ସମ୍ବଲପୁର ଜିଲ୍ଲାରମାନେଶ୍ଵର ବ୍ଳକ ଅନ୍ତର୍ଗତ ହୁମା ଗାଁର ଶେଷମୁଣ୍ଡରେ ବହିଯାଉଥିବା ମହାନଦୀ କୂଳରେ ବାବା ବିମଳେଶ୍ଵର ପୂଜା ପାଇ ଆସୁଛନ୍ତି । ଏହି ମନ୍ଦିର ଭୁପୃଷ୍ଠ ଆଡ଼କୁ ଢଳି ରହିଥିବାରୁ ଏହା ବକ୍ର ଦେଉଳ ଭାବେ ପରିଚିତ । ମନ୍ଦିରକୁ ଲାଗିରହିଥିବା ନଦୀଘାଟରେ ଦେଖାଯାଉଥିବା ଈଷତ୍ ଲାଲ ରଙ୍ଗର କୁଡ଼ୋ ମାଛ ହୁମାର ଅନ୍ୟତମ ଆକର୍ଷଣ ।
ସେମାନେ ପୋଷାମାଛ ପରି । ଏଠାରେ ଭଗବାନ ବିଷ୍ଣୁ ମୀନ ଅବତାରରେ ଅଛନ୍ତି ବୋଲି ବିଶ୍ଵାସ କରାଯାଏ । ଥରେ ଜଣେ ବୃଦ୍ଧ ଏହି ସ୍ଥାନର ଗୋଟିଏ କୁଡ଼ୋ ମାଛକୁ ପନିକିରେ କାଟିବା ଉଦ୍ୟମ କରନ୍ତେ ନିଜେ ପଥର ପାଲଟି ଯାଇଥିବା ପ୍ରବାଦ ଅଛି ।
ହୁମାର ବିମଳେଶ୍ଵର ଶିବଲିଙ୍ଗ ପାତାଳୀ ଓ ସ୍ଵଂୟ ଭୂଗର୍ଭରୁ ଆତ୍ମ ପ୍ରକାଶ କରିଛନ୍ତି । କିମ୍ବଦନ୍ତୀ ଅନୁସାରେ, ଏହି ଶିବଲିଙ୍ଗ ଉପରେ ଗୋଟିଏ ଗାଈର କ୍ଷୀର ଆପେ ସ୍ରବିତ ହେଉଥିଲା । ପ୍ରତିଦିନ ଗାଈର ପହ୍ନା ଶୁଷ୍କ ହେଉଥିବା ଦେଖି ଗାଇର ମାଲିକ ଗାଈଆଳକୁ ସନ୍ଦେହ କରି ନିଜେ ଗାଇକୁ ଗୋପନରେ ଜଗିବାକୁ ଆସୁଲା । ସେ ସ୍ଵତଃ ଗାଈର କ୍ଷୀର ଶିବଲିଙ୍ଗ ଉପରେ ଝରୁଥିବାରୁ ଦେଖି ଆଶ୍ଚର୍ଯ୍ୟହୋଇ ଏକଥା ପ୍ରଘଟ୍ଟ କରନ୍ତେ, ସେବେଠାରୁ ବାବା ବିମଳେଶ୍ଵରଙ୍କ ମହିମା ପ୍ରକଟିତ ହୋଇ ପୂଜର୍ଚ୍ଚନା ଆରମ୍ଭ ହେଲା ।
ହୁମା ମନ୍ଦିରର ନିର୍ମାତା ଓ ନିର୍ମାଣ କାଳ ସମ୍ପର୍କରେ ଅନେକ ବିବାଦ ଥିଲେ ସୁଦ୍ଧା ଲୋକପ୍ରିୟ ମତବାଦ ଅନୁସାରେ ଏହାକୁ ସମ୍ବଲପୁରର ପଞ୍ଚମ ରାଜା ବଳିୟାର ସିଂହଦେବ ୧୬୬୦ ରୁ ୧୬୮୮ ଖ୍ରୀଷ୍ଟାବ୍ଦ ମଧ୍ୟରେ ନିର୍ମାଣ କରିଥିଲେ । ମାତ୍ର ଜୈନିକ ବ୍ରିଟିଶ ସେଟଲମେଣ୍ଟ ଅଫିସର ଏ.ଏମ.ରସେଲ୍ଙ୍କ ଏକ ବନ୍ଦୋବସ୍ତ ଆଦେଶନାମା ଅନୁସାରେ ସମ୍ବଲପୁରର ପ୍ରଥମ ରାଜା ବଳରାମ ଦେବ ହୁମା ଗ୍ରାମଠାରେ ଏହି ମନ୍ଦିର ନିର୍ମାଣ ନିମନ୍ତେ ୬ ଖଣ୍ଡ ମୌଜା ପ୍ରଦାନ କରିଥିଲେ । ଏକ କୋର୍ଟ ଆଦେଶନାମାରେ ଅନ୍ୟ ଜଣେ ବ୍ରିଟିଶ ଜଜ୍ ମଧ୍ୟ ଏହି ଉକ୍ତିକୁ ସମର୍ଥନ କରିଛନ୍ତି । ସୁତରାଂ କେତେକ ଐତିହାସିକଙ୍କ ମତରେ ହୁମା ମନ୍ଦିରକୁ ସମ୍ବଲପୁରର ପଞ୍ଚମରାଜା ପରିବର୍ତ୍ତେ ପ୍ରଥମ ରାଜା ବଳରାମ ଦେବ କିମ୍ବା ତାଙ୍କ କୈଣସି ନିକଟ ସମ୍ପର୍କୀୟ ନିର୍ମାଣ କରେଇଥିବା ଯୁକ୍ତି କରନ୍ତି । ଏପରି ହେଲେ ମନ୍ଦିରର ନିର୍ମାଣ କାଳ ଆହୁରି ପୁରାତ୍ତନ ହୋଇ ୧୫୪୫ ରୁ ୧୫୬୦ ଖ୍ରୀଷ୍ଟାବ୍ଦ ଧରାଯିବ ।
ମନ୍ଦିରଟି ପ୍ରାୟ ୨୦୦ ଫୁଟ ଲମ୍ବ ଓ ୧୨୦ ଫୁଟ ପ୍ରସ୍ଥ ବିଶିଷ୍ଟ ଏକ ଆୟତାକୃତି ଆଧାରକ୍ଷେତ୍ର ଉପରେ ଅବସ୍ଥାପିତ । ମୂଖ୍ୟ ମନ୍ଦିର ବିମଳେଶ୍ଵର ପଶ୍ଚିମ ଦିଗକୁ ୪୭o କୋଣରେ ସ୍ପଷ୍ଟ ଢଳିକରି ଅଛି । ଏହି ବକ୍ରତାର କାରଣ ରହସ୍ୟାବୃତ୍ତ ଏବଂ ବିବାଦ ବଳୟରେ । କେତେକଙ୍କ ମତରେ ବର୍ଷାଦିନେ ମହାନଦୀର ବନ୍ୟା ସମୟରେ ପ୍ରବାହିତ ପ୍ରବଳ ସ୍ରୋତର ଆଘାତରୁ ରକ୍ଷାକରିବା ପାଇଁ ମନ୍ଦିରକୁ ନିର୍ମାଣ କାଳରୁ ହିଁ ଜାଣିଶୁଣି ବକ୍ରକରି ଗଢାଯାଇଛି । ଆଉ କେତେକଙ୍କ ମତରେ ମନ୍ଦିର ନିର୍ମାଣ ସମୟରେ ସିଧା ଥିଲା । ସମୟ କ୍ରମେ ମହାନଦୀର ପ୍ରବଳ ସ୍ରୋତରେ ମନ୍ଦିର ନଦୀପାର୍ଶ୍ଵସ୍ଥ ଭିତିଭୂମି ଦବିଯାଇ ମନ୍ଦିରର ବକ୍ରତା ସୃଷ୍ଟି ହେଲା ।
ଦେଉଳ ପଛପଟେ ପାହାଚ ଅତିକ୍ରମ କରି ତଳକୁ ଖସିଲେ ମହାନଦୀରେ ଖେଳୁଥିବା ଅସଂଖ୍ୟ କୁଡ଼ୋ ମାଛ ଦେଖାଯାଆନ୍ତି । ସେଠାକୁ ଯାଇଥିବା ପର୍ଯ୍ୟଟକମାନଙ୍କ ହାତରୁ ନିର୍ଭୟରେ ଖାଦ୍ୟ ଖାଇଥାନ୍ତି । ଏହି ମାଛମାନେ କେଉଁ ପ୍ରାଜାତିର ଓ ସେମାନେ କେବେଠାରୁ ଏହି ସ୍ଥାନରେ ବାସକରିଆସୁଛନ୍ତି ସେ ନେଇଏ ଆଜିଯାଏଁ କୈଣସି ଠିକ ପ୍ରମାଣ ମିଳିନାହିଁ । ଦେଉଳ ନିକଟସ୍ଥ କୁନ୍ଦେରେ କୁଦାରେ ଅଛି ଶ୍ୟାମାକାଳୀଙ୍କ ପୀଠ । ଦେଉଳ ନିକଟରୁ ଡଙ୍ଗାରେ ଯିବାକୁ ପଡ଼େ କୁନ୍ଦେର କୁଦପାଖକୁ ।
ଆଧାର-
Last Modified : 1/26/2020