অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମାନସିକତାରେ ପରିବର୍ତ୍ତନ ଜରୁରୀ

ସମାଜର ଦୃଷ୍ଟିଭଙ୍ଗୀ

ଆଧୁନିକତା ସହ ତାଳ ଦେଇ ସମାଜ ଯେତିକି ଅଗ୍ରସର ହେଉଛି ମହିଳାମାନେ ବି ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ଉପସ୍ଥିତିକୁ ସେତେ ଜାହିର କରିପାରୁଛନ୍ତି । ତଥାପି ୟା ମଧ୍ୟରେ ରହିଯାଉଥିବା କିଛି ଅସଙ୍ଗତି ପାଇଁ ଦୈନନ୍ଦିନ ନାନା ବିଭ୍ରାଟ ସୃଷ୍ଟି ହେଉଛି। ତେବେ ନାରୀମାନଙ୍କ ପ୍ରତି ସମାଜର ଦୃଷ୍ଟିଭଙ୍ଗୀ ବଦଳିବା ସହ ମହିଳାମାନେ ସଚେତନ ଓ ଜାଗ୍ରତ ହେବାର ଆବଶ୍ୟକତା ଆସିଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

ମହିଳାମାନଙ୍କୁ ସଚେତନ ଓ ଜାଗ୍ରତ ବିଷୟରେ ମତ

  1. ଲୋପାମୁଦ୍ରା ବକ୍ସିପାତ୍ର - ସମାଜରେ ପ୍ରତ୍ୟେକ ମଣିଷର ମାନସିକତା ତଥା ଆଭିମୂଖ୍ୟରେ ପରିବର୍ତ୍ତନ ହେବା ଉଚିତ । ସମାଜରେ ପ୍ରତ୍ୟେକ ମଣିଷର ବଞ୍ଚିବାର ଅଧିକାର ଅଛି । ପୁରୁଷ ଓ ମହିଳା ସମସ୍ତେ  ସମାନ । ମହିଳାଙ୍କ ସୁରକ୍ଷା ପ୍ରତି ସଚେତନତାର ଆବଶ୍ୟକତା ରହିଛି । ଏହାଛଡା ମହିଳାମାନେ ଶିକ୍ଷିତ ହେବା ନିତାନ୍ତ ଆବଶ୍ୟକ । ସେମାନଙ୍କ ଆତ୍ମସମ୍ମାନ ରହିବା ଉଚିତ ଏବଂ ମହିଳାମାନେ ସ୍ଵାବଲମ୍ବୀ ହେବା ଦରକାର । ତା’ହେଲେ ମହିଳାମାନେ ସମାଜର ବିକାଶରେ ସାମିଲ ହୋଇପାରିବେ। ସମାଜରେ କ୍ରୂର ମାନସିକତା ଓ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଅଣାଗଲେ ନାରୀମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର କିଛି ମାତ୍ରାରେ କମିଯାଆନ୍ତା ।
  2. ଭାରତୀ ଚକ୍ର - ବର୍ତ୍ତମାନ ବିଭିନ୍ନ କ୍ଷେତ୍ରରେ ମହିଳାମାନେ ଆଗକୁ ବଢିଲେଣି । ତେଣୁ ସେମାନଙ୍କ ସୁରକ୍ଷା ଏବେ ଗୋଟେ  ବଡ ପ୍ରଶ୍ନବାଚୀ ହୋଇ ଛିଡା ହୋଇଛି । ତା’ମାନେ ନୁହେଁ ମହିଳା ଆଉ ଆଗକୁ ଆସିବେନି । ତେବେ ସମାଜରେ ଉଭୟ ମହିଳା ଓ ପୁରୁଷ ସଚେତନ ହେବା ଉଚିତ । ଉଭୟ ଉଭୟଙ୍କୁ ସମ୍ମାନ  ଦେବା ଉଚିତ ।  ବର୍ତ୍ତମାନ ମହିଳାମାନେ ସେମାନଙ୍କ ଚିନ୍ତାଧାରାକୁ ବଦଳାଇଲେଣି । ନିଜ ନିଷ୍ପତ୍ତି ନେବାରେ ଭାଗୀଦାର ହେଲେଣି । ତେଣୁ ଏହାକୁ ଦେଖିଲେ ମୁଁ ଭାବେ ଆମେ କିଛି ମାତ୍ରାରେ ସଫଳ ହୋଇଛୁ । ଏହାବାଦ୍ ନାରୀ ସୁରକ୍ଷା ପାଇଁ ପୋଲିସର ସହାୟତା, ବିଭିନ୍ନ ସଚେତନତା କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି ।
  3. ସ୍ଵପ୍ନା ପାଣି - ପ୍ରତ୍ୟେକ କ୍ଷେତ୍ରରେ ନାରୀ ଅସୁରକ୍ଷିତ ମନେ କରୁଛି । ନାରୀମାନେ ଶିକ୍ଷିତ ହେବା ଜରୁରୀ । ଏହାଛଡା  ସମାଜରେ ସଚେତନତାର  ଆବଶ୍ୟକ ରହିଛି। ତେଣୁ ଯେପର୍ଯ୍ୟନ୍ତ ଲୋକେ ସଚେତନ ହେବେ ନାହିଁ, ସେପର୍ଯ୍ୟନ୍ତ ଏହା ସଫଳ ହୋଇପାରିବ ନାହିଁ ଏବଂ ଏହାର ରୂପରେଖ ବଦଳିବ ନାହିଁ । ମୁଁ ଜଣେ । ମହିଳା। କିନ୍ତୁ ମୋ ଜୀବନରେ କେବେ ସେଭଳି ପରିସ୍ଥିତ ଆସିନାହିଁ । କାରଣ ମୋ ବାପା ଜଣେ ସ୍ଵାଧୀନତା ସଂଗ୍ରାମୀ ଥିଲେ । ସମାଜରେ କ’ଣ ହେବା ଆବଶ୍ୟକ ଓ ଅନାବଶ୍ୟକ ତାହା ମୁଁ ଘରେ ଜାଣିଲି । ଛୋଟବେଳୁ ସେହି ପରିବେଶରେ ବଢିଲି । ତେଣୁ ସମାଜରେ ମହିଳାମାନେ ଯେପରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ମୁଁ ସେଭଳି କିଛି ସମସ୍ୟାର ସମ୍ମୁଖୀନ ହୋଇନାହିଁ ।
  4. ଅରୁଣା ମହାନ୍ତି - କଳାକାର ହିସାବରେ ଯଦି କହିବି ତା’ହେଲେ ଆମେ ସୁରକ୍ଷିତ । ସାମାଜିକ ଦୃଷ୍ଟିକୋଣରେ ଦେଖିଲେ  ଆମେ ଅସୁରକ୍ଷିତ। ତେବେ ମହିଳାମାନେ ନିଜକୁ ସୁରକ୍ଷିତ ରଖିବା ପାଇଁ ଜାଗ୍ରତ ହେବା ଆବଶ୍ୟକ । ଏହାଛଡା ସମାଜରେ ସଚେତନତାର ଆବଶ୍ୟକତା ମଧ୍ୟ ରହିଛି ।
  5. ଶକୁନ୍ତଳା ବଳିଆର ସିଂ - ନାରୀମାନେ ସୁରକ୍ଷିତ ଅଛନ୍ତି । ତଥାପି କହିବି ପ୍ରତ୍ୟେକ ନାରୀ ଶିକ୍ଷିତ ହେବା ସହିତ ସ୍ଵାବଲମ୍ବୀ  ହେବା ଆବଶ୍ୟକ ।ପରିବାର ଲୋକେ ପୁଅ ଝିଅ ଭିତରେ ଭେଦଭାବ ନ ରଖିବା ଉଚିତ । ଶିକ୍ଷା କ୍ଷେତ୍ରରେ ଝିଅକୁ ଅଧିକ ଗୁରୁତ୍ଵ ଦେବା ଆବଶ୍ୟକ ।
  6. ପ୍ରଫେସର ଡାକ୍ତର ଦୀପ୍ତିରଣୀ ସାମନ୍ତ – ପୂର୍ବାପେକ୍ଷା ଝିଅମାନେ ବିଭିନ୍ନ କ୍ଷେତ୍ରରେ ପୁଅମାନଙ୍କ ତୁଳନାରେ ଉତ୍କର୍ଷତା ହାସଲ  କଲେଣି । ତଥାପି ସାମଗ୍ରିକ ଭାବେ ଝିଅମାନେ ଶିକ୍ଷା କ୍ଷେତ୍ରରେ ସେତେଟା ଆଗେଇ ପାରିନାହାନ୍ତି । ଝିଅମାନେ ଭଲଭାବେ ଶିକ୍ଷିତ ହେଲେ ସମାଜରେ ଶିଶୁମୃତ୍ୟୁ ଓ ମାତୃମୃତ୍ୟୁ ହାର ହ୍ରାସ ପାଇବ । ପୁରୁଷମାନଙ୍କଠାରୁ ମହିଳାମାନେ ଟିକେ କମ୍ ଏଭଳି ମନୋଭାବ ତାରତମ୍ୟ ସୃଷ୍ଟି କରିଛି । ପୁରୁଷମାନେ ସହଯୋଗ କଲେ ମହିଳାମାନେ ସୁରକ୍ଷିତ ହେବା ସହ ପ୍ରତି କ୍ଷେତ୍ରରେ ଏକ ସମଭାବାପନ୍ନତା ଆସିପାରନ୍ତା । ଅଧିକାଂଶ କ୍ଷେତ୍ରରେ ଦେଖାଦେଉଥିବା ପାରିବାରିକ ହିଂସାକୁ ରୋକିବା ବେଳ ଉପନୀତ ହୋଇଛି ।
  7. ଲଳିତା ଶତପଥୀ - ଲୋକେ ସଚେତନ  ନ ହେଲେ ନାରୀଙ୍କ  ସୁରକ୍ଷା ଅସମ୍ଭବ । ନାରୀମାନେ ପୂର୍ଣ୍ଣ ଶିକ୍ଷିତ ହେଲେ ଯାଇ  ସେମାନେ ସବୁକ୍ଷେତ୍ରରେ  ପାରଙ୍ଗମ ହୋଇପାରିବେ । ପୁସ୍ତକଗତ ଜ୍ଞାନ ହାସଲ କରିଦେଲେ ହେବ ନାହିଁ । ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଆଦି କ୍ଷେତ୍ର ସମ୍ପର୍କରେ ନାରୀମାନଙ୍କ ଯଥେଷ୍ଟ ଜ୍ଞାନ ରହିବା ଦରକାର । ସମାଜର କୁସଂସ୍କାରଗୁଡିକୁ ଦୂରେଇ ପୁରୁଷ ନାରୀଙ୍କୁ ସହଯୋଗ କରିବା ଉଚିତ । ଅନ୍ୟପକ୍ଷରେ କେତେକ କ୍ଷେତ୍ରରେ ନାରୀ ହିଁ  ନାରୀଙ୍କ ଶତ୍ରୁ ପାଲଟୁଛି । ଏଭଳି ମାନସିକତା ବଦଳିଲେ ସମାଜ ସମୃଦ୍ଧ ହୋଇପାରିବ ।
  8. ସଂଯୁକ୍ତା ବେହେରା - ମହିଳା ସଶକ୍ତୀକରଣ ପାଇଁ ପ୍ରଥମେ ସେମାନେ ସ୍ୱାବଲମ୍ବୀ ହେବା ଦରକାର । ସେଥିପାଇଁ ଆମ ସଂଗଠନ ପକ୍ଷରୁ ସେମାନଙ୍କୁ ସିଲେଇ, ବଡି, ପାମ୍ପଡ ତିଆରି ଆଦି ଶିକ୍ଷା ଦିଆଯାଇଛି । ସହରଠୁ ଗାଁ ଯାଏ ସମସ୍ତେ ସଚେତନ ହୋଇପାରିଲେ ମହିଳାମାନଙ୍କର ପ୍ରକୃତ ଅଗ୍ରଗତି ହୋଇଛି ବୋଲି ଜଣାଯିବ । ମାତ୍ର ଏଥିପାଇଁ ବିଭିନ୍ନ କ୍ଷେତ୍ରରେ ଆନ୍ତରିକତା ଓ ସହଯୋଗ ଲୋଡା ।
  9. ମୀରା ବେଉରା - ସରକାର ଯେତେ ବି ଯୋଜନା କରୁଛନ୍ତି ଫଳପ୍ରଦ ହେଉନାହିଁ । ଆର୍ଥିକ ସ୍ଵଚ୍ଛଳ ହୋଇଗଲେ ହେବ ନାହିଁ ।  ସବୁକ୍ଷେତ୍ରରେ ମହିଳାମାନେ ଯେତିକି ସମ୍ମାନ ପାଇବା କଥା ପାଉନାହାନ୍ତି । ଉପରସ୍ତରରେ ଥିବା ମହିଳାମାନେ ତଳସ୍ତରରେ ଥିବା ମହିଳାମାନଙ୍କୁ ସହଯୋଗ କରିବା ମଧ୍ୟ ଦରକାର । ମହିଳାମାନେ ନିଜ ଘରେ ତଥା ଅଫିସରେ ସୁରକ୍ଷିତ ନୁହେଁ । ଏଭଳି ପରିସ୍ଥିତିରେ ଯେଉଁଦିନ ସୁଧାର ଆସିବ ସେଦିନ ମହିଳାମାନେ ମୁଣ୍ଡଟେକି ଗର୍ବର ସହ ବଞ୍ଚିପାରିବେ ।

ଆଧାର- ଦୈନିକ ଧରିତ୍ରୀ

Last Modified : 12/21/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate