অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗରିବ ଚାଷୀଙ୍କ ଝିଅ ଟପ୍ପର

ଉପକ୍ରମ

ବାପା ନାମମାତ୍ର ଚାଷୀ । ଜମି ମାତ୍ର ୮୦ ଡେସିମିଲ । ଝିଅ କିନ୍ତୁ ଓଜେଇଇ ଟପର । ହରିପ୍ରିୟା ନାଏକଙ୍କ ନିଷ୍ଠା ଓ  ଅଧ୍ୟବସାୟ ଆଗରେ ଦାରିଦ୍ର୍ୟ ନତମସ୍ତକ ହୋଇଛି ।

ସେ ପ୍ରଥମ ସୁଯୋଗରେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା -୨୦୧୬ରେ ରାଜ୍ୟରେ  ପ୍ରଥମ ସ୍ଥାନ ହାସଲ କରି ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

 

ହରିପ୍ରିୟାଙ୍କ ସଫଳତା

ସମ୍ବଲପୁର ସହରଠାରୁ ପ୍ରାୟ  ୧୨ କିମି ଦୂର ଜମାଦାରପାଲି ନିକଟସ୍ଥ ଧୁମାପଡ଼ାର ହରିପ୍ରିୟା । ବାପା ହୃଷିକେଶ ମେଟ୍ରିକ ଯାଏ ପହଞ୍ଚି ପାରିନଥିଲେ ।  ମାଆ ପଦ୍ମିନୀ ଷଷ୍ଠ ଶ୍ରେଣୀ ଡେଇଁ ପାରିନାହାନ୍ତି । ଆଜିକାଲିର ପାଠ, ମେଡିକାଲ, ଇଂଜିନିୟରିଂ କଥା ସେମାନଙ୍କ ମଗଜରେ ପଶେ ନାହିଁ । ଘରର ଆର୍ଥିକ ଅବସ୍ଥା ତ ଆଦୌ ସ୍ଵଚ୍ଛଳ ନୁହେଁ । ତଥାପି ଝିଅ ହରିପ୍ରିୟା ନିଜ ଦୃଢ ଇଚ୍ଛାଶକ୍ତି, ନିଷ୍ଠା ଓ କଠିନ ଅଧ୍ୟବସାୟ ବଳରେ ସବୁ ବାଧାବିଘ୍ନ ଲଘିଂ ସଫଳତା ହାସଲ କରି ପାରିଛନ୍ତି  । ପ୍ରକାଶ ପାଇଥିବା   ଓଜେଇଇ -୧୬ (ଆୟୁର୍ବେଦ, ହୋମିଓପାଥି ଓ ଫାର୍ମାସୀ ବର୍ଗ)ରେ ରାଜ୍ୟରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି । ନିଜ ସଂଘର୍ଷ କଥା ମନେ ପକାଇ ହରିପ୍ରିୟା କହନ୍ତି, ସେ ପଞ୍ଚମ ଶ୍ରେଣୀ ପଢିବା ଯାଏ ଘରକୁ ବିଜୁଳି ଆସି ନଥିଲା । ପ୍ରଥମ ଶ୍ରେଣୀରୁ ପଞ୍ଚମଶ୍ରେଣୀ ଯାଏ ପାଠପଢା ଡିବିରି ଆଲୁଅରେ ସରିଗଲା । ତାଙ୍କ ପ୍ରତିଭା ଦେଖି ସ୍କୁଲ ଶିକ୍ଷକ ନବୋଦୟ ପ୍ରବେଶିକା ଦେବାକୁ କହିଥିଲେ । ନବୋଦୟ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଗୋଶାଳାସ୍ଥିତ ସମ୍ବଲପୁର ନବୋଦୟ ସ୍କୁଲରେ ଦ୍ଵାଦଶ ଶ୍ରେଣୀ ଯାଏ କଷ୍ଟେମଷ୍ଟେ ପଢା ଶେଷ କଲେ । ଠିକ୍ ସମୟରେ ସ୍କୁଲ ଫି ଦେବା ଓ ବହିପତ୍ର କିଣିବା ପାଇଁ ସେ ସକ୍ଷମ ହୋଇ ପାରୁନଥିଲେ । ତଥାପି ଦଶମରେ ୯ ସିଜିଯିଏ ଓ ଦ୍ଵାଦଶରେ ୮୪.୪% ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିଲେ । ଜିଏମ କଲେଜରେ +୩ ଶ୍ରେଣୀ ପାଇଁ ନାମ ଲେଖାଇଥିଲେ । କିନ୍ତୁ ଅର୍ଥାଭାବରୁ ପଢା ଆରମ୍ଭ ସୁଦ୍ଧା କରିପାରିଲେ ନାହିଁ । ଗୁଣ ଚିହ୍ନେ ଗୁଣିଆ ନ୍ୟାୟରେ ସ୍ଥାନୀୟ ଆଇବିଏମ୍ ତ୍ଵିଷା କୋଚିଂ କର୍ତ୍ତୃପକ୍ଷ କୌଣସି ସୂତ୍ରରୁ ତାଙ୍କ ସଂପର୍କରେ ଜାଣିପାରି ତାଙ୍କୁ ପ୍ରତି ମାସ ହଜାରେ ଟଙ୍କା ଲେଖାଏଁ ସ୍ଵତନ୍ତ୍ର ସ୍କଲାରସିପ ଦେଇ ୨ ବର୍ଷ ନିଃଶୁଳ୍କ ଡାକ୍ତରୀ ପ୍ରବେଶିକା ପାଇଁ ତାଙ୍କୁ ପ୍ରସ୍ତୁତ କରାଇଛନ୍ତି । ହରିପ୍ରିୟା ମଧ୍ୟ ନିଜ ଲକ୍ଷ୍ୟ ସ୍ଥିର କରି ସାରିଛନ୍ତି । ଡାକ୍ତର ହେବାର ଲକ୍ଷ୍ୟ ରଖିଥିବା ହରିପ୍ରିୟା ଏଆଇପିଏମଟିରେ ମଧ୍ୟ ଭଲ କରିଛନ୍ତି ।  ତେଣୁ ତାଙ୍କୁ ଡାକ୍ତରୀ ଶିକ୍ଷା ପାଇଁ ସୁଯୋଗ ମିଳିଯିବ ବୋଲି ସେ ଆଶା କରିଛନ୍ତି ।  ତେବେ ତା ଆଗରୁ ଆଜି ଓଜେଇଇ (ଫାର୍ମାସୀ, ଆୟୁର୍ବେଦ ଓ ହୋମିଓପାଥି)ରେ ଶ୍ରେଷ୍ଠ ସ୍ଥାନ ହାସଲ କରିଥିବାରୁ ସେ ବହୁତ ଖୁସି ଅଛନ୍ତି । ସେ  ବାପାମାଆଙ୍କ ଆଶିର୍ବାଦ ଓ ପ୍ରେରଣା, ନିଜ ପରିଶ୍ରମ ଓ ଶିକ୍ଷକମାନଙ୍କ ମାର୍ଗଦର୍ଶନକୁ ଏହି ସଫଳତାର ଶ୍ରେୟ ଦେଇଛନ୍ତି ।

ସଫଳତା ହାସଲର ପଥ

ହରିପ୍ରିୟା କହନ୍ତି, କୋଚିଂ ନେଲେ ଯାଇ ଜଣେ ପ୍ରବେଶିକା ପରୀକ୍ଷାରେ କୃତ୍ତକାର୍ଯ୍ୟ ହେବ ସେମିତି ନୁହେଁ, ତେବେ କୋଚିଂ ନେଲେ ଅଭିଜ୍ଞ ଶିକ୍ଷକମାନଙ୍କ ମାର୍ଗଦର୍ଶନ ମିଳିଯାଏ ଓ ସଫଳତା ହାସଲର ପଥ ସହଜ ହୋଇଯାଏ  ବୋଲି କହିଛନ୍ତି ।

ଆଧାର – ଦୈନିକ ସମାଜ

Last Modified : 12/25/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate