অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବଳାତ୍କାର ଆଇନ୍ କେଉଁଠି କେମିତି

ଉପକ୍ରମ

ବଳାତ୍କାର ଏକ  ଅନୈତିକ କାର୍ଯ୍ୟ ତଥା ପଙ୍ଗୁ ମାନସିକତାର ପ୍ରତିଫଳନ । ଏହାକୁ ନେଇ ସମାଜରେ ବହୁ ଦୁର୍ଘଟଣା ଘଟିଚାଲିଛି । ତେବେ ଏଭଳି ଏକ ଗୁରୁତ୍ଵର ଅପରାଧକୁ ରୋକିବା ପାଇଁ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ଦଣ୍ଡବିଧାନର ନିୟମ ରହିଛି । କେଉଁଠି ବଳାତ୍କାରୀମାନଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଏ ତ କେଉଁଠି ଏଭଳି ବିକୃତ ମାନସିକତାର ଶିକାର ବ୍ୟକ୍ତିଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କରାଯାଏ । ତେବେ ଭାରତ ସମେତ ଅନ୍ୟ କେତେକ ଦେଶରେ ବଳାତ୍କାରୀଙ୍କ ପାଇଁ କି କି ଦଣ୍ଡ ଦେବାର ନିୟମ ରହିଛି ସେ ସମ୍ପର୍କରେ ଏଠାରେ ଉଲ୍ଲେଖ କରାଯାଉଛି ।

ଭାରତ ସମେତ କେତେକ ଦେଶରେ ବଳାତ୍କାରୀଙ୍କ ପାଇଁ  ଦଣ୍ଡ ବ୍ୟବସ୍ଥା

ଆମେରିକା

ବଳାତ୍କାରକୁ ନେଇ ଆମେରିକାର ବିଭିନ୍ନ ରାଜ୍ୟରେ ଆଜୀବନ କାରାଦଣ୍ଡର ବ୍ୟବସ୍ଥା ରହିଛି । ଏହାର ଅବଧି ପାଖାପାଖି ୧୫ବର୍ଷ ହୋଇଥାଏ । ହେଲେ ଟେକ୍ସାସ୍ ରେ ମହିଳାଙ୍କ ସହ ଜବରଦସ୍ତ କରିବା କିମ୍ବା ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ଅବା ଗଣବଳାତ୍କାର ପରେ ଯଦି ପୀଡ଼ିତାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦିଆଯାଏ ଅବା ପୀଡ଼ିତାଙ୍କର ମୃତ୍ୟୁ ହୋଇଯାଏ, ତା’ ହେଲେ ସେ କ୍ଷେତ୍ରରେ ଅଭିଯୁକ୍ତଙ୍କୁ ୫ ବର୍ଷରୁ ଆରମ୍ଭ କରି ୯୯ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବାକୁ ହୋଇଥାଏ । ସେହିପରି ୱାଶିଂଟନ୍ ରେ ବଳାତ୍କାରୀଙ୍କୁ ୫ବର୍ଷରୁ ଆରମ୍ଭ କରି ୧୫ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗୀବାକୁ ହୋଇଥାଏ । ତେବେ ଆମେରିକାରେ ଏମିତି ଆହୁରି କେତେକ ରାଜ୍ୟ ଅଛି ଯେମିତିକି କଲିଫର୍ଣ୍ଣିଆ, ଫ୍ଲୋରିଡା, ଲୁସିଆନା, ମୋନ୍ଟାନା, ଆୱା, ଓରିଗନ୍ ଆଦି ସ୍ଥାନରେ ବଳାତ୍କାରୀଙ୍କୁ ଦଣ୍ଡ ଦେବା ପାଇଁ କେମିକାଲ ଅବା ସର୍ଜିକାଲ ଉପାୟରେ ସେମାନଙ୍କୁ ନପୁଂସକ କରି ଦିଆଯାଇଥାଏ।

ପାକିସ୍ତାନ

ଏଠାରେ ଗଣବଳାତ୍କାର ପାଇଁ ଦୋଷୀମାନଙ୍କୁ ଆଜୀବନ କାରାଦଣ୍ଡ ନଚେତ୍ ମୃତ୍ୟୁଦଣ୍ଡ ଦେବାର ନିୟମ ରହିଛି । ସେହିପରି ଯଦି କୌଣସି ବ୍ୟକ୍ତି ମହିଳାଙ୍କୁ ବଳାତ୍କାର କରେ, ତା’ ହେଲେ ସେହି ଅଭିଯୁକ୍ତଙ୍କୁ ୧୦ରୁ ୨୫ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଦିଆଯାଇଥାଏ। ତା’ ଛଡା କୌଣସି ସାବାଳିକା ଅବା ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ କରେ ଦୋଷୀଙ୍କୁ ୨ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ପଡିଥାଏ । ସେହିପରି ଯଦି ଜଣେ ବିବାହିତ ପୁରୁଷ ପତ୍ନୀଙ୍କୁ ଅଜାଣତରେ ଅନ୍ୟ ଜଣେ ନାରୀ ସହ ଶାରୀରିକ ସମ୍ପର୍କ ସ୍ଥାପନ କରୁଥିବାର ଜଣାଯାଏ ତା’ ହେଲେ ସିଏ ଦୋଷୀ ସାବ୍ୟସ୍ତ ହୋଇ ୫ବର୍ଷ ଜେଲ୍ ଦଣ୍ଡ ଭୋଗିବା ସହିତ ପ୍ରାୟ ୧୦,୦୦୦ଟଙ୍କା ଜରିମାନା ଦେଇଥାନ୍ତି ।

ଅଷ୍ଟ୍ରେଲିଆ

ଏଠାରେ ମୁଖ୍ୟତଃ ବଳାତ୍କାରୀଙ୍କୁ ୧୪ବର୍ଷ ଜେଲଦଣ୍ଡ ଦେବାର ନିୟମ ରହିଛି । ସେହିପରି ନିଜ ମନକୁ କୁର୍ତ୍ସତ ଅଭିଳାଷକୁ ପୂରଣ କରିବା ପାଇଁ ଯଦି କୌଣସି ବ୍ୟକ୍ତି ନାବାଳିକା, ସାବାଳିକା ଅବା କୌଣସି ମହିଳାଙ୍କ ଉପରେ ଆକ୍ରମଣ କରି ତାଙ୍କୁ ଘାଇଲା ଅବସ୍ଥାରେ ବଳାତ୍କାର କରନ୍ତି, ତା ହେଲେ ସେ କ୍ଷେତ୍ରରେ ମଧ୍ୟ ଦୋଷୀଙ୍କୁ ୧୪ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡିଥାଏ । ତା’ ଛଡା ଯଦି ଜଣେ ବ୍ୟକ୍ତି ନିଜର କାମନା ଚରିତାର୍ଥ କରିବା ପାଇଁ କୌଣସି ମହିଳା ଅବା ଯୁବତୀଙ୍କ ସହିତ ଜୋର ଜବରଦସ୍ତ ଶାରିରୀକ ସମ୍ପର୍କ ରଖିବାକୁ  ଚେଷ୍ଟା କରେ, ତା’ ହେଲେ ସେ କ୍ଷେତ୍ରରେ ତାଙ୍କୁ  ଦୋଷୀ ସାବ୍ୟସ୍ତ କରାଯାଇ ୧୦ବର୍ଷ ଜେଲଦଣ୍ଡ ଦିଆଯାଇଥାଏ ।

ଆଫଗାନିସ୍ତାନ

ଆଫଗାନିସ୍ତାନରେ ସାଧାରଣତଃ ଇସ୍ଲାମ୍ ଧର୍ମ ସମ୍ବନ୍ଧୀୟ ନିୟମ ଅନୁଯାୟୀ ଦୋଷୀଙ୍କୁ ଦଣ୍ଡ ଦିଆଯାଇଥାଏ । ସେଥିପାଇଁ ଏଠାରେ କଠୋରରୁ କଠୋରତର ଦଣ୍ଡବିଧାନ ବ୍ୟବସ୍ଥା ରହିଛି । ବିଶେଷ କରି ଆଫଗାନିସ୍ତାନରେ ଅତି ଗୁରୁତ୍ଵର ଅପରାଧ ପାଇଁ ଦୋଷୀଙ୍କୁ ଫାଶୀଦଣ୍ଡ ନଚେତ୍ ସୈନ୍ୟଙ୍କ ଦ୍ଵାରା ତାଙ୍କ ଉପରକୁ ଗୁଳିମାଡ କରି ମାରି ଦିଆଯାଇଥାଏ । ତେବେ ଏହି ଗୁରୁତ୍ଵର ଅପରାଧ ଭିତରେ ରହିଛି ନରହତ୍ୟା, ସମଲିଙ୍ଗୀଙ୍କ ଆଚରଣ, ସ୍ଵଧର୍ମ ତ୍ୟାଗ, ବଳାତ୍କାର, ଆତଙ୍କବାଦ, ଡ୍ରଗ୍ସ କାରବାର, ପରକୀୟା ସମ୍ପର୍କ କିମ୍ବା ରାଜଦ୍ରୋହରେ ଲିପ୍ତ ଥିବା ବିଷୟରେ ଜଣାପଡିଲେ ଉକ୍ତ ଦୋଷୀମାନଙ୍କୁ ଉପରୋକ୍ତ ଦୁଇଟି ଦଣ୍ଡ ମଧ୍ୟରୁ ଯେକୌଣସି ଗୋଟିଏ ଦିଆଯିବାର ନିୟମ ରହିଛି ।

ସାଉଦି ଆରବ

ଆଫଗାନିସ୍ତାନ ପରି ସାଉଦି ଆରବରେ ମଧ୍ୟ ଗୁରୁତ୍ଵର ଅପରାଧ ପାଇଁ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦିଆଯିବାର ନିୟମ ରହିଛି । ଏହି ମୃତ୍ୟୁଦଣ୍ଡ ପୁଣି ତିନି ପ୍ରକାର ହୋଇଥାଏ । କେଉଁଠି ଦୋଷୀ ଉପରକୁ ଏଠାରେ ପଥର ଫୋପାଡି ହତ୍ୟା କରାଯାଏ ତ ଆଉ କେଉଁଠି ଦୋଷୀଙ୍କୁ ଗୁଳିକରି ମାରି ଦିଆଯାଏ । ସେହିପରି ଆଉ କେଉଁଠି ଦୋଷୀର ଖଣ୍ଡାଦ୍ଵାରା ଶିରଚ୍ଛେଦନ କରିଦିଆଯାଏ । ତେବେ କେଉଁଠି ଦୋଷୀ ପାଇଁ କେଉଁଦଣ୍ଡ ପ୍ରଜୁଜ୍ୟ ତାହାର ବିଚାର ଦୋଷୀର ଦୋଷକୁ ସମୀକ୍ଷା କରିବା ପରେ ହିଁ ନିଷ୍ପତ୍ତି ନିଆଯାଇଥାଏ । ତା’ ଛଡା ସାଉଦି ଆରବରେ ମୁଖ୍ୟତଃ ବଳାତ୍କାରୀ, ନରହତ୍ୟାକାରୀ, ମିଥ୍ୟା ଭବିଷ୍ୟବାଣୀ  କରୁଥିବା ବ୍ୟକ୍ତି, ଅସ୍ତ୍ରଶସ୍ତ୍ର ଦେଖାଇ ଚୋରି, ଅପହରଣ ବା ଲୁଣ୍ଠନ କରୁଥିବା ଲୋକ, ଡ୍ରଗ୍ସ କାରବାରରେ ସମ୍ପୃକ୍ତ ଥିବା ସଦସ୍ୟ ଆଦିଙ୍କୁ ଗୁରୁତ୍ଵର ଅପରାଧୀ ଭାବେ ବିବେଚନା କରାଯାଏ । ଏବଂ ସେମାନେ କରିଥିବା  ଅପରାଧ ପାଇଁ ତାଙ୍କୁ ସେଠାରେ ଉପରୋକ୍ତ ତିନୋଟି ମୃତ୍ୟୁଦଣ୍ଡ ଭିତରୁ କୌଣସି ଗୋଟିଏ ଦଣ୍ଡ ଦିଆଯାଇଥାଏ ।

ଚାଇନା

ଚାଇନାରେ ବଳାତ୍କାରୀଙ୍କୁ ନେଇ ଭିନ୍ନ ଭିନ୍ନ ଦଣ୍ଡବିଧାନର ବ୍ୟବସ୍ଥା ରହିଛି । ଏଠାରେ ଜଣେ ବଳାତ୍କାରୀଙ୍କୁ ଅତି କମ୍ ରେ ୩ରୁ ୧୦ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବାକୁ ପଡିଥାଏ । ସେହିପରି ଯଦି ଜଣେ ବ୍ୟକ୍ତି ଏକାଧିକ ବଳାତ୍କାରରେ ସମ୍ପୃକ୍ତ ଥାଆନ୍ତି  କିମ୍ବା ୧୪ବର୍ଷରୁ କମ୍ ନାବାଳିକାକୁ ବଳପ୍ରୟୋଗ ପୂର୍ବକ ବଳାତ୍କାର କରିଥାନ୍ତି, ତା’ହେଲେ ତାଙ୍କୁ ଫାଶୀଦଣ୍ଡ ହୋଇଥାଏ । ତା’ ଛଡା  ସର୍ବସାଧାରଣ କାହାରିକୁ ବଳାତ୍କାର କରିବା ଅବା ବଳାତ୍କାର ପରେ ପୀଡ଼ିତାକୁ ମାରିଦେବା ପାଇଁ ଚେଷ୍ଟା କରିବା ବା ମାରିଦେବା ଏବଂ ଗଣବଳାତ୍କାର ଆଦି କ୍ଷେତ୍ରରେ ଦୋଷୀଙ୍କୁ ଫାଶୀ ଦଣ୍ଡ ଦେବା ପାଇଁ ମଧ୍ୟ ଏଠାରେ ନିୟମ ରହିଛି ।

ଫ୍ରାନ୍ସ

ଚାଇନା ଭଳି ଫ୍ରାନ୍ସରେ ବି ବଳାତ୍କାରକୁ ନେଇ ଭିନ୍ନ ଭିନ୍ନ ଦଣ୍ଡର ବ୍ୟବସ୍ଥା ରହିଛି । ଏଠାରେ ଜଣେ ବଳାତ୍କାରୀଙ୍କୁ ୧୫ ବର୍ଷ ଜେଲ୍ ଦଣ୍ଡ ହୋଇଥାଏ । ସେହିପରି ଯଦି ଜଣେ ବ୍ୟକ୍ତି ୧୫ ବର୍ଷରୁ କମ୍ ନାବାଳିକାକୁ ବଳାତ୍କାର କରନ୍ତି, ତା’ ହେଲେ ତାଙ୍କୁ ୨୦ବର୍ଷ କାରାବାସ ଭୋଗିବାକୁ ପଡିଥାଏ । ଏଥିସହିତ ବଳାତ୍କାର ପରେ ଯଦି  ପୀଡ଼ିତାଙ୍କର ମୃତ୍ୟୁ ହୋଇଯାଏ, ତା’ ହେଲେ ସେ କ୍ଷେତ୍ରରେ ଏଥିରେ ସମ୍ପୃକ୍ତ ଥିବା ଦୋଷୀ ୩୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିଥାନ୍ତି ।

ସ୍ଵିଡେନ

ଏଠାରେ ଗଣବଳାତ୍କାର ପାଇଁ ଦୋଷୀଙ୍କୁ ୪ରୁ ୧୦ ବର୍ଷ ପର୍ଯ୍ୟନ୍ତ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଥାଏ । ସେହିପରି ଯଦି ଜଣେ ବ୍ୟକ୍ତି କୌଣସି ନାବାଳିକାଙ୍କ ପ୍ରତି ଅସଦାଚରଣ କରନ୍ତି ତା’ ହେଲେ ସେ କ୍ଷେତ୍ରରେ ତାଙ୍କୁ ୪ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ପଡିଥାଏ । ଏହାଛଡା ସାବଳିକା ବା ମହିଳାଙ୍କ ପ୍ରତି  ଅଶ୍ଳୀଳ ଇଙ୍ଗିତ୍ ସହିତ ତାଙ୍କୁ ଜୋର୍ ଜବରଦସ୍ତ ବଳାତ୍କାର ପାଇଁ ଚେଷ୍ଟା କରୁଥିବା ଅପରାଧୀଙ୍କ ପାଇଁ ଏଠାରେ ୨ରୁ ୬ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡର ବ୍ୟବସ୍ଥା ରହିଛି ।

ଋଷିଆ

ହିଂସାର ସାହାରା ନେଇ ଯଦି ଜଣେ ବ୍ୟକ୍ତି ଜବରଦସ୍ତ କୌଣସି ମହିଳାଙ୍କୁ ବଳାତ୍କାର ପାଇଁ ଚେଷ୍ଟା କରନ୍ତି ବା ଅସୁବିଧାରେ ପଡିଥିବା ମହିଳାଙ୍କୁ ସାହାଯ୍ୟର ପ୍ରତିଶ୍ରୁତି ଦେଇ ପରେ ତାଙ୍କ ପ୍ରତି ଖରାପ ବ୍ୟବହାର ପ୍ରଦର୍ଶନ କରନ୍ତି, ତା ହେଲେ ସେ କ୍ଷେତ୍ରରେ ସମ୍ପୃକ୍ତ ଦୋଷୀଙ୍କୁ ୩ରୁ ୬ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବାକୁ ପଡିଥାଏ । ସେହିପରି ଯଦି ଜଣେ ବ୍ୟକ୍ତି ପୀଡ଼ିତାଙ୍କୁ ବାରମ୍ବାର ବଳାତ୍କାର କରନ୍ତି ବା ପୀଡ଼ିତା ଜଣକ ଗଣବଳାତ୍କାରର ଶିକାର ହୋଇଥାନ୍ତି କିମ୍ବା ବଳାତ୍କାର ପରେ ପୀଡ଼ିତାଙ୍କୁ ମାରିଦେବା ପାଇଁ ଚେଷ୍ଟା କରାଯାଏ, ତା’ ହେଲେ ସେଭଳି ପରିସ୍ଥିତିରେ ଅପରାଧୀଙ୍କୁ ୪ରୁ ୧୦ ବର୍ଷ ପର୍ଯ୍ୟନ୍ତ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଥାଏ । ତା’ ଛଡା ଯଦି ଜଣେ ନାବାଳିକା ସହିତ ଜୋର୍ ଜବରଦସ୍ତ ଯୌନ ସମ୍ପର୍କ ସ୍ଥାପନ କରାଯାଇଥାଏ, ତା’ ହେଲେ ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ୮ରୁ ୧୫ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଭୋଗିବାର ନିୟମ ଏଠାରେ ପ୍ରଚଳିତ ଅଛି ।

କାନାଡା

ଏଠାରେ ଯେ କୌଣସି ବ୍ୟକ୍ତି ହୁଅନ୍ତୁନା କାହିଁକି ଯଦି ସିଏ କୌଣସି ମହିଳା, ଯୁବତୀ ଅବା ନାବାଳିକା   ପ୍ରତି ଅସଦାଚରଣ ପ୍ରଦର୍ଶନ କରନ୍ତି ତା’ ହେଲେ ତାଙ୍କୁ ଅନ୍ୟୁନ ୭ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ପଡିଥାଏ । ସେହିପରି ଯଦି କୌଣସି ବ୍ୟକ୍ତି ବଳାତ୍କାରୀ ଭାବେ ପ୍ରମାଣିତ ହୋଇଯାନ୍ତି, ତା’ ହେଲେ ତାଙ୍କୁ ଆଜୀବନ ଜେଲଦଣ୍ଡ ଭୋଗିବାର ନିୟମ ଏଠାରେ ରହିଛି । ତେବେ ଏହି ଆଜୀବନ ଜେଲଦଣ୍ଡର ସମୟସୀମା ଏଠାରେ ପ୍ରାୟତଃ ୨୫ବର୍ଷ ହୋଇଥାଏ ।

ବଳାତ୍କାରୀଙ୍କୁ  ଦଣ୍ଡଦେବା ପାଇଁ ବିଭିନ୍ନ ଦେଶରେ ଏତେ ସବୁ ଆଇନ୍ ଥିଲେ ମଧ୍ୟ ଏହି ଅପରାଧର ମାତ୍ରା କମିବା ବଦଳରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କାରଣ ଆଇନ୍ ଯେତେ କଡାକଡି ହେଲେ ବି ଏହା କେବଳ ଦୋଷୀକୁ ତା’ର ଅପରାଧ ପାଇଁ ଦଣ୍ଡ ଦେଇପାରିବ କିନ୍ତୁ କାହାରି ମାନସିକତାକୁ ବଦଳାଯାଇପାରିବ ନାହିଁ । କାରଣ ଆଜିଯାଏ ଯେତେ ବି ବଳାତ୍କାର ହୋଇଛି ସବୁଠି ଅପରାଧୀର କୁତ୍ସିତ ମାନସିକତା ପରିଚୟ ମିଳିଛି । ତେଣୁ ଏପରି ମାନସିକତାକୁ ଆଇନ୍ କାନୁନ୍ ର ଦଣ୍ଡ ବଳରେ  ବଦଳାଇବା ସେତେ ସହଜ ନୁହେଁ । ଯଦି ସ୍ଵୟଂ ଅପରାଧୀ ନିଜେ କରିଥିବା ଅପରାଧକୁ ହୃଦୟଙ୍ଗମ କରି ଅନୁତାପ କରେ ଏବଂ ତା’ ଭିତରେ ଥିବା କୁତ୍ସିତ ମାନସିକତାକୁ ସବୁଦିନ ପାଇଁ ପରିତ୍ୟାଗ କରେ, ତା’ହେଲେ ହୁଏତ ସମାଜରୁ ବଳାତ୍କାରର ମାତ୍ରା କମିବା ସମ୍ଭବ ହୋଇପାରିବ ।

ଭାରତରେ ୩୭୬ ଦଫା ଅନୁଯାୟୀ ଜଣେ ବଳାତ୍କାରୀଙ୍କୁ ୧୦ବର୍ଷ ଜେଲ୍ ଦଣ୍ଡ କିମ୍ବା ପୀଡ଼ିତାଙ୍କ ବୟାନକୁ ଭିତ୍ତିକରି ତାଙ୍କୁ ଆଜୀବନ କାରାଦଣ୍ଡ ଦିଆଯିବାର ବ୍ୟବସ୍ଥା ରହିଛି। ସେହିପରି ଝିଅମାନଙ୍କ ପ୍ରତି ଅଶ୍ଳୀଳ ଆଚରଣ କରୁଥିବା କିମ୍ବା ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ତାଙ୍କୁ ଠକିବାକୁ ଚେଷ୍ଟା କରୁଥିବା ଆଦି ମାମଲାରେ ଦୋଷୀଙ୍କୁ ୭ ରୁ ୧୦ବର୍ଷ ଜେଲଦଣ୍ଡ ଦିଆଯିବାର ବ୍ୟବସ୍ଥା ରହିଛି । ତା’ ଛଡା ଦଫା ୩୭୫ (ଜି) (୨)ଅନୁଯାୟୀ, ଗଣବଳାତ୍କାର ପାଇଁ ଦୋଷୀମାନଙ୍କୁ ୧୦ବର୍ଷ ତଥା ଆଜୀବନ କାରାଦଣ୍ଡ ଦିଆଯିବାର ବି ବ୍ୟବସ୍ଥା ରହିଛି । ସେହିପରି ଦଫା ୩୬୬ ଅନୁସାରେ, ଅପହରଣ ପାଇଁ ଦୋଷୀଙ୍କୁ ୧୦ବର୍ଷ ଜେଲଦଣ୍ଡ ସହିତ ଜୋରିମାନା ଦେବାକୁ ହୋଇଥାଏ । ମନ୍ଦ ଉଦ୍ଦେଶ୍ୟ ରଖି ଯୁବତୀ ଚାଲାଣ କରୁଥିଲେ ଦୋଷୀଙ୍କୁ ଦଫା ୩୭୨ ଅନୁଯାୟୀ ୧୦ବର୍ଷ ଜେଲଦଣ୍ଡ ସହିତ ଜୋରିମାନା ଦେବାର ବ୍ୟବସ୍ଥା ରହିଛି । ସେହିପରି ଦଫା ୩୫୪ ଅନୁଯାୟୀ, ଯୁବତୀ ଅବା ମହିଳାଙ୍କୁ ଅସଦାଚରଣ କଲେ ଦୋଷୀଙ୍କୁ ୨ବର୍ଷ ଜେଲଦଣ୍ଡ ସହିତ ଜରିମାନା ଦେବାକୁ ହୋଇଥାଏ ।

ଆଧାର - ମୀରା ଘୋଷ ଆଇନ୍ ଜୀବୀ ହାଇକୋର୍ଟ

Last Modified : 6/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate