অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅଟୋ ଚଳାଇ ଉଦାହରଣ ସାଜିଲେ ଓଡ଼ିଶାର ଝାନ୍ସୀ

ଅଟୋ ଚଳାଇ ଉଦାହରଣ ସାଜିଲେ ଓଡ଼ିଶାର ଝାନ୍ସୀ

ଝାନ୍ସୀରାଣୀଙ୍କ ସଂଘର୍ଷ କାହାଣୀ

ମୟୂରଭଞ୍ଜ ସଦର ମହକୁମାରେ ଅଟୋ ଚଳାଉଥିବା ସମ୍ଭବତଃ ଓଡ଼ିଶାର ଏକମାତ୍ର ଅଟୋଚାଳିକା ୨୧ ବର୍ଷୀୟ ତରୁଣୀ ଝାନ୍ସୀରାଣୀ ପଣ୍ଡା । ପୁରୁଷ କୈନ୍ଦ୍ରୀକ ସମାଜରେ ପାଠ ପଢ଼ିବା ସାଙ୍ଗକୁ ସେ  ଅଟୋ ଚଳାଇ ଉଦାହରଣ ଦେଇଥିଲେ ।

ଝାନ୍ସୀ ପୁଣି କହିଥିଲେ,ଅବଶ୍ୟ ପ୍ରଥମେ ପ୍ରଥମେ ଏଥିପାଇଁ ଟାହିଟାପରା ଶୁଣିବାକୁ ମିଳିଛି । ମୋ ବାପାମା’ଙ୍କୁ ବି ବହୁତ କଥା ଶୁଣିବାକୁ ମିଳିଛି। ଏପରିକି କେଲଜରେ ମୋ ସାଙ୍ଗମାନେ ମୋତେ ଦୂରେଇ ଦେଇଛନ୍ତି। କିନ୍ତୁ ସେତେବେଳେ ପରିବାରର ପରିସ୍ଥିତି ଏଭଳି ଥିଲା ଯେ, ମୁଁ ଅଟୋ ଚଳାଇବାକୁ ବାଧ୍ୟ ହୋଇଥିଲି। ମୋ ମା’ ମୋତେ ବହୁତ ବଳ ଦେଇଥିଲେ। ପରେ ଜିଲ୍ଲା ପ୍ରଶାସନ ବି ମୋ ସାହସିକତା ପାଇଁ ସମ୍ବର୍ଧନା ଦେଇଛି।

ବାରିପଦା ପୌର ପରିଷଦ ଗୌଡ଼ଡିହା ଅନ୍ତର୍ଗତ ଶାନ୍ତି ନଗରରେ ଏକ ଦୁଇବଖୁରିଆ ଘରେ ରହନ୍ତି ଝାନ୍ସୀ ଓ ତାଙ୍କ ପରିବାର । ପରିବାର କହିଲେ, ବାପା-ମା’, ଝାନ୍ସୀଙ୍କ ଉପରେ ଦୁଇ ଭଉଣୀ ଓ ଜଣେ ସାନଭାଇ ।

ଝାନ୍ସୀଙ୍କ ବାପା ବସ୍ ଚାଳକ ଭାବେ କାମ କରନ୍ତି । ସପ୍ତାହରେ ତାଙ୍କର ତିନିଦିନ କାମ । ଯେତିକି ରୋଜଗାର ହୁଏ ସେଥିରେ ୬ ପ୍ରାଣୀ କୁଟୁମ୍ବ ଭରଣପୋଷଣ କରିବା ସାଙ୍ଗକୁ ୪ ସନ୍ତାନଙ୍କୁ ପାଠ ପଢ଼ାଇବା ତାଙ୍କ ପାଇଁ କାଠିକର । ୨୦୧୩ରେ ଜଣେ ସମ୍ପର୍କୀୟଙ୍କ ସହଯୋଗରେ ସେ ଅଟୋଟିଏ କିଣିଲେ । ବାପାଙ୍କ ସହ ଅଟୋରେ ଯିବାବେଳେ କୌତୁହଳ ବଶତଃ ଅଟୋ ଚଳାଇବା ଶିଖିଗଲେ ଝାନ୍ସୀ । ଘରର ଆର୍ଥିକ ଅବସ୍ଥାକୁ ଦେଖି, ସେ ନିଜେ ନିୟମିତ ଅଟୋ ଚଳାଇବେ ବୋଲି ନିଷ୍ପତ୍ତି ନେଲେ ଝାନ୍ସୀ । ଏଥିରେ ତାଙ୍କ ପବରିବାରର ବି ସମ୍ମତି ଥିଲା । ୨୦୧୪ରେ ସ୍ଥାନୀୟ ଏମପିସି ଜୁନିୟର କଲେଜରେ +୨ ପ୍ରଥମ ବର୍ଷ ବଢ଼ୁଥିବା ବେଳେ ଅଟୋ ଚଳାଇବା ଆରମ୍ଭ କଲେ ଝାନ୍ସୀ ।

ଭୁବନେଶ୍ୱର ଠାରୁ ପ୍ରାୟ ୨୫୦ କିଲୋମିଟର ଦୂରରେ ଥିବା ଛୋଟ ସହର ବାରିପଦାରେ ଝାନ୍ସୀଙ୍କ ଅଟୋଚାଳନାକୁ ପ୍ରଥମେ ପ୍ରଥମେ ଅନେକେ ନାପସନ୍ଦ କରୁଥିଲେ । କିନ୍ତୁ ପରେ ତାଙ୍କର ସାହସିକତାକୁ ସବୁ ମହଲରୁ ମିଳିଲା ସମର୍ଥନ । କଲେଜ ପଢ଼ା ସରିବା ପରେ ପ୍ରତ୍ୟହ ଅପରାହ୍ନରେ ଅଟୋ ଚଳାଇ ଦୈନିକ ପ୍ରାୟ ୨୦୦ଟଙ୍କା ରୋଜଗାର କରୁଥିଲେ ଝାନ୍ସୀ । +୨ ପରେ ଏବେ IGNOUରେ ଦୂରନିରନ୍ତର ଶିକ୍ଷାରେ ଅର୍ଥନୀତିରେ ସ୍ନାତକ କରୁଛନ୍ତି ଝାନ୍ସୀ। କେବଳ ରବିବାର କ୍ଲାସ କରିବାକୁ ପଡ଼ୁଛି । ଏଣୁ ଏବେ ସାରାଦିନ ଅଟୋ ଚଳାଉଛନ୍ତି ଝାନ୍ସୀ । ଏହା ସାଙ୍ଗକୁ ସପ୍ତାହକୁ ତିନି ଦିନ ଘଣ୍ଟାଏ ଲେଖାଏଁ କମ୍ପ୍ୟୁଟର ପ୍ରଶିକ୍ଷଣ ବି ସେ ନେଉଛନ୍ତି । ରୋଜଗାରରୁ ପଢ଼ା ଖର୍ଚ ଯାଇ ବେଶ୍ କିଛି ଅର୍ଥ ସେ ନିଜ ପରିବାରକୁ ଦେଇ ପାରୁଥିବା କହନ୍ତି ଝାନ୍ସୀ । ତାଙ୍କ ଉପର ଦୁଇ ଭଉଣୀ ସ୍ନାତକ ସମାପ୍ତ କରି ସ୍ଥାନୀୟ ଟିଭିଏସ୍ ଶୋରୁମରେ ଚାକିରି କରୁଛନ୍ତି । ସାନ ଭାଇ ଏବେ ଷଷ୍ଠ ଶ୍ରେଣୀରେ ପାଠ ପଢ଼ୁଛି ।

ଝିଅଜନ୍ମକୁ ନେଇ ଏବେ ବି ସମାଜରେ ଭିନ୍ନ ଧାରଣା ଥିବା ବେଳେ ସେ ନିଜର ତିନି ଝିଅଙ୍କୁ ନେଇ ଗର୍ବିତ ବୋଲି କହନ୍ତି ବାପା ଅଜୟ କୁମାର ପଣ୍ଡା । ମା’ ହରପ୍ରିୟା କହନ୍ତି,ସହର ଭିତରେ ସେ ଏକାକୀ ଅଟୋ ଚଳାଏ । ସହର ବାହାରକୁ ଯଦି ଯାତ୍ରୀ ନେଇ ଯିବାକୁ ପଡେ଼ ତେବେ ମୁଁ ତା ସାଙ୍ଗରେ ଯାଇଥାଏ ।

ଆଦର୍ଶ ଉଦାହରଣ

୨୦୧୫ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଝାନ୍ସୀଙ୍କୁ ସମ୍ବର୍ଧିତ କରାଯାଇଛି । ଅଦମ୍ୟ ଇଛାଶକ୍ତି ଆଗରେ ବେକାରି ଓ ଦାରିଦ୍ର୍ୟ ଯେ ହାର ମାନିଯାଏ, ସେ ଏକଥା ପ୍ରମାଣ କରିଛନ୍ତି । ଝାନ୍ସୀଙ୍କ ଲାଗି କେବଳ ମୟୁରଭଞ୍ଜ ଜିଲ୍ଲା ନୁହେଁ, ବରଂ ସାରା ରାଜ୍ୟ ଗର୍ବିତ ।

ବ୍ରିଟିଶ୍ ଶକ୍ତି ସହ ଲଢେ଼ଇ କରିଥିବା ଝାନ୍ସୀର ରାଣୀ ଲକ୍ଷ୍ମୀବାଇଙ୍କ ନାମରେ ନାମିତ ଝାନ୍ସୀରାଣୀ ପଣ୍ଡା ନିଜ ନାଁକୁ ସାର୍ଥକ କରିଛନ୍ତି । ଭବିଷ୍ୟତରେ ଆଇପିଏସ୍ ହେବାକୁ ଲକ୍ଷ୍ୟ ରଖିଛନ୍ତି ଝାନ୍ସୀ। ବିବାହ କଥା ଏଯାଏଁ ସେ ଚିନ୍ତା ବି କରିନାହାନ୍ତି ବୋଲି କହନ୍ତି । ବାରିପଦା ସହରରେ ତାଙ୍କ ଅଟୋର ଚାହିଦା ଏବେ ଢେର ବଢ଼ିଯାଇଛି । ଆପଣମାନେ ଯଦି କେବେ ବାରିପଦା ବୁଲିବାକୁ ଯାଉଛନ୍ତି, ଝାନ୍ସୀଙ୍କ ଅଟୋରେ ବସିବାକୁ ଆଦୌ ଭୁଲିବେନି ।

ଆଧାର-Subhransu panda Author and Journalist

Last Modified : 5/19/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate