦକ୍ଷେପ ନେବାକୁ ବାଧ୍ୟ କରିଥାଏ । ତେଣୁ କିଶୋରୀ ମାନଙ୍କର ପ୍ରଜନନ କ୍ଷମ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ପିତା, ମାତା, ପରିବାରବର୍ଗ, ଆତ୍ମୀୟସ୍ଵଜନ ତଥା ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ମାନେ ଏକ ସ୍ଵରରେ ସେମାନଙ୍କୁ ସୁରକ୍ଷା ବଳୟ ଭିତରେ ରଖିବା ପାଇଁ ପ୍ରତିଶ୍ରୁତିବଦ୍ଧ ହେବା ଉଚିତ ।
ଆଧାର - ଡା. ସରୋଜିନୀ ଷଡଙ୍ଗୀ,ଫୋନ ନଂ – ୦୯୪୩୭୦୫୫୦୦୭
Last Modified : 6/23/2020