অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଭାରତର ସମ୍ବିଧାନ ଓ ବାଳୁତ ଶ୍ରମ

ଭାରତୀୟ ସମ୍ବିଧାନର ଧାରା ୨୪

୨୬ ଜାନୁଆରୀ ୧୯୫୦ ରେ ଘୋଷିତ ହୋଇଥିବା ଭାରତୀୟ ସମ୍ବିଧାନର ଧାରା ୨୪ (କାରଖାନା ଇତ୍ୟାଦିରେ ବାଳୁତଶ୍ରମ ନିଯୁକ୍ତି ଉପରେ ବାରଣ) ରେ କୁହାଯାଇଛି ଯେ “ ଚଉଦ ବର୍ଷରୁ କମ ବୟସର କୌଣସି ବାଳୁତକୁ କାରଖାନା  ବା ଖଣିରେ ନିଯୁକ୍ତ କରାଯିବ ନାହିନ ବା ଅନ୍ୟ କୌଣସି ବିପଦସଙ୍କୁଳ ନିଯୁକ୍ତିରେ ନିୟୋଜିତ କରାଯିବ ନାହିଁ “ ।  ଏହା ସମ୍ବିଧାନର ଭାଗ- ୩ ରେ ଭଣିତ ମୌଳିକ ଅଧିକାରସମୂହ ଭିତରୁ ଅନ୍ୟତମ   । ଲକ୍ଷ୍ୟ କରିବାର କଥା,କେବଳ ଚଉଦ ବର୍ଷରୁ କମ ପିଲାଙ୍କୁ କେବଳ ବିପଦସଙ୍କୁଳ ଶ୍ରମରେ ନିୟୋଜନକୁ ଏଠାରେ ବାରଣ କରାଯାଇଛି   , ଯାହାର  ଅର୍ଥ ହେଲା,୧୪ ବର୍ଷ ଅତିକ୍ରମ କରିଥିବା ଅଥଚ ୧୮ ବର୍ଷ ସମାପ୍ତ କରିନ ଥିବା ଜଣେ ବ୍ୟକ୍ତି, ଯେ କି ଭାରତୀୟ ସାବାଳକତ୍ଵ ଆଇନ  ୧୮୭୫  ର ଧାରା -୩(୧) ବା କିଶୋର ନ୍ୟାୟ ( ବାଳୁତଙ୍କ ଯତ୍ନ ଓ ସୁରକ୍ଷା) ଆଇନ ୨୦୦୦ ର ଧାରା୨(ଡି) ଅନୁଯାୟୀ ନାବାଳକ ବା ବାଳୁତ ଶ୍ରେଣୀରେ  ପରିସରଭୁକ୍ତ, ତାଙ୍କୁ ବିପଦସଙ୍କୁଳ ଶ୍ରମ ସମେତ ଯେ କୌଣସି ଶ୍ରମରେ ନିଯୁକ୍ତ କରିହେବ   । ଏହାର ଦ୍ଵିତୀୟ ଅର୍ଥ ହେଲା,  ଚଉଦବର୍ଷ ଅତିକ୍ରମ କରିନଥିବା  ପିଲାଙ୍କୁ  ବିପଦସଙ୍କୁଳ ହୋଇନଥିବା ଅନ୍ୟାନ୍ୟ ଶ୍ରମରେ ନିଯୁକ୍ତ କରିହେବ   ।

ଭାରତୀୟ ସମ୍ବିଧାନର ଭାଗ- ୪

ଭାରତୀୟ ସମ୍ବିଧାନର ଭାଗ- ୪ (ରାଷ୍ଟ୍ରନୀତି ପ୍ରଣୟନ ପାଇଁ ନିର୍ଦ୍ଦେଶାତ୍ମକ ନିୟମାବଳି) ଅଧୀନରେ ସ୍ଥାନିତ ହୋଇଥିବା  “ ଧାରା  ୩୯(ଇ) ରେ କୁହାଯାଇଛି ଯେ  “ ବିଶେଷ ଭାବେ ରାଷ୍ଟ୍ର ନିଜର ନିୟମକୁ ଏଭଳି ଢଙ୍ଗରେ ପ୍ରଣୟନ କରିବ  , ଯାହାଫଳରେ ଏକଥା ସୁନିଶ୍ଚିତ ହୋଇପାରିବ ଯେ , ଶ୍ରମିକଗଣ , ପୁରୁଷ ଓ ମହିଳାମାନଙ୍କର ସ୍ୱାସ୍ଥ୍ୟ ଓ ଶକ୍ତି ତଥା ବାଳୁତମାନଙ୍କର କୋମଳ ବୟସର ଦୁରୁ ଯୋଗ ଘଟିବ ନାହିଁ ତଥା ନାଗରିକମାନେ ଆର୍ଥିକ ତାଡନାରୁ ଏଭଳି କୌଣସି ବୃତ୍ତି ଅବଲମ୍ବନ କରିବାକୁ ବାଧ୍ୟ ହେବେ ନାହିଁ , ଯାହାକି ତାଙ୍କର ବୟସ ବା ଶକ୍ତି ଦ୍ରୁଷ୍ଟିରୁ ଅବାଞ୍ଛନୀୟ” । ପୁଣି ଧାରା ୩୯(ଏଫ) ରେ କୁହାଯାଇଛି , ସେହିସବୁ ବାଳୁତମାନଙ୍କୁ ସୁସ୍ଥଭାବେ ଏବଂ ସ୍ଵାଧୀନତା ଓ ମର୍ଯ୍ୟାଦାର ପରିବେଶରେ ବଢିବା ପାଇଁ ସୁବିଧା- ସୁଯୋଗ ଯୋଗାଇଦିଆଯିବ ,  ଏବଂ ଶୈଶବ ଓ ଯୁବାବସ୍ଥାକୁ ଶୋଶସନ ତଥା ନୈତିକ ଓ ଆର୍ଥିକ ହିନସ୍ଥା ଦାଉରୁ ସୁରକ୍ଷା ଦିଆଯିବ” ।  ଏକଥା ସତ, ଏହି ଦୁଇଟି ଉକ୍ତିରେ ସବୁ ବୟସର ବାଳୁତଙ୍କ କୋମଳ ବୟସକୁ ଦ୍ରୁଷ୍ଟିରେ ରଖି ସେମାନଙ୍କୁ କୌଣସି କଠିନିଆ ଶ୍ରମରେ ନିୟୋଜନ କରାଯିବା ବାରଣ ହୋଇଛି ଏବଂ ସେମାନଙ୍କୁ ସବୁ ଧାରଣର ଶୋଷଣ ଓ ହିନସ୍ଥାରୁ ସୁରକ୍ଷା ଦିଆଯିବ ବୋଲି କୁହାଯାଇଛି   । କିନ୍ତୁ ଏହି ବ୍ୟବସ୍ଥା ଦୁଇଟି ନାଗରିକମାନଙ୍କର ମୌଳିକ ଅଧିକାର ନୁହେଁ   ।  ଉପରେ କୁହାଯିବା ମତେ ହେଉଛି ଏହା ହେଉଛି “ ରାଷ୍ଟ୍ରନୀତି ପ୍ରଣୟନ ପାଇଁ ନିର୍ଦ୍ଦେଶାତ୍ମକ ନିୟମାବଳି”ର ପରିସରଭୁକ୍ତ   । ଏଠାରେ ମନେ ରଖିବା ଦରକାର , ସମ୍ବିଧାନରେ ଭାଗ- ୩ ରେ ଭଣିତ ମୌଳିକ ଅଧିକାର ସମୂହ ସଭ ଭାଗ- ୪ରେ ଭଣିତ ରାଷ୍ଟ୍ରନୀତି ପ୍ରଣୟନ ପାଇଁ ନିର୍ଦ୍ଦେଶାତ୍ମକ ନିୟମାବଳିର ଏକ ମୌଳିକ ଫରକ ରହିଛି   । ଭାଗ- ୩ର ମୌଳିକ ଅଧିକାରସମୂହର ଉଲ୍ଲଂଘନ  ଘାତିଳେ ତହିଁର ପ୍ରତିକାର ପାଇଁ ଏହି ଭାଗରେ ସ୍ଥାନିତ ଧାରା – ୩୨ ଅନୁଯାୟୀ ଜଣେ ନାଗରିକ ସୁପ୍ରିମକୋର୍ଟ ଏବଂ ଭାଗ – ୬ରେ ସ୍ଥାନିତ ଧାରା- ୨୨୬ ଅନୁଯାୟୀ ଜଣେ ନାଗରିକ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇପାରିବ  , କିନ୍ତୁ ଭାଗ- ୪ ରେ ଭଣିତ ଜଣେ ନାଗରିକ କୌଣସି ଅଦାଲତର ଆଶ୍ରୟ ନେଇପାରିବ ନାହିଁ   ।  ଏକଥା ଭାଗ- ୪ ରେ ଥିବା ଧାରା – ୩୭ ରେ ଏହିମତେ ସ୍ପଷ୍ଟ କରିଦିଆଯାଇଛି   - “ ଏହି ଭାଗରେ ସ୍ଥାନିତ ବ୍ୟବସ୍ଥାବଳିକୁ କୌଣସି ଅଦାଲତ ବଳବତ୍ତର କରିପାରିବ ନାହିଁ   , ଯଦିଓ ଏଥିରେ ଲିପିବଦ୍ଧ ହୋଇଥିବା ନୀତିସମୂହ ଦେଶର ଶାସନଧାରାରେ ମୌଳିକ ଭୂମିକା ନେବ ତଥା ଆଇନ ତିଆରି କଳାବେଳେ ଏହି ନୀତିଗୁଡିକୁ ପ୍ରୟୋଗ କରିବା ରାଷ୍ଟ୍ରର କର୍ତ୍ତବ୍ୟ ହେବ “ ।

ଏଠାରେ ପୁଣି ଉଲ୍ଲେଖନୀୟ, ଭାଗ- ୪ ଅନ୍ତର୍ଗତ ସମ୍ବିଧାନ ଧାରା- ୪୫ (ବାଳୁତମାନଙ୍କ ପାଇଁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷାର ବ୍ୟବସ୍ଥା) ରେ କୁହାଯାଇଥିଲା, ଯେ ସମ୍ବିଧାନ ଘୋଷଣା ହେବାର ଦଶବର୍ଷ , ଅର୍ଥାତ ୨୬ ଜାନୁଆରୀ ୧୯୬୦ ସୁଦ୍ଧା ୧୪ ବର୍ଷ ସମାପ୍ତ କରିବା ପର୍ଯ୍ୟନ୍ତ ସମସ୍ତ ବାଳୁତଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଯୋଗାଇଦେବା ଦିଗରେ ରାଷ୍ଟ୍ର ଉଦ୍ୟମ କରିବ   । କିନ୍ତୁ ଏଠାରେ ଲକ୍ଷ୍ୟଣୀୟ, ଏକଥା ଭାଗ – ୪ ରେ ଅଛି , ଯାହାକୁ କୌଣସି ଅଦାଲତ ବଳବତ୍ତର କରିପାରିବ  ନାହିଁ ଏବଂ ପୁଣି ରାଷ୍ଟ୍ର ଏହା ନିଶ୍ଚିତ କରିବା ବଦଳରେ ଉଦ୍ୟମ କରିବା କଥା କୁହାଯାଇଛି   ।  କିନ୍ତୁ ଧାରା -୪୫ ର ଉକ୍ତ ବ୍ୟବସ୍ଥା ଉଠିଯାଇ ଏକ ନୂଆ ବ୍ୟବସ୍ଥା ୮୬ ତମ ସମ୍ବିଧାନ ସଂଶୋଧନ ଆଇନ  ୨୦୦୨ ପ୍ରତିସ୍ଥାନିତ , ଯାହାର ଶୀର୍ଷକ ହେଉଛି “ ଛ” ବର୍ଷରୁ କମ ଶିଶୁମାନଙ୍କୁ ସଅଳ ଶିକ୍ଷା ଯତ୍ନ ଯୋଗାଇବାର ବ୍ୟବସ୍ଥା’ ଏବଂ ଏହି ନୂତନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଦିଗରେ ରାଷ୍ଟ୍ର ଉଦ୍ୟମ କରିବ ବୋଲି ସେଥିରେ କୁହାଯାଇଛି   । ଏହି ସମ୍ବିଧାନ ସଂଶୋଧନ ବଳରେ  ଭାଗ-୩ (ମୌଳିକ ଅଧିକାର ସମୂହ) ରେ ଧାରା – ୨୧ ଏ ଯୋଡାଗଲା, ଅଜହାର ଶିରକ ହେଉଛି  “ ଶିକ୍ଷା ପାଇଁ ଅଧିକାର “ ଏବଂ ଏଥିରେ କୁହାଗଲା  “ ରାଷ୍ଟ୍ର ଆଇନ ପ୍ରଣୟନ ବଳରେ ନିଜେ ଧାର୍ଯ୍ୟ କରିଥିବା ରୀତିରେ ଛ ରୁ ଚଉଦ ବର୍ଷର ସମସ୍ତ ବାଳୁତଙ୍କୁ ମାଗଣା ଓ ବାଧ୍ୟତାମୂଳକ ମୌଳିକ ଶିକ୍ଷା ଯୋଗାଇଦେବ “ ଏଠାରେ ଲକ୍ଷ୍ୟଣୀୟ, ଏହି ନୂତନ ବ୍ୟବସ୍ଥା ଏକ ମୌଳିକ ଅଧିକାର ହେଲେ ହେଁ ଏହାର ପରିଭାଷା ଭାଗ- ୪ ଭଳି, କାରଣ କେଉଁ ରୀତିରେ ମୌଳିକ ଶିକ୍ଷା ସମ୍ପୃକ୍ତ ବାଳୁତମାନଙ୍କୁ ଉପଲବ୍ଧ ହେବ,  ତାହା ରାଷ୍ଟ୍ରର ମର୍ଜ୍ଜି ଉପରେ ଛାଡି ଦିଆଯାଇଛି   ।

ସୁତରାଂ ଦେଖିବାକୁ ଗଲେ ୮୬ ତମ ସଂବିଧାନ ୨୦୦୨ ଲାଗୁ ହେବା ପରେ ଉଭୟ ଧାରା  -୨୧ ଏ (ଶିକ୍ଷା ପାଇଁ ଅଧିକାର) ଏବଂ ଧାରା  ୪୫ (ସଅଳ ଶିକ୍ଷା ଓ ଯତ୍ନ) ର ବ୍ୟବସ୍ଥାମାନ ଫଳବତୀ ହେବା ବସ୍ତୁତଃ ରାଷ୍ଟ୍ରର ମର୍ଜ୍ଜି ଉପରେ ନିର୍ଭର କରୁଛି  ।

ସଂବିଧାନର ଧାରା- ୨୩

ଏହାଛଡା ସଂବିଧାନର ଧାରା- ୨୩ (ମାନବ ଚାଲାଣ ଓ ବାଧ୍ୟତାମୂଳକ ଖଟଣି ଉପରେ ନିଷେଧ) ରେ କୁହାଯାଇଛି  “ ମାନବ ଚାଲାଣ , ବେଠିବେଗାରି ଓ ସେହି ଧରଣର ଅନ୍ୟାନ୍ୟ ବାଧ୍ୟତାମୂଳକ ଖଟଣିକୁ ନିଷିଦ୍ଧ କରାଯାଉଛି ଏବଂ ଏହାର ଉଲ୍ଲଂଘନ ଆଇନ ଦ୍ରୁଷ୍ଟିରେ ଏକ ଦଣ୍ଡନୀୟ ଅପରାଧ  ହେବ “ । ଏହି ବ୍ୟବସ୍ଥା ଭିତରେ ନିଶ୍ଚିତ ରୂପେ ବେଠି ଓ ବନ୍ଧକ ଖଟୁଥିବା ବାଳୁତ ଶ୍ରମିକ ପରିସରଭୁକ୍ତ  । କିନ୍ତୁ ଏହାର ଅର୍ଥ ନୁହେଁ , ସଂବିଧାନ ଘୋଷିତ ହେବା ମାତ୍ରେ ବେଠିବେଗାରି ଓ ବନ୍ଧକ ଶ୍ରମିକ ପ୍ରଥା ଅନ୍ତ ହୋଇଗଲା   । ଅସଲ କଥା ହେଉଛି , ଗୋଟିଏ ପାଟରେ ସେହି ସଂବିଧାନରେ ଅନ୍ୟତ୍ର , ଯଥା ଧାରା- ୩୫ (ଏ-୨) ରେ କୁହାଗଲାକୌଣସି ରାଜ୍ୟର ଆଇନସଭା ନୁହେଁ , କେବଳ ପାର୍ଲିଆମେଣ୍ଟ ହିଁ ସଂବିଧାନର ଭାଗ- ୩ରେ ବର୍ଣ୍ଣିତ ହୋଇଥିବା ଅପରାଢଗୁଡିକ ପାଇଁ ଦଣ୍ଡବିଧାନ ସଂକ୍ରାନ୍ତରେ ଆଇନ ତିଆରି କରିବ  ଏବଂ ଅନ୍ୟ ପଟରେ ଧାରା – ୩୫ (ବି) ରେ କୁହାଗଲା , ଯେ ପର୍ଯ୍ୟନ୍ତ ପାର୍ଲିଆମେଣ୍ଟ ସେଭଳି ଆଇନ ତିଆରି ନ କରିଛି ବା ରାଷ୍ଟ୍ରପତିଙ୍କ ଦ୍ଵାରା ସମ୍ପୃକ୍ତ ବିଧିବିଧାନରେ ସମୟୋଚିତ ପରିବର୍ତ୍ତନ କରା ନଯାଇଛି ସେ ପର୍ଯ୍ୟନ୍ତ ପ୍ରଚଳିତ ବିଧିବିଧାନ ହିଁ ବଳବତ୍ତର ରହିବ   ।  ପୁଣି ଧାରା- ୩୫ ଅଧୀନରେ ସ୍ଥାନିତ ହୋଇଥିବା ସ୍ପଷ୍ଟୀକାରଣରେ “ ପ୍ରଚଳିତ ବିଧିବିଧାନ” ର ସଂଜ୍ଞା ଦିଆଯାଇଛି ଏବଂ ସେଥିରେ କୁହାଯାଇଛି , ଏହାର ଅର୍ଥ ଧାରା-୩୭୨ ର ବଖାଣ ମତେ ବୁଝିବାକୁ ପଡିବ   ।  ଧାରା -୩୭୧ ଅଧୀନରେ  “ ପ୍ରଚଳିତ ବିଧିବିଧାନ” ସଂବନ୍ଧରେ ସ୍ଥାନିତ ସ୍ପଷ୍ଟୀକରଣ – ୧ କୁ ଧରି ଆମେ ଗତି କଲେ , ଏହାର ଅର୍ଥ ହେବ ସଂବିଧାନ ଘୋଷଣା ପୂର୍ବରୁ ଦେଶ ଭିତରେ ଯାହା କିଛି ବିଧିବିଧାନ ପ୍ରଚଳିତ ଥିଲା   । ସୁତରାଂ, ସଂବିଧାନର ଭାଗ- ୩ ର ଧାରା – ୨୩ ରେ ବେଠିବେଗାରି ଓ ବନ୍ଧକ –ଶ୍ରମ ଭଳି ଏକ ମଧ୍ୟଯୁଗୀୟ କୁପ୍ରଥାକୁ ନିଷେଧ କରାଯାଇଥିଲେ ହେଁ ସେହି ଭାଗରେ ସ୍ଥାନିତ ଥିବା ଉପରୋକ୍ତ ଗୋଲମାଳିଆ ଦ୍ଵିତାର୍ଥବୋଧକ ବ୍ୟବସ୍ଥାବଳୀ କାରଣରୁ ଧାରା- ୨୩ ବସ୍ତୁତଃ ଅକାମି ହୋଇରହିଲା  ଏବଂ ସୁଦୂର ଅତୀତର ଉକ୍ତ କୁ ପ୍ରଥା ପୂର୍ବବତ ବହୁ ଦଶନ୍ଧିଧରି ବଜାୟ ରହିଲା   ।

ଏଠାରେ ଉଲ୍ଲେଖନୀୟ , ବ୍ରିଟିଶ ପ୍ରଣିତ ବାଳୁତ (ବନ୍ଧକ ଶ୍ରମ) ଆଇନ ୧୯୩୩ ଥିଲା ସେତେବେଳେ ଏକ ପ୍ରଚଳିତ ଆଇନ , ଯାହାକି ସଂବିଧାନ ଘୋଷିତ ହେଲା ପରେ ବି ଉପରୋକ୍ତ  ଧାରା  - ୩୫ (ବି) ଅନୁସାରେ ପ୍ରଜାତାନ୍ତ୍ରିକ ଭରତରେ ଚାଲୁ ରହିଲା  ।  ଏହି ଆଇନ ଯଦିଓ ଶିଶୁମାନଙ୍କ ବନ୍ଧକ ଶ୍ରମକୁ ନିଷେଧ ପାଇଁ ଲାଗୁ ହୋଇଥିଲା , କିନ୍ତୁ ବନ୍ଧକ ସୂତ୍ରରେ ଶିଶୁମାନଙ୍କୁ ନିୟୋଜନ କରୁଥିବା ମାଲିକ ବା ଅଭିଭାବକଙ୍କ ବିରୁଦ୍ଧରେ କେବଳ ମାମୁଲି ଜୋରିମାନା (ସର୍ବନିମ୍ନ ୫୦ ଟଙ୍କାଓ ସର୍ବାଧିକ ୨୦୦ ଟଙ୍କା) କୁ ଛାଡିଦେଲେ ଜେଲ କିମ୍ବା ଅନ୍ୟ କୌଣସି ଦଣ୍ଡବିଧାନର ବ୍ୟବସ୍ଥା ନ ଥିଲା  । ଯଦିଓ ବନ୍ଧକ –ଶ୍ରମ ପ୍ରଥା  (ଉଚ୍ଛେଦ ) ଆଇନ  ୧୯୭୬ ର ଧାରା ୩ ଅନୁଯାଯାଇ ୧୯୩୩ ଭଳି ଅନ୍ୟାନ୍ୟ ଆଇନ ଉପରେ ଉକ୍ତ ୧୯୭୬ ଆଇନର ଅତିକ୍ରମଣ ପ୍ରଭାବ ଅଛି   , କିନ୍ତୁ  ୧୯୩୩ ଆଇନ ଏବେ ବି ବଳବତ୍ତର ଅଛି  । ପୁଣି ବିଡମ୍ବନାର ବିଷୟ,୧୯୩୩ ଆଇନ ଅଧୀନରେ ଜଣେ ସୁଦ୍ଧା ବ୍ୟକ୍ତି ଏ ଯାଏ ଦୋଷୀସାବ୍ୟସ୍ତ ହୋଇନାହିଁ  ।

ସମ୍ବିଧାନ ଘୋଷଣାର ଦୀର୍ଘ ୨୬ ବର୍ଷ ପରେ ଧାରା-୨୩ ର ଉକ୍ତ ବ୍ୟବସ୍ଥାକୁ କାର୍ଯ୍ୟରୂପ ଦେବାପାଇଁ ଆଇନ ତିଆରି ହେଲା, ଯାହାର ନାମ ବନ୍ଧକ- ଶ୍ରମ ପ୍ରଥା(ଉଚ୍ଛେଦ) ଆଇନ ୧୯୭୬  । ଏହି ଆଇନର ଧାରା- ୪(ବନ୍ଧକ ଶ୍ରମ ପ୍ରଥାର ଉଚ୍ଛେଦ) ରେ କୁହାଯାଇଛି,ଏହି ଆଇନ ଲାଗୁ ହେବା ଦିନ ଠାରୁ ବନ୍ଧକ- ଶ୍ରମ ପ୍ରଥା ଉଚ୍ଛେଦ ହେବ, ଏବଂ ପ୍ରତି ବନ୍ଧକ ଶ୍ରମିକ ନିଜେ ବନ୍ଧକ ଶ୍ରମିକ ଭାବେ ମୁଣ୍ଡେଇଥିବା ଦାୟିତ୍ଵରୁ  ମୁକ୍ତିଲାଭ କରିବ  । ଏହା ପ୍ରମାଣ କଲା ଯେ, ୨୬ ଜାନୁୟାରୀ ୧୯୫୦ ରେ ଘୋଷିତ ସମ୍ବିଧାନରେ ବେଠିବେଗାରି ଓ ବନ୍ଧକ ଶ୍ରମ ବେଆଇନ ଘୋଷିତ ହୋଇଥିଲେ ହେଁ  ୨୬ ଅକ୍ଟୋବର ୧୯୭୫ ରେ ବନ୍ଧକ – ଶ୍ରମ ପ୍ରଥା (ଉଚ୍ଛେଦ) ଆଇନ ୧୯୭୬ ଲାଗୁ ହେବା ପର୍ଯ୍ୟନ୍ତ ସୁଦୀର୍ଘ ଅବଧି ଭିତରେ ଉକ୍ତ ବେଆଇନ ଓ ଜଘନ୍ୟ କୁପ୍ରଥା ଆମ ଦେଶରେ ଆଇନତଃ ବଜାୟ ରହିଥିଲା   ।   ୧୯୭୬ ଆଇନ ଲାଗୁ ହେବା ପରେ ମଧ୍ୟ ଏହି କୁପ୍ରଥା ଏବେ ସୁଦ୍ଧା ସାରା ଦେଶରେ ବିଭିନ୍ନ ରୂପରେ ବଜାୟ ରହିଛି , ଯାହାକି ବିଭିନ୍ନ ସରକାରୀ ରିପୋର୍ଟରେ ସ୍ଵୀକୃତ ହୋଇଛି, କିନ୍ତୁ ଏ ବିଷୟରେ ସବିଶେଷ ଆଲୋଚନା ଅନ୍ୟତ୍ର କରାଯାଇପାରେ   ।

ପୁଣି,  ୧୯୫୦ ଜାନୁୟାରୀରେ ସମ୍ବିଧାନ ଘୋଷଣା ହେବା ପରେ ଶିଶୁଶ୍ରମକୁ ସ୍ବୀକୃତି ହେଉଥିବା ଆଉ ଏକ ଔପନୈବେଶିକ ଯୁଗର ଆଇନ ବଜାୟ ରହିଥିଲା , ଯାହାର ଶୀର୍ଷକ ହେଉହୀ ଶିଶୁ ଶ୍ରମ ନିୟୋଜନ ଆଇନ  ୧୯୩୮  ।  ଏହି ଆଇନ ଶିଶୁଶ୍ରମ (ନିଷେଧ ଓ ନିୟନ୍ତ୍ରଣ) ଆଇଆନ ୧୯୮୬ ବଳରେ ପ୍ରତ୍ୟାହୃତ ହୋଇଛି   ।  ଉଲ୍ଲେଖନୀୟ,୧୯୩୮ ଆଇନ ଅଳ୍ପ କେତେକ କାର୍ଯ୍ୟ ଓ ପ୍ରକ୍ରିୟାକୁ ଛାଡିଦେଲେ ଅନ୍ୟ ସବୁ ବିପଜ୍ଜନକ ଏବଂ ଅଣ- ବିପଜ୍ଜନକ ଶ୍ରମ କ୍ଷେତ୍ରରେ ଉଭୟ ଚଉଦରୁ କମ ଓ ଚଉଦରୁ ବେଶି ବୟସର ବାଳୁତଙ୍କୁ ଶ୍ରମରେ ନିୟୋଜନ ପାଇଁ ଅନୁମତି ଦେଇଥିଲା  ।

ଉଲ୍ଲେଖନୀୟ, ୧୯୮୬ ଆଇନ ଖୋଲାଖୋଲି ଭାବେ ଧାରା ୭(୩) ରେ ଚଉଦବର୍ଷ ଟପି ନ ଥିବା ପିଲାମାନଙ୍କୁ ଅଣ- ବିପଜ୍ଜନକ ଶ୍ରମରେ ଗୋଟିଏ ଦିନରେ  ୬ ଘଣ୍ଟା ପାଇଁ ନିୟୋଜନ ପାଇଁ ଅନୁମତି ଦେଇଛି   । ଏହାଛଡା , ଏହି ଆଇନ ଅଧୀନରେ ବସ୍ତୁତଃ ଚଉଦବର୍ଷ ଟପିଥିବା ଅଥଚ ଅଠରବର୍ଷ ଟପି ନଥିବା ପିଲାମାନଙ୍କୁ ବିପଜ୍ଜନକ ସମେତ ଯେ କୌଣସି ପ୍ରକାର ଶ୍ରମରେ ନିୟୋଜନପାଇଁ ରାସ୍ତା ଖୋଲା ରଖାଯାଇଛି   ।

ଏହାଛଡା , ଉପରୋକ୍ତ ୧୯୮୬ ଆଇନ ବଳରେ ପ୍ରାକ – ସମ୍ବିଧାନ ଏବଂ ଉତ୍ତର ସମ୍ବିଧାନ କାଳର ଆଉ କେତେକ ଶିଶୁ-ଶ୍ରମ ସଂକ୍ରାନ୍ତ ଆଇନରେ କିଛି କିଛି ସଂଶୋଧନ ଘଟିଥିଲେ ହେଁ , ସେହି ଆଇନଗୁଡିକ ମୂଳତଃ ଶିଶୁ ଓ ବାଳୁତ ଶ୍ରମକୁ ପ୍ରତ୍ୟକ୍ଷ  ଓ ପରୋକ୍ଷରେ ପ୍ରଶୟ ଦେଇଥାଏ   । ସେଗୁଡିକ ହେଲା, କାରଖାନାସମୂହ  ଆଇନ  ୧୯୪୮ , ବୃକ୍ଷରୋପଣ ଶ୍ରମ ଆଇନ,୧୯୫୧ ଓ ଖଣିସମୂହ ଆଇନ ୧୯୫୨ (ଧାରା-୨୦) ଏବଂ ସର୍ବନିମ୍ନ ମଜୁରି ଆଇନ  ୧୯୪୮ , ବାଣିଜ୍ୟକ ଜାହାଜ ଚଳାଚଳ ଆଇନ  ୧୯୫୮ ଏବଂ ମୋଟରଯାନ ପରିବହନ ଶ୍ରମିକ ଆଇନ  ୧୯୬୧  । ଶିଶୁ ଶ୍ରମ ନିୟୋଜନକୁ ବୈଧତା ଆରୋପ କରୁଥିବା ଏହି ଆଇନଗୁଡିକ ମଧ୍ୟ ସମ୍ବିଧାନ – ସମ୍ମତ , କାରଣ ଖୋଦ ସମ୍ବିଧାନ ହିଁ କେବଳ ଚଉଦବର୍ଷ ପର୍ଯ୍ୟନ୍ତ  ଶିଶୁଙ୍କୁ ଅଳ୍ପ କେତେକ ବିପଜ୍ଜନକ ଶ୍ରମକୁ ଛାଡି ଅନ୍ୟାନ୍ୟ ସମସ୍ତ ଶ୍ରମକ୍ଷେତ୍ରରେ ସେମାନଙ୍କୁ ନିୟୋଜନ କରିବା ତଥା ଅଠରବର୍ଷ ଟପି ନ ଥିବା ସମସ୍ତ ବାଳୁତଙ୍କୁ ବିପଜ୍ଜନକ ସମେତ ସମସ୍ତ ଶ୍ରମକ୍ଷେତ୍ରରେ ନିୟୋଜନ କରିବା ପାଇଁ ରାସ୍ତା ପରିଷ୍କାର ରହିଛି  ।

ମୋଟ ଉପରେ  କହିଲେ , ଚଉଦ ବର୍ଷ ଅତିକ୍ରମ କରିଥିବା ଅଥଚ ଅଠର ବର୍ଷ ଅତିକ୍ରମ କରି ନ ଥିବା ଜଣେ ବ୍ୟକ୍ତି ନାବାଳକ ବା ବାଳୁତ ହୋଇଥିଲେ ହେଁ ସମ୍ବିଧାନ ତାକୁ ଶିକ୍ଷାର ଅଧିକାର ଦେଇନାହିଁ  ।  ପୁଣି, ସମ୍ବିଧାନ ଘୋଷିତ ହେବର ବହୁ ଦଶନ୍ଧି ପରେ ମୌଳିକ ଅଧିକାର ଧାରା- ୨୧ ଏ (ଛଅ ରୁ ଚଉଦ ବର୍ଷ ପର୍ଯ୍ୟନ୍ତ ସମସ୍ତ ବାଳୁତଙ୍କୁ ମୌଳିକ ଶିକ୍ଷା ମାଗଣା ଓ ବାଧ୍ୟତାମୂଳକ ମିଳିବାର ଅଧିକାର) । ଭର୍ତ୍ତି ହେଲା ଏବଂ ପୁଣି କିଛିବର୍ଷ ପରେ ଏହି ପିଲାମାନଙ୍କ ପାଇଁ ମାଗଣା ଓ ବାଧ୍ୟତାମୂଳକ ମୌଳିକ ଶିକ୍ଷା ଅଧିକାର ଆଇନ ୨୦୦୯ ପ୍ରଣିତ ହେଲା  । କିନ୍ତୁ ଏ ବିଷୟରେ ସମ୍ବିଧାନ ଯେଉଁ ଅସୁବିଧାରେ ପଡିଛି ତାହାର ଅନ୍ତ ନାହିଁ   ।  କାରଣ ଗୋଟିଏ ପଟରେ ଏହାର ମୌଳିକ ଅଧିକାର ଧାରା – ୨୪ ବସ୍ତୁତଃ ୧୪ ବର୍ଷରୁ କମ ସମସ୍ତ ଶିଶୁଙ୍କୁ କେବଳ ଅଳ୍ପ କେତୋଟି ବିପଦସଙ୍କୁଳ ଶ୍ରମକୁ ବାଦ ଦେଇ ଅନ୍ୟ ସବୁ ଶ୍ରମରେ ନିୟୋଜିତ ହେବା ପାଇଁ ଅନୁମତି ଦେଇଛି ଏବଂ ଅନ୍ୟ ପଟରେ ଶିଶୁଶ୍ରମ (ନିଷେଧ ଓ ନିୟନ୍ତ୍ରଣ) ଆଇନ ୧୯୮୬ ର ଧାରା ଉକ୍ତ ବୟସର ପ୍ରତି ଶିଶୁକୁ ଗୋଟିଏ କର୍ମଦିବସରେ  ୬ ଘଣ୍ଟା ପର୍ଯ୍ୟନ୍ତ ଖଟଣି କରିବାକୁ ଅନୁମତି ଦେଇଛି   ।  ସୁତରାଂ ଯଦି ଆମେ ଚାହୁଁ  ଚଉଦ ବର୍ଷ ପର୍ଯ୍ୟନ୍ତ ସମସ୍ତ ବାଳୁତଙ୍କୁ ଶ୍ରମକ୍ଷେତ୍ରକୁ ନପଠାଇ ସ୍କୁଲକୁ ପଠାଇବା  , ତେବେ ସମ୍ବିଧାନର ମୌଳିକ ଅଧିକାର  ଅଧ୍ୟାୟରେ ସ୍ଥାନିତ ଧାରା  -୨୧ ଏ ଏବଂ ଧାରା – ୨୪ ଭିତରେ ଥିବା ବିରୋଧାଭାସକୁ ପ୍ରଥମେ ଦୂର କରିବାକୁ ପଡିବ   ।

ଆଧାର- ହିନ୍ଦ ମଜଦୂର ସଭା , ଓଡିଶା

Last Modified : 6/20/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate