অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପ୍ରଧାନମନ୍ତ୍ରୀ ଉଜ୍ୱଳ ଯୋଜନା

ଉଜ୍ୱଳ ଯୋଜନାକୁ ମଞ୍ଜୁରୀ

ujaalaaପ୍ରଧାନ ମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ କମିଟି ଅର୍ଥନୀତିର ବ୍ୟାପାର ମନ୍ତ୍ରଣାଳୟର ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ପ୍ରଧାନମନ୍ତ୍ରୀ ଉଜ୍ୱଳ ଯୋଜନାକୁ ମଞ୍ଜୁରୀ ମିଳିଛି । ଏହି ଯୋଜନା ଦ୍ଵାରା ବିପିଏଲ ପରିବାରର ମହିଳା ସଦସ୍ୟଙ୍କ ନାମରେ ଏଲପିଜି କନେକ୍ସନପାଇଁ ୮ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଏହି ଯୋଜନା ଦ୍ଵାରା ପ୍ରତ୍ୟେକବିପିଏଲ ପରିବାରକୁ ୧୬୦୦ ଟଙ୍କା ଦିଆଯିବାର ବ୍ୟବସ୍ଥା ରହିଛି । ବିପିଏଲ ପରିବାର ଚିହ୍ନଟ କରିବା ପାଇଁ ରାଜ୍ୟସରକାର ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଦାୟିତ୍ଵ ଦିଆଯାଇଛି । ଏହି ଯୋଜନା ୨୦୧୬-୧୭ ,୨୦୧୭-୧୮,୨୦୧୮-୧୯ ତିନିବର୍ଷ ପାଇଁ କରାଯାଇଛି ।

ଦେଶର ଇତିହାସରେ ପ୍ରଥମ ଥର ପାଇଁ ପେଟ୍ରୋଲିୟମ ପ୍ରାକୃତିକ ଗ୍ୟାସ ବିଭାଗ ତରଫରୁ ଏକ ଜନ ମଙ୍ଗଳ କାର୍ଯ୍ୟକ୍ରମ ଗରିବ ଲୋକମାନଙ୍କ ପାଇଁ କରାଯାଇଛି ।

ଉଜ୍ୱଳ ଯୋଜନାର ଶୁଭାରମ୍ଭ

ଭାରତରେ ଗରିବ ପରିବାରରେ ରୋଷେଇ ପାଇଁ ଗ୍ୟାସର ବ୍ୟବହାର ଅତ୍ୟନ୍ତ କମ । ସହରାଞ୍ଚଳ ଅର୍ଦ୍ଧ ସହରାଞ୍ଚଳରେ ଗ୍ୟାସର ପ୍ରଚଳନ ଅତ୍ୟଧିକ ଭାବରେ ଦେଖାଯାଏ , କିନ୍ତୁ ଗ୍ରାମାଞ୍ଚଳରେ ମହିଳାଙ୍କ ମଧ୍ୟରେ ଜାଳେଣୀ ଯୋଗୁ ଅତ୍ୟଧିକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଏ । WHO ର ସର୍ଭେରୁ ଜଣାଯାଏ ଯେ ଭାରତରେ ରୋଷେଇ ପାଇଁ ବ୍ୟବହାର ହେଉଥିବା ଜାଳେଣୀ ଯୋଗୁଁ ୫୦୦୦ ମୃତ୍ୟୁ ହୋଇଥାଏ । ଏହି ସବୁ ମୃତ୍ୟୁ ହୃଦଘାତ, ଫୁସଫୁସରେ କ୍ୟାନସର,ନିଶ୍ଵାସପ୍ରଶ୍ଵାସ ସମସ୍ୟା,ଇତ୍ୟାଦି ଦ୍ଵାରା ହୁଏ । ଘରଭିତର ଧୂଆଁ ପାଇଁ ଛୋଟ ପିଲାମାନେ ନିଶ୍ଵାସପ୍ରଶ୍ଵାସ ଜନିତ ରୋଗରେ ପୀଡିତ ହୁଅନ୍ତି । ରୋଷେଇ ଘରୁ ନିର୍ଗତ ହେଉଥିବା ଧୂଆଁ ଏକ ଘଣ୍ଟାରେ ୧୦୦ ସିଗାରେଟ ପୋଡିବା ସହ ସମାନ ।

ଏହି ଯୋଜନା ଦ୍ଵାରା ମହିଳାକୁ ସଶକ୍ତି କରାଯିବା ସହ ସେମାନଙ୍କର ସ୍ଵାସ୍ଥ୍ୟର ସୁରକ୍ଷା କରାଯାଇ ପାରିବ ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  (୦୧.୦୫.୨୦୧୬) ଉତ୍ତରପ୍ରଦେଶର ବାଲିଆଠାରେ ପ୍ରଧାନମନ୍ତ୍ରୀ ଉଜ୍ୱଳ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ଅଧୀନରେ ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ପ୍ରାୟ ୫ କୋଟି ପରିବାରଙ୍କୁ ଆଗାମୀ ତିନିବର୍ଷ ମଧ୍ୟରେ ରନ୍ଧନ ଗ୍ୟାସ୍ (LPG) ସଂଯୋଗ ଯୋଗାଇ ଦିଆଯିବ । ପ୍ରଥମ ବର୍ଷ ଅର୍ଥାତ୍ ଚଳିତ ୨୦୧୬-୧୭ ବର୍ଷରେ ପ୍ରାୟ ଦେଢ କୋଟି ବିପିଏଲ ପରିବାରଙ୍କୁ ମାଗଣା ଏଲପିଜି ସଂଯୋଗ ଦିଆଯିବ । ଆସନ୍ତା ୨୦୧୯ ସୁଦ୍ଧା ଏହି ସ୍କିମ୍ ଅଧୀନରେ ନିଧାର୍ଯ୍ୟ ୫ କୋଟି ଗରିବ ପରିବାରଙ୍କୁ ଏଲପିଜି ସଂଯୋଗ ପ୍ରଦାନ ସଂପୂର୍ଣ୍ଣ ହେବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶ ଅନୁସାରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ପକ୍ଷରୁ ଏହି ଯୋଜନାକୁ ନିଷ୍ଠାପର ଭାବେ କାର୍ଯ୍ୟକାରୀ କରାଯାଉଛି । ଯୁବ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଏହି ମହାତ୍ୱାକାଂକ୍ଷୀ ଯୋଜନା ନିର୍ଦ୍ଧାରିତ ସମୟ ମଧ୍ୟରେ ଲକ୍ଷ୍ୟ ହାସଲ କରିବ ଏବଂ ଗରିବ ଲୋକେ ଉପକୃତ ହେବେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଜି ବାଲିଆଠାରେ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ ଅବସରରେ ଆୟୋଜିତ ସମାରୋହରେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଉଜ୍ୱଳ ଯୋଜନା ସଂପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗରିବ ପରିବାରର ମହିଳାମାନଙ୍କ ହିତ ପାଇଁ ଏହି ଯୋଜନାଟି ଲୋକାର୍ପିତ ହୋଇଛି । ସେ କହିଥିଲେ ଯେ ଉତ୍ତରପ୍ରଦେଶର ବାଲିଆ ହେଉଛି ସବୁଠାରୁ ଅନୁନ୍ନତ ଅଂଚଳ, ଯେଉଁଠି ପ୍ରତି ଶହେ ପରିବାର ମଧ୍ୟରୁ ମାତ୍ର ୮ଟି ପରିବାର ପାଖରେ ରନ୍ଧନ ଗ୍ୟାସ ସଂଯୋଗ ରହିଛି । ଏଣୁ ଦେଶର ଏହି ମହତ୍ୱାକାଂକ୍ଷୀ ଯୋଜନା “ଉଜ୍ୱଳ” ବାଲିଆରୁ ଆରମ୍ଭ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ଯୋଜନା ଅଧୀନରେ ବିପିଏଲ ପରିବାରର କେବଳ ମାଆ ଅଥବା ସ୍ତ୍ରୀଙ୍କ ନାମରେ ଏଲପିଜି ସଂଯୋଗ ଦିଆଯିବ । କୌଣସି ପୁରୁଷ ସଦସ୍ୟଙ୍କ ନାମରେ ଏଲପିଜି ସଂଯୋଗ ରହିବ ନାହିଁ । ଜନଧନ ଜମାଖାତା ଥିବା ବିପିଏଲ୍ ମହିଳାଙ୍କ ଖାତାରେ ସିଧାସଳଖ LPG ସବସିଡି ପହଞ୍ଚିବ । ଫଳରେ ଏହାର ଆଉ ବାଟମାରଣା ହେବ ନାହିଁ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ କିଛିଦିନ ତଳେ ଦେଶର ସ୍ୱଚ୍ଛଳବର୍ଗଙ୍କୁ ରନ୍ଧନ ଗ୍ୟାସ୍ ସବସିଡି ପରିତ୍ୟାଗ କରିବା ଲାଗି ଆହ୍ୱାନ ଦେଇଥିଲେ । ତାଙ୍କ ଆହ୍ୱାନର ସକାରାତ୍ମକ ପ୍ରଭାବ ଏବେ ଦେଖିବାକୁ ମିଳିଛି । ଦେଶର ୧ କୋଟି ୧୦ ଲକ୍ଷ ହୃଦୟବାନ ପରିବାର ଗରିବ ଲୋକଙ୍କ ପାଇଁ ସ୍ୱେଚ୍ଛାକୃତ ଭାବେ ରନ୍ଧନ ଗ୍ୟାସ୍ ସବସିଡି ଛାଡ଼ି ଦେଇଛନ୍ତି । ଏହି ପରିବାରମାନେ ଅଭିନନ୍ଦନ ଓ ପ୍ରଶଂସାର ପାତ୍ର ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ ଗରିବଙ୍କ ପାଇଁ ଯିଏ LPG ସବସିଡି ଛାଡୁଛନ୍ତି, ସେହି ଅର୍ଥ ସରକାରଙ୍କ ପାଖକୁ ଯିବ ନାହିଁ ବରଂ ତାହା ଗରିବଙ୍କ ଲାଗି ନିୟୋଜିତ ହେବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ୬୦ ବର୍ଷ ମଧ୍ୟରେ ମାତ୍ର ୧୩ କୋଟି ପରିବାରଙ୍କୁ ରନ୍ଧନ ଗ୍ୟାସ୍ ବା LPG ସଂଯୋଗ ମିଳିଥିଲା । ତାଙ୍କ ସରକାର ଆସିବା ପରେ ମାତ୍ର ଗୋଟିଏ ବର୍ଷରେ ୩ କୋଟି ପରିବାରଙ୍କୁ LPG ସଂଯୋଗ ଦେଇ ସାରିଛନ୍ତି । ଉଜ୍ୱଳ ଯୋଜନା ଅଧୀନରେ ୫ କୋଟି ବିପିଏଲ ପରିବାରଙ୍କୁ ରନ୍ଧନ ଗ୍ୟାସ୍ ସଂଯୋଗ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ।

ଆଧାର : ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ଭାରତ ସରକାର

Last Modified : 6/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate