অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଡାକ୍ତରଖାନାରେ ଭୋକିଲା ଲୋକଙ୍କୁ ଆହାର ଯୋଗାଉଥିବା ନିଆରା ମଣିଷର କାହାଣୀ

ଡାକ୍ତରଖାନାରେ ଭୋକିଲା ଲୋକଙ୍କୁ ଆହାର ଯୋଗାଉଥିବା ନିଆରା ମଣିଷର କାହାଣୀ

ଭୋକିଲା ଲୋକଙ୍କ ସାହାରା

“ଭୋକ କାହାକୁ କୁହାଯାଏ, ସେକଥା ମୁଁ ବେଶ୍ ଭଲ ଭାବେ ଜାଣିଛି । ଅଙ୍ଗେ ନିଭେଇଛି । ସେଥିପାଇଁ ଭୋକିଲା ଲୋକଙ୍କୁ ଦେଖିଲେ ମୁଁ ସହି ପାରେ ନାହିଁ ।” ଏକଥା କୁହନ୍ତି ଗୁଜୁରାଟର ୫୮ ବର୍ଷୀୟ ହେମନ୍ତ ପଟେଲ୍ । ତାଙ୍କ ଝିଅ ଥରେ ଅସୁସ୍ଥ ହୋଇ ଅହମ୍ମଦାବାଦର ଭିଏସ୍ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲା । ଡାକ୍ତରଖାନାର ଖାଦ୍ୟ ସେ ଖାଇ ପାରୁ ନଥିବାରୁ ସେ ହେମନ୍ତଙ୍କୁ ବାହରୁ ତା’ ପାଇଁ କିଛି ଖାଦ୍ୟ ଆଣିବାକୁ କହିଥିଲା । ସେତେବେଳେ ହେମନ୍ତଙ୍କ ନିକଟରେ ୧୦ଟଙ୍କିଆ ନୋଟଟିଏ ମଧ୍ୟ ନଥିଲା । କିଛି ଦିନ ତଳେ ହେମନ୍ତ କାମ କରୁଥିବା ଟ୍ରାଭେଲ୍ କମ୍ପାନୀ ତାଙ୍କୁ ଚାକିରିରୁ କାଢ଼ି ଦେଇଥିଲା । ଏଣୁ ସେ ସମୟରେ ଖୁବ୍ କଷ୍ଟରେ ଦିନ କାଟୁଥିଲେ । ସେଦିନ ସେ ଝିଅର ଗୋଟେ ସାଧାରଣ ଇଚ୍ଛାକୁ ପୂରଣ କରି ପାରି ନଥିଲେ । ଲୁହ ଛଳଛଳ ଆଖିରେ ସେ ଆଖ ପାଖର ରୋଗୀଙ୍କ ସମ୍ପର୍କୀୟମାନଙ୍କୁ ଦେଖିଥିଲେ କିନ୍ତୁ ସେଠାରେ ସମସ୍ତଙ୍କ ଅବସ୍ଥା ପ୍ରାୟତଃ ସମାନ ଥିଲା । ସେଦିନ ହେମନ୍ତ ଅସହାୟ ହୋଇ ପଡିଥିଲେ । ଯାହା ହେଉ ପରେ କିନ୍ତୁ ସୌଭାଗ୍ୟକ୍ରମେ ତାଙ୍କ ଝିଅ ସୁସ୍ଥ ହୋଇ ଯାଇଥିଲେ ।

ଝିଅକୁ ଏକଦା ଖାଇବାକୁ ଦେଇ ପାରି ନଥିବା କଥା ହେମନ୍ତଙ୍କୁ ଖୁବ୍ ଧୀକ୍କାର କରିଥିଲା । ସେ ଏକ କ୍ୟାଟେରିଂ ସଂସ୍ଥା ଖୋଲି ଜୀବନରେ ଆଗକୁ ବଢ଼ିଲେ । କିନ୍ତୁ ୨୦୦୨ ମସିହାରେ ଗୁଜୁରାଟ ଦଙ୍ଗା ପୁଣି ଥରେ ତାଙ୍କ କ୍ଷତକୁ ତାଜା କରି ଦେଇଥିଲା । ଦଙ୍ଗା ସମୟରେ ସେ ଅହମ୍ମଦାବାଦର ରାସ୍ତା କଡରେ ଅନେକ ଅସହାୟ ଭୋକିଲା ଲୋକଙ୍କୁ ଦେଖିଥିଲେ । ଅନେକଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା । ସେମାନଙ୍କ ମଧ୍ୟରେ ଜଣେ ହେମନ୍ତଙ୍କର ବନ୍ଧୁ ଥିଲେ ।

ହେମନ୍ତଙ୍କ କାର୍ଯ୍ୟ

ହେମନ୍ତଙ୍କ କହିବା ଅନୁଯାୟୀ, “ଯେତେବେଳେ ମୁଁ ଡାକ୍ତରଖାନାରେ ପହଞ୍ଚିଲି, ଲୋକଙ୍କ ଅବସ୍ଥା ଦେଖି ହତବାକ୍ ହୋଇଗଲି । ଅନେକ ଲୋକ ଅର୍ଥ ଓ ଖାଦ୍ୟାଭାବ କାରଣରୁ ଅସହାୟ ହୋଇ ପଡିଥିଲେ । ସେକଥା ମୋତେ ମୋ ଝିଅ ସହ ହୋଇଥିବା ଘଟଣା କଥା ମନେ ପକାଇ ଦେଲା । ମୋ ହୃଦୟ କାନ୍ଦି ଉଠିଲା । ଏଣୁ ସେହି କ୍ଷଣି ମୁଁ ନିଷ୍ପତ୍ତି ନେଲି ଯେ ଡାକ୍ତରଖାନାରେ ଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନଙ୍କୁ ମୁଁ ଖାଦ୍ୟ ଯୋଗାଇବି ।”

ସେବେଠାରୁ ହେମନ୍ତ ପ୍ରତ୍ୟେକ ଦିନ ଭିସି ହସ୍ପିଟାଲ୍ ଯାଇ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନଙ୍କ ରନ୍ଧା ଖାଦ୍ୟ ଯୋଗାଇ ଆସୁଛନ୍ତି । ସେ ଯୋଗାଉଥିବା ଖାଦ୍ୟ ମଧ୍ୟରେ ଭାତ, ଡାଲି ଏବଂ ରୁଟି ରହିଥାଏ । ନିଜ ହାତରେ ରାନ୍ଧି ପ୍ରତ୍ୟେହ ପାଖାପାଖି ୨୫୦ରୁ ୩୦୦ ଲୋକଙ୍କୁ ସେ ଖାଇବାକୁ ଦେଇଥା’ନ୍ତି । ଆଉ ଯଦି କୌଣସି ପର୍ବପର୍ବାଣୀର ଦିନ ହୋଇଥାଏ, ତେବେ ଏହି ଖାଦ୍ୟ ସହ ଗୋଟିଏ ଲେଖାଏଁ ମିଠା ମଧ୍ୟ ପରସି ଦିଅନ୍ତି।

ଡାକ୍ତରଖାନାର ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ସବୁଦିନ ହେମନ୍ତଙ୍କ ଖାଦ୍ୟକୁ ଅପେକ୍ଷା କରି ରହିଥା’ନ୍ତି । ହେମନ୍ତ ଅପରାହ୍ନ ୪ଟା ବେଳୁ ରୋଷେଇ ଆରମ୍ଭ କରି ଦିଅନ୍ତି । ସନ୍ଧ୍ୟା ସୁଦ୍ଧା ସବୁ କିଛି ପ୍ରସ୍ତୁତ ହୋଇଯାଏ । ସାଢେ଼ ୬ଟା ୭ ବେଳକୁ ସେ ସେହି ଖାଦ୍ୟକୁ ଡାକ୍ତରଖାନା ନେଇ ରୋଗୀମାନଙ୍କୁ ଖାଇବାକୁ ଦିଅନ୍ତି । ହେମନ୍ତଙ୍କ ରନ୍ଧା ଖାଦ୍ୟର ମାନ ଏତେ ଭଲ ରହିଥାଏ ଯେ ତାହା ଲୋକଙ୍କୁ ମନଙ୍କୁ ବେଶ୍ ପାଏ । ଯଦି କୌଣସି ନୂଆ ରୋଗୀ ସେହି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସନ୍ତି, ସେତେବେଳେ ନର୍ସମାନେ ସେମାନଙ୍କୁ ହେମନ୍ତଙ୍କ ଖାଦ୍ୟ କଥା କୁହନ୍ତି । ସମସ୍ତେ ବେଶ୍ ଖୁସି ହୁଅନ୍ତି ।

କିଛି ବର୍ଷ ପୂର୍ବେ ହେମନ୍ତ ଅହମ୍ମଦାବାଦରେ ଥିବା ବସ୍ତି ଗୁଡିକରେ ବୁଲି ବୁଲି ଖାଦ୍ୟ ବାଣ୍ଟିବା ଆରମ୍ଭ କରିଛନ୍ତି । ପ୍ରତ୍ୟେକ ଥର ବସ୍ତିକୁ ଗଲେ ସେ ପାଖାପାଖି ୧୫୦ ଜଣଙ୍କୁ ଖାଦ୍ୟ ଯୋଗାଇଥାଆନ୍ତି । ହେମନ୍ତ କୁହନ୍ତି, “ଏହି ଖାଦ୍ୟଗୁଡିକ ମନ ପସନ୍ଦର ବା ନାନା କିସମର ହୋଇ ନଥାଇ ପାରେ । କିନ୍ତୁ ଏହାର ମାନକୁ ଉଚ୍ଚ ରଖିବା ପାଇଁ ମୁଁ ସବୁବେଳେ ପ୍ରଯତ୍ନଶୀଳ ।”

ହେମନ୍ତ ନିଜ ଆୟରୁ ଯାହା କରି ପାରି ଥାଆନ୍ତେ, ସେ କରିଛନ୍ତି । ଆଜି ଯାଏଁ ତାଙ୍କୁ କେହି ଜଣେ ଏହି କାମରେ ସାହାଯ୍ୟ କରି ନାହାନ୍ତି । ଲୋକଙ୍କୁ ପ୍ରତ୍ୟେହ ଖାଦ୍ୟ ଯୋଗାଇବା ପାଇଁ ତାଙ୍କର ମାସିକ ପାଖାପାଖି ୬୦,୦୦୦ ଟଙ୍କା ଖର୍ଚ୍ଚ ହୁଏ । ଜଣେ ମଧ୍ୟବିତ୍ତ ଶ୍ରେଣୀୟ ଲୋକ ପାଇଁ ଏହା ବେଶ୍ କିଛି ଅର୍ଥ । କିନ୍ତୁ ତାଙ୍କୁ ଆର୍ଥିକ ସହାୟତ ଯୋଗାଇ ଦେବା ପାଇଁ କେହି ଜଣେ ବିତ୍ତଶାଳୀ ଲୋକ ଆଗଭର ହୋଇ ନାହାନ୍ତି ।

ଶେଷକଥା

ଏବିଷୟରେ ହେମନ୍ତ କୁହନ୍ତି, “ମୁଁ ଦିନକୁ ଦିନ ବୁଢ଼ା ହେଉଛି । ଆଉ ଆଗ ଭଳି କାମ କରି ପାରୁ ନାହିଁ । ଭବାବାନ୍ ମୋତେ ଏତେ ବଡ କାମକୁ ପ୍ରତ୍ୟେକ ଦିନ କରି ପାରିବାର ଶକ୍ତି ଦେଇଥିଲେ । କିନ୍ତୁ ତାହା ଧୀରେ ଧୀରେ କମିବାକୁ ଲାଗୁଛି । ଏହା ପାଇଁ ଆର୍ଥିକ ସହଯୋଗ ବି ଦରକାର । ଏମିତି ବି କିଛି ସ୍ୱେଚ୍ଛାସେବୀ ଦରକାର, ଯେଉଁମାନେ ମୋତେ ରୋଷେଇରେ ସାହାଯ୍ୟ କରି ପାରିବେ।”

ହେମନ୍ତଙ୍କର ଏହି କାମ ପାଇଁ ତାଙ୍କୁ ସରକାରୀ ପ୍ରୋତ୍ସାହନ ମଧ୍ୟ ନାହିଁ । ସରକାରଙ୍କ ଦୃଷ୍ଟି ହେମନ୍ତଙ୍କ କାର୍ଯ୍ୟ ଉପରେ ପଡିଲେ ହୁଏତ ତାଙ୍କୁ କିଛିଟା ସାହାଯ୍ୟ ମିଳି ପାରନ୍ତା । କିନ୍ତୁ ଯେପର୍ଯ୍ୟନ୍ତ ତାହା ମିଳିନି, ହେମନ୍ତ ମାନବିକତାର ଶକ୍ତି ସାହାଯ୍ୟରେ ଗରିବମାନଙ୍କୁ ଏମିତି ଖୁଆଇ ଚାଲୁଥିବ ।

ଆଧାର - Jyoti Prakash Mohapatra Journalist

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate