অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବରାହ ମନ୍ଦିର

ମନ୍ଦିରର ଅବସ୍ଥିତି

ଯାଜପୁର ପଞ୍ଚ'ବ'କାର କ୍ଷେତ୍ର ଭାବେ ପରିଚିତ । ପ୍ରଥମରେ ବରାହ, ଦ୍ୱିତୀୟ ବିରଜା, ତୃତୀୟରେ ବେଦ, ଚତୁର୍ଥରେ ବିପ୍ର,ପଞ୍ଚମରେ ବୈତରଣୀ ନଦୀ । ଏହି ପାଞ୍ଚୋଟି ଦୁର୍ଲ୍ଲଭ ରତ୍ନ ଅନ୍ୟ କେଉଁଠି ଦେଖାଯାଏ ନାହିଁ । ପ୍ରଥମେ ବ୍ରହ୍ମା ଏହି ସ୍ଥାନରେ ଯଜ୍ଞ କରିବା ପାଇଁ ବୈତରଣୀକୁ ଏହି କ୍ଷେତ୍ର ମଧ୍ୟରେ ପ୍ରବାହିତ ହେବାକୁ ପୂଜାର୍ଚ୍ଚନା ପୂର୍ବକ ଅନୁରୋଧ କରିଥିଲେ । ବୈତରଣୀ ସନ୍ତୁଷ୍ଟ ହୋଇ ବ୍ରହ୍ମାଙ୍କ ପଛେ ପଛେ ଚାଲିଲେ । କିଛି ବାଟ ଯିବାପରେ ବ୍ରହ୍ମା ଦେଖିଲେ ଆଉ କୁଳୁକୁଳୁ ଶବ୍ଦ ଶୁଭୁନାହିଁ ।

ଏହାର କାରଣ ଜାଣିବା ପାଇଁ ବ୍ରହ୍ମା ଧ୍ୟାନରେ ବସିଲେ । ବ୍ରହ୍ମାଙ୍କୁ ଶୂନ୍ୟବାଣୀ ଶୁଭିଲା । ନିବିଡ଼ ବନରେ ବାସ କରୁଥିବା ସାନ୍ତାଳ, କନ୍ଧ ରମଣୀମାନଙ୍କ ନଗ୍ନ ରୂପ ଦେଖି ପାପ ଭୟରେ ନଦୀ ଆତ୍ମଗୋପନ କରିଛନ୍ତି । ଯଦି ପ୍ରତିକୋଣରେ ଲିଙ୍ଗ ସ୍ଥାପନ କରାଯାଏ ଶିବ ଦର୍ଶନରେ ପାପ ମୁକ୍ତ ହୋଇ ବୈତରଣୀ ଯଜ୍ଞ ସ୍ଥାନକୁ ଯାଇ ପାରିବେ । ତା’ପରେ ବ୍ରହ୍ମା ପ୍ରତିକୋଣରେ ଲିଙ୍ଗ ସ୍ଥାପନା କରିଥିଲେ । ଶେଷରେ ସ୍ଥାପନା କଲେ ସିଦ୍ଧେଶ୍ୱର ଲିଙ୍ଗ । ଏହିଠାରୁ ବ୍ରହ୍ମା ବୈତରଣୀକୁ ଉତ୍ତରକୁ ପ୍ରବାହିତ ହୋଇଛନ୍ତି ।

କିମ୍ବଦନ୍ତୀ

ବୈତରଣୀ ନଦୀର ଉତ୍ତରରେ ମଣିଚୂଡ଼ ନାମକ ଏକ ରମଣୀୟ ପର୍ବତ ଥିଲା । ଏହି ପର୍ବତର କିଛି ଦୂରରେ ପଶ୍ଚିମକୁ ଏକ ବଣ ଥିଲା । ବଣରେ ମୃଗ, ବରାହ ନିତ୍ୟ ବିଚରଣ କରୁଥିଲେ । ବଣ ନିକଟରେ କୌଶିକ ନାମକ ନଦୀଟିଏ ବହିଯାଉଥିଲା । ସେଠାରେ ବର୍ତ୍ତମାନ କୁଶୀ ଗ୍ରାମ ବିଦ୍ୟମାନ । ଗ୍ରାମର ଉତ୍ତର ପାର୍ଶ୍ୱରେ ନାଳ ଭାବେ ନଦୀର କିଛି ଜଳ ପ୍ରବାହିତ ହୁଏ । ଏହି ଜଳାଶୟ ପାଖରେ ଦୀର୍ଘତପା ନାମରେ ଜଣେ ମୁନି ତପସ୍ୟା କରୁଥିଲେ । ଏକଦା କାମରୂପ ସ୍ୱର ରାଜାଙ୍କ ପୁତ୍ର ଶିକାର କରିବା ପାଇଁ ବୁଲୁବୁଲୁ ଋଷିଙ୍କ ନିକଟରେ ପହଞ୍ଚିଲେ । ଋଷି ତାଙ୍କୁ ଦେଖି କହିଲେ- ‘ହେ ରାଜପୁତ୍ର, ତୁମେ ପବିତ୍ର ରାଜବଂଶରେ ଜନ୍ମଗ୍ରହଣ କରି ପ୍ରାଣୀହତ୍ୟା କରୁଛ କାହିଁକି ? ଏପରି ପାପରେ ତୁମେ ପରଜନ୍ମରେ ବ୍ୟାଧ ଜାତିରେ ଜନ୍ମ ନେବ ।’ ଋଷିଙ୍କ ଠାରୁ ଏ ଅଭିଶାପ ଶୁଣି ରାଜପୁତ୍ର ପଶ୍ଚାତାପରେ ତାଙ୍କର ପାଦତଳେ ପଡ଼ିଗଲେ । ଋଷି କହିଲେ - ‘ପରଜନ୍ମରେ ତୁମେ ଉତ୍ତମ ଜ୍ଞାନର ଅଧିକାରୀ ହେବ ।’ ତା’ପରେ ରାଜପୁତ୍ର ବିଚିତ୍ର ଧନ୍ଵା ନାମରେ ଏକ ବ୍ୟାଧ ଘରେ ଜନ୍ମ ଗ୍ରହଣ କଲେ । କିଛି ଦିନ ବଣରେ ବୁଲି ପଶୁପକ୍ଷୀ ମାରିବା ପରେ ଭୋକ ଶୋଷ ଭୁଲି ନାରାୟଣଙ୍କୁ ପାଇବା ପାଇଁ ସେଇ ବଣରେ ବୁଲିଲେ । ଥରେ ଏକ ବିରାଟକାୟ ବରାହ ଆକ୍ରମଣ କରିବାକୁ ତାଙ୍କ ଆଡକୁ ଦୌଡ଼ି ଆସିଲା । ଏହା ଦେଖି ସେ ତାକୁ ମାରିବାକୁ ଶର ସଂଯୋଗ କରନ୍ତେ, ସେ ଦୌଡ଼ିବାକୁ ଆରମ୍ଭ କଲା । ଧାଇଁଧାଇଁ ମଣିଚୂଡ଼ ପର୍ବତରେ ସେ ଏପରି ଭାବରେ ପିଟି ହେଲା ଯେ ପର୍ବତଟି ରସାତଳକୁ ଚାଲିଗଲା । ଦେଖୁ ଦେଖୁ ପାତଳରୁ ଗଙ୍ଗା ବାହାରି ଆସିଲେ । ବର୍ତ୍ତମାନ ବରାହ ମନ୍ଦିରର ପୃଷ୍ଟ ଭାଗରେ ପୋଖରୀ ପରି ପାଣିଜମି ରହିଛି ତାକୁ ଭକ୍ତମାନେ ‘ପାତାଳୀ ଗଙ୍ଗା’ ବୋଲି କହନ୍ତି । ତା’ପରେ ବିଚିତ୍ର ଧନ୍ୱା ଶର ନିକ୍ଷେପ କରିବାକୁ ଉଦ୍ୟମ ହୁଅନ୍ତେ ଶବ୍ଦ ଶୁଭିଲା - ‘ହେ ଶବର ! ବର୍ତ୍ତମାନ ତୁମର ଏହି ଭ୍ରମଣ ବୃଥା । ମୁଁ ତୁମ ଉପରେ ପ୍ରସନ୍ନ ହେଲି । କି ବର ମାଗୁଛ ମାଗ ।’ ବରାହରୂପୀ ବିଷ୍ଣୁ ଏପରି କହି ପାଞ୍ଚଜନ୍ୟ ଶଙ୍ଖରୁ ଅମୃତ ଖୁଆଇ ଶବରର କ୍ଳାନ୍ତ ଦୂର କଲେ । ଲକ୍ଷ୍ମୀ କୋଳରେ ଥିବା ବରାହକୁ ଦେଖି ବିଚିତ୍ର ଧନ୍ୱା ଭକ୍ତିପୂତ ହୃଦୟରେ ସାଷ୍ଟାଙ୍ଗ ପ୍ରଣାମ କଲେ । ବିଚିତ୍ର ଧନ୍ୱାଙ୍କର ଉପରେ ସନ୍ତୁଷ୍ଟ ହୋଇ ବିଷ୍ଣୁ ବରାହ ସେହିଠାରେ ଆଦି ବରାହ, ଯଜ୍ଞ ବରାହ, ଶ୍ୱେତବରାହ ଓ ଲକ୍ଷ୍ମୀବରାହ ରୂପରେ ଚାରି ମୂର୍ତ୍ତିରେ ଶୋଭା ପାଇଲେ ।

ଐତିହାସିକ ପୃଷ୍ଠଭୂମି

ଭୌମକର ଶାସନର ପୂର୍ବରୁ ବରାହ ବିଷ୍ଣୁଙ୍କର ଏକ ମନ୍ଦିର ଯାଜପୁରରେ ଥିଲା କିମ୍ବା ସେମାନଙ୍କ ସମୟରେ ହୁଏତ ଏକ ମନ୍ଦିର ନିର୍ମିତ ହୋଇଥିଲା । କିମ୍ବଦନ୍ତୀରୁ ଜଣାଯାଏ ଯେ ଯଯାତି କେଶରୀ ବରାହ ମନ୍ଦିର ନିର୍ମାଣ କରିଥିଲେ । ଏହାର ଏକମାତ୍ର କାରଣ ଏହି ଯେ ରାଜା ଯଯାତି ଯଜ୍ଞ ବରାହ ଓ ଲକ୍ଷ୍ମୀ ବରାହ ସ୍ଥାପନ କରି ପ୍ରାଚୀନ ଆରାଧନାର ପରମ୍ପରାକୁ ଉଜ୍ଜୀବୀତ କରିଥିଲେ । କିନ୍ତୁ ତାଙ୍କ ଦ୍ୱାରା ମନ୍ଦିର ନିର୍ମାଣ ସମ୍ପର୍କରେ କୌଣସି ପ୍ରାମାଣିକ ତଥ୍ୟ ମିଳେ ନାହିଁ । ଯେତେଦୂର ଜଣାଯାଏ ଭୌମିକରମାନଙ୍କ ସମୟରେ ନିର୍ମିତ ବରାହ ବିଷ୍ଣୁଙ୍କର ମୂଳ ମନ୍ଦିରକୁ ସଂସ୍କାର କରାଇଥିଲେ । ଅଧୁନା ଅବସ୍ଥିତ ମନ୍ଦିରକୁ ଐତିହାସିକମାନେ ୧୫୦୦-୧୬୦୦ ଶତାବ୍ଦୀ ମଧ୍ୟରେ ସ୍ଥାପିତ ହୋଇଥିବାର କଥା କୁହନ୍ତି । ମାଦଳା ପାଞ୍ଜିରୁ ଜଣାଯାଏ ଯେ ସୂର୍ଯ୍ୟବଂଶୀ ଗଜପତି ପ୍ରତାପରୁଦ୍ର ଦେବ (୧୪୯୭-୧୫୪୦ଖ୍ରୀଷ୍ଟ) ବୈଷ୍ଣବ ଧର୍ମ ପ୍ରତି ଆକୃଷ୍ଟ ହୋଇ ଯାଜପୁରଠାରେ ବରାହ ମନ୍ଦିର ନିର୍ମାଣ କରିଥିଲେ । ପ୍ରତାପରୁଦ୍ରଙ୍କ ମନ୍ତ୍ରୀ ତଥା ଗୁରୁ କାଶୀ ମିଶ୍ରଙ୍କ ପରାମର୍ଶରେ ସେ ଏହି ମନ୍ଦିର ନିର୍ମାଣ କରିଥିବା କଥା କୁହାଯାଏ । ବର୍ତ୍ତମାନ ମନ୍ଦିରର ବିମାନ ଓ ମୁଖଶାଳାର ଉଚ୍ଚତାରେ ଅସ୍ୱାଭାବିକ ଅସାମଞ୍ଜସ୍ୟ ଲକ୍ଷ୍ୟଣୀୟ । ଏଥିରୁ ଏହା ଏକ ଭଗ୍ନ ମନ୍ଦିର ଓ ପରବର୍ତ୍ତୀ ସମୟରେ ମରାମତି ହୋଇଥିବା କଥା ଜଣାଯାଏ । ବିମାନଟି ରେଖ ଦେଉଳ ଶୈଳୀରେ ନିର୍ମିତ ହେଲେ ମଧ୍ୟ ମୁଖଶାଳାର ଭିତର ଗଠନ ଶୈଳୀ ଅତ୍ୟନ୍ତ ମନୋରମ । ଏହାର ଗମ୍ବୁଜ ସଦୃଶ ଗଠନ ଓ ଚିତ୍ରିତ ଉପରିଭାଗ ଅନ୍ୟତ୍ର କ୍ୱଚିତ୍ ଦେଖିବାକୁ ମିଳେ । ପଞ୍ଚରଥ ଶୈଳୀରେ ନିର୍ମିତ ଏହି ମନ୍ଦିରଟିରେ ନାଗର, ଦ୍ରାବିଡ ଦେଶର ଓ କଳିଙ୍ଗ ଶୈଳୀର ଏକ ସୁନ୍ଦର ସମନ୍ୱୟ ଥିବା ଦୃଷ୍ଟିଗୋଚର ହୁଏ । ସମଗ୍ର ମନ୍ଦିରଟିର ବହିର୍ଭାଗ ବହଳ ଚୂନ ପ୍ରଲେପ ଦ୍ୱାରା ଆଚ୍ଛାଦିତ । ଏଣୁ କୌଣସି କାରୁକାର୍ଯ୍ୟ ଦୃଷ୍ଟି ଗୋଚର ହୁଏ ନାହିଁ । ଯେତେଦୂର ମନେହୁଏ ଚୂନ ପ୍ରଲେପ ଅନ୍ତରାଳରେ କୌଣସି କାରୁକାର୍ଯ୍ୟ ନାହିଁ । ମନ୍ଦିରର ଚତୁଃପାର୍ଶ୍ୱରେ ବହୁ ସଂଖ୍ୟକ ମିଥୁନ ମୂର୍ତ୍ତି ରହିଛି । ଏହି ମିଥୁନ ମୂର୍ତ୍ତିଗୁଡ଼ିକ ସ୍ଥାପତ୍ୟ ଦୃଷ୍ଟିରୁ ଭୌମିକର ସମୟର । ଏତଦ୍‌ବ୍ୟତୀତ ଭିକ୍ଷାଟନ ମୂର୍ତ୍ତି, ଆସ୍ତିକ କରତ୍‌କାର ମୂର୍ତ୍ତି, ଭୌମିକ ମୂର୍ତ୍ତି ଓ ପ୍ରାଚୀନ ମନ୍ଦିରର ସୂକ୍ଷ୍ମକଳା ସମ୍ପନ୍ନ ଦ୍ୱାରବନ୍ଧ ଇତ୍ୟାଦି ଦେଖାଯାଏ । ସେଗୁଡ଼ିକ ୭ମ- ୮ମ ଶତାବ୍ଦୀର କଳାକୃତି ଅଟେ । ସୋମବଂଶ ଓ ଗଙ୍ଗବଂଶ କାଳୀନ ସ୍ଥାପତ୍ୟରେ ସମଗ୍ର ମନ୍ଦିର ପରିସରଟି ଭରପୂର । ଏପରିକି ୧୫୦୦- ୧୬୦୦ ଶତାବ୍ଦୀର ଦୁର୍ଗାମୂର୍ତ୍ତି, ଗରୁଡ଼ ମୂର୍ତ୍ତି ଇତ୍ୟାଦି ଦୃଷ୍ଟିଗୋଚର ହୁଏ । କଥିତ ଅଛି ୧୫୦୦ ଖ୍ରୀଷ୍ଟାବ୍ଦରେ ଶ୍ରୀଚୈତନ୍ୟ ବରାହନାଥ ଗ୍ରାମରେ ଅବସ୍ଥାନ କରି ବରାହ ବିଷ୍ଣୁଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ । ତେଣୁ ସେଠାରେ ଏକ କ୍ଷୁଦ୍ର ମନ୍ଦିରରେ ଚୈତନ୍ୟ ପାଦପୀଠ ସ୍ଥାପନ କରାଯାଇଛି । ସମଗ୍ର ପରିସରଟି ଗୁପ୍ତ ଶାସନ କାଳରୁ ଗଜପତି ଶାସନ କାଳ ପର୍ଯ୍ୟନ୍ତ ନିର୍ମିତ ବିଭିନ୍ନ କଳାତ୍ମକ ମୂର୍ତ୍ତି, ସ୍ଥାପତ୍ୟରେ ପରିପୂର୍ଣ୍ଣ ହୋଇଥିବାରୁ ସମଗ୍ର ଅଞ୍ଚଳଟି ଏକ କ୍ଷୁଦ୍ର ସଂଗ୍ରାହଳୟ ଭଳି ମନେହୁଏ । ଏହି ସମସ୍ତ ସ୍ଥାପତ୍ୟ ଦେଖିଲେ ମନେହୁଏ ଯେ ବରାହ ବିଷ୍ଣୁ ଓ କାଶୀ ବିଶ୍ୱନାଥ ମୁଖଲିଙ୍ଗକୁ କେନ୍ଦ୍ରକରି ଚତୁର୍ଥ ଶତାବ୍ଦୀରୁ ୧୬୦୦ଶତାବ୍ଦୀ ପର୍ଯ୍ୟନ୍ତ ମନ୍ଦିର ଓ ମୂର୍ତ୍ତି ଗଠନରେ ବାରମ୍ବାର ପରିବର୍ତ୍ତନ ଘଟିଛି । ପଶ୍ଚିମ- ଦକ୍ଷିଣ କୋଣରେ ବାରୁଣୀ ତୀର୍ଥ ଓ ବୈତରଣୀ ତୀର୍ଥ ତଥା ଦଶାଶ୍ୱମେଧ ଘାଟର ପାବଚ୍ଛ ଭଳି ବହୁ ସ୍ମୃତି ଓ ସ୍ଥାପତ୍ୟ ନଦୀଗର୍ଭରେ ବିଲୀନ ହୋଇଯାଇଥିବା କଥା ଅସମ୍ଭବ ନୁହେଁ । ବରାହ ଉପାସନର ପରମ୍ପରାରେ ଯାଜପୁର ବ୍ୟତୀତ ଭାରତର ଅନ୍ୟ କୌଣସି ସ୍ଥାନରେ ତ୍ରିବରାହଙ୍କ ଏକତ୍ର ସମାବେଶ ଦେଖିବାକୁ ମିଳେ ନାହିଁ । ତନ୍ମଧ୍ୟରୁ ଲକ୍ଷ୍ମୀ ବରାହ ସମ୍ପୂର୍ଣ୍ଣ ଅଭିନବ ବୋଲି ମନେ ହୁଏ । ବରାହନାଥ ମନ୍ଦିରର ବିଗ୍ରହଗୁଡ଼ିକ ଉତ୍ତରମୁଖୀ ହୋଇ ପଦ୍ମପୁଷ୍ପର ଆସନ ଉପରେ ଚତୁର୍ଭୁଜ ରୂପରେ ଶୋଭିତ । ବିଗ୍ରହଗୁଡ଼ିକର ବାମ ଓ ଦକ୍ଷିଣ ପାର୍ଶ୍ୱର ଉତ୍ତୋଳିତ ହସ୍ତଦ୍ୱୟ ମଧ୍ୟରେ ପ୍ରଳୟ ଜଳରୁ ଉତ୍‌ଥିତ ହୋଇ ଭୂଦେବୀ ଅବସ୍ଥାନ କରିଥିବା ଏବଂ ନିମ୍ନ ହସ୍ତ ଦ୍ୱୟରେ ଶଙ୍ଖ ଓ ଚକ୍ର ଶୋଭା ପାଉଥିବା ଦେଖାଯାଏ । ଶ୍ୱେତ ବରାହଙ୍କ ମସ୍ତକୋପରେ ଲତା ଚିତ୍ରମାନ ଚିତ୍ରିତ । ଯଜ୍ଞ ବରାହ ଓ ଲକ୍ଷ୍ମୀ ବରାହଙ୍କ ଶରୀରରେ ନବୀନ ଶ୍ୟାମଘନ କାନ୍ତି, ତ୍ରିଭଙ୍ଗିମା ଠାଣି ଓ ମୁଖରେ ପ୍ରଣୟ ଭାବ ଦେଖାଯାଏ । ଶାସ୍ତ୍ରୀୟ ନିୟମ ଅନୁସାରେ ଯଜ୍ଞ ବରାହଙ୍କ ପାଖରେ ତାଙ୍କର ଦ୍ୱିପତ୍ନୀ ଭୂଦେବୀ ଓ ଶ୍ରୀଦେବୀ ଥିବାବେଳେ ଏଠାରେ କେବଳ ଭୂଦେବୀଙ୍କୁ ଦେଖିବାକୁ ମିଳେ । ବିଦିଶା ନିକଟବର୍ତ୍ତୀ ଉଦୟଗିରି ଆଦିଶେଷନାଗ ବରାହଙ୍କ ମସ୍ତକ ଉପରେ ତ୍ରେୟାଦଶ ଫଣା ମଧ୍ୟରେ ସର୍ପ ଶରୀର ସହ ମନୁଷ୍ୟ ମସ୍ତକ ମୂର୍ତ୍ତି ସ୍ମୃତି ମୁଦ୍ରାରେ ଦଣ୍ଡାୟମାନ । ପାଦ ପାର୍ଶ୍ୱରେ ସାଗରରାଜା ବରୁଣ ଓ ବରୁଣାଳୀ ମୂର୍ତ୍ତିଦ୍ୱୟ ଯୋଡହସ୍ତ ହୋଇ ଭଗବାନ ବରାହଙ୍କୁ ପୂଜା କରୁଥିବାର ଦୃଶ୍ୟ ପରିଲକ୍ଷିତ ହୁଏ । ଏତତ୍ ବ୍ୟତୀତ ମନ୍ଦିର ଗାତ୍ରମାନଙ୍କରେ ସଂରକ୍ଷିତ ସୂକ୍ଷ୍ମକଳା ମଣ୍ଡିତ ମୂର୍ତ୍ତିଗୁଡ଼ିକର ପୌରାଣିକ କାହାଣୀ ଐତିହାସିକ ତଥ୍ୟର ପ୍ରସ୍ତର ଖୋଦିତ ବର୍ଣ୍ଣନା ଅତ୍ୟନ୍ତ ଚିତ୍ତାକର୍ଷକ । ମନ୍ଦିରର ଦକ୍ଷିଣ ପାର୍ଶ୍ୱରେ ୩ଫୁଟ ୬ଇଞ୍ଚ ବିଶିଷ୍ଟ ଆସ୍ତିକ ଜରଦ୍‌କାରୁ ମୂର୍ତ୍ତି ଆବିଷୃତ । ଏହା ଏକ ମାତୃକା ମୂର୍ତ୍ତି । କୋଳରେ ଶିଶୁ, ମୁଣ୍ଡ ଉପରେ ଫଣାଯୁକ୍ତ ସର୍ପ ଓ ବୃକ୍ଷ ଛାୟା ପରି ଶୋଭିତ । ଏତତ୍‌ଭିନ୍ନ ପ୍ରାଚୀନ ମନ୍ଦିରର ଦ୍ୱାରବନ୍ଧ ୧ଫୁଟ ୮ଇଞ୍ଚ ବିଶିଷ୍ଟ ବୃଦ୍ଧ ଅଭିତାଭ ମୂର୍ତ୍ତି, ଭିକ୍ଷାଟନ ମୂର୍ତ୍ତି ଚତୁର୍ହସ୍ତା ନୃତ୍ୟରତ ଚାମୁଣ୍ଡା, ଭୈରବ ମୂର୍ତ୍ତି ଆଦି ଦେଖିବାକୁ ମିଳେ । ଗବେଷକ ଡଃ ଏକାଦଶୀ ପାଢ଼ୀ ଏହାକୁ ୭ମ-୮ମ ଶତାବ୍ଦୀର ମୂର୍ତ୍ତି ବୋଲି ନିର୍ଦ୍ଧାରଣ କରିଛନ୍ତି ।

ପର୍ବପର୍ବାଣୀ

ପ୍ରତିବର୍ଷ ପୌଷମାସ ବକୁଳ ଅମବାସ୍ୟା ଦିନ ବରାହଙ୍କ ଜନ୍ମ ଉତ୍ସବ ପାଳନ କରାଯାଏ । ଦୋଳ ପୂର୍ଣ୍ଣିମା ଦିନ ବରାହଙ୍କ ବିଜେ ପ୍ରତିମା ମଦନ ମୋହନଙ୍କୁ ଦୋଳ ମଣ୍ଡପରେ ଦର୍ଶନ କଲେ ସବୁପାପ ନଷ୍ଟ ହୋଇଯାଏ ବୋଲି ବିଶ୍ୱାସ ରହିଛି । ବୈଶାଖ ମାସ ଚନ୍ଦନ ପୂର୍ଣ୍ଣିମାରେ ପୂର୍ବ ତିନି ଦିନରୁ ବରାହଙ୍କ ବିଜେ ପ୍ରତିମାକୁ ବୈତରଣୀ ନଦୀରେ ନୌକା ବିହାର କରାଯାଏ ।

ଆଧାର - ସଂଚାର

Last Modified : 1/20/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate